ଅଦିନିଆ ମେଘ
ଅଦିନିଆ ମେଘ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଚିତ୍ରଲେଖା ବହୁତ ସମୟ ହେଲା ବିଛଣାରେ ମୁହଁ ମାଡି ପଡିଛି । ସମୟ ଆସି ମଧ୍ୟରାତ୍ରୀ । ବାହାରେ ଅଦିନିଆ ମେଘର ତାଣ୍ଡବ । ଆଉ ତା ଭିତରେ ଅସୁମାରୀ କୋହ । ଆଖିରେ ଅବାଞ୍ଛିତ ଲୁହର ଧାର । ମନରେ ଅନେକ ପ୍ରଶ୍ନ । ନିଜ ଉପରେ ନିଜର ଧିକ୍କାର । କେତେବେଳେ କଇଁ କଇଁ ହୋଇ କାନ୍ଦୁଥାଏ ତ ପୁଣି କେତେବେଳେ ପ୍ରତିହିଂସା ପରାୟଣ ହୋଇ ଘରର ଜିନିଷ ଏଣେତେଣେ ଫିଙ୍ଗୁଥାଏ ।
ଆଉ କଣ ବା ସେ କରିବ । ମନର ମଣିଷକୁ ଭରସା କରି ମନ ଆଉ ଦେହ ଦେଇସାରିବା ପରେ ସେ ଯଦି ପ୍ରତାରକ ସାଜେ । ଆଉ ବା ଉପାୟ କ'ଣ । କାନ୍ଦିବା ହିଁ ସାର । ବାପା, ମାଆ ଛେଉଣ୍ଡ ଚିତ୍ରଲେଖା ନିଜ ପେଟ ଚାଖଣ୍ଡକର ଦାଉ ନିଜେ ମୁଣ୍ଡେଇପାରିବାକୁ ଚାଲିଆସିଥିଲା ସହରକୁ । ସରଳ ବିଶ୍ୱାସୀ, ସଚ୍ଚୋଟ ଆଉ ଅତି ସାଧାରଣ ଝିଅଟି ।
ସେଦିନ ଅଫିସ ଯିବାବେଳେ ଅଦିନିଆ ବର୍ଷାରେ ଭିଜିଥିଲା ତା ଦେହ । ଓଦା ଓଢଣୀରେ ଅତି ଯତ୍ନରେ ଆବରଣ କରୁଥିଲା ତା' ଦେହର ଅଦେଖା ଜାଗାକୁ । ହେଲେ ଏ ବଦମାସ ବର୍ଷା ଛାଡିବାର ନାଁ ଧରୁନି । ବସ ଆସିବା କ୍ଷଣି ଚଢ଼ିଗଲା ଚିତ୍ରଲେଖା । ଖାଲି ସିଟ ଦେଖି ବସିବା କ୍ଷଣି ତା' ନଜରରେ ପଡିଥିଲା ପାଖରେ ବସିଥିଲା ସୌମ୍ୟ, ଶାନ୍ତ ପୁରୁଷଟି ଉପରେ । ପ୍ରଥମ ଦେଖାରେ ପ୍ରେମ ହୋଇ ସାରିଥିଲା ଉଭୟଙ୍କର ।
ତା'ପର ଠାରୁ ପ୍ରତ୍ୟେକ ଦିନ ଦେଖା ହୁଏ । କେବେ ଅଫିସ ଯିବା ବସରେ , କେବେ ଚିତ୍ରଲେଖାର ରୁମରେ ତ କେବେ କେଉଁ ହୋଟେଲରେ । ପିଲାଟି ଦିନରୁ ସ୍ନେହ ରଙ୍କୁଣୀ ଚିତ୍ରଲେଖା ଅନୁପର ପ୍ରତିଟି ହଁ ରେ ହଁ ମାରି ସମସ୍ତ ପ୍ରେମପୁଞ୍ଜିକୁ ନିବେଶ କରିସାରିଥିଲା ତା ସମୀପରେ ।
ଅନୁପ ମଧ୍ୟ ସେହି ସହରେ ଭଡା ଘର ନେଇ ରହୁଥାଏ । ଗାଁକୁ ଯିବବୋଲି କହି ଅନୁପ ତାଙ୍କ ନିତିଦିନିଆ ଦେଖାରୁ ପୂର୍ଣ୍ଣଛେଦ ପକେଇଥିଲା ସପ୍ତାହ ପାଇଁ । ଚିତ୍ରଲେଖା ମଧ୍ୟ ସବୁ କଥାରେ ହଁ ରେ ହଁ ମାରିବା ପରି ମୌନ ରହି ନିଜର ସମ୍ମତି ପ୍ରକାଶ କରିଥିଲା । କିନ୍ତୁ ଠିକ ଦୁଇ ଦିନ ପରେ ଅନୁପକୁ ଆବିଷ୍କାର କରିଲା କେଉଁ ଏକ ସ୍ତ୍ରୀ ଲୋକର ହାତରେ ହାତ ଛନ୍ଦି ଆଉ କାନ୍ଧରେ ଛୋଟିଆ ଶିଶୁଟିଏ ଧରି । ଆଉ କିଛି ବୁଝିବାକୁ ବାକି ନଥିଲା ଚିତ୍ରଲେଖାର ।
ଅଦିନିଆ ମେଘ ଯେପରି ଦଲକାଏ ପବନ, ଅସରାଏ ବର୍ଷା, ଖୁବ ଘଡଘଡି ବିଜୁଳି ନେଇ ଆସେ, ତା ଜୀବନରେ ବି ଆସିଥିଲା ଅଦିନିଆ ମେଘ । ଯିଏ କି ତାକୁ ଭିଜେଇଲା ,ସ୍ୱପ୍ନରେ ସଜେଇଲା ପୁଣି ଚାଲିଗଲା ସବୁକିଛି ଧୋଇ ନିଃସଙ୍ଗ କରି ପୂର୍ବ ପରି ।