ପ୍ରିୟତ୍ତମା
ପ୍ରିୟତ୍ତମା
ସ୍ଵପ୍ନ ମଞ୍ଜରୀ ଦାଶ, ବି. ଡି. ଓ । ପୁରୁଣା ବିଡିଓ ଙ୍କ ବଦଳରେ ଆସିଛନ୍ତି । ବିକାଶ ଟିକିଏ ଭାବନା ରାଇଜକୁ ଚାଲିଗଲା । କଣ ହେଲା ସାଙ୍ଗ କଣ ଭାବୁଛୁ ପଚାରିଲା ରାଜେନ୍ଦ୍ର । ନା ନା ସେମିତି କିଛି ଭାବୁନି, ଏଇ ନୂଆ ବିଡ଼ିଓ ମାଡାମ୍ ଙ୍କ ନା ଶୁଣି ଚିହ୍ନା ଚିହ୍ନା ଲାଗିଲା । କାଲି ତ ଜଏନ୍ କରିବେ, ଦେଖିଲେ ବଳେ ଜାଣିବୁନି । ଶରତ ଭାଈ ( ପିଉନ୍ ) କ୍ୟାବିନ୍ ସଫା କରୁଛନ୍ତି । ଆମେ ଚାଲ୍ ଘରକୁ ଯିବା । କାଲି ଅନ୍ ଟାଇମ୍ ଆସିବାକୁ ହେବ ଯେ । ଆରେ ଆଜି ପରା ଭାଉଜଙ୍କ ସହ ତୋର ମୁଭି ଥିଏଟର୍ ଯିବା ପ୍ଲାନ୍ ଥିଲା । ସେ ଅପେକ୍ଷା କରିଥିବେ ଯେ ...
ବିକାଶ ବାଇକ୍ ଷ୍ଟାଟ୍ କରି ଘର ଅଭିମୁଖେ ଚାଲିଲା । ଅଫିସ୍ ଠାରୁ ଘର ପାଞ୍ଚ ମିନିଟର ରାସ୍ତା ବାଇକ୍ ଯୋଗେ । କିନ୍ତୁ ଆଜି କୋଡିଏ ମିନିଟ୍ ଲାଗିଲା । ସେ କିଛି ଭାବି ଭାବି ଭୁଲ୍ ରାସ୍ତାରେ ଚାଲି ଯାଇଥିଲା । ପୁଣି ଘରମୁହାଁ ହେଲା ବେଳକୁ ଡେରି ହେଇଗଲା । ସୁନିତା ଚାହିଁ ବସିଥିଲା ତା ବାଟ । ସରି ସରି କହି କୁଣ୍ଢେଇ ଧରିଲା ସୁନିତାକୁ । ତାପରେ ଫିଲ୍ମ ଦେଖିବା ପାଇଁ ତରତର ହୋଇ ପ୍ରସ୍ତୁତ ହେଲା । ପୁଅ ବୈଭବ ଓ ଝିଅ ସୋମା କେବେଠାରୁ ପ୍ରସ୍ତୁତ ହୋଇ ବସିଛନ୍ତି । ସେ କେମିତି ନିଜ ଅତୀତକୁ ଘାଣ୍ଟି ବର୍ତ୍ତମାନକୁ ଅବହେଳା କରି ପାରିଲା । ନା ଯେଉଁ ଫର୍ଦ୍ଦ ଅତୀତ ତାକୁ ମେଲେଇ କି ଲାଭ ?
ଫିଲ୍ମ ହଲରେ ସୁନିତା, ପିଲାମାନେ ଫିଲ୍ମର ମଜା ନେଉଥିବା ବେଳେ ଫିଲ୍ମର କିଛି ଦୃଶ୍ୟ ବିଚଳିତ କରୁଛି ବିକାଶକୁ, ଟାଣି ନେଉଛି ତାର ଅତୀତର ଫର୍ଦ୍ଦ ଭିତରକୁ । ହଜି ଯାଇଛି ବିକାଶ ଏତେ ଶବ୍ଦ ଭିତରେ ବି ନିଜର ଅତୀତରେ ।
ବିକାଶ ବେହେରା, ଯୁକ୍ତ ଦୁଇରେ କଳା ନେଇ ପଢୁଛି ଏଇ ବର୍ଷ । ନୂଆ ନୂଆ କଲେଜ ମାଟି ମାଡି ଗଗନରେ ଉଡୁଥିଲା ବେଳେ ସେଇ କଲେଜର ଗୋଟିଏ ଝିଅ ପାଇଁ ତାର ହୃଦୟ ସ୍ପନ୍ଦିତ ହେଲା । ସାଙ୍ଗ ମାନେ ତାକୁ ଥଟ୍ଟା କଲେ । ଆମ କ୍ଲାସରେ ଏତେ ସୁନ୍ଦର ସୁନ୍ଦର ଝିଅ ଥାଉ ଥାଉ ତତେ ପସନ୍ଦ ଆସୁଛି ଗ୍ରାଜୁଏସନର ଝିଅ । ଅପା ଡାକିବା ଜାଗାରେ ପ୍ରେମିକା କରିବୁ । ଯେତେ ଯିଏ ଯାହା କହିଲେ କଣ ହେବ, ହୃଦୟ କାହା ଅକ୍ତିଆରରେ ଅଛି ଯେ ।
ସ୍ଵପ୍ନ ମଞ୍ଜରୀ ଦାଶ, ପ୍ଲସ୍ ଥ୍ରୀ, ଇକୋନୋମିକସ୍ ଅନର୍ସ । ସେ ବି ଅଜାଣତରେ ଆକର୍ଷିତ ହେଲା ବିକାଶ ଆଡ଼କୁ । ବୟସରେ ତିନି ବର୍ଷ ବଡ଼ ସେ ବିକାଶ ଠାରୁ । କିନ୍ତୁ କି ଆକର୍ଷଣ ଅଛି କେଜାଣି ବିକାଶ ପାଖରେ ତା ମନ ଟାଣି ହୋଇ ଯାଉଛି । ଆଖିରେ ଆଖିରେ କଥା ଚାଲେ । ହେଲେ କେହି କାହା ସହିତ କଥା ହେଉନଥିଲେ ।
ପ୍ଲସ୍ ଟୁ ସରିଲା ବିକାଶର । ଭଲ ମାର୍କ୍ ନଥିଲେ ବି ଖରାପ ମାର୍କ୍ ନାହିଁ । ଇକୋନୋମିକସ୍ ଅନର୍ସ ନେଇ ପଢିଲେ ସ୍ଵପ୍ନା ସହ କଥା ହେବାକୁ ସୁବିଧା ହେବ । ଯେଣତେଣ ଇକୋନୋମିକସ୍ ଅନର୍ସ ମିଳିଗଲା । ଏବେ ସ୍ବପ୍ନାର ଫାଇନାଲ୍ ଇୟର୍ । ଏକା ଡିପାର୍ଟମେଣ୍ଟ, ସବଜେକ୍ଟ ବିଷୟରେ ନୋଟ୍ ମାଗି ବିଷୟ ବୁଝିବା ବାହାନାରେ ନିକଟତର ହେଲା । ସ୍ଵପ୍ନା ମନ ବି କେବେଠାରୁ ବିକାଶକୁ ଚାହୁଁଥିଲା । ଉଭୟ ହୃଦୟ ଏକାଠି ହେଲା । ଏଥର ଖାଲି କଲେଜ କାହିଁକି ବାହାରେ ଦୁହେଁ ପରସ୍ପରକୁ ଭେଟିଲେ । ସାଙ୍ଗ ମାନଙ୍କ ଟାହି ଟାପରା କିଛି ଶୁଣା ଗଲାନି କି ଦେଖା ଗଲାନି । ହେଲେ ପ୍ରେମର ପରବର୍ତ୍ତୀ ବିବାହ ଯେ ଉଭୟଙ୍କ ପାଇଁ ଯୋଗ ନଥିଲା ।
ପିଜି କଲା ବେଳେ ସ୍ଵପ୍ନା ଘରେ ବିବାହ ପ୍ରସ୍ତାବ ଖୋଜା ଖୋଜି କଲେ । ବିକାଶ ତା ଘରେ ଜଣାଇଲା । ହେଲେ ବ୍ରାହ୍ମଣ ଘର ଝିଅ ଆସି ଆମ ଘରେ ବୋହୂ ହେବ ଏଇ କଥାକୁ ନେଇ ବିକାଶ ଘରେ ରାଜି ହେଲେନି । ଏପଟେ ସ୍ଵପ୍ନା ବି ଘରେ କିଛି ଜଣାଇ ପାରିଲାନି କିନ୍ତୁ ଏବେ ବାହା ହେବନି, ଆଗକୁ ପଢି ନିଜ ଗୋଡ଼ରେ ଠିଆ ହେବ ଜଣାଇଦେଲା । ପୁଅର ପ୍ରେମକୁ ଦେଖି ବାପା ବୋଉ ବ୍ୟସ୍ତ ହୋଇ ସହର ଛାଡି ଗାଁ କୁ ଚାଲି ଆସିଲେ । ବିକାଶର ଗ୍ରାଜୁଏସନ୍ ସରିଗଲା ।
ହୁଇସିଲ୍ ଶବ୍ଦରେ ଫେରି ଆସିଲା ନିଜ ଅତୀତରୁ ବର୍ତ୍ତମାନକୁ ବିକାଶ । କାଲିର ଅପେକ୍ଷା । ବିଡ଼ିଓ ସ୍ଵପ୍ନ ମଞ୍ଜରୀ ଦାଶ ଓ ମୋ ସ୍ଵପ୍ନା ଏକା ନହେଇ ଥାନ୍ତୁ । ନହେଲେ ଅତୀତ ବର୍ତ୍ତମାନ ଛନ୍ଦି ହୋଇଯିବେ ।
ଆଜି ଅଫିସରେ ନୂଆ ବିଡ଼ିଓ ଆସିବେ । ସମସ୍ତ କର୍ମଚାରୀ ଠିକ୍ ସମୟରେ ହାଜର । ବିକାଶ ବି ପ୍ରସ୍ତୁତ ସ୍ଵାଗତ ପାଇଁ । ଗାଡିରୁ ଓହ୍ଲାଇ ଆସିଲେ ବିଡ଼ିଓ ସାହିବା । ସୁନ୍ଦର ଦାମୀ କଟନ୍ ଶାଢୀ ପିନ୍ଧିଛନ୍ତି । ଡେଙ୍ଗା, ଗୌରବର୍ଣ୍ଣ, ପତଳା । ମୁହଁ ଗାମ୍ଭୀର୍ଯ୍ୟପୂର୍ଣ୍ଣ । ଚମକି ପଡିଲା ବିକାଶ ଇଏ ତ ସ୍ବପ୍ନା । କେମିତି ସାମନା କରିବ ?
ସମସ୍ତଙ୍କ ଅଭିବାଦନ ଗ୍ରହଣ କରି ନିଜ ଚାମ୍ବରକୁ ଚାଲିଗଲେ ମାଡାମ୍ । ବିକାଶକୁ ତାହେଲେ ଚିହ୍ନି ପାରିଲେନି ବୋଧହୁଏ । ବିକାଶ ମନ ଆନ୍ଦୋଳିତ ହେଉଥାଏ । ମୁଁ ଯେମିତି ମୋ ସଂସାରରେ ଆଗେଇ ଗଲିଣି ସ୍ଵପ୍ନା ମଧ୍ୟ ଆଗେଇ ଗଲାଣି ।
ୟା ଭିତରେ ଚାରିମାସ ବିତିଗଲାଣି । ସ୍ଵପ୍ନା ଚାହେଁ କି ନାହିଁ ଜାଣେନି କିନ୍ତୁ ବିକାଶ ସୁବିଧା ଦେଖି କଣେଇ କଣେଇ ଚାହେଁ, ଲକ୍ଷ୍ୟ କରେ ସ୍ଵପ୍ନାର ହାବଭାବ । ଯାହା ହେଲେ ବି ସେ ଜଣେ ଜୁନିୟର କ୍ଲର୍କ । ମାଡାମ୍ ଙ୍କ ସହ ବେଶୀ କଥା ହେବାକୁ ସୁଯୋଗ ମିଳେନି । ଆଜି ଅଫିସ୍ ସମୟ ପରେ ବି କାମରେ ଅଛି ବିକାଶ । ସମସ୍ତେ ଚାଲି ଗଲେଣି । କାଲି ସୁଦ୍ଧା ଫାଇଲ୍ ଆଗକୁ ବଢେଇବାକୁ ହେବ । ଶରତ ଭାଈ କହିଲେ, ବିକାଶ ବାବୁ ମାଡାମ୍ ଆପଣଙ୍କୁ ଚାମ୍ବରକୁ ଡାକୁଛନ୍ତି । ଶରତ ଭାଈ ବାହାରେ ବସିଲା । ବିକାଶ ଭିତରକୁ ଗଲା । ଡାକୁଥିଲେ ମାଡାମ୍ । ମାଡାମ୍ ନୁହେଁ ସ୍ଵପ୍ନା । ଆଶ୍ଚର୍ଯ୍ୟ ହେଲା ବିକାଶ ସ୍ଵପ୍ନାର ଚାହାଣୀ ଓ କଥାରେ । ସ୍ଵପ୍ନା ଭୁଲିନି ତାହେଲେ ।
ତୁମେ ଭାବିଲ ନା ମୁଁ ସବୁ ଭୁଲି ଯାଇଛି । ମୁଁ ଆଗେଇଛି ସତ ହେଲେ ମୋ ହୃଦୟ ତୁମ ପାଖରେ ରହି ଯାଇଛି । ତୁମେ ପରିବାରରେ ଖୁସିରେ ଅଛ ଦେଖି ଆତ୍ମସନ୍ତୋଷ ମିଳୁଛି । ହଁ.... ସୁନିତା ଆମ ଗାଁ ଝିଅ । ସେ ମତେ ଭଲ ପାଉଥିଲା ମୁଁ ଜାଣି ନଥିଲି । ମତେ ବାହା ନହେଲେ ଆତ୍ମହତ୍ୟା କରିଥାନ୍ତା । ଆଉ ତମ ପରିବାର ? ମୁଁ ବାହା ହେଇନି । ବାପା ଚାଲିଗଲେଣି । ଦୁଇ ଭାଈ ବାହା ହୋଇ ତାଙ୍କ ସଂସାରରେ । ବୋଉ ମୋ ପାଖରେ ।
ମତେ ଭୁଲ୍ ବୁଝିବନି ସ୍ଵପ୍ନା । ସମାଜ ପରିବାର ଆମକୁ ଏକାଠି ହେବାକୁ ଦେଲାନି । ଟିକିଏ ହସି ଦେଲା ସ୍ଵପ୍ନା । ଜାଣିଛ ବିକାଶ, ନାରାୟଣ ଯେତେବେଳେ ମୋହିନୀ ରୂପ ନେଇଥିଲେ ସମସ୍ତେ ତାଙ୍କ ରୂପରେ ବିମୋହିତ ହୋଇଥିଲେ । କେବଳ ସୂର୍ଯ୍ୟ ଦେବ ହିଁ ତାଙ୍କ ଭିତରେ ନିଜ କନ୍ୟା କୁ ଦେଖିଥିଲେ । ନାରାୟଣ ଜାଣି ପାରି ଦ୍ଵାପର ଯୁଗରେ ବୃଷଭାନୁ ରୂପୀ ସୂର୍ଯ୍ୟଙ୍କ ଘରେ କନ୍ୟା ରୂପରେ ଜନ୍ମ ନେଇଥିଲେ । ରାଧା ସ୍ଵୟଂ ନାରାୟଣ । ତେଣୁ ରାଧା ଓ କୃଷ୍ଣ ଏକ ଓ ଅଭିନ୍ନ । ତାଙ୍କର ବିବାହ କେମିତି ହୋଇ ପାରିଥାନ୍ତା । ରୁକ୍ମୀଣି ମା ଲକ୍ଷ୍ମୀ । ତେଣୁ କୃଷ୍ଣଙ୍କୁ ପାଇଲେ । ମୁଁ କଣ କହିବାକୁ ଚାହୁଁଛି ବୁଝି ପାରୁଛ ତ ବିକାଶ । ଆମେ ଅଭିନ୍ନ, ତେଣୁ ବିବାହ ଅସମ୍ଭବ ହେଲା । ମୁଁ ମୋ ଜୀବନରେ ଖୁସିରେ ଅଛି ।
ବିକାଶ ଭାବୁଥିଲା କଲେଜରେ ଚୁଲବୁଲି ଥିବା ଝିଅ ଏତେ ଗମ୍ଭୀର ହୋଇ ଯାଇଛି ଜୀବନ ଯାତ୍ରାରେ ।
ତୁମେ ବ୍ୟସ୍ତ ହୁଅନି । ମୁଁ ଜାଣି ନଥିଲି ତୁମେ ଏଠାରେ ଅଛ । ତେଣୁ ଜାଣିବା ପରେ ହିଁ ମୋ ଟ୍ରାନ୍ସଫର୍ ପାଇଁ ଲାଗିଛି । ତୁମେ ତୁମ ପରିବାରରେ ଖୁସିରେ ରୁହ । ମୁଁ ମୋ ଜୀବନରେ ତୁମ ପ୍ରିୟତ୍ତମା ହୋଇ ଖୁସିରେ ଅଛି । ବିକାଶ ଓ ସ୍ଵପ୍ନା ଆଖି ଛଳଛଳ । ଶରତ ଭାଈ ଠକ୍ ଠକ୍ କରି ଭିତରକୁ ଆସିଲା । ମାଡାମ୍ ଆଉ କେତେ ସମୟ ଲାଗିବ, ମୋ ପୁଅକୁ ଜର ଆସିଲାଣି ଗଲେ ଡାକ୍ତରଙ୍କ ପାଖକୁ ନେବି । ଚାଲ ଆଜି ଯିବା । ବାକି କାମ କାଲି କହି ଚାମ୍ବରରୁ ବାହାରି ଗଲା ସ୍ଵପ୍ନା । ବିକାଶ ପଛକୁ ଚାହିଁ ରହିଥାଏ । ବିକାଶ ବାବୁ ଚାଲନ୍ତୁ ଯିବା । ଶରତ ଭାଈ ଡାକରେ ହଁ କହି ବିକାଶ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଲା ।

