ବାଇମୁଣ୍ଡି
ବାଇମୁଣ୍ଡି
ଘରେ ପରିବା କେତେ ଆସିଲା, କଣ କଣ ଆସିଲା, ନାତୁଣୀ ଘରକୁ ଭାରରେ କଣ ଗଲା, ଝିଅ ମାନେ ପୁଷ ମାସ ଡକରା ହେଲେ କି ନାହିଁ ସବୁର ବିବରଣୀ ଜେଜେମାର ଦରକାର ।
ଜେଜେମାକୁ ବୟସ ନବେ ହେବଣି । ଗୋଡ଼ ହାତ ବିଶେଷ ଚଳୁନି । ତଥାପି ନିଜ କାମ କୁନ୍ଥେଇ କୁନ୍ଥେଇ କରି ଦେଉଛି । କାହା ଉପରେ ନିର୍ଭର ହେଇନି ଏଯାଏଁ । କାନ ଦିଟା ଆଉ କ୍ଲିୟର୍ ଶୁଣିବା ମୋଡ୍ ରେ ନାହାନ୍ତି । କାନ ପାଖେ ଫୁସଫୁସ ହେଇ କହିଲେ, ତାକୁ ଶୁଭୁଚି । ଆଖି ଦିଟା ଝାପସା ହେଇ ଗଲାଣି । କିନ୍ତୁ ଏତେ ବର୍ଷ ଚଳପ୍ରଚଳ ଘରେ ତାକୁ ଦେଖିବା ଦରକାର ପଡୁନି । ଅଣ୍ଡାଳି ଅଣ୍ଡାଳି ଘରେ ପ୍ରତି କୋଣକୁ ଯାଇ ପାରୁଛି ।
ଦୀର୍ଘ ପଚାଶ ଷାଠିଏ ବର୍ଷ ଘରେ ଏକ ପ୍ରକାର ରାଜୁତି କରୁଥିଲା । ପୁଅ ମାନେ କିଏ କଣ ଆଣିବେ, ବୋହୂ ମାନେ କଣ ରାନ୍ଧିବେ, କିଏ କୋଉ କାମ କରିବ ସବୁ ସିଏ ଠିକ୍ କରୁଥିଲା । ଘର ବି ଶାନ୍ତି ଶୃଙ୍ଖଳା ରେ ଚାଲିଥିଲା । ଯଦି ବା ବୋହୂ ମାନଙ୍କ ଭିତରେ ଶୀତଳ ଯୁଦ୍ଧ ହୁଏ, ତାର ବି ସମାଧାନ ବାଟ ଜେଜେମା କାଢୁଥିଲା ।
ପର୍ବ ପୁନିଅ ସୁରୁଖୁରୁରେ ହେଉଥିଲା ଘରେ । ହେଲେ ଏଇ ପନ୍ଦର କୋଡିଏ ବର୍ଷ ହେଲା ତାକୁ ବାର୍ଦ୍ଧକ୍ୟ ତ ମାଡି ବସିନି, ତା ହାତରୁ ରାଜପାଠ ଚାଲିଗଲା । ଘରେ ସମସ୍ତେ ମୁରବୀ ହୋଇଗଲେ । ଚୁଲି ହାଣ୍ଡି ଅଲଗା ହେଇଗଲା । ଝିଅ ତିନି ଜଣ ତ ବାହା ହେଇ ସେମାନେ ନାତି ନାତୁଣୀ ଦେଖିଲେଣି । ପୁଅ ଚାରିଜଣ ବି ଅନେକ ବର୍ଷ ହେଲାଣି ଘର ସଂସାର କଲେଣି । ବଡ଼ ଦୁଇ ପୁଅଙ୍କ ପୁଅ ଝିଅ ବି ବାହା ହେଇ ସାରିଲେଣି । ସମସ୍ତେ ଭିତରୁ ଅଲଗା ହୋଇ ସାରିଥିଲେ ବି ଲୋକ ଦେଖିବାକୁ ଏକତ୍ର ଥିଲେ । ଜେଜେମା ସମସ୍ତଙ୍କ ଭିତରେ ସେତୁଟିଏ ଥିଲା । ସେତୁ ପୁରୁଣା ଓ ଦୁର୍ବଳ ହେଲା, ଚାରି ପୁଅ ଚାରିଟା ରାଇଜ କଲେ ।
ଜେଜେମା ର ହାତ ଗୋଡ, କାନ ଆଖି ସବୁ ସିନା କମଜୋର ହେଇଗଲାଣି କିନ୍ତୁ ମୁଣ୍ଡ କମ୍ପ୍ୟୁଟର ଭଳି କାମ ଦେଉଛି । ବିଲରୁ ଏବର୍ଷ କେତେ ଅମଳ ହେଲା, ଘରେ କେତେ ରଖିଲେ, କେତେ ବିକ୍ରି କଲେ ସବୁ ଖବର ଦାଣ୍ଡ ବାରଣ୍ଡାରେ ବସି ରଇତ ମାନଙ୍କୁ ଟିଖିନିଖ୍ ପଚାରିବ । ଝିଅ ମାନଙ୍କ ଘରକୁ କି ନାତୁଣୀ ଘରକୁ ଭାର ଯାଉଥିଲେ ନଜାଣିଲା ପରି ହାତ ମାରି ଜାଣିଯିବ ତା ଭିତରେ କଣ କଣ ଅଛି ।
ତାର ଏ ମୁଣ୍ଡ ଖେଳେଇବା ପ୍ରକୃତି ସମସ୍ତଙ୍କୁ ଜଣା । ଏବେ ସମସ୍ତେ ଚିଡିଚିଡି ହେଉଛନ୍ତି । କହୁଛନ୍ତି, କଟକ ଚିନ୍ତା ବାଇମୁଣ୍ଡି କୁ । ଆରେ ବୟସ ଗଲାଣି । ଏବେ ହରିନାମ ସଂକୀର୍ତ୍ତନ କର । ଏ ଘର କଥାରେ, ଦିଆନିଆ କଥାରେ ଏତେ ମୁଣ୍ଡ ଖେଳେଇବା କଣ ଦରକାର । ଠିକ୍ ସମୟରେ ଖାଇବାକୁ ଦିଆ ହେଉଛି, ଔଷଧ ଖାଇ ଭଜନ ଶୁଣି ବସ ।କିନ୍ତୁ ନାହିଁ ସବୁଥିରେ ମୁଣ୍ଡ ପୁରେଇବେ ।
ପୁଅ ବୋହୂ ଙ୍କ ତାଗିଦ୍, ଝିଅ ମାନଙ୍କ କଥା ଜେଜେମା ମନରେ କଷ୍ଟ ଦେଉଥିଲା ସତ ସେ କିନ୍ତୁ ସେମିତି ମୁଣ୍ଡ ଖେଳଉଥିଲା । ସତରେ ବାଇମୁଣ୍ଡି ଟେ । ଆରେ ଘର କଣ ତୋ ବୁଝିବା ବିନା ଚାଲିବନି ନା କଣ ?
ଜେଜେମା ମରିଗଲା । ମିଳିମିଶି ସମସ୍ତେ ବାରଶ୍ରାଦ୍ଧ ପର୍ଯ୍ୟନ୍ତ ସବୁ କଲେ । କିନ୍ତୁ ତା ପରେ ଚାରି ପୁଅଙ୍କ ମୁହଁ ଚାରିଦିଗ । କିଏ କେମିତି ଅଛି କେହି ବୁଝୁ ନଥିଲେ । ବୋହୂମାନେ ତରକାରୀ ଦିଆନିଆ ଆଉ ହେଉନଥିଲେ । ସତରେ ଘର ଚାରିଭାଗ ହେଇଗଲା । ସିଏ ଭାର ଦେବ ସିଏ ଦେବ ଭାବି ଭାବି ଝିଅ ମାନଙ୍କ ଘରକୁ ଆଉ ଭାର ଗଲାନି । ଜେଜେମା ଗଲା ପରେ ପିଉସୀ ମାନେ ବି ଆଉ ଆସିଲେନି ଘରକୁ । ନିଜ ନିଜ ସଂସାରରେ ବ୍ୟସ୍ତ ରହିଲେ । ନାତି ନାତୁଣୀ ମାନଙ୍କ ବାହାଘରରେ ଯେମିତି ସମସ୍ତେ ମିଳିମିଶି କାର୍ଯ୍ୟ ହାଲୁକା କରୁଥିଲେ ଏବେ ସେମିତି ନାହିଁ । ଯେଝା କାର୍ଯ୍ୟ ଯାହାର । ବାଇମୁଣ୍ଡି ମରିଗଲାନି ତ କଟକ ଛିନଛତ୍ର ହେଇଗଲା ।।