Padmalaya Mishra

Abstract Comedy Others

4  

Padmalaya Mishra

Abstract Comedy Others

ନାୟିକାର ନାମ ଶୀତ

ନାୟିକାର ନାମ ଶୀତ

2 mins
389



   ସୂର୍ଯ୍ୟ ଅସ୍ତ ହେବାକୁ ଟିକିଏ ସମୟ ଅଛି । ରିକ୍ସା କୁ ଦୁଆର ମୁହଁରେ ଲଗେଇ ଦେଇ ସନା ବାହାରିଲା ମଦଭାଟି ଆଡେ । 


- ଅଳପେଇସା ରହ ରହ । ରେକେସାକୁ ଥୋଇ ଦେଇ ନାଲିପାଣି ପାଇଁ ଯାଉଚୁ କୁଆଡେ ?


- ହେ ସୁନ୍ଦରୀ ! ମୋ ପିଛା ଲାଗେନା କହୁଛି । ମୁଁ ରୋଜଗାର କରୁଛି । ମୋ ପୈସା ରେ ଯଦି ପିଉଚି ତୋ ବା ର କଣ ଯାଉଛି ।


- ହଇରେ ହେ ବାଡିପୋଡା, ଟଙ୍କାଟିଏ ଦେଖେଇ ଦଉନୁ । ଆମେ ମା ପିଲା ପାଞ୍ଚଟା କେମିତି ଚଳିବୁ । 


- କିଛି ପୈସା ନାହିଁ । ଗ୍ରାହକି କମ୍ । 


- ବାଡିପୋଡା, ସଞ୍ଜ ପରେ ଭଲ ବେଉସା । ସେତିକି ବେଳକୁ ରେକେସାକୁ ଥୋଇ ଦେଇ ଚମ୍ପଟ ମାରୁଛୁ ।


   ସୁନ୍ଦରୀ ସେମିତି ଗରଗର ହେଉଥାଏ, ସନା ଚାଲିଲା ଭାଟି ଅଭିମୁଖେ । ବାଟରେ ମକରା ଟ୍ରଲି ବାଲା ଓ ଚଇନ ଦିନ ମଜୁରିଆ ଭେଟ ହେଲେ । ମକରା ପଚାରିଲା କଣ ହେଲା କି ସନା ଭାଈ ? ମୁହଁ କାହିଁକି ଫଣଫଣ । ଉତ୍ତରରେ ସନା କହିଲା, ଦେଖୁନୁ ଦିନସାରା ଖଟିବ ମଣିଷ । ମାଇକିନିଆ ପୁଣି କହୁଚି ସଞ୍ଜରେ ବି ଖଅଟ । ଶଳା ଶୀତଦିନ । ଏବେଠୁ ଥର ବାହାରିଲାଣି । ଆଉ କଣ ରେକେସା ଚଳେଇବି । 


    ଗପି ଗପି ଭାଟି ପାଖରେ ପହଞ୍ଚି ଗଲେ । ଭାଟିଠୁ ପାଞ୍ଚହାତ ଦୂରରୁ ଶୀତରାଣୀ ର ପ୍ରକୋପ ଖତମ । ମଦ ଆଉଟା ଚାଲିଛି ବଣ୍ଟା ଚାଲିଛି । କିଏ କିଏ ପିଇ ଗଡିଗଲେଣି ତ ଆଉ କେତେଟା ଝୁଲିଝାଲି ଯିବାକୁ ବାହାରିଲେଣି । 


   ମଦ ପରଷା ହେଲା । ଲାଜେଇ ଲତା ଆଣି ଗିଲାସେ ଗିଲାସେ ଧରେଇ କହିଲା, ତମ ମାନଙ୍କର ଅଢେଇଶ ଟଙ୍କା ଉଧାର ହେଲାଣି । ଆଜି ଦବ ତ ଆଉ ଦେବି । ନହେଲେ ଯାଅ । ସନା ଫଅଟ କରି ତିନିଶହ ଟଙ୍କା ବଢେଇ ଦେଲା । ବାକି ଖତମ୍ । ଅଧିକା ପଚାଶ ଟଙ୍କା ଦେଲି । ଦେହଟା କାଲୁଆ ମାରିଗଲାଣି । ଦେ ନାଲି ପାଣି ଦେ । ତିନି ଚାରି ଗିଲାସ ପିଇଲା ପରେ ସନାର ପ୍ରବଚନ ଆରମ୍ଭ ହେଲା । ପାଟିରେ ଖଣ୍ଡି ଇଂଲିସ୍ ଆଉ ଖଣ୍ଡି ହିନ୍ଦୀ । ସେଠି ବି ବାକି ସବୁ ମଦୁଆ ତା ତଥାକଥିତ ପ୍ରବଚନ ପିଇ ଯାଉଥାନ୍ତି । ଦୋ ଅକ୍ଷରି ଚାରି ଅକ୍ଷରିରେ ଗଗନ ପବନ ପ୍ରକମ୍ପିତ ହେଲା ।


    ଦେହରୁ ସାର୍ଟଟା କାଢି ଅଣ୍ଟାରେ ଗାମୁଛା ଭଳି ବାନ୍ଧି ଝୁଲିଝୁଲି ଘର ଆଡେ ମୁହାଁଇଲା । ଅଧାବାଟ ଯାଇଛି କି ନାହିଁ ନଳା ମୁହଁରେ ଟଳି ପଡିଲା । ତଥାପି ପାଟିରୁ ପ୍ରବଚନ ଖଣ୍ଡି ଖଣ୍ଡି ହୋଇ ବାହାରୁଥିଲା । ଗୋଟେ ନଳାମୁହଁ କୁକୁର ଟିକିଏ ନଳା ପାଣି ଚାଟି ଦେଉଥିଲା ଟିକେ ସନା ମୁହଁକୁ । ସନା ବି ତାକୁ ଜାବୁଡି ଧରି ଗେଲ କରିବାକୁ ଲାଗିଲା । ସେ ସମୟରେ ତା ବଡ଼ ଝିଅ ବୁଲି ପରଘର ପାଇଟି ସାରି ସେଇ ବାଟରେ ଫେରୁଥିଲା । ବାପାର ଏ ଅବସ୍ଥା ଦେଖି ଟେକି ଟାକି ବସେଇଲା । କୁକୁରକୁ ଘଉଡେଇଲା । ହେଲେ ଘର ପର୍ଯ୍ୟନ୍ତ ଏକୁଟିଆ ବାପାକୁ ନେଇ ପାରିବନି । ଘରକୁ ଦୌଡିଲା, ବୋଉ ଭାଈକୁ ଡାକି ଆଣିବ ବୋଲି ।


   ସୁନ୍ଦରୀ, ବୁଲି ଆଉ ପୁଅ କାଳିଆ ଆସିଲା ବେଳକୁ ସନା ଚାରିକାତ ମେଲି ରାସ୍ତା ଉପରେ ପଡିଚି । କଷ୍ଟେମଷ୍ଟେ ସମସ୍ତେ ମିଶି ଉଠେଇଲେ । ସୁନ୍ଦରୀ ସନା ମୁହଁକୁ ଦିଖୁନ୍ଦା ଦେଲା । ଦେଖୁନ ବୁଢାକୁ ଶୀତ ଲାଗୁନି ଫୁଙ୍ଗୁଳା ଦିହରେ ନାଟ କରୁଛି । ନିଶାରେ ନିଶାରେ ସନା କହିଲା, ଏ ସୁନ୍ଦରୀ ଶୀତ ପରା ମୋ ନାୟିକା । ସେ ଆସିଲେ ମତେ ନିଶା ଚଢେ । ମୋ ଦେହରେ ନିଆଁ ଲାଗିଯାଏ । 


    ସନା ସେମିତି ବକର ବକର ହେଉଥାଏ । ପୁଅ ଝିଅ ଦିପଟୁ ଧରିଥାନ୍ତି । ସୁନ୍ଦରୀ ପିଠିକୁ ମଝିରେ ମଝିରେ ବିଧା ମାରୁଥାଏ । ବାଟ ସାରା ଲୋକ ଚାହିଁ ଥାଆନ୍ତି । ଏମିତି ଘରକୁ ଫେରିବା ସନାର ନିତିଦିନିଆ ଅଭ୍ୟାସ ।।




Rate this content
Log in

Similar oriya story from Abstract