STORYMIRROR

Padmalaya Mishra

Abstract Tragedy Inspirational

4  

Padmalaya Mishra

Abstract Tragedy Inspirational

ବସା

ବସା

6 mins
383

ଓଡ଼ିଶାର ଉପକୂଳ ଆଡେ ଏକ ପ୍ରଚଣ୍ଡ ଭୟଙ୍କର ଝଡ଼ ମାଡି ଆସୁଛି । ଅତିକମରେ ଘଣ୍ଟାକୁ ୨୫୦ କି. ମି. ବେଗରେ ପବନ ବହିବ । ସମୁଦ୍ର ଅଶାନ୍ତ ହୋଇ ପଡିବ । ଢେଉ କୂଳ ଲଙ୍ଘି ବହୁ ଆଗକୁ ମାଡି ଆସିବ । ୩/୪ ଫୁଟ ଉଚ୍ଚ ଜୁଆର ଉଠିବ । ତେଣୁ ଉପକୂଳବର୍ତ୍ତୀ ସ୍ଥାନର ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପ୍ରଶାସନର ଅନୁରୋଧ ବାରମ୍ବାର ଗଣମାଧ୍ୟମ ଜରିଆରେ ଦିଆ ଯାଉଛି । 


    ରେଡିଓରୁ ଖବର ବାରମ୍ବାର ଶୁଣି ସୀତା ବ୍ୟସ୍ତ ହୋଇ ପଡୁଛି । କାରଣ ସମୁଦ୍ର ପାଖରେ ନହେଲେ ବି ଏକ ତଳିଆ ଅଞ୍ଚଳରେ ଘର । ସମୁଦ୍ର ମାଡି ନ ଆସିଲେ ବି ବର୍ଷା ପାଣି ନଈକୁ ନିଶ୍ଚୟ ଉଛୁଳେଇବ । ଏପଟେ ସୀତା ଦେହରେ ଖଇଫୁଟା ତାତି । ଦେହ ହାତ ଦରଜ ହେଉଛି । ମୁଣ୍ଡ ବିନ୍ଧାରେ ମୁଣ୍ଡ ଉଠେଇ ହେଉନି । ଲକ୍ଷ୍ମୀଧର କଣ କରିବେ ଜାଣି ପାରୁ ନାହାନ୍ତି । ସେ ବି ଆଉ ଯୁବକ ନାହାନ୍ତି ଯେ ସ୍ତ୍ରୀ କୁ କାନ୍ଧରେ ଟେକି ନେଇ ଚାଲି ଯାଇ ପାରିବେ । ବୁଢାବୁଢୀ ଦୁଇଜଣ ଘରେ ପରସ୍ପରର ଆଶାବାଡି ହୋଇ ଛଅବର୍ଷ ହେଲା ପଡି ରହିଛନ୍ତି । ଦୁଇ ପୁଅ ସଞ୍ଜୟ ଓ ବିଜୟ ବଡ଼ ବଡ଼ ଚାକିରି କରି ଦୂର ବିଦେଶରେ ରୁହନ୍ତି । ଝିଅ ପୂର୍ଣ୍ଣିମା ବି ନିଜ ସ୍ଵାମୀ ପରିବାରକୁ ନେଇ ବିଦେଶରେ । ଯେଉଁ ପିଲାଙ୍କ ପଛେ ଧାଇଁ ଧାଇଁ ଲକ୍ଷ୍ମୀଧର ଓ ସୀତା ନିଜ ଯୌବନର ଜଳାଞ୍ଜଳି ଦେଇଛନ୍ତି, ସେଇ ମାନଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ନିଜ ଆଖିର ସ୍ଵପ୍ନ କରି ଦେଇଛନ୍ତି, ଆଜି ସେଇ ପିଲାମାନେ ନିଜ ମା-ବାପାଙ୍କ ପ୍ରତି କିଛି କର୍ତ୍ତବ୍ୟ ଅଛି ବୋଲି ଭୁଲି ଯାଇଛନ୍ତି । ଝିଅ ମା ମନ ବୁଝେ ବୋଲି ସମସ୍ତେ କୁହନ୍ତି, ହେଲେ... ପୂର୍ଣ୍ଣିମା ଦିନେ ବୋଉର ଭଲମନ୍ଦ ବୁଝେନି । ଚାରି ଛ ମାସରେ ଥରେ ଫୋନ୍ କରେ । ସେ ପୁଣି ପାଞ୍ଚ ମିନିଟରୁ କମ୍ । ସେଥିରେ ବି ବୋଉ ଖୁସି । ଆଗାମୀ ଫୋନ୍ ପାଇବା ପର୍ଯ୍ୟନ୍ତ ସେଇ ଫୋନ୍ କଥାବାର୍ତ୍ତା କୁ ଲକ୍ଷ୍ମୀଧରଙ୍କ ଆଗରେ କହୁଥାଏ । 


     ଦୁଇ ପୁଅ ଧନୀ ପରିବାରର ଝିଅ ସହ ବିବାହ କରିଛନ୍ତି । ଫ୍ଲାଇଟରେ ଆସି ଶଶୁର ଘରେ ଭୁବନେଶ୍ଵରରେ ଓହ୍ଲାନ୍ତି । ସେଠାରେ ତାଙ୍କ ସ୍ତ୍ରୀ ପିଲା ରୁହନ୍ତି । ଗୋଟିଏ ଦିନ ପୁଅ ଆସି ବାପାମାଙ୍କୁ ଦେଖି ଯାଏ । ସୀତାର ନାତି ନାତୁଣୀ ଙ୍କୁ ଦେଖିବାକୁ ଇଚ୍ଛା ହେଲେ ବସରେ ଯାଇ ପୁଅ ଶଶୁର ଘରେ ଦେଖା କରି ଆସନ୍ତି । ନହେଲେ ସେଇ ଫୋନରେ ନାତି ନାତୁଣୀ ସ୍ବର ଶୁଣନ୍ତି । ବୋହୂ ହାତରନ୍ଧା କଣ ତ ଦିନେ ହେଲେ ବୁଢାବୁଢୀ ଜାଣିଲେନି । ଓଲଟି ଦେଖା କରିବାକୁ ଗଲେ ପୁଅବୋହୂ ନାତି ନାତୁଣୀ ଙ୍କ ମନପସନ୍ଦ ପିଠାକୁ ରାତାରାତି ଅନିଦ୍ରା ହୋଇ ସୀତା ଗଢି ବସନ୍ତି । ସେଥିରେ ସେ ଆନନ୍ଦ ପାଆନ୍ତି ବୋଲି ଲକ୍ଷ୍ମୀଧର କିଛି କୁହନ୍ତି ନାହିଁ । ଖାଲି ଭଗବାନଙ୍କୁ ଯାହା ମନେ ମନେ ଗାଳି କରନ୍ତି । ବାଃ ଭଗବାନ ! ସାମାନ୍ୟ ୟୁପି ସ୍କୁଲ ଶିକ୍ଷକର ଦରମାରେ ମୁଁ ମୋର ପିତାମାତା, ଭାଈ ଭଉଣୀ, ସ୍ତ୍ରୀ, ପିଲା ସମସ୍ତଙ୍କ ଦାୟିତ୍ୱ ନେଇଥିଲି । ଯିଏ ଯେମିତି କରେ ସେମିତି ପାଏ ଶୁଣିଥିଲି । ମୁଁ କି ମୋ ସ୍ତ୍ରୀ ତ ମୋ ମାତାପିତାଙ୍କ ଅବହେଳା କରି ନଥିଲୁ କିନ୍ତୁ ଆମେ ଆମ ପିଲାଙ୍କ ଦ୍ଵାରା ଏତେ ଅବହେଳିତ କାହିଁକି ? ହେଲେ... ମନର ଭାବ ମନରେ ରହିଯାଏ । ମୁଖମଣ୍ଡଳରେ ଖୁସିର ଆଭାସ ଦିଶୁଥାଏ । 


    ମନେଅଛି ୧୯୯୯ ମହାବାତ୍ୟା କଥା । ସେତେବେଳେ କେତେ ଲୋକ ପ୍ରାଣ ହରାଇଥିଲେ, କେତେ ବସା ଉଜୁଡି ଯାଇଥିଲା । ଦୁଇ ପୁଅ ରାଉରକେଲାରେ ଇଂଜିନିୟରିଂ ପଢୁଥାନ୍ତି । ଗାଁରେ ସୁବିଧା ନଥିବାରୁ ଝିଅ ଭୁବନେଶ୍ୱରରେ ହଷ୍ଟେଲରେ ରହି ପଢୁଥାଏ । କିନ୍ତୁ ବାତ୍ୟା ମାଡି ଆସୁଛି ଶୁଣି ବାପା ବୋଉ ପାଖକୁ ଧାଇଁ ଆସିଥିଲେ । ସେମାନଙ୍କୁ ଦେଖି ସୀତା କେତେ ପାଟି କରିଥିଲା । ଆମେ କଣ ସୁରକ୍ଷିତ ଜାଗାକୁ ପଳେଇ ନଥାନ୍ତୁ ଯେ ତମେମାନେ ଅସୁବିଧା ଭିତରକୁ ଚାଲିଆସିଲ । ସଞ୍ଜୟ ଓ ବିଜୟ ବୋଉ କାନ୍ଧରେ ମୁଣ୍ଡ ରଖି କହିଥିଲେ, " ଅସୁବିଧାରେ ଆମ ବାପା ବୋଉ ରହିବେ ଆଉ ଆମେ ସେଠି ଶାନ୍ତିରେ ଶୋଇଥିବୁ ? " ପୂର୍ଣ୍ଣିମା ଆଖିରୁ ତ ଝରଝର ଲୁହ ବହି ଯାଉଥିଲା । ସେ ମହାବାତ୍ୟା ପରସ୍ପରକୁ କୁଣ୍ଢେଇ ଧରି କେମିତି କଟି ଯାଇଥିଲା ଜଣା ପଡି ନଥିଲା । 


    ସୁ ସୁ ପବନ ବହୁଥାଏ । ଭାଈ ଭଉଣୀ ବସି ଥଟ୍ଟା ପରିହାସ କରି ପବନ ଦେବଙ୍କୁ ଡାକୁଥାନ୍ତି । ଲାଇଟ୍ ନଥାଏ । ଲଣ୍ଠନ ଆଲୁଅରେ ସୀତା ପିଲାମାନଙ୍କ ମନପସନ୍ଦ ଖାଦ୍ୟ ରାନ୍ଧୁଥାଏ । ମୁଁ ଜୋରରେ ହନୁମାନ ଚାଳିସା ପାଠ କରୁଥାଏ ବୋଲି ବିଜୟ ଥଟ୍ଟା କରି କହିଲା, " ବାପା! ଯିଏ ପବନ ପୁତ୍ର ତାଙ୍କୁ କଣ ପବନ ମାନିବେ ? ତମେ ଆଉ କୋଉ ଠାକୁରଙ୍କୁ ଡାକ ।" ସେତେବେଳେ ତା ଉପରେ ବିରକ୍ତ ହେଲେ ବି ତା କଥାରେ ଗୁରୁତ୍ୱ ରହିଛି ଭାବି ବିଷ୍ଣୁ ସହସ୍ରନାମ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଆଦି ଜପିଲି । ପୁଣି ସେଇ କଥାକୁ ନେଇ ପିଲାମାନେ ମୋର ଥଟ୍ଟା କରିଥିଲେ । ଆମ ଗାଁ ଆଡେ ବାତ୍ୟା ପ୍ରଭାବ ସେତେ ନଥିଲା । ଯାହା କେତୋଟି ଗଛ ଉପୁଡି ଦୁଇ ତିନି ଦିନ ଇଲେକ୍ଟ୍ରିକ୍ ନଥିଲା । ପିଲାମାନେ ସେଇ ଅନ୍ଧାର ଅସୁବିଧା ରେ ଆମକୁ ଛାଡି ଯାଇ ନଥିଲେ । ସେଦିନ ମନେ ମନେ ଗର୍ବ କରିଥିଲି । ଭଗବାନଙ୍କୁ ଏପରି ସନ୍ତାନ ଦେଇ ଥିବାରୁ ଧନ୍ୟବାଦ ଦେଇଥିଲି । ସେମାନଙ୍କ ଉଜ୍ୱଳ ଭବିଷ୍ୟତ ସହ ଆମର ଦୁର୍ଦିନ ଦୂର ହେବ ଭାବି ନିଜର ସମସ୍ତ ଗଚ୍ଛିତ ଧନ ସେମାନଙ୍କ ପିଛା ସାରିଦେଲି । 


     ଆଜି ମୁଁ ନିଃସ୍ଵ । ପେନସନ ତକ ହିଁ ଆମ ବୁଢାବୁଢୀ ଙ୍କ ଚଳିବାର ଆଶ୍ରା । ପିଲାମାନଙ୍କ ଠାରୁ ଆଶା ରଖିବା ବି ଭୁଲ୍ । ଯେତିକି ପେନସନ ମିଳେ, ଖାଇପିଇ ଘର ମରାମତି ଠାରୁ ଆରମ୍ଭ କରି ଦେହପା ରେ ଖର୍ଚ୍ଚ କରୁ । ପିଲାମାନେ ଉଚ୍ଚ ପଦବୀରେ ପ୍ରତିଷ୍ଠିତ । ଆମ ପାଇଁ ସେମାନଙ୍କ ମନରେ କିଛି ନାହିଁ । ବୋଉ ଦେହ ଭାରି ଖରାପ ବୋଲି ଫୋନ୍ କଲାରୁ ସଞ୍ଜୟ ସ୍ତ୍ରୀ କହିଲା,ସଞ୍ଜୟ ଅଫିସ କାମରେ ଆମେରିକା ଯାଇଛି । ବିଜୟ କହିଲା, " ବାପା ତମ ବୋହୂ ତା ବୋଉ ଦେହ ଖରାପ ପାଇଁ ତାଙ୍କ ପାଖରେ ଅଛି । ପିଲାମାନଙ୍କ ପରୀକ୍ଷା । ସେମାନଙ୍କୁ ଛାଡି କି ନେଇ ମୁଁ ଯାଇ ପାରିବିନି । " ଭାବିଲି... ବାଃ ରେ ପୁଅ, ବୋହୂ ଝିଅ ହିସାବରେ ତା ମା ପାଇଁ ସମୟ ଦେଲା ଆଉ ତୋର ତୋ ବୋଉ ପାଇଁ ସମୟ ନାହିଁ । 


     ଦୁମଦୁମ୍ ଝରକା ବାଡେଇ ହେଲା । ପବନର ବେଗ ବଢିବାକୁ ଲାଗିଲାଣି । ଭାବନାର ଫର୍ଦ୍ଦ ଭିତରୁ ବାହାରି ପ୍ରକୃତିସ୍ଥ ହେଲେ ଲକ୍ଷ୍ମୀଧର । ତିନିଦିନ ହେଲା ବର୍ଷା ଲାଗି ରହିଛି । ଆଜି ରାତି ସାଢେ ଆଠଟା ସୁଧା ଗୋପାଳପୁର ଠାରେ ସ୍ଥଳଭାଗ ଛୁଇଁବ ଫାଇଲିନ୍ । ତେଣୁ ଗାଁ ସାରା ଲୋକ ଉପର ମୁଣ୍ଡରେ ଥିବା ଗାଁ ସ୍କୁଲ ଘରକୁ ଆଶ୍ରୟସ୍ଥଳୀ କରି ସାରିଲେଣି । କେତେଜଣ ଆସି ଲକ୍ଷ୍ମୀଧରଙ୍କୁ ଡାକି ଗଲେଣି । ଯାହା ହେଲେ ବି ବଞ୍ଚିବାକୁ ହେବ । ଜୀବନ ଅଛି ଯେତେବେଳେ ଲୋଭ ତ ଅଛି । ଘୋଷାରି ହୋଇ ସୀତା ଜରୁଆ ଦେହରେ ଉଠିଲେ । କିଛି ଜରୁରୀ ଜିନିଷ, ଟଙ୍କା ଓ ପିଲାମାନଙ୍କ ସହ ସେମାନଙ୍କ ଫଟ କୁ କୁଣ୍ଢେଇ ଧରି ବୁଢାବୁଢୀ ଆଶ୍ରୟସ୍ଥଳୀ ଆଡକୁ ବାହାରିଲେ । ସେତେବେଳକୁ ମୁହଁଚାହାଁ ଅନ୍ଧାର ହେଲାଣି । ପବନ ଗଛକୁ ତଳକୁ ନୁଆଁଇ ଉପରକୁ ଉଠାଉଛି । ବର୍ଷା ମାଡରେ ଛତା ରହୁନି । ସରସର ଓଦା ହୋଇ ଦୁଇ ଜଣ ଆଗେଇ ଥାନ୍ତି । ଗାଁ ର କିଛି ଯୁବକ ସେମାନଙ୍କୁ ସାହାଯ୍ୟ କଲେ । 


     ସ୍କୁଲ ଘରେ ପହଞ୍ଚି ଓଦା ଲୁଗା ବଦଳେଇ କନ୍ଥା ଖଣ୍ଡେ ପକାଇ ଶୋଇ ପଡିଲେ ସୀତା । ଗୋଟିଏ ବଖରାରେ କେତେଜଣ ସ୍ତ୍ରୀ ଲୋକ ଏକାଠି ଥିଲେ । ସମସ୍ତେ ସୀତାଙ୍କୁ ଜଗି ବସିଥାନ୍ତି । ଠିକ୍ ସମୟରେ ଔଷଧ ଦେଉଥାନ୍ତି । ରାତି ବଢିବା ସହ ଫାଇଲିନର ପ୍ରକୋପ ବଢୁଥାଏ । ଆଉ ବଢୁଥାଏ ସୀତାଙ୍କ ଦେହର ତାତି । ବାଉଳିଚାଉଳି ହେବା । ଲକ୍ଷ୍ମୀଧର ଆସି ବସିଲେ । ସୀତା ତାଙ୍କ ହାତକୁ ମୁଠା କରି ଧରିଥାନ୍ତି ।


     ରାତି ପାହି ପାହି ଆସୁଥାଏ । ପବନ କମି କମି ଥମ୍ ପଡିଗଲା । ସୀତା ହାତକୁ ଯେତେ ଉଷୁମ କରିବାକୁ ଚେଷ୍ଟା କଲେ ବି ହେଉନଥାଏ । ଗାଁ ର ହୋମିଓପ୍ୟାଥିକ ଡାକ୍ତର ସୁରବାବୁ ପରୀକ୍ଷା କରି ଜବାବ ଦେଇ ଦେଲେ ସୀତା ଦେବୀ ଆଉ ନାହାନ୍ତି । ଲକ୍ଷ୍ମୀଧର ପଥର ପରି ବସି ରହିଲେ । ନା ଲୁହ ଝରୁଥାଏ ନା କିଛି କହୁଥାନ୍ତି । ଗାଁ ଲୋକେ କହିଲେ, ପୁଅ ଝିଅ ମାନଙ୍କ ନମ୍ବର ଦିଅ । ଫୋନ୍ କରି ଜଣେଇଦେବା । ହେଲେ ଲକ୍ଷ୍ମୀଧର ନୀରବ । ମୋ ସୀତାର ଅନ୍ତିମ ସଂସ୍କାର ମୁଁ ହିଁ କରିବି । ବସିଥିବା ଜାଗାରୁ ଉଠିଲେ । 


    ସୀତାଙ୍କ ମରଶରୀରକୁ ଗାଁ ଲୋକେ ଟେକି ଆଣିଲେ ତାଙ୍କ ଘର ସାମନାକୁ । ରାସ୍ତାଘାଟରେ ଗଛ ଉପୁଡି ପଡିଥାଏ । ଟେଲିଫୋନ ତାର ଇଲେକ୍ଟ୍ରିକ୍ ତାର ଛନ୍ଦି ଛାନ୍ଦି ହୋଇ ଗାଁ ଦାଣ୍ଡରେ ପଡିଥାଏ । ଲକ୍ଷ୍ମୀଧରଙ୍କ ଘର ସାମନାରେ ବିରାଟ ଚାକୁଣ୍ଡା ଗଛଟିଏ ଥିଲା । ସେଇଟା ଉପୁଡି ପଡି ସାମନା ପଟ ଛାତ ଫାଟି ଯାଇଛି । ଘର ବାହାର ସବୁ ସମାନ ଲାଗୁଛି । ଜଣେ ସମବୟସ୍କ କହିଲେ, "ଆରେ ଲକ୍ଷିଆ, ତୋ ବସାର ଖଣ୍ଡେ ଅଂଶ ଭାଙ୍ଗି ଯାଇଛି ରେ ।" 


- ମୋ ବସା ଉଜୁଡି ଯାଇଥିଲା ଆଜି ଭାଙ୍ଗିଗଲା । ଏମିତିରେ ସୀତା ବିନା ଏ ବସା ମୋର କି କାମର । ଭଗବାନ ତ ମୋର ବଞ୍ଚିବାର ଶେଷ ଇଚ୍ଛା ଛଡାଇ ନେଲେ ବସା ଅବା କାହିଁକି ରହିବ ? 


  ଉପସ୍ଥିତ ସମସ୍ତେ ଲକ୍ଷ୍ମୀଧରଙ୍କ ମୁହଁକୁ ଅନାଇ ଥାଆନ୍ତି । ବୋଧହୁଏ ପତ୍ନୀ ବିୟୋଗରେ ବୁଢା ମର୍ମାହତ ହୋଇ ଏମିତି କହୁଛନ୍ତି । କିନ୍ତୁ ଲକ୍ଷ୍ମୀଧରଙ୍କ ମନ ଭିତରେ ଫାଇଲିନ୍ ଯେ ଥମିନାହିଁ । ପ୍ରବଳରୁ ପ୍ରବଳତର ବେଗରେ ତାଙ୍କ ମସ୍ତିଷ୍କରେ ଭାବନାର ଝଡ଼, ଛାତିରେ ଅଭିମାନର କୋହ ବୋହି ଯାଉଥାଏ । ସେଥିରୁ ଯେଉଁ ନିଶ୍ଵାସର ବାତ୍ୟା ନିର୍ଗତ ହେଉଥାଏ, ସେଥିରେ ଅଭିଶାପ ବହୁଥାଏ । ହେଲେ କାହା ପାଇଁ ଏ ଅଭିଶାପ । ସେଇ ନିର୍ଲଜ ଆପଣାର ସନ୍ତାନ ମାନଙ୍କୁ । କିନ୍ତୁ ସୀତାଙ୍କ ମନ ଆରପାରିରେ କଷ୍ଟ ହେବ । ଯାହା ହେଲେ ବି ସେ ମାଆ । ଦିନେ ବି ପିଲାମାନଙ୍କ ଅଭଦ୍ରାମି, କର୍ତ୍ତବ୍ୟହୀନ ବ୍ୟବହାରକୁ ଧରିନି । ଓଲଟି ମୋ ପାଟିରୁ କଣ ବାହାରିଗଲେ କାନିରେ ଗଣ୍ଠି କରି ବସିଥାଏ । 


    ଯଲଦି ଚାଲ । ଶେଷକୃତ୍ୟ ସମ୍ପୂର୍ଣ୍ଣ କରିବା । ଭାବନାର ଅନ୍ତ ଘଟାଇ ଜଣେ ଲକ୍ଷ୍ମୀଧରଙ୍କୁ ହଲାଇ ଦେଲେ । ଦୀର୍ଘ ନିଶ୍ଵାସଟିଏ ମାରି ସ୍ତ୍ରୀ ର ଶେଷକୃତ୍ୟ କରିବା ପାଇଁ ଉଦ୍ୟତ ହେଲେ ଲକ୍ଷ୍ମୀଧର । ଛିଡା ହୋଇ କ୍ଷଣିକ ପାଇଁ ନିଜ ଉଜୁଡି ଯାଇଥିବା ବସାକୁ ଚାହିଁଲେ । ଆଉ ଚାହିଁଲେ ସୀତାଙ୍କ ଶାନ୍ତ ସୁନ୍ଦର ମୁଖମଣ୍ଡଳକୁ । ରାମ୍ ନାମ୍ ସତ୍ୟ ହେ.... ଉଚ୍ଚାରଣରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହେଲା । ଲକ୍ଷ୍ମୀଧରଙ୍କ ଆଖିରୁ ଦୁଇଧାର ଲୁହ ନିଗିଡି ପଡି ଓଦା ମାଟିରେ ମିଶିଗଲା ।।


Rate this content
Log in

Similar oriya story from Abstract