Padmalaya Mishra

Abstract Classics Others

4  

Padmalaya Mishra

Abstract Classics Others

ମଥୁରା ଦାସ ଆଉ ନାହାନ୍ତି

ମଥୁରା ଦାସ ଆଉ ନାହାନ୍ତି

4 mins
8



    ଚାକିରିରୁ ଅବସର ପରେ ଜୀବନ ନୂଆ ନୂଆ ଲାଗୁଛି । ନା ତରତର ହେଇ ଅଫିସ୍ ଯିବାର ଚିନ୍ତା ନା ଉପରସ୍ଥ ଅଧିକାରୀଙ୍କ ଚାପ । ରିଲାକ୍ସ ଲାଗୁଛି । ପିଲାମାନେ ବି ନିଜ ନିଜ ସଂସାରରେ ବ୍ୟସ୍ତ । ଆଉ ସହଧର୍ମିଣୀ ଯଥା ପୂର୍ବଂ ତଥା ପରଂ । ସେଇ ଦିଅଁ ପୂଜା, ଘରକାମ । ପିଲା ଛୋଟ ଥିଲା ବେଳେ ଯେମିତି ବିଜି, ପିଲେ ନିଜ ନିଜ କର୍ମସ୍ଥାନରେ ଦୁଇ ପ୍ରାଣୀ ଖାଲି ଘରେ ତଥାପି ବିଜି । ଅବଶ୍ୟ ବୟସ ଅନୁସାରେ କାର୍ଯ୍ୟ କରିବା ଗତି ଶିଥିଳ ପଡିଛି । 


     ଅଭ୍ୟାସ ବଶତଃ ସକାଳୁ ନିଦ ଭାଙ୍ଗି ଯାଉଛି । ସ୍ତ୍ରୀ ଙ୍କ ତାଗିଦ୍ ବାଡି ଭିତରୁ ଫୁଲ ତୋଳିବା ଦାୟିତ୍ୱ ଏବେ ତାଙ୍କର । ତେଣୁ ଟଗର, ମନ୍ଦାର ସେବତୀ କିଛି ତୋଳି ଦେଇ ଦିଅଁଙ୍କ ଘରେ ଥୋଇ ଦିଅନ୍ତି । ନିତ୍ୟକର୍ମ ସାରି ଚା ଓ ପେପର ତିନି ପ୍ରକାରର ଧରି ବସି ଯାନ୍ତି । ଦିନ ଏଗାରଟା ଯାଏଁ ସମୟ ଜଣା ପଡେନି । ତାପରେ ଦିନ ମାଡି ମାଡି ବସେ । ଆଉ ରାତି ଯେମିତି ତାଙ୍କ ଉପରେ ହସେ । ବେକାରିଆ ହେଇଗଲାଣି ସତେ ଯେମିତି ଜୀବନ । ଓହୋ ସମୟ କଟୁନି । ଖଟ ଚେୟାର ଟିଭି ଏଇ ତିନୋଟି ଜିନିଷ ଛଡା ମାସେ ହେଲା ସେ କିଛି ଦେଖି ନାହାନ୍ତି । 


    ମଥୁରା ଦାସ ବାବୁ ଘରେ ଅଛନ୍ତି ? ଦୁଆର ମୁହଁରେ ଠିଆ ହେଇଛନ୍ତି ଦୁଇ ଜଣ ସମବୟସ୍କ । ମଥୁରା ବାବୁ ବାହାରକୁ ଆସି ଦେଖିଲେ ମନ୍ଦିରରେ ଭେଟ ହୋଇଥିବା ବୃନ୍ଦାବନ ବାବୁ ଓ ହରେକୃଷ୍ଣ ବାବୁ ଆସିଛନ୍ତି । ପାଛୋଟି ନେଇ ଘରେ ବସେଇଲେ । ଗପସପ ଜମିଲା । 


    ବୃନ୍ଦାବନ ବାବୁ ରିଟାଏର୍ଡ ଶିକ୍ଷକ ଓ ହରେକୃଷ୍ଣ ବାବୁ ରିଟାଏର୍ଡ ଯନ୍ତ୍ରୀ । କଥା କଥାରେ ଉଭୟଙ୍କ ମୁହଁରେ କବିତା । ଉଭୟେ ସହରର ଅନେକ ସାହିତ୍ୟ ଅନୁଷ୍ଠାନ, ସ୍ଵେଚ୍ଛାସେବୀ ସଙ୍ଗଠନ ସହ ଜଡିତ । ରିଟାଏରମେଣ୍ଟ୍ ପରେ ସେଇ ଅନୁଷ୍ଠାନ ସହ ଅଛନ୍ତି ବୋଲି ସମୟ କେମିତି ବିତୁଛି ଜାଣି ପାରୁ ନାହାଁନ୍ତି । ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି । ସେମାନଙ୍କ ପ୍ରେରଣାରେ ମଥୁରା ବାବୁ ସେ ଅନୁଷ୍ଠାନ ମାନଙ୍କୁ ଯିବାକୁ ରାଜି ହେଲେ । ଆଜି ସନ୍ଧ୍ୟା ସମୟରେ ପାଖ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସାହିତ୍ୟ ଆସରକୁ ଯିବାକୁ ନିମନ୍ତ୍ରଣ ପାଇଲେ । 


    କେବେ କେମିତି ଡାଏରୀରେ କିଛି ଲେଖନ୍ତି । ହେଲେ କବିତା ଗଳ୍ପ କିଛି କେବେ ଲେଖି ନାହାନ୍ତି । କିନ୍ତୁ ଅନେକ ପୁସ୍ତକ ପଡ଼ିଛନ୍ତି । ସାହିତ୍ୟ ସଭା ବିଷୟରେ ଶୁଣିଛନ୍ତି । ଆଜି ଯିବେ ଦେଖିବେ ସେଠି କଣ ହେଉଛି । 


    ସନ୍ଧ୍ୟା ହେଲା । ମଥୁରା ବାବୁ ବାହାରିଲେ ।।ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଦେଖିଲେ ତାଙ୍କ ବୟସର ଦଶ ପନ୍ଦର ଜଣ ଏକତ୍ରିତ ହୋଇଛନ୍ତି । କବିତା ପାଠ ଚାଲିଲା । ବୀର ରସ, ପ୍ରେମ ରସ, ହାସ୍ୟ ରସ, କରୁଣ ରସ, ଜୀବନଧର୍ମୀ ଏମିତି କେତେ ରକମର କବିତା । କେବେ ହସର ଛୁଅ ଛୁଟୁଥିଲା କେବେ ଆଖିରେ ଲୁହ ଜକେଇ ଆସୁଥିଲା । 


     ବୃନ୍ଦାବନ ବାବୁ ପରିଚୟ ଦେଲେ ଆମ ଗହଣରେ ଅଛନ୍ତି ଶ୍ରୀଯୁକ୍ତ ମଥୁରା ଦାସ । ଜଣେ ଅମାୟିକ ବ୍ୟକ୍ତିତ୍ବ । ତାଙ୍କ ମୁହଁରୁ ନିଶ୍ଚୟ ଦିପଦ ଶୁଣିବା । ମୁଁ କବି ଲେଖକ ନୁହେଁ, ଜଣେ ଶ୍ରୋତା । ଆଜି ଏଠାକୁ ଆସି ଆପଣ ମାନଙ୍କୁ ଶୁଣି ମୁଁ ଭାବବିହ୍ଵଳ ହୋଇଗଲି । କରତାଳି ଶବ୍ଦରେ ମନ୍ଦିର ପ୍ରାଙ୍ଗଣ କମ୍ପି ଉଠିଲା । ମଥୁରା ବାବୁଙ୍କ ମୁହଁରେ ହସ ଫୁଟି ଉଠିଲା । 


    କାର୍ଯ୍ୟକ୍ରମ ଶେଷରେ ମନ୍ଦିରରେ ଭୋଗ ଲାଗି ହୋଇଥିବା ଚୁଡାଘଷା ଡାଲେମା ଖାଇ ସମସ୍ତେ ଫେରିଲେ । ଶେଷରେ ଘୋଷଣା ହେଲା ଅନୁଷ୍ଠାନର ଆଗାମୀ ଆସର ଠିକ୍ ଏଇ ବାର ଆର ସପ୍ତାହରେ ଏଇ ସମୟରେ ହେବ । 


     ବୃନ୍ଦାବନ ବାବୁ ମଥୁରା ବାବୁଙ୍କୁ କହିଲେ କାଲି ଦିନ ଦଶଟାରେ ସହରର ରଙ୍ଗମଞ୍ଚରେ ଆଉ ଏକ ଅନୁଷ୍ଠାନର ବାର୍ଷିକ ସଭା ଅଛି । କାଲି ସେଠି ଭେଟ ହେବ । 


    ପରଦିନ ମଥୁରା ବାବୁ ଠିକଣା ସ୍ଥାନରେ ପହଞ୍ଚିଲେ । କବିତା ପାଠ, ସମ୍ବର୍ଦ୍ଧନା ପର୍ବ ଆଦି ଚାଲିଲା । ତରୁଣ ଓ ବରିଷ୍ଠ କବି ମାନଙ୍କୁ ଶୁଣିଲେ । ମଞ୍ଚାସୀନ ଅତିଥି ମାନଙ୍କୁ ଶୁଣିବାର ସୌଭାଗ୍ୟ ମିଳିଲା । ଶେଷରେ ଅରୁଆ, ଡାଲେମା ଖାଇ ଘରକୁ ଫେରିଲେ । ରାତିରେ ବାହାରେ ଖାଇକି ଯାଇଥିଲେ, ଦିପହରେ ବି ବାହାରେ ଖାଇଲେ ପତ୍ନୀ ଗରଗର ହେଲେ । କୋଉଠି ବାହାରେ ଖାଉଛ ଯେ ଘରେ ଖାଉନ । କିଛି କହୁନ ବି ଯେ ଫ୍ରିଜ୍ ରେ ଖାଦ୍ୟ ଥୁଆ ହେଲାଣି । ଏଥର କହିବ ନହେଲେ ମୋଠୁ ଖରାପ କେହି ହେବେନି । 


    ପ୍ରାୟ ପ୍ରତିଦିନ ସାହିତ୍ୟ ସଭା, ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଗୋ ସେବା କାର୍ଯ୍ୟକ୍ରମ, ରକ୍ତଦାନ ଶିବିର ଆଦିରେ ଗଲେ । ସେ ସବୁ ଅନୁଷ୍ଠାନ, ସଙ୍ଗଠନ ମାନଙ୍କର ସଭ୍ୟ ମଧ୍ୟ ହେଲେ । ଆଗରୁ ପଢିବା ଅଭ୍ୟାସ ତ ଥିଲା ଏବେ ପ୍ରତିଦିନ କବି/ ଲେଖକ ମାନଙ୍କୁ ଶୁଣି ଶୁଣି ନିଜେ ଲେଖିବାର ପ୍ରେରଣା ପାଇଲେ । କଲମ ଚାଲିଲା । ସକାଳେ ରାତିରେ ଲେଖିବାକୁ ବସିଲେ ଦିନରେ ଓ ସନ୍ଧ୍ୟାରେ ସଭା ମାନଙ୍କୁ ଗଲେ । ବ୍ୟସ୍ତ ରହିଲେ । 


    କବିତା ପାଠ କରି ଆତ୍ମତୃପ୍ତି ତ ଲଭିଲେ ହେଲେ ଦିନେ ମଞ୍ଚାସୀନ ହେବାର ଆଗ୍ରହ ହେଲା । ପେପର୍ ମାନଙ୍କରେ ଅତିଥି ଆସନରେ ବସିଥିବା ଫୋଟୋ ଦେଖିବାର ଆଶା ସଞ୍ଚାର ହେଲା । କିନ୍ତୁ କେବେ ସେ ସୁଯୋଗ ଆସିଲାନି । ମନରେ ଅପୁରଣୀୟ ଆଶା ନରହୁ ଭାବି ଦିନେ ବୃନ୍ଦାବନ ବାବୁଙ୍କୁ ଜଣେଇଲେ । ବୃନ୍ଦାବନ ବାବୁ କହିଲେ ମୋର କବିତା ସଙ୍କଳନ ଟିଏ ବାହାରିବା ସମୟରେ ମୁଁ ମଞ୍ଚାସୀନ ହୋଇଥିଲି । ଆପଣ ବି କବିତା ସଙ୍କଳନଟିଏ କରନ୍ତୁ । 


    ଏଥର ମଥୁରା ବାବୁ ନିଜର କବିତା ମାନଙ୍କୁ ଏକତ୍ରିତ କରି ଏକ ପ୍ରକାଶନ ସଂସ୍ଥା ସହ ଯୋଗାଯୋଗ କଲେ । ଦ୍ରୁତ ଗତିରେ କାର୍ଯ୍ୟ ଚାଲିଲା । ନିଜର ସଙ୍କଳନ ଦେଖିବାର ପ୍ରୟାସରେ ଲାଗି ପଡିଲେ । ଡିଟିପି, ପ୍ରୁଫ୍ ରିଡିଙ୍ଗ୍ ସରିଲା । କଭର୍ ପେଜ୍ ଡିଜାଇନ ବି ସରିଲା । ସଙ୍କଳନ ନାମ ରହିଲା " ଅନ୍ତରର କଥା " । 


    ରାତି ପାହିଲେ କବିତା ସଙ୍କଳନ ପ୍ରକାଶିତ ହେବ । ନିଜ ମାନସ ସନ୍ତାନ ପ୍ରାପ୍ତିର ଆନନ୍ଦରେ ବିଭୋର ହୋଇ ଶୋଇଗଲେ ରାତିରେ । ରାତି ପାହିଲା । ହେଲେ ଉଠିଲେନି ମଥୁରା ବାବୁ । ଶୋଇଥିବା ଅବସ୍ଥାରେ ହାର୍ଟ୍ ଆଟାକ୍ ରେ ଚିରନିଦ୍ରାରେ ଶୋଇ ଯାଇଥିଲେ । 


    ଦଶାହ ଆଜି । ମଞ୍ଚ ସଜା ଯାଇଛି । ବଡ଼ ଫୋଟୋରେ ଫୁଲମାଳ ଦିଆ ଯାଇଛି । ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଓ ସ୍ଵେଚ୍ଛାସେବୀ ସଙ୍ଗଠନର ବନ୍ଧୁ ମାନେ ଏକତ୍ରିତ ହୋଇଛନ୍ତି । ସମସ୍ତଙ୍କ ମୁଖରେ ମଥୁରା ବାବୁଙ୍କ ପ୍ରଶଂସା । ହେଲେ ଶୁଣିବାକୁ ନାହାନ୍ତି ସେ । ଫୋଟୋରେ ହସୁଛନ୍ତି ଯାହା । ମଞ୍ଚ ଉପରକୁ ଗଲେ ବୃନ୍ଦାବନ ବାବୁ । କହିଲେ, ମଥୁରା ଦାସ ଆଉ ନାହାନ୍ତି । କିନ୍ତୁ ଆମ ହୃଦୟରେ ସର୍ବଦା ରହିବେ । ପତ୍ନୀ, ପୁତ୍ର ମାନଙ୍କ ହାତରେ ପ୍ରକାଶକ, ସାହିତ୍ୟିକଙ୍କ ଗହଣରେ ଉନ୍ମୋଚିତ ହେଲା କବିତା ସଙ୍କଳନ । ପରଲୋକରେ ରହି ମଞ୍ଚକୁ ଚାହିଁଥାନ୍ତି ।




Rate this content
Log in

Similar oriya story from Abstract