Padmalaya Mishra

Crime Inspirational

3  

Padmalaya Mishra

Crime Inspirational

ଷୋହଳ ଦିନ

ଷୋହଳ ଦିନ

3 mins
227



   ନନା ଆଇ ସି ୟୁ ରେ ମୃତ୍ୟୁ ସହ ଲଢୁଛନ୍ତି । ଆଉ ମୁଁ ବସିଛି ବାହାର ଚେୟାରରେ କିଛି ଭଲ ଖବର ପାଇବା ଆଶାରେ । ବଡ଼ ବଡ଼ ହସ୍ପିଟାଲକୁ ଆମେ ଯାଉ ଏୟା ଭାବି ଆସୁ ଯେ ଫରେନରୁ ଆଡଭାନସ୍ ଷ୍ଟଡି କରି ଆସିଥିବା ଡକ୍ଟର ମାନେ ଏମିତି ବଡ଼ ବଡ଼ ହସପିଟାଲରେ ରୁହନ୍ତି । ସେମାନେ ନିଶ୍ଚୟ ଆମ ପ୍ରିୟଜନଙ୍କୁ ସୁସ୍ଥ କରି ଆମକୁ ଫେରାଇ ଦେବେ । 

   ମୁଁ ଦଶଦିନ ହେଲା ବସିଛି । ସକାଳ ଆଠରୁ ରାତି ଆଠ । ତାପରେ ହସପିଟାଲରୁ ବାହାରି ଯିବା ପାଇଁ କୁହାଯାଏ । ରିସେପସନ୍ ଲବିରେ ଯେତେ ଜଣ ବସ ପଛେ ଆସିୟୁ ପାଖକୁ ଜଣେ ଯାଇ ପାରିବ । ପୁଣି ଭିତରେ ଯାଇ ଦିନକୁ ଦୁଇ ଥର ଦଶ ମିନିଟ୍ ଲେଖାଏଁ ଦେଖା କରି ପାରିବ । ମଝି ମଝିରେ ଓ୍ଵେଲ୍ ଡ୍ରେସଡ୍ ଲେଡି ଦୁଇଜଣ ଆସି ହାତରେ ବିଲ୍ ଧରେଇ ଦେଇ ଯାଆନ୍ତି । ଦିନକୁ ଚାଳିଶି ପଚାଶ ହଜାର ବିଲ୍ । ଆଇସିୟୁ ଚାର୍ଜ, ଡକ୍ଟର ଫିସ୍, ମେଡିସିନ ଖର୍ଚ୍ଚ ଆଦି ଲେଖା ହୋଇଥାଏ । ମୁଁ ଯେତେବେଳେ ଭିତରକୁ ଯାଏ ନନାଙ୍କ ମୁଣ୍ଡ ପାଖରେ ଦୁଇ ତିନଟି ମେଡିସିନରୁ ଅଧିକ ଦେଖେନି । ତେଣୁ ଏତେ ମେଡିସିନ ଚାର୍ଜ କାହିଁକି ବିଲରେ ପଚାରିଲେ ନର୍ସ କହେ ଇଂଜେକସନ ଓ କେତେ ମେଡିସିନ ଦିଆ ଯାଇଛି । 

   ହସପିଟାଲର କନଷ୍ଟ୍ରକସନ୍ ଏପରି ହୋଇଛି ଯେ ଆଇସିୟୁ ରୁ ପଛ ଗେଟ୍ ବାଟେ ଆଉ ଏକ ରୁମରେ ନେଇ ରୋଗୀକୁ ରଖି ଦୁଇ ଦିନ ଟ୍ରିଟମେଣ୍ଟ ନାରେ ଡବଲ୍ ଡ୍ରିପ୍ ଦେଇ ହାର୍ଟବିଟ୍ ସୋ କରାଯାଏ । ତାପରେ ରାତି ଆଠ ପରେ ହସପିଟାଲ୍ ଶୂନଶାନ୍ ହେଲା ପରେ ରୋଗୀର ଆଟେଣ୍ଡାଣ୍ଟ୍ ଙ୍କୁ ଡାକି ରୋଗୀର ମୃତ୍ୟୁ ଖବର ଦେଇ ଦିଆ ଯାଏ । 

   ମୁଁ ରାତି ଆଠ ପରେ ପନ୍ଦର/କୋଡିଏ ମିନିଟ୍ ଅଧିକ ରହେ । ଭାଈ ଅଫିସରୁ ଫେରିଲେ ଆସି ମତେ ନବ ବୋଲି । ସେତେବେଳେ ହସ୍ପିଟାଲର ମୁଖ୍ୟ ଲାଇଟ୍ ସବୁ ଅଫ୍ ହେଇଯାଏ । ଧିମା ଧିମା ଲାଇଟ୍ ଭିତରେ ଏମିତି ଲାଗେ ଯେମିତି ଯମଦୂତ ଆସୁଛନ୍ତି ପ୍ରାଣ ନେବା ପାଇଁ । ତାପରେ ରୋଗୀର ଆତ୍ମୀୟଙ୍କ ବୁକୁଫଟା କ୍ରନ୍ଦନ । ଓଃ କି କଷ୍ଟ । ମୋ ଆଖିରୁ ଆପେ ଆପେ ଲୁହ ଝରିଯାଏ । ସନ୍ଧ୍ୟା ପର୍ଯ୍ୟନ୍ତ ରୋଗୀ ଷ୍ଟେବଲ୍ ଅଛି ବୋଲି ଖବର ଆସୁଥିବ । ରାତି ଆଠ ପରେ ମୃତ ଘୋଷଣା ହେବ । 

    ଥରେ ମୁଁ ଯାଇଥାଏ ଟଏଲେଟ୍ । ମୋ ବସିବା ଯାଗାକୁ ଆସିବା ରାସ୍ତା ଭୁଲି ନର୍ସ ମାନଙ୍କ ଚେଞ୍ଜିଙ୍ଗ୍ ରୁମରେ ଭୁଲ୍ ରେ ପଶି ଯାଇଥିଲି । ଏକ ରୋଗୀର ମୃତ୍ୟୁ ବିଷୟରେ କଥା ହେଉଥିଲେ । ପଇସା ବାଲା ଲୋକ । ତା ପୁଅ ବିଦେଶରୁ ଏଯାଏଁ ଆସିନି । ବୁଢା ବାହାର ଲବିରେ ବସିଛି । ବୁଢ଼ୀ ଦୁଇ ଘଣ୍ଟା ହେଲା ମରି ସାରିଲାଣି । କିନ୍ତୁ ବୁଢାକୁ କାଲି ଜଣେଇବେ । ରାତିକର ଟଙ୍କା ଏକ୍ସଟ୍ରା ମିଳିବ । 

    ମତେ ମୋ ନନାଙ୍କ ମୁହଁ ମନେ ପଡିଲା । କିନ୍ତୁ ପରଦିନ ହିଁ ଦେଖି ହେବ । ପରଦିନ ସକାଳୁ ମୁଁ ହସପିଟାଲରେ ପହଞ୍ଚିଲା ବେଳକୁ ନନାଙ୍କୁ ଆର ରୁମକୁ ନେଇ ଗଲେଣି । ମୋ ମନକୁ ପାପ ଛୁଇଁଲା । ଦଶ ମିନିଟ୍ ର ଦେଖାରେ ଜାଣି ପାରିଲି, ଡବଲ୍ ଡ୍ରିପରେ ବଞ୍ଚାଇବାର ଛଳନା କରୁଛନ୍ତି । ତଥାପି ମୋ ମନରେ ଆଶା ଥାଏ ନନା ବଞ୍ଚି ଫେରିବେ ଚମତ୍କାର ବଳରେ । ସେପରି ଅବସ୍ଥାରେ ଆଉ ଦୁଇ ଦିନ ନନାଙ୍କୁ ରଖାଗଲା ଓ ଆମ ମନରେ ମିଛ ଆଶା ବାନ୍ଧି ଦିଆଗଲା । ନ୍ୟୁ ଇୟର୍ ସେଲିବ୍ରେସନରେ ହସ୍ପିଟାଲର ପ୍ରାୟ ସବୁ ଡକ୍ଟର ହସପିଟାଲରୁ ଗାଏବ୍ ଥାଆନ୍ତି । ତିନି ଶହ ରୋଗୀଙ୍କୁ ଚାରୋଟି ଡାକ୍ତର । କିନ୍ତୁ ଏକତିରିଶ ଓ ଏକରେ କୌଣସି ରୋଗୀ ମରିଲେ ନାହିଁ । ଦୁଇ ତାରିଖରେ ସବୁ ଡାକ୍ତର ହସପିଟାଲ୍ ଆସିଲେ । ତା ପରଠାରୁ ପୁଣି ରୋଗୀଙ୍କ ଆତ୍ମୀୟଙ୍କ କ୍ରନ୍ଦନରେ ହସପିଟାଲ୍ ର ବାତାବରଣ ଛଟପଟ ହେଲା । ମୋ ନନା ମଧ୍ୟ ଆରପାରିକୁ ଚାଲିଗଲେ । ଦୀର୍ଘ ଷୋହଳ ଦିନ ଓ ନ ଲକ୍ଷ ଖର୍ଚ୍ଚ ପରେ ବି ହାର୍ଟ୍ ଆଟାକ୍ ରୋଗୀ ହୋଇ ଯାଇଥିବା ମୋ ନନା ମଲଟିପଲ୍ ଅର୍ଗାନ୍ ଫେଲ୍ୟୋରରେ ମରିଗଲେ । 

   ଦ୍ୱିତୀୟ ଈଶ୍ୱର ବୋଲି ଭାବୁଥିବା ଡାକ୍ତର ମାନେ ଏବେ ମତେ ଜଣେ ଜଣେ ଯମଦୂତ ଭଳି ଦିଶୁଥିଲେ ।।


Rate this content
Log in

Similar oriya story from Crime