ପରିବର୍ତ୍ତନର ନାଁ କରୋନା
ପରିବର୍ତ୍ତନର ନାଁ କରୋନା


ପରିବର୍ତ୍ତନର ନାଁ କରୋନା
ପ୍ରିୟଦର୍ଶିନୀ ମହାନ୍ତି
ରିତୁ ଅନେକ ଦିନ ହେଲା ତା ମା'କୁ ଦେଖିନି। ବାପାଙ୍କ ପାଖରେ ଅଳି କରେ,କାନ୍ଦେ। ବାପା ବି ଆଉ କ'ଣ କରିବେ ! ଫୋନ କରି ଶାଲିନୀ ସହ କଥା କରେଇ ଦିଅନ୍ତି। ରିତୁ କାନ୍ଦି କାନ୍ଦି କୁହେ," ମାଆ,ତୁମେ କେଉଁ ଦିନ ଡାକ୍ତରଖାନାରୁ ଫେରିବ? ଶାଲିନୀ ଝିଅକୁ ଆଶ୍ୱାସନା ଦେଇ କୁହେ," ହଁ ରେ ମା' ଫେରି ଆସିବି ବହୁତ ଜଲଦି।ତୁ ବାପାଙ୍କ କଥା ମାନିବୁ, ହଇରାଣ କରିବୁନି,ଠିକ୍ ସମୟରେ ଖାଇବୁ, ବାହାରକୁ ଯିବୁନି।ମୁଁ ଆଉ କିଛି ଦିନ ପରେ ଯିବି।ଅନେକ ପ୍ରକାର କଥା କହି ତାକୁ ଚୁପ୍ କରେଇଦିଏ ଶାଲିନୀ।
ଶାଲିନୀ ଗୋଟେ ଡାକ୍ତରଖାନାରେ ନର୍ସ ଅଛି।ରାତି ଡ୍ୟୁଟି ଥିଲେ ସେ ଦିନରେ ଝିଅ ସହ ସମୟ ବିତାଏ। ଆଉ ଦିନରେ ଡ୍ୟୁଟି ଥିଲେ ରାତିରେ ସମୟ ବିତାଏ। ପାଞ୍ଚ ବର୍ଷର ଝିଅ ରିତୁ।କିନ୍ତୁ ଏ କରୋନା ରୂପୀ ଭୟଙ୍କର ମହାମାରୀ ଭାରତକୁ ଗ୍ରାସ କରି ଓଡିଶା ପହଁଚିବା ଠାରୁ ଶାଲିନୀକୁ ସେଇ ଡାକ୍ତଖାନାରେ ରହିବାକୁ ପଡୁଛି। ସବୁବେଳେ ସେଇ ଗୋଟିଏ ରୋଗର ନୂଆ ନୂଆ ରୋଗୀଙ୍କ ସହ ଶାଳିନୀର ମୁକାବିଲା ହୁଏ।ଖାଇବା ,ପିଇବା ଶୋଇବା ଯେମିତି ଏକପ୍ରକାର ଭୁଲି ଯାଇଛି ସେ।
କରୋନା ଏକ ମାରାତ୍ମକ ସଂକ୍ରାମକ ରୋଗ। ସରକାର ପକ୍ଷରୁ ସମସ୍ତ ଗଣମାଧ୍ୟମରେ ଘନ ଘନ ସଚେତନତାର ବାର୍ତ୍ତା। ସାମାଜିକ ଦୂରତା ବଜାଇ ରଖନ୍ତୁ। ବାରମ୍ବାର ହାତ ଧୁଅନ୍ତୁ। ଅଯଥା ବାହାରକୁ ଯାଆନ୍ତୁ ନାହିଁ।ପରିବାର ସହ ସମୟ ବିତାନ୍ତୁ।ଏ ମହାମାରୀକୁ ସମୂଳେ ନାଶ କରିବାକୁ ଡାକ୍ତର ତଥା ସମସ୍ତ ସ୍ୱାସ୍ଥ୍ୟକର୍ମୀ ଯଥାସାଧ୍ୟ ଉଦ୍ୟମ କରିବାରେ ଲାଗିଛନ୍ତି। ଏଭଳି ଏକ ଭୟଙ୍କର ପରିସ୍ଥିତିରେ ସେ କିପରି ବା ଯିବ ଝିଅକୁ ଦେଖିବାକୁ! ଅନେକ ଦିନର ବ୍ୟବଧାନରେ ଝିଅକୁ ଦେଖିବାକୁ ଯଦି ସେ ଯାଏ ତାର ମାତୃତ୍ୱ ନିଶ୍ଚୟ ବନ୍ଧ ଡେଇଁବ।ଝିଅକୁ କୋଳାଗ୍ରତ କରିବାର ଅଭିଳାଷ ଝିଅକୁ ଦେଖିବା ମାତ୍ରେ ଉଦ୍ରେକ ହେବ।ସେଥିପାଇଁ ଶାଲିନୀ ଚାହେଁନି ଝିଅ ସହ ଭେଟ ହେବାପାଇଁ।
କରୋନା ୱାର୍ଡରେ ରାତି କାଟିବା ବେଳେ ଶାଲିନୀ
ବସି ଭାବୁଥାଏ ନୀଚ୍ଚ ଜାତିରେ ଜନ୍ମ ହୋଇଥିବାରୁ ଅନେକ ତାକୁ ହୀନ ଦୃଷ୍ଟିରେ ଦେଖନ୍ତି। ତା' ଝିଅ ରିତୁ ଅନ୍ୟ ପିଲାଙ୍କ ସହ ଖେଳିବାର ଦେଖିଲେ ମଧ୍ୟ ଅନେକ କଥା ଶୁଣାନ୍ତି ଆପାର୍ଟମେଂଟରେ ରହୁଥିବା ଲୋକମାନେ।ପିଲା ଲୋକ ସେ ବା କାହିଁ ବୁଝିବ ଲୋକମାନଙ୍କର ମାନସିକତା।କାନ୍ଦି କାନ୍ଦି ସବୁ କଥା ମୋ ଆଗରେ କୁହେ। ମୁଁ ବି ବିଚାରି କଣ କହି ଆଶ୍ୱାସନା ଦେବି ଜାଣିପାରେନି।
ଏବେ ଏହି କରୋନା ଯୋଗୁ ସବୁଆଡ଼ ଲକ୍ ଡାଉନ୍ । କେହି ବାହାରକୁ ଯାଉନଥିବେ।ସମସ୍ତେ ନିଜ ନିଜ ଘରେ ବନ୍ଦୀ। ପିଲାଙ୍କର ଖେଳା ବୁଲା ବି ବନ୍ଦ।ଯିଏ ଯାହା ଘରେ ନିଜ ନିଜର ପରିବାର ସହ।ଏବେ କେହି ସୁଯୋଗ ପାଉନଥିବେ ରିତୁର କଅଁଳ କୋମଳ ହୃଦୟକୁ ଆଘାତ କରିବାକୁ। ସେ ଯାହା ହେଉ ପ୍ରତ୍ୟେକ ଦିନ ରିତୁ ର ସେଇ ଅଭିଯୋଗ ଆଉ ଲୋକମାନଙ୍କର କଟୁକଥାରୁ
ତ୍ରାହି ମିଳିଲା।
ଏହିଭଳି ଶାଲିନୀ ଭାବୁ ଭାବୁ ଫୋନ ରିଙ୍ଗ ହେଲା। ଆରେ, ଏତେ ରାତିରେ ରିତୁ ବାପାଙ୍କ ଫୋନ। ବ୍ୟସ୍ତ ବିବ୍ରତ ହୋଇ ଫୋନ ରିସିଭ କରିବା ମାତ୍ରେ ସେପଟୁ ରିତୁର ବିକଳ କ୍ରନ୍ଦନ।କାନ୍ଦି କାନ୍ଦି ରିତୁ କହୁଛି,"ମାଆ, ତୁମେ କେବେ ଆସିବ? ମୋର ବହୁତ ମନେ ପଡୁଛି ତୁମ କଥା। କାଲି ଯଦି ନ ଆସ ତେବେ ମୁଁ ଚାଲିଯିବି ଡାକ୍ତରଖାନା।" ଝିଅର ବୁକୁଫଟା କାନ୍ଦ ଶୁଣି ଶାଲିନୀ ନିଜକୁ ଆଉ ସମ୍ଭାଳି ପାରିଲାନି। " ହଁ,ରେ ମାଆ ମୁଁ କାଲି ନିଶ୍ଚୟ ଯିବି ତତେ ଦେଖିବାକୁ। ଆଉ କିଛି କହିନପାରି ଫୋନ ରଖିଦେଲା ଶାଲିନୀ।
ସକାଳ ହେବାରୁ ଶାଲିନୀ ଡାକ୍ତରଙ୍କୁ କହି ଗୋଟେ ଘଣ୍ଟା ପାଇଁ ଘରକୁ ଯିବାକୁ ଅନୁମତି ନେଇ ଗଲା।ସେହି ୟୁନିଫର୍ମ,ଗ୍ଲୋବସ୍, ମାସ୍କ ପିନ୍ଧି ହିଁ ଯିବାକୁ ପଡିଲା ଶାଲିନୀକୁ।ସ୍କୁଟିରେ ଆସୁଥିବା ସମୟରେ ଶାଲିନୀକୁ ଲୋକମାନେ ପୁଷ୍ପବୃଷ୍ଟି କରୁଥାନ୍ତି। ଶାଲିନୀକୁ ବହୁତ ଖୁସି ଲାଗୁଥିଲା ହୀନ ଦୃଷ୍ଟିରେ ଦେଖିଥିବା ଲୋକମାନଙ୍କର ପରିବର୍ତ୍ତନକୁ ଦେଖି।ବାଲକୁନିରେ ଠିଆ ହୋଇଥିଲେ ରିତୁ ଆଉ ତା' ବାପା। ଶାଲିନୀକୁ ଦୂରରୁ ଆସୁଥିବାର ଦେଖି ରିତୁ ଧାଇଁଲା ବିଲ୍ଡିଂଗ ବାହାରକୁ। ପଛେ ପଛେ ଧାଇଁଥାନ୍ତି ରିତୁର ବାପା। ରିତୁ ତଳକୁ ଆସି ୱାଚମ୍ୟାନକୁ ଗେଟ୍ ଖୋଲିବାକୁ କହିଲା କିନ୍ତୁ ସେ ଖୋଲିଲା ନାହିଁ। ରିତୁ ଗେଟକୁ ଧରି ବହୁତ କାନ୍ଦିଲା।ରିତୁକୁ ପଛ ପାଖରୁ ଧରିଥାନ୍ତି ତା' ବାପା। ଗେଟ୍ ବାହାରେ ଶାଲିନୀ ପାଟିକରି କହୁଥାଏ," ନା, ଲୋ ମାଆ ମୋ ପାଖକୁ ଆସେନା ,ମତେ ଛୁଏଁନା।ବହୁତ ଜଲ୍ଦି ମୁଁ ଘର ଭିତରକୁ ଯିବି।କିନ୍ତୁ ଏ ରୋଗ ଆଉ ମୋ ବୃତ୍ତି ପାଇଁ କିଛି ଦିନ ତତେ ମୋ ଠାରୁ ଅଲଗା ରହିବାକୁ ପଡିବ। ଶାଲିନୀ ଆଖିର ତତଲା ଲୁହରେ ମାସ୍କ ଭିଜୁଥିଲା।ରିତୁର ବାପା ମଧ୍ୟ ରିତୁକୁ ଅନେକ ବୁଝେଇଲେ। ସୁନା ଝିଅ ରିତୁ ମଧ୍ୟ ସବୁ ବୁଝିଗଲା ପରି ଶାଲିନୀ ଉଦ୍ଦେଶ୍ୟରେ ପବନରେ ଚୁମ୍ବନଟି ଆଙ୍କିଦେଲା।ଶାଲିନୀ ଫେରିଗଲା ତା' କର୍ମସ୍ଥଳକୁ। ରିତୁ ତା' ବାପା ପିଠିରେ ଲାଉ ହୋଇ ଚାଲିଗଲା ଘରକୁ।
କିନ୍ତୁ ରିତୁ ମନରେ ଗୋଟିଏ ପ୍ରଶ୍ନ ଖେଳୁଥିଲା। ପ୍ରଶ୍ନର ଉତ୍ତର ଜାଣିବା ପାଇଁ ସେ ତା' ବାପାଙ୍କୁ ପଚାରିଲା," ବାପା, ଆଜି ଆମ ବିଲ୍ଡିଂଗ ଆଉ ପାଖ ବିଲ୍ଡିଂଗର ସବୁ ଅଙ୍କଲ, ଆଣ୍ଟି କ'ଣ ପାଇଁ ମାଆ ଉପରକୁ ଫୁଲ ଫିଙ୍ଗୁଥିଲେ?ସେମାନେ ତ ମା'କୁ ପସନ୍ଦ କରନ୍ତିନି। ରିତୁର ବାପା ଟିକିଏ ହସି କହିଲେ," ତୋ ମାଆ କୁ ସମସ୍ତେ ଏବେ ବହୁତ ଭଲ ପାଉଛନ୍ତି। ସେ ଅନେକ ଲୋକଙ୍କୁ ସେବା କରି କରୋନା ରୁ ଆରୋଗ୍ୟ କରିଛି ସେଥିପାଇଁ। " କଥା ନ ସରୁଣୁ ରିତୁ କହିଲା," ହଁ ବାପା ଠିକ୍ ତୁମେ ଯେମିତି ଅଳିଆ ଉଠେଇବା ଚାଚାଙ୍କ ସହ ମୁଁ କଥା ହୁଏ ଆଉ ସେ ମତେ ଚକଲେଟ ଦିଅନ୍ତି ବୋଲି ତାଙ୍କୁ ରାଗିକି ଅନେକ କଥା କୁହ।ମତେ ଜୋର କରି ଘର ଭିତରକୁ ନେଇ ଆସ। ଆଉ ଏଇ କିଛି ଦିନ ତଳେ ତାଙ୍କ ସହ ହସି ହସି କଥା ହୋଇ ଶହେ ଟଙ୍କିଆ ନୋଟଟି ହାତକୁ ବଢ଼େଇଦେଲ। ରିତୁର କଥା ଶୁଣି ତା' ବାପା ତାକୁ କୋଳକୁ ଟାଣି ଆଣି ସାମାନ୍ୟ ହସି ମନେ ମନେ ଭାବୁଥାନ୍ତି ସତରେ, ଏ କରୋନା କେତେ ପରିବର୍ତ୍ତନ ଆଣିଦେଲା!