Padmalaya Mishra

Drama Classics Inspirational

3  

Padmalaya Mishra

Drama Classics Inspirational

ଆବାହନ

ଆବାହନ

8 mins
15



  ନାରୀ ଯେ ନିରସ୍ତ୍ର ସେ କଥା ଭାବିବା ଭୁଲ୍ । ସେ ପ୍ରେମ ମମତା ଅସ୍ତ୍ର ସଦା ସର୍ବଦା ଧାରଣ କରିଥାଏ । କିନ୍ତୁ ଯେତେବେଳେ ତାର ଆପଣା ଜନଙ୍କ ଉପରେ ବିପଦର ଛାଇ ମାଡି ଆସେ , ତା କ୍ରୋଧାଗ୍ନିରେ ଶତସହସ୍ର ଅସ୍ତ୍ର ନିର୍ବାପିତ ହୁଏ । ସେ ଅସ୍ତ୍ର ନିଶ୍ଚୟ ଲକ୍ଷ୍ୟ ସ୍ଥଳ ଭେଦ କରେ । 


   ଅମ୍ବିକା ଚାଲାକ ନହେଲେ ବି ବୋକୀ ମଧ୍ୟ ନୁହେଁ । ନିଜକୁ ସବୁ ପରିସ୍ଥିତିରେ ଢଳେଇ ଦେବାର କଳା ତା ପାଖେ ଅଛି । ବାପ ଛେଉଣ୍ଡ ଝିଅ । ଯେତେବେଳେ ମାତ୍ର ଚାରି ବର୍ଷ ହେଇଥିଲା ବାପା ଙ୍କ ଛତ୍ରଛାୟା ତା ମୁଣ୍ଡରୁ ଉଠି ଯାଇଥିଲା । ମାତ୍ର ଚବିଶ ବର୍ଷ ବୟସରେ ତା ବୋଉ ବିଧବା ହୋଇ ଥିଲା । ଶାଶୂଘର ଲୋକ ମା ଝିଅଙ୍କ ଦାୟିତ୍ୱ ନେବାକୁ ମନା କରିଦେଲେ । ଅନନ୍ୟୋପାୟ ହେଇ ତା ବୋଉ ତାକୁ ସାଙ୍ଗରେ ନେଇ ବାପଘରକୁ ଚାଲି ଆସିଥିଲା । ଅମ୍ବିକା ର ଲାଳନପାଳନ ଦାୟିତ୍ୱ ଅଜା ଆଈ ନେଇଥିଲେ । ମାମୁଁ ମାଇଁ ଦିଲ୍ଲୀରେ ରୁହନ୍ତି । ମଝି ମଝିରେ ଛୁଟି ଦେଖି ଘରକୁ ଆସନ୍ତି । ଅଜା ଆଈଙ୍କ ସାହାରା ଏଇ ମା-ଝିଅ ଆଉ ଏମାନଙ୍କ ସାହାସ ଅଜା-ଆଈଙ୍କୁ ନେଇ । 


    ସମୟ କେବେ କାହାକୁ ଅପେକ୍ଷା କରେନି । ଚାହୁଁ ଚାହୁଁ ଦିନ ମାସ ବର୍ଷ ବିତିଗଲା । ଚାରିବର୍ଷର ଅମ୍ବିକା ଏବେ ଚବିଶ ବର୍ଷର । ସାହାସୀ ଓ ଅନ୍ୟାୟ କୁ ପ୍ରସୟ ଦିଏନି । ଆଈ ପାଞ୍ଚ ବର୍ଷ ହେଲା ସ୍ଵର୍ଗବାସୀ ହେଲାଣି । ଅଜା ଆଉ ଭଲରେ ଚାଲି ପାରୁ ନାହାନ୍ତି । ଆଖିକୁ ବି ଭଲ ଦେଖା ଯାଉନି । ବୋଉ କୁ ଦୁଃଖ ଓ ଚିନ୍ତା ଅକାଳ ବାର୍ଦ୍ଧକ୍ୟ ଆଡକୁ ଟାଣି ନେଲାଣି । ଅମ୍ବିକା ଏବେ ବୋଉ ଓ ଅଜାଙ୍କ ସାହାରା । ପିଲାଦିନୁ ଭଲ ପାଠ ପଢେ । ତେଣୁ ତାର ଭବିଷ୍ୟତ ଉଜ୍ଜ୍ବଳ ବୋଲି ସମସ୍ତେ କୁହନ୍ତି । ଏମ୍ ବି ଏ ଏଇ ଏବେ ସରିଲା । କାମ୍ପସ୍ ସିଲେକସନ୍ ରେ ହିଁ ଚାକିରୀ ପାଇ ଯାଇଛି । 


     ଦିଲ୍ଲୀର ଏକ ବଡ଼ କମ୍ପାନୀ ରେ ଚାକିରୀ ପାଇଚି ଅମ୍ବିକା । ଅଜା ଆଉ ବୋଉକୁ ସାଙ୍ଗରେ ନେଇ ଯିବ । କିନ୍ତୁ ଅଜାଙ୍କ ଗୋଟେ ଯିଦ୍ ଆଉ କେତେ ଦିନ ବଞ୍ଚିବି ଯେ ଘର ଛାଡ଼ି ଯିବି । ପରବାସରେ ମରିବାକୁ ଇଚ୍ଛା ନାହିଁ । 


    ବୋଉର ମନ ଥିଲେ ବି ବୁଢା ବାପାଙ୍କୁ ଏସମୟରେ ଛାଡ଼ି ଯାଇ ପାରିବନି । ଝିଅକୁ ବି ଦିଲ୍ଲୀ ଭଳି ମେଟ୍ରୋରେ ଏକୁଟିଆ ଛାଡି ରହି ପାରିବନି । ତେଣୁ ଦିଲ୍ଲୀରେ ଥିବା ବଡ଼ ଭାଈ ପାଖକୁ ଝିଅକୁ ଯିବାକୁ କହିଲେ । ଅମ୍ବିକା ର ଆଦୌ ଇଚ୍ଛା ନଥାଏ । ଯୋଉ ମାମୁଁ ମାଇଁ ନିଜ ବାପା ବୋଉ କଥା ଦିନେ ହେଲେ ବୁଝିଲେନି, ଭାଣେଜୀର କଥା କଣ ବୁଝିବେ । ତା ଛଡା ଅମ୍ବିକା ଛୋଟ ଥିଲା ବେଳେ ମଧ୍ୟ ତା କଥା ବୁଝି ନଥିଲେ । ତଥାପି ବୋଉ ମାମୁଁ ଙ୍କ ସହ କଥା ହେଇ କହିଲା ମାମୁଁ ଘରେ ରହିବୁ ।


    ଏବେ ଦିଲ୍ଲୀରେ ମାମୁଁ ଘର ହେଉଛି ଅମ୍ବିକାର ଠିକଣା । ନାଇଟ୍ ସିଫ୍ଟ । ଦିନରେ ମାଇଁଙ୍କ ସହ ମିଶି ଘର କାମ କରେ । ସନ୍ଧ୍ୟା ସମୟରେ ବାହାରିଯାଏ ଡ୍ୟୁଟିକୁ । ଫେରୁ ଫେରୁ ଭୋର୍ ପାଞ୍ଚଟା । ପ୍ରଥମେ କିଛି ଦିନ ମାମୁଁ ଅଫିସ୍ ନବା ଆଣିବା କରି ରାସ୍ତା, ଟ୍ରାଫିକ, ଟ୍ରାନ୍ସପୋର୍ଟ ସହ ପରିଚିତ କରାଇଦେଲେ । ଏବେ ଅମ୍ବିକା ଏକୁଟିଆ ଯାଆସ କରେ । ମାମୁଙ୍କ ଆପାର୍ଟମେଣ୍ଟ୍ ର ସୌମେସ୍ ଗୁଜୁରାଟୀ ପିଲା ମଧ୍ୟ ସେଇ କମ୍ପାନୀ ରେ ଚାକିରୀ କରେ । ତେଣୁ ଉଭୟେ ମିଶି ଯିବା ଆସିବା କଲେ । ମାମୁଁଙ୍କ ଟେନସନ୍ ମଧ୍ୟ ଟିକେ କମିଲା । ଦିଲ୍ଲୀ ଭଳି ମେଟ୍ରୋରେ ଅମ୍ବିକା କୁ ଏକୁଟିଆ ଛାଡିବାକୁ ସାହସ ହେଉ ନଥିଲା । ଝିଅ ମାନେ ଯେ ଦିନକୁ ଦିନ ଅସୁରକ୍ଷିତ ହୋଇ ଚାଲିଛନ୍ତି ।


    ଅମ୍ବିକା ଅଫିସ୍ ପାଖରେ ଦିନେ ସନ୍ଧ୍ୟା ବେଳେ ଟ୍ୟୁସନ୍ ରୁ ଫେରୁଥିବା ଏକ ଝିଅକୁ ଚାରି ପାଞ୍ଚ ଜଣ ଯୁବକ ଅସଦାଚରଣ କରୁଥିଲେ । ଝିଅଟି ଡରି ଯାଇ ଇତସ୍ତତଃ ହୋଇ ଦୌଡୁଥିଲା । ରାସ୍ତାରେ ଏତେ ଲୋକ କିନ୍ତୁ କେହି କିଛି କହୁ ନଥିଲେ । ଅମ୍ବିକାର ନଜର ଯେମିତି ପଡିଚି ଆଗ ପଛ ବିଚାର ନକରି ସେଇ ଯୁବକ ମାନଙ୍କୁ ଏକ ବାଡିରେ ପିଟିବାକୁ ଲାଗିଲା । ତା ସାହାସ ଦେଖି ଆଖ ପାଖ ଲୋକ ବି ଆଗେଇ ଆସିଲେ । ଯୁବକ ମାନେ ଚାଲିଗଲେ । ଝିଅଟିକୁ ରକ୍ଷା କରି ଅମ୍ବିକା ଆତ୍ମ ସନ୍ତୋଷ ଲାଭ କଲା । 


    ସେ ଜାଣି ନଥିଲା ସାହାଯ୍ୟ କରିବାକୁ ଯାଇ ନିଜ ପାଇଁ ବିପଦକୁ କିଣି ଆଣିଲା । ଏକରେ ଝିଅ ପିଲା ଦୁଇରେ ରାତିରେ ଅଫିସ୍ ଯାଉଛି । ଅବଶ୍ୟ ଅଫିସ୍ ଗାଡି ନବା ଆଣିବା କରୁଛି ଓ ସାଥିରେ ସୌମେସ୍ ଅଛି । ଯିଏକି ଅମ୍ବିକାର ରୂପ ଗୁଣ ସାହାସ ଦେଖି ତାକୁ ପସନ୍ଦ ବି କରିବାକୁ ଲାଗିଲାଣି । ଠିକ୍ ସମୟ ଆସିଲେ ମନକଥା ଜଣେଇ ଦେବା ପାଇଁ ଅପେକ୍ଷା ରହିଲା ।


    ଦିନେ ଆପାର୍ଟମେଣ୍ଟ୍ ପହଞ୍ଚିବାକୁ ଆଉ ଅଳ୍ପ ବାଟ ଅଛି ଅଫିସ୍ ର ଯେଉଁ ଗାଡି ଡ୍ରପ୍ କରେ ତାର ଟାୟାର ପମ୍ପଚର୍ ହୋଇଗଲା । ସୌମେସ୍ ଓ ଅମ୍ବିକା ଚାଲି ଚାଲି ଆସୁଥିଲେ । ଅଚାନକ ଏକ ବଡ଼ ଗାଡି ସାଇଡ୍ ରେ ଅଟକି ଗଲା । ତା ଭିତରୁ ଓହ୍ଲେଇ ଆସିଲେ ଚାରୋଟି ଯୁବକ । ସେଇ ମାନଙ୍କ ସହ ସେଦିନ ସେ ଝିଅ ପାଇଁ ଅମ୍ବିକା ମୁହାଁମୁହିଁ ହୋଇଥିଲା । ତାର ଫଳ ସ୍ୱରୂପ ଆଜି ସେମାନେ ଅମ୍ବିକା କୁ ଟଣା ଓଟରା କଲେ । ଅମ୍ବିକା ନିଜ ରକ୍ଷା ପାଇଁ ଅନେକ ପ୍ରୟାସ କଲା । ସୌମେସ୍ ମଧ୍ୟ ଅମ୍ବିକାର ରକ୍ଷା ପାଇଁ ଚେଷ୍ଟା କଲା । ସୌମେସ୍ କୁ ମାରି ଅମ୍ବିକାକୁ ଟେକି ନେଲେ ସେଇ ଦୁର୍ବୁତ୍ତ ମାନେ ।


    ପରଦିନ ନ୍ୟୁଜ୍ ପେପରରେ ହେଡ୍ ଲାଇନ୍ ହେଲା ଦିଲ୍ଲୀରେ ଏକ କମ୍ପାନୀର ମହିଳା କର୍ମୀ ଙ୍କୁ ଦୁର୍ବୁତ୍ତ ମାନେ ପୁରୁଷ ବନ୍ଧୁ ଆଗରେ ଟେକି ନେଲେ । ମହିଳା ଙ୍କୁ ଖୋଜିବାରେ ଏଯାଏଁ ପୋଲିସ୍ ବିଫଳ । 


    ଚାଞ୍ଚଲ୍ୟକର ଖବରଟିଏ । ଓଡିଶାକୁ ପ୍ରଚାର ହେବାରେ ଡେରି ଲାଗିଲାନି । ଭାଈ ପାଖକୁ ଫୋନ୍ କରି ଅମ୍ବିକାର ବୋଉ ବୁଝିନେଲା ଖବର । ମାଟି ଗୋଡ ତଳୁ ଖସିଗଲା । ଆକାଶଟା ଛିଡିଗଲା ପରି ଅନୁଭବ ହେଲା । ସାଙ୍ଗେ ସାଙ୍ଗେ ଅଜା ଓ ବୋଉ ବାହାରି ପଡିଲେ ଦିଲ୍ଲୀ ଅଭିମୁଖେ ।


   ପାଞ୍ଚଦିନ ହେଲାଣି ଝିଅର କିଛି ଖବର ନାହିଁ । ଅନେକ ଦୁଃଭାବନା ମନକୁ ଆଚ୍ଛାଦିତ କରୁଛି । ବୋଉ ଓ ମାମୁଁ ପୋଲିସ୍ ଷ୍ଟେସନରେ ଅଧିଆ ପଡିଛନ୍ତି । ଝିଅର କିଛି ଖବର ପାଇବା ଆଶାରେ ।


    ପାଞ୍ଚଦିନ ପରେ ଏକ ପରିତ୍ୟକ୍ତ ଘରୁ ଅମ୍ବିକାକୁ ଉଦ୍ଧାର କଲା ପୋଲିସ୍ । ଶରୀରରେ ଅନେକ କ୍ଷତ । ବେହୋସ୍ । ଅମ୍ବିକାକୁ ହସପିଟାଲରେ ଚିକିତ୍ସା କରା ଯାଉଛି । ଦୁଇ ଦିନ ଚିକିତ୍ସାଧୀନ ରହିବା ପରେ ଏବେ ହୋସ୍ ଆସିଛି । ଗଣବଳାତ୍କାର । କେସ୍ ରଜୁ କଲା ପୋଲିସ୍ । ବୋଉର ପ୍ରାଣ ପ୍ରାୟ ନାହିଁ କହିଲେ ଚଳେ । ଝିଅର ବର୍ତ୍ତମାନ ଦେଖି ଭବିଷ୍ୟତ ଚିନ୍ତା କରି ପାଗଳ ହେଇଗଲାଣି । ଅପରାଧୀଙ୍କୁ ତନାଘନା ଖୋଜୁଛି ପୋଲିସ୍। କିନ୍ତୁ ସଫଳ ହୋଇ ପାରୁନାହିଁ । ଅନେକ କେସ୍ ପରି ସମୟ ବିତିଗଲେ କେସ୍ ଥଣ୍ଡା ପଡିଯାଏ । କିଛି ଦିନ ମିଡିଆରେ ହୋହାଲ୍ଲା ହୁଏ। ତାପରେ ନୂଆ କେସ୍ ନୂଆ ଚର୍ଚ୍ଚା ।


    ମାସେ ପରେ ଆଜି ହସ୍ପିଟାଲରୁ ଘରକୁ ଆସିଛି ଅମ୍ବିକା । ଦେହର କ୍ଷତ ପ୍ରାୟ ଭରିବାକୁ ବସିଲାଣି କିନ୍ତୁ ମନର କ୍ଷତ ଆତ୍ମା ର କ୍ଷତ ? ତାହା କଣ ଆଉ କେବେ ଭରିବ ? ନୂଆ ନୂଆ ଉଡି ଶିଖିଥିବା ଚଢେଇର ପର କାଟି ଦିଆଯାଇନି ତ ଶୀକାର କରାଯାଇ ଦରମରା କରି ଦିଆ ଯାଇଛି । ତା ପାଟିରୁ କଥା ବାହାରୁନି । ବୋଉ ଆଖିରୁ ଲୁହ ଅନବରତ ବହି ଚାଲିଛି । ଅଜାଙ୍କ ହୃଦୟ ବିଦାରି ହେଇ ଯାଉଛି । ମାମୁଁ ମାଇଁ ସ୍ତବ୍ଧ । 


   ନୀରବ ନିଶ୍ଚଳ ଘରେ ଗୋଟିଏ ଯାଗାରେ ବସି ରହିଛି ଅମ୍ବିକା । ଜୀବନ ବୋଧହୁଏ ଆଉ ଫେରିବନି ତାର ଶରୀରକୁ । ହସି ଖେଳି ଖୁସମିଜାଜ୍ ପିଲାଟା ନିର୍ଜୀବ ବସ୍ତୁଟିଏ ପରି ପଡି ରହିଛି । ସତେ ଯେମିତି ମୃତ୍ୟୁକୁ ଖାଲି ଅପେକ୍ଷା ।


   ଇତି ମଧ୍ୟରେ ବିତିଗଲାଣି ଦୀର୍ଘ ଛ ମାସ । ପୋଲିସ୍ ଦୁର୍ବୁତ୍ତକୁ ଧରିବାକୁ ବିଫଳ ହେବା ସହ ଆହୁରି ଅନେକ ଏପରି ଘଟଣାକୁ ରୋକିବାରେ ଅସମର୍ଥ ହୋଇଛି । ମିଡିଆରେ ପ୍ରାୟ ପ୍ରତିଦିନ ଏମିତି ଘଟଣା ଦିଲ୍ଲୀରେ ହେବାର ଖବର ଆସୁଛି । 


   ଦଶହରା ପର୍ବ ଆସି ଯାଇଛି । ବୋଉର ଯିଦ୍ ପୂଜା ସରିଯିବା ପରେ ଅମ୍ବିକାକୁ ନେଇ ଓଡିଶା ଫେରି ଯିବ । ଏଥିରେ ଅଜା ବି ଏକମତ । ମାମୁଁ ନିଜକୁ ଦୋଷୀ ଭାବୁଛନ୍ତି, ତାଙ୍କରି ପାଖରେ ରହି ମଧ୍ୟ ଅମ୍ବିକାର ଏ ଅବସ୍ଥା । ବାପ ଛେଉଣ୍ଡ ପିଲାଟାର ସୁରକ୍ଷା କରି ପାରିଲେନି ।


     ମାମୁଙ୍କ ଦୁଇ ପୁଅ ଝିଅ । ପୁଅ ବଡ଼ ଏ ବର୍ଷ ଇଞ୍ଜିନିୟରିଂ ପାଶ୍ କରି ବାଙ୍ଗାଲୋରରେ ଜବ୍ ପାଇଛି । ଆଉ ଝିଅ ରିନି ଏ ବର୍ଷ ଇଲେଭେନଥ୍ ପଢୁଚି । ମାଇଁଙ୍କ ଡର ଅମ୍ବିକାର ପ୍ରଭାବ କାଳେ ରିନି ଉପରେ ପଡିବ । ତେଣୁ ସେ ବି ଚାହାନ୍ତି ଅମ୍ବିକା ଶୀଘ୍ର ଓଡିଶା ଚାଲି ଯାଉ । 


   ଆଜି ମହାଅଷ୍ଟମୀ । ଚାରିଆଡ଼ ଉତ୍ସବ ମୁଖର । ରିନି ସଜବାଜ ହୋଇ ଦାଣ୍ଡିଆ ଖେଳିବାକୁ ବାହାରିଚି । ଏକା ଯିଦ୍ ଅମ୍ବିକା ଅପା ବି ତାସହ ଦାଣ୍ଡିଆ ଖେଳିବାକୁ ତଳକୁ ଯିବ । ରିନି ନିଜେ ସଜେଇ ଦେଲା ଅମ୍ବିକାକୁ । ସମସ୍ତେ ତଳକୁ ଗଲେ । ପୂଜାର୍ଚ୍ଚନା ପରେ ଦାଣ୍ଡିଆ ଖେଳ ଆରମ୍ଭ ହେଲା । ଅମ୍ବିକା ଗୋଟିଏ ଚେୟାର୍ ଉପରେ ନିଶ୍ଚଳ ହୋଇ ବସି ରହିଥାଏ । ରିନି ସାଙ୍ଗ ମାନଙ୍କ ସହ ଖେଳୁଅଛି । ସମସ୍ତେ ଦାଣ୍ଡିଆ ଖେଳିବାରେ ବ୍ୟସ୍ତ ମସଗୁଲ୍ । କିଛି ଯୁବକ ସେଠାକୁ ଆସି ରିନି ଓ ତା ସାଙ୍ଗ ମାନଙ୍କ ସହ ଟଣା ଓଟରା କଲେ । ସୋସାଇଟିର କେତେକ ବୟସ୍କ ଙ୍କ ହସ୍ତକ୍ଷେପ ଫଳରେ ମାମଲା ଶାନ୍ତ ହେଲା । ଅମ୍ବିକା ସବୁ ଦେଖୁଥାଏ । ତାର ଆଖି ବଡ଼ ବଡ଼ ହୋଇ ଗଲା । ଦେହ ଥରି ଉଠିଲା । ସେ ପାଗେଳୀ ପରି ପାଟି କରି ଘର ଭିତରକୁ ଦୌଡିଗଲା । ଅନେକ ଦିନ ପରେ ଅମ୍ବିକା ଆଖିରେ ଲୁହ । ତା ପ୍ରାଣ ଫେରି ଆସିବା ପରି ଅନୁଭବ ହେଲା ।


    ମହାନବମୀ ଆଜି । ପୋଲିସ୍ କିଛି ଯୁବକଙ୍କୁ ଥାନାରେ ଅଟକ ରଖିଛି । ଅମ୍ବିକା ସେମାନଙ୍କ ଚିହ୍ନଟ ପାଇଁ ବୋଉ ଓ ମାମୁଁ ସହ ଥାନା ଯାଉଛି । ସେଇ ଚାରିଜଣ ଯୁବକ । ସେମାନଙ୍କ ଚିହ୍ନଟ କଲା ଅମ୍ବିକା । ସେମାନଙ୍କୁ ଦେଖି ସେ ବ୍ୟସ୍ତ ବିବ୍ରତ ହୋଇ ଉଠିଲା । ତା ସହ ଏଇ ଅମାନୁଷିକ କାର୍ଯ୍ୟ କରିଥିବାରୁ ନିଜେ ଗୁଳି ଫୁଟେଇ ମାରି ଦେବାକୁ ଇଚ୍ଛା କଲା । ତାର ନିଶ୍ଵାସ ଉତ୍ତପ୍ତ ହେଇଗଲା । ଏତେ ଦିନ ହେଲା ନିଶ୍ଚଳ ରହିଥିବା ମସ୍ତିଷ୍କ ଫାଟି ପଡିଲା ପରି ଲାଗିଲା । 


    ସେମାନେ ଏବେ ଥାନା ହାଜତରେ । ମିଡ଼ିଆ ଘେରି ଗଲା ଅମ୍ବିକାକୁ । ପ୍ରଶ୍ନ ଉପରେ ପ୍ରଶ୍ନ । ବିଚଳିତ ହେଇଗଲା ସେ । ସମଗ୍ର ସହର ଆଲୋକ ମାଳାରେ ସୁସଜ୍ଜିତ । କିନ୍ତୁ ଅମ୍ବିକା ମନରେ କିଟି କିଟି ଅନ୍ଧାର । ସେ ଅନ୍ଧକାରରେ ସେ ଦିଗହରା ହୋଇ ଯାଇଛି । ତା ଜୀବନର ଆଉ କିଛି ମୂଲ୍ୟ ନାହିଁ ଭଳି ଅନୁଭବ କଲା । କଳଙ୍କର ଛିଟା ତ ପଡିନି ସେ ସମ୍ପୂର୍ଣ୍ଣ କଳଙ୍କିତ । ଆତ୍ମହତ୍ୟା କରିବ ବୋଲି ଭାବି ପୁଣି ଓହରି ଗଲା । ତାପରେ ତା ବୋଉର ଅବସ୍ଥା କଣ ହେବ । ସେ ବଞ୍ଚିବ, ପୁଣି ଉଡିବାର ପ୍ରୟାସ କରିବ । କିଛି ବିକୃତ ମାନସିକତା ର ଶୀକାର ହୋଇ କାହିଁକି ସେ ନିଜକୁ କଳଙ୍କିତ ଭାବିବ ।


    ନିଜକୁ ଅନ୍ଧାର ଭିତରୁ ଟାଣି ଆଣିବାକୁ ଚେଷ୍ଟା କରି ବିଫଳ ହେଉଛି ସେ । ଆଜି ଦଶହରା । ସମସ୍ତେ ନୂତନ ବସ୍ତ୍ର ପରିଧାନ କରିଛନ୍ତି । ଅମ୍ବିକା ବି ପିନ୍ଧିଛି । କିନ୍ତୁ ତାର ଯେ ଶରୀର କଳୁଷିତ ହୋଇ ଯାଇଛି । ବସ୍ତ୍ର ତାର ଲଜ୍ଜା କୁ ଢାଙ୍କିବାରେ ଅସମର୍ଥ । ସେ ଶତଚେଷ୍ଟା ସତ୍ତ୍ୱେ ଭୁଲି ପାରୁନି ଜୀବନ ବହିର କଳଙ୍କିତ ପୃଷ୍ଠା କୁ ।


    ସୌମେସ୍ ଆସିଛି ଆଜି ବହୁ ଦିନ ପରେ ଅମ୍ବିକାକୁ ଭେଟିବା ପାଇଁ । ସେ ଯେ ଅମ୍ବିକାକୁ ପ୍ରେମ କରି ବସିଥିଲା କେବେ କହି ପାରି ନଥିଲା । ତାପରେ ଘଟଣାବଳୀ ତାକୁ ନୀରବ କରି ଦେଇଥିଲା । ହେଲେ ଆଜି ଆସିଛି ଅମ୍ବିକାକୁ ବଞ୍ଚିବା ପାଇଁ ଏକ ନୂତନ ପଥ ଉପରେ ଚଲେଇ ନେବା ପାଇଁ ।


     ସୌମେସ୍ ଓ ଅମ୍ବିକା ସୋସାଇଟି ବାହାରକୁ ଆସିଛନ୍ତି । ସୌମେସ୍ ଆଜି ନିଜ ମନକଥା କହିବ । ଆପଣେଇ ନେବ ଅମ୍ବିକାକୁ । ଧୋଇ ଦେବ ତା ଉପରେ ଲାଗିଥିବା କଳଙ୍କର ଦାଗ । ମାଳ ମାଳ ଝିଅ ପୁଅ ବୁଲୁଚନ୍ତି । ସମସ୍ତେ ମସଗୁଲ୍ ପାର୍ବଣର ମହକରେ । କିନ୍ତୁ ଏସମୟରେ ବି ବିକୃତ ମସ୍ତିଷ୍କ ଖୋଲା ବିହରଣ କରୁଛନ୍ତି । ମଣ୍ଡପରେ ନାରୀ ଶକ୍ତିର ପ୍ରତିକ ମା ଦୁର୍ଗାଙ୍କୁ ଆବାହନ କରି ପୂଜା କରୁଛନ୍ତି ପୁଣି ନିଜ ମନର ଆସୁରିକ ପ୍ରବୃତ୍ତି କୁ ଉଠାଇ ମହିଷାସୁର ପାଲଟି ଯାଉଛନ୍ତି ।


    କେତେ ଜଣେ ଯୁବକ ଜଣେ ଝିଅକୁ ଟାଣି ନେଉଥିଲେ । ଅମ୍ବିକାର ମନେ ପଡିଗଲା ସେ ରାତି ତା ସହ ଘଟିଥିବା ଘଟଣା ।


    ସୌମେସ୍ ସେ ଝିଅକୁ ବଞ୍ଚାଅ । ଅମ୍ବିକାର ଚିତ୍କାର ଶୁଣି ଧାଇଁ ଗଲା ସୌମେସ୍ । ପଛେ ପଛେ ଅମ୍ବିକା । ସୌମେସ୍ ଉପରେ ଛୁରୀ ମାଡ଼ କଲେ ସେମାନେ । ରକ୍ତାକ୍ତ ହୋଇ ଲଢୁଥାଏ ସେ । ଅମ୍ବିକା ଦେହରେ କାହୁଁ ଆସିଗଲା ଶତସିଂହର ବଳ । ସତେ ଯେମିତି ଦଶଭୁଜା ମା ଦୁର୍ଗା ତା ଶରୀରରେ ପ୍ରବେଶିଛନ୍ତି । ସେ ରକ୍ଷା କରିବ ଏଇ ଝିଅ କୁ । ଆଉ ଜଣେ ଅମ୍ବିକାକୁ ଅସହାୟ ହେବାକୁ ଦେବନି । 


    ସୌମେସ୍ ପୋଲିସ୍ କୁ ଫୋନ୍ କରିଦେଲା । ପୋଲିସ୍ ଆସିବା ଭିତରେ ନିରବଚ୍ଛିନ୍ନ ଭାବେ ପିଟି ଚାଲିଥିଲା ସେହି ଯୁବକ ମାନଙ୍କୁ ଅମ୍ବିକା । 


    ରହିଯାଅ ଅମ୍ବିକା । ପୋଲିସ୍ ଆସି ଗଲାଣି । କିଛି ଶୁଣି ପାରୁ ନଥିଲା ଅମ୍ବିକା । ଆଜି ନିଜ ଭିତରକୁ ଆବାହନ କରି ଦେଇଛି ଶକ୍ତି ମୟୀ ଦୁର୍ଗା ମାଙ୍କୁ । 


     ପୋଲିସ୍ ଗିରଫ କଲା ଦୁର୍ବୁତ୍ତ ମାନଙ୍କୁ । ଅମ୍ବିକା ଫେରି ପାଇଲା ସଞ୍ୟା । ଅନେକ ଦିନ ପରେ ସେ ଭେଟିଛି ନିଜକୁ । ସୌମେସ୍ କୁ ଆଲିଙ୍ଗନ କରି ଭୋ ଭୋ ହୋଇ କାନ୍ଦି ଉଠିଲା ।


  


Rate this content
Log in

Similar oriya story from Drama