STORYMIRROR

Padmalaya Mishra

Abstract Classics Inspirational

4  

Padmalaya Mishra

Abstract Classics Inspirational

ଗୁରୁବାରୀ

ଗୁରୁବାରୀ

4 mins
289


   ହଇକିଏ ମା... ଏଇ ମାସ ଦରମାଟା ଆଗୁତୁରା ଦିଅନ୍ତନି । 

    କି ହେଲା ଲୋ ଏ ମାସରେ ତୋର ଆଗୁଆ କାହିଁକି ଦରକାର ?

    ନାଇଁ ଗୋ ମା... ବଡ଼ ଟୁକିଟା ମୋର୍ ବର୍ତ୍ତମାନ ହେଲା । ଭୋଜି ଭାତ ତ କରିବି । ସିଥିପାଇଁ...

     କେଡୁଟେ ହେଲାଣି କି ? କଣ ପଢୁଛି ? 

     ଆଉ ପଢୁନି ଗୋ ମା... । ସିଏ ଅଛି ବୁଲି ମୁଇ କାମକୁ ଆସି ପାରୁଛି । ସେଇ ଟୁକିଟା ମୋର୍ ସାନ୍ ଦୁଇଟାକୁ ସମ୍ଭାଳୁଛି । 


     ଗୁରୁବାରୀ ସୁଜାତା ଘରେ କାମ କରେ । ବାସନ ମଜା, ଘର ଓଳା ପୋଛା । ତା ସହ ପରିବା କଟାକଟି ବି କରିଦିଏ । ଆଦିବାସୀ ହେଲେ ବି ପରିଷ୍କାର ପରିଛନ୍ନତା ତାର ନିଜର ପରିପାଟୀ ସହ କାମରେ ବି । 


    ପଟାଙ୍ଗୀରେ ଶୁଭଙ୍କର ତହସିଲଦାର । ସ୍ତ୍ରୀ ସୁଜାତାକୁ ଏଇ ବର୍ଷେ ହେଲା ବିବାହ କରିଛନ୍ତି । ସୁଜାତା ସୁନ୍ଦରୀ ବୁଦ୍ଧିମତୀ । ବିବାହ ପୂର୍ବରୁ ଭୁବନେଶ୍ଵରରେ ଏକ ଘରୋଇ ବିଦ୍ୟାଳୟରେ ପଢଉଥିଲେ । ବିବାହ ପରେ ଚାକିରି ଛାଡି ସ୍ଵାମୀଙ୍କ ସହ ପଟାଙ୍ଗୀ ଆସି ରହୁଛନ୍ତି । 


    ପଟାଙ୍ଗୀ ପ୍ରାକୃତିକ ଶୋଭାରାଜିର ଗନ୍ତାଘର । ଏଠାର ଆଦିବାସୀ ମାନେ ସରଳ ଶାନ୍ତ ଓ ସମସ୍ତଙ୍କୁ ସହଜରେ ଆପଣେଇ ନିଅନ୍ତି । ଗୁରୁବାରୀର ଜନ୍ମ ଏଇ ପାଖ ଗାଁରେ । ବାହା ହେଲାଣି ତେରବର୍ଷ ହେଲା ଶୁକ୍ରୁକୁ । ଶୁକ୍ରୁ ଘର ଓ ଗୁରୁବାରୀ ଘର ଦୁଇଟି ପାଖାପାଖି ଗାଁ । ଦୁଇ ଗାଁ ମଝିରେ ଯାହା ଝରଣାଟିଏ ବହି ଯାଇ ଦୁଇ ଗାଁ କୁ ଅଲଗା କରିଛି । ଗୁରୁବାରୀ ସତର ବର୍ଷର ହେଇଥିଲା ଶୁକ୍ରୁ ସହ ବାହା ହେଇଥିଲା । ଶୁକ୍ରୁକୁ ବି ସେମିତି ବେଶୀ ବର୍ଷ ହେଇନଥିଲା । ପରବରେ ଗୁରୁବାରୀ ନାଚୁଥିବା ଶୁକ୍ରୁ ଦେଖି ବାହା ହେବାକୁ ମନ ବଳେଇଥିଲା । ଶୁକ୍ରୁ ଘୁଷୁରୀ ଚରାଏ । ବଣରୁ କାଠ ସଂଗ୍ରହ କରି କୋଇଲା କରେ । ସେଇ କୋଇଲାକୁ ସରକାରୀ ଚାକିରିଆ ମାନେ ରହୁଥିବା ଅଞ୍ଚଳରେ ବିକି ଭଲ ରୋଜଗାର କରେ । ତା ସହ ବଣରୁ ମହୁ ସଂଗ୍ରହ, ଝୁଣା ସଂଗ୍ରହ କରି ରୋଜଗାର କରେ । କିନ୍ତୁ ମାଲ୍ ପାଣି ପିଏ । ଅବଶ୍ୟ ଗୁରୁବାରୀକୁ ମରାମରି କରେନି । ହାଣ୍ଡିଆ ପିଇ ଦେଇ ଆସି ଚୁପଚାପ ଶୁଏ । ଟଙ୍କା କିଛି ଗୁରୁବାରୀ ହାତକୁ ଦିଏ । ସେତିକିରେ ଦୁଇ ପ୍ରାଣୀ ଚଳି ଯାଉଥିଲେ । କିନ୍ତୁ ତିନିଟା ପିଲା ହେଲା ପରେ ସେତିକି ଟଙ୍କା ଅଣ୍ଟିଲାନି । ଗୁରୁବାରୀ ପର ଘରେ ପାଇଟି କରିବାକୁ ବାହାରିଲା । ଯୋଉଟା ଶୁକ୍ରୁକୁ ପସନ୍ଦ ନୁହେଁ । ହାଣ୍ଡିଆ ପିବନି । ସବୁ ପଇସା ଗୁରୁବାରୀ ହାତକୁ ଦେବ ବୋଲି କହେ । ପୁଣି ସୂର୍ଯ୍ୟ ବୁଡିଲେ ପେଟେ ପିଇଦେଇ ଆସେ । 


     ଗୁରୁବାରୀ ପର ଘରେ ପାଇଟି କରୁଛି ବୋଲି ଯେମିତି ସେମିତି ରହେନି । ଆଦିବାସୀ ଷ୍ଟାଇଲ୍ ରେ ଆଣ୍ଠୁ ପର୍ଯ୍ୟନ୍ତ ଲୁଗା ପିନ୍ଧି ଥାଏ । ଦୁଇ ଗୋଡ଼ରେ ରୂପାର ମୋଟା ମୋଟା ଦିଟା ବଳା । ନାକର ଦୁଇ ପୁଡାରେ ଦିଟା ନୋଥ, ମଝିରେ ଦଣ୍ଡି ଝୁଲିଥାଏ । କାନ ରୂପା କାନଫୁଲ ରିଙ୍ଗ୍ ରେ ଉପରୁ ତଳ ଯାଏଁ ଛାଉଣି । ମୁଣ୍ଡରେ ସରସର ତେଲ ଲଗେଇ ଚିକ୍କଣ କରି କୁଣ୍ଡେଇ ବାମ କାନର ତଳକୁ ଖୋସାଟିଏ କରିଥିବ । ସେ ଖୋସାରେ ମନ୍ଦାର କନିଅର, ଅରଖ , ଗ୍ଲାସ ଫୁଲ, ରଙ୍ଗଣୀ ଯାହା ମିଳିଲା ପିନ୍ଧିଥିବ । ମୁହଁଟି ଚିକ୍କଣ । ଶ୍ୟାମଳ ରଙ୍ଗ । ଓଠଟି ରକ୍ତାଭ ସୁନ୍ଦର । ମୁହଁରେ ସବୁବେଳେ ହସ । 


    ବଡ଼ ଝିଅ ଫୁଲ ବର୍ତ୍ତମାନ( ଘରଯୋଗ୍ୟା ) ହେଲା ପରେ ସାତଦିନ ଦିନ ଭୋଜି କରିଥିଲା । ଯାହା ଯାହା ଘରେ କାମ କରେ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲା । ସୁଜାତା ଅନ୍ୟ ମାନଙ୍କ ସହ ମିଶି ଯାଇଥିଲା । ସମସ୍ତେ ନାଚଗୀତ ରେ ମସଗୁଲ ଥିଲେ । ଆଦିବାସୀ ନୃତ୍ୟ ବିଷୟରେ ଆଗରୁ ସୁଜାତା ପଢିଛି ଟିଭିରେ ଦେଖିଛି, ଏବେ ଲାଇଭ୍ ଦେଖିଲା । ସତରେ କେତେ ସରଳ ଏମାନଙ୍କ ଜୀବନ । ପ୍ରକୃତି କୋଳରେ ପ୍ରକୃତିଠୁ ଯେତିକି ପାଉଛନ୍ତି ସେଥିରେ ସନ୍ତୁଷ୍ଟ । ଚିନ୍ତାମୁକ୍ତ ହୋଇ ନାଚଗୀତ କରି ଜୀବନକୁ ଉପଭୋଗ କରୁଛନ୍ତି । 


     ଆଜି ଗୁରୁବାରୀର ମୁହଁ ଶୁଖି ଯାଇଛି । କାମ ସବୁ କରୁଛି ହେଲେ ମୁହଁରେ ହସ ନାହିଁ ଯାହା ତାର ବ୍ୟକ୍ତିତ୍ୱର ଆକର୍ଷଣ ।

     କିସ ହେଲାଲୋ ନିନି ଏମିତି କାହିଁକି ଉଦାସ ଅଛୁ ।

ମୁହଁ ଟେକି ଚାହିଁଲା ଗୁରୁବାରୀ ।

      ମୁଇ ଠିକ୍ କହିଲି ନା ତୋର୍ ଭାଷାକୁ ।

ଟିକିଏ ହସର ଗାର ଓଠରେ ଆସିଲା । କହିଲା, ତୁଇ ମା ଆମର୍ ଭାଷାକୁ ଶିଖିଗଲୁଣି । ଆଉ ବେଶୀ ଦିନ ରହିଲେ ପୁରା ଶିଖିଯିବୁ ।

     ଆରେ ତୁମ ଭାଷା ଭାବ କେଡେ ମଧୁର । ହେଲେ ତୋର କାହିଁକି ମୁହଁ ଶୁଖିଛି କହିଲୁନି ତ ?


     ଶୁକ୍ରୁ କାଲି ରାତିରେ ନୂଆ ମାଇକିନା ନେଇ ଘରକୁ ଆସିଛି । କହୁଛି ତାକୁ କିଏ କହିଛି ଚାରିଟା ମାଇକିନା ଘରକୁ ଆସିଲେ ତାର ଦେହ ଭଲ ହେବ । 

    ତାର କଣ ହେଇଛି ?

    କିଛି ଦିନ୍ ହେଲା କାଶୁଛି ବାନ୍ତି ହେଉଛି । ବଇଦ ଦେଖା କହିଲେ କହୁଛି ମତେ ପ୍ରେତ ଲାଗିଛି, ଗୁଣିଆ କହିଲା । ଚାରିଟା ବାହା ହେଲେ ସେ ପ୍ରେତ ଛାଡିକି ଯିବ । ତୁଇ କହ ମା... ଇମିତି କୁଠି ହୁଏ ? ବଡ଼ ଟୁକିଟା ପାଇଁ ଜୁଇଁ ଦେଖିବା ବେଳେ ନିଜ ପାଇଁ ମାଇକିନା ଦେଖୁଛି । ଗୁଟେ ଆଣିଛି ଆଉ ତିନିଟା ଆଣିବ କହୁଛି ।


    ସୁଜାତା ବୁଝିଗଲା, କାଶୁଛି ବାନ୍ତି ହେଉଛି ମାନେ ମଦ ପିଇ ପିଇ ଦେହ ଖରାପ ହେଲାଣି । ହେଲେ ସରଳିଆ ଲୋକ ଗୁଣିଆ ହାବୁଡ଼ରେ ପଡି ଏମିତି କାଣ୍ଡ କରୁଛି । ବୁଝେଇବାକୁ ହେବ । ଶୁଭଙ୍କରଙ୍କ ସହ କଥା ହେବାକୁ ପଡିବ । ପ୍ରଥମେ ଏମାନଙ୍କୁ ଶିଖିତ କରିବାକୁ ହେବ । ଗୁରୁବାରୀ ଭଳି କେତେ ଥିବେ ଯେଉଁମାନେ ଏମିତି ଅସୁବିଧା ଭୋଗ କରୁଥିବେ । ଶୁଭଙ୍କର ଶୁକ୍ରୁ କୁ ଡାକି ଡାକ୍ତରଖାନାରେ ପରୀକ୍ଷା କରାଇଲେ । ମଦ ଛାଡି ଔଷଧ ଖାଇବା ଦ୍ବାରା ଏବେ ଦେହ ଭଲ ରହୁଛି । 


    ଗୁରୁବାରୀ ଦିନେ ଆସି କହିଲା, ଶୁକ୍ରୁ ପୁଣି ଗୁଟେ ମାଇକିନା ଆଣିଛି । କହୁଛି ଗୁଣିଆ କଥା ସତ ହେଲା । ଗୁଟେ ବାହା ହେଲାରୁ ଦିହ ଭଲ ହଉଛି । ସିଥିପାଇଁ ସେ ଚାରିଟା ବାହା ହେବ । ସୁଜାତା ମୁଣ୍ଡରେ ହାତ ଦେଲା । ତାପରେ ସେଇ ଗୁଣିଆକୁ ଡକେଇ ତାର ପ୍ରତିକାର କରିବାକୁ ମନସ୍ଥ କଲା । 


    ଶୁଭଙ୍କର ଅଫିସକୁ ଡକାଇ ହାଜତରେ ପୁରେଇ ଦେବା ଧମକ ଦେଲା ପରେ ଗୁଣିଆ ଶୁକ୍ରୁକୁ କହିଲା, ସେ ଯେଉଁ ଦୁଇଜଣଙ୍କୁ ବାହା ହେଇଛି ତାକୁ ସୁପାତ୍ରରେ ବିବାହ ଦେଲେ ତାର ଦେହ ପୁରା ଭଲ ହେବ । 


     ଗୁରୁବାରୀ ଏବେ ଖୁସି ଅଛି । ତା ସଂସାର ଉଜୁଡିବାରୁ ରକ୍ଷା ପାଇଗଲା । କିନ୍ତୁ ସୁଜାତା ଏଇ ସରଳିଆ ମଣିଷ ମାନଙ୍କ ମନରେ ଅନ୍ଧବିଶ୍ୱାସର ଦୀପକୁ କେମିତି ଲିଭେଇ ପାରିବ ଭାବୁଥିଲା ।।




Rate this content
Log in

Similar oriya story from Abstract