ତାରା
ତାରା
ତାରା । ଆକାଶର ନୁହେଁ । ପାଟପୁର ଗାଁର ହରିସାହୁଙ୍କ ଅଳି ଅଳି କନ୍ୟା ସୁନା ସିଏ । ଯିଏ ଯୁବ ଇଞ୍ଜିନିୟର ରାଘବର ଧର୍ମପତ୍ନୀ ।
ବାହାଘରର ଆଠ ନଅ ମାସ ପରେ ତାରା ମାଆ ହେବାକୁ ଯାଉଥାଏ । ଏଇ ଖବରଟା ଜାଣିବା ପରେ ରାଘବର ମନରେ ଉଲ୍ଲାସର ଢୋଲ ମହୁରୀ ବାଜି ଉଠେ । ସଂଗେ ସଂଗେ ଖୁସି ଖବର ବାପା ମାଆଙ୍କୁ ଜଣେଇବା ପାଇଁ ଫୋନ୍ ଘୁମାମ ଗାଁକୁ । ମାଆ ଫୋନ ଧରିବା ପରେ ରାଘବ ଖୁସିରେ ଖୁସି ଖବର ଦେବାକୁ ଯାଏ କହେ -" ଆମ ଘରର ଆଗାମୀ ପିଢ଼ି ଆସିବାକୁ ଯାଉଛି । ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହୋଇଯାଅ ।"
ବାସ । ଏଇ ଗୋଟେ ପଦ ତାରାର ମନକୁ ବିଚଳିତ କରିଦେଇ ସନ୍ଦେହର ମଞ୍ଜି ବୁଣିଦିଏ । ସେ ବିଶ୍ବାସ କରିପାରୁ ନଥାଏ ଯେ ଏକାଦଶ ଶତାବ୍ଦୀରେ ଥାଇ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ରାଘବଙ୍କ ଭାବନା ବିକୃତ । କେବଳ ନାମକୁ ମାତ୍ର ଯାହା ପାଠ ପଢି ପଦବୀ ପାଇଛନ୍ତି ହେଲେ ହୃଦୟ ତ ସେଇ ପୁରୁଣା ଅନ୍ଧ ବିଶ୍ଵାସ ଜାଲରେ ଆବଦ୍ଧ । ଯଦି ସେ ପ୍ରକୃତରେ ଜଣେ ସଠିକ ମଣିଷ ହୋଇଥାନ୍ତେ ତେବେ କଦାପି ପୁଅ କିମ୍ବା ଝିଅ ଭିତରେ ଲକ୍ଷ୍ମଣରେଖା ଟାଣି ନଥାନ୍ତେ । ପୁଅଟିଏ ପାଇବାର ଆଶାରେ ସେ ଏତେ ମାତ୍ରରେ ଉତ୍ସାହ ହେଲେ ଯଦି ଝିଅଟିଏ ହୁଏ !!! ତେବେ କଣ ସେ ଏମିତି ଭଲ ପାଇବା ଦେବେ । ନା ତାକୁ ଘୃଣା କରିବା ଆରମ୍ଭ କରିବେ । ଏଭଳି କଥା ସବୁ ଭାବି ଭାବି ଦିନକୁ ଦିନ ତା ମନ ଭାରି ଭାରି ହୋଇ ଚାଲୁଥାଏ ।
ତାରା ମାଆ ହେବା କଥା ଜାଣିବା ପରଠୁ ଗାଁରୁ ବାପା ମାଆ ଆସି ତାଙ୍କ ସହ ଅଛନ୍ତି । ପାଦେ ପାଦେ ତାରାର ଯତ୍ନ ନେବା ସହ ତାକୁ ଆଖିରେ ଆଖିରେ ରଖିଛନ୍ତି । ହେଲେ ତାରା ସେଇ ସବୁ ସ୍ନେହ ଭିତରେ ଛଟପଟ ହୋଇପଡୁଥାଏ । ତାକୁ ଲାଗୁଥାଏ ଏଇ ସବୁକିଛି ତା ଗର୍ଭର ପୁଅ ପାଇଁ କରାଯାଉଛି ।
ସବୁବେଳେ ଏମିତି ଭାବନାରେ ରହି ଦୁଃଖିତ ରହିବାର ଦେଖି ରାଘବ ସ୍ଥିର କରେ ଛୁଟି ଦିନରେ କିଛି ସମୟ ବାହାରୁ ବୁଲି ଆସିବାକୁ । ବାପା ମାଆଙ୍କ ମତ ମଧ୍ୟ ଠିକ୍ ସେମିତି । ସେମାନେ ମଧ୍ୟ ଲକ୍ଷ୍ୟ କରିଛନ୍ତି ବୋହୂ ମନରେ ଝାଉଁଳିଥିବା କଷ୍ଟକୁ । ତେଣୁ ଦିନେ ରାଘବ ତାରା ସହ ବାହାରେ ରାତ୍ରି ଭୋଜନ ପାଇଁ ଯାଏ ।
ହସି ହସି କେତେ କଥା ହେବା ପରେ ହଠାତ୍ ତାରା ରାଘବଙ୍କ ହାତକୁ ନିଜ ହାତରେ ଛନ୍ଦି ଦେଇ ପଚାରେ ତମକୁ ପୁଅ ଦରକାର ନା ଝିଅ ! ହଠାତ୍ ଏଭଳି ପ୍ରଶ୍ନକୁ ଚାହିଁ ନଥିବା ରାଘବ ଇତସ୍ତତଃ ହୋଇ କଥାଟିକୁ ବୁଲେଇ ଦେଇ କହେ ବାଜେ ପ୍ରଶ୍ନରେ ଆମ ସୁନ୍ଦର ମୂହୁର୍ତ୍ତ ଖରାପ କରନା । ଏଭଳି ଚିନ୍ତା ମନକୁ କାଢି ଦିଏ । ଦେଖୁନ ଆଜି କାଲି କେମିତି ଶୁଖିଯାଉଛ ଯେ । ମୁହଁ ଝାଉଁଳି ଯାଉଛି । ରାଘରର ଉତ୍ତରରେ ତାରା ସନ୍ତୁଷ୍ଟ ନଥାଏ ଓଲଟା ତା ମନର ପ୍ରଶ୍ନ ଆହୁରୀ ଦୃଢ ହୋଇ ରହିଯାଏ ।
କିଛି ଦିନ ପରେ ହଠାତ୍ ରାତି ଅଧରେ ତାରାର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଏ । ରାଘବ କାର ବାହାର କରି ସଂଗେ ସଂଗେ ନେଇଥାଆନ୍ତି ଡାକ୍ତରଖାନା । ସେଠି ପରୀକ୍ଷା ପରେ ଜଣାପଡେ ଛୁଆଟି ପେଟରେ ଓଲଟି ପଡିଛି । ତେଣୁ ଅପେରେସନ ନିହାତି । ନଚେତ ମାଆ ଏବଂ ଛୁଆ ପାଇଁ ବିପଦ । ରାଘବ ଏକଥା ଶୁଣି ତତକ୍ଷଣାତ୍ କହେ ଯେ ଯଥା ଶୀଘ୍ର ଅପେରେସନ କରି ତା ପୁଅକୁ ବଞ୍ଚାଅ ।
ଦୀର୍ଘ ଦିନ ଧରି ପ୍ରଶ୍ନ ହୋଇ ରହିଥିବା ଯାହା ତାହା ଉତ୍ତର ରୂପେ ଖୋଲିଯାଏ ତାରାର ଆଗେ । ତାର ଭାବନା ଭିତରେ ଅଳ୍ପ ଅଳ୍ପ ହୋଇ ଭାଙ୍ଗୁଥିଲା ପୂର୍ବରୁ ହେଲେ ସେଠି ସେ ସଂପୂର୍ଣ୍ଣ ଭାଙ୍ଗି ଯାଏ ।
ଅପେରେସନ କରାଯାଏ । ସଂଯୋଗକୁ ଜନ୍ମ ନିଏ ପୁଅ । ହେଲେ ଏଇ ଭିତରେ ରକ୍ତ ବନ୍ଦ ନହୋଇ ତାରାର ଅବସ୍ଥା ସଂକଟାପନ୍ନ ହୋଇପଡେ । ତାରା ବୋଝିଯାଏ ତାର ଶେଷ ମୂହୁର୍ତ୍ତ ପହଞ୍ଚି ଯାଇଛି । ପୁଅକୁ ଟିକେ ଆଉଁସି ଦେଇ ନିଶା ଅବସ୍ଥାରେ ଥର ଥର ଗଳାରେ ଡାକ୍ତରଙ୍କୁ କହେ ପୁଅକୁ ବଞ୍ଚେଇବା ପାଇଁ ରାଘବ କହିଥିଲେ ହେଲେ ମୋ କଥା ସେ ଭୁଲି ଗଲେ । ମୁଁ ତାଙ୍କ ପାଇଁ ଜରୁରୀ ନୁହେଁ ବୋଧେ ସେଥିପାଇଁ ମୋତେ ବଞ୍ଚେଇବା କଥା କହି ନଥିଲେ । ତାଙ୍କ ପୁଅ ତାଙ୍କୁ ଲାଗିଲା । ଏତକ କହି ତାରା ସବୁ ସଂପର୍କର ଡୋରି ଭାଙ୍ଗି ପୃଥିବୀର ନୁହେଁ ଆକାଶର ତାରା ପାଲଟି ଗଲା ।
