ବାଘ
ବାଘ
ସହରକୁ ବାଘ ପଶି ଆସିଛି । ନ୍ୟୁଜ୍ ଚାନେଲରେ ଘନଘନ ଖବର ପ୍ରସାରିତ ହେଉଛି । ଝିଅ ସନ୍ଧ୍ୟା ବେଳେ ଟ୍ୟୁସନ୍ ଯାଇଥିଲା । ଏଯାଏଁ ଫେରିନି । ରାଜେଶ ବି ଟୁରରେ ବାହାରକୁ ଯାଇଛନ୍ତି । ପୁଅକୁ ଘରେ ଏକୁଟିଆ ଛାଡି ଯାଇ ହେବନି । ଦଶବର୍ଷର ପୁଅ ରିଶି ଡରୁଛି ଖବର ଦେଖିବା ବେଳଠାରୁ । ଝିଅ ମିଶ୍ରି ଯୁକ୍ତ ଦୁଇରେ ପଢୁଛି । ବୋର୍ଡ ପରୀକ୍ଷା ପାଖେଇ ଆସିଲାଣି । ଟ୍ୟୁସନ୍ ରେ ଏବେ ପ୍ରାୟ ଡେରି ହେଉଛି ।
ସିମି ମିଶ୍ରି ର ମୋବାଇଲକୁ ଫୋନ୍ କରିଥିଲା, ସେ ଏବେ ବାହାରିବ । ସାଇକେଲରେ ଆସିଲେ ବି କୋଡିଏ ମିନିଟ୍ ଲାଗିଯାଏ ।
ମିଶ୍ରି ଟ୍ୟୁସନ୍ ରୁ ସାଙ୍ଗ ମାନଙ୍କ ସହ ବାହାରିଲା । ଗୋଟିଏ ଛକରୁ ସାଙ୍ଗ ମାନେ ବିଭିନ୍ନ ଦିଗରେ ଗଲେ । ମିଶ୍ରି ତା ଘର ଆଡେ ଏକୁଟିଆ ଆସୁଛି । ସେ ଜାଣିନି ବାଘର ସହରରେ ପ୍ରବେଶ କଥା । ତା ଆଗରେ ଦୁଇ ଜଣ ବାଇକ୍ ଲଗେଇଲେ । ମିଶ୍ରିକୁ ଝିଙ୍କାଟଣା କଲେ । ସେ ବିକଳରେ ଛାଟିପିଟି ଚିତ୍କାର କଲା । ସେମାନେ ତା ପାଟି ଚିପି ମାଡି ବସିଲେ । ନିଜର ସବୁ ବଳ ପ୍ରୟୋଗ ପରେ ନିଷ୍କ୍ରିୟ ହୋଇଗଲା ମିଶ୍ରି । ସେମାନେ ତାର ଶରୀରକୁ ଅନାବୃତ କରିବାକୁ ଉଦ୍ୟତ ହେଲେ । ଏତିକି ବେଳେ ବାଘ ଆସି ଜଣଙ୍କୁ ଟାଣିନେଲା । ଆଉ ଜଣେ ଡରରେ ପଡି ଉଠି ବାଇକ୍ ଛାଡି ଚାଲିଗଲା । ମିଶ୍ରି ବହୁ କଷ୍ଟରେ ଉଠି ସାଇକେଲ ଓ ବହି ବ୍ୟାଗ୍ ଧରି ଘରକୁ ଫେରିଲା । ତାର ଅସ୍ତବ୍ୟସ୍ତ କେଶ, ଫାଟି ଯାଇଥିବା ଡ୍ରେସ୍ ଦେଖି ସିମି ମନରେ ଅନେକ ଦୁର୍ଭାବନା ଆସିଲା । ମିଶ୍ରି ନିଜ ସହ ଘଟିଥିବା ଘଟଣା କହି ଝାଉଁଳି ପଡିଲା ।
ପରଦିନ ନ୍ୟୁଜ୍ ରେ ଆସୁଥିଲା ଜଣେ ବାଇକ୍ ଆରୋହୀଙ୍କୁ ବାଘ ଝାମ୍ପି ନେଇ ମାରି ଦେଇଛି । ବନ ବିଭାଗ ଟ୍ରାଙ୍କୁଲାଇଜର୍ ଦେଇ ବାଘକୁ ଚିଡିଆଖାନା ପଠେଇ ଦେଇଛନ୍ତି । ସରକାର କଣ କରୁଛନ୍ତି ? ଏକ ମୂଲ୍ୟବାନ ଜୀବନ ଚାଲିଗଲା । ସିମି ଭାବୁଥାଏ, ବାଘ ପ୍ରକୃତରେ ସେଇ ମଣିଷ ଥିଲା । ମା' ଦୁର୍ଗା ତ ବାଘ ରୂପରେ ଆସି ତା ଝିଅକୁ ବଞ୍ଚେଇ ଦେଇଛନ୍ତି ।
