ସମ୍ମୋହନ
ସମ୍ମୋହନ
ରାତି ପାହିଲେ ଦୀପାବଳି । ଗାଁରେ ସମସ୍ତଙ୍କ ଦୁଆର ସଜା ହେଲାଣି । ବିନି ମାଉସୀ ଜରରେ କମ୍ପୁଛି । ନିତିଆ ବୋଉ ଆସି ଘର ଧୂଆ ପୋଛା କରି ସକାଳୁ ଗଲାଣି । ବିନି ମାଉସୀ ଦିପହରେ ଭାତ ଫୁଟେଇ ଶାଗ ଟିକିଏ କରି ଖାଇଥିଲା । ତାପର ଠାରୁ ଜର ହେଇଛି ଯେ ଉଠି ପାରିନି । ଭାସ୍କର ବାପା ଗଲା ପରଠାରୁ ଭାସ୍କର ପୟାଶ୍ରାଦ୍ଧ କରି ଆସୁଛି । ଦିନଟେ ପାଇଁ ହେଉ ପଛେ ଗାଁକୁ ଆସି ଶ୍ରାଦ୍ଧ କରି ବୋଉ ସହ ଦୀପାଳି ଜାଳି ଫେରିଯାଏ ଭୁବନେଶ୍ୱର କ୍ଵାର୍ଟରକୁ ।
ଏଥର କାହିଁକି ଏଯାଏଁ ଆସିନି କେଜାଣି । ଦଶହରା ଛୁଟିରେ ଭାସ୍କର ଏକୁଟିଆ ଦିଦିନ ପାଇଁ ଆସିଥିଲା । ସଂଯୁକ୍ତା ଓ ପୁଅ ଝିଅ ଦୁଇ ଜଣ ଆସିଲେନି । ଗାଁରେ ଦିଅଁ ବାହାରିବେ, ଖେଚୁଡ଼ି ଖିରି ପିଠା ହେଇ ଭୋଗ ହେବ । କିନ୍ତୁ ସେମାନେ ଆସିବେନି । ଭାସ୍କର ବୋଉକୁ ସାହାଯ୍ୟ କରି କାମ ଚଳାଏ । କଣ କରିବ ଆଉ । ସ୍ତ୍ରୀ ପିଲା ତ ରାଜି ନୁହେଁ ଗାଁ କୁ ପୂଜାଛୁଟିରେ ଆସିବାକୁ । ଭୁବନେଶ୍ୱର ହୋଟେଲରେ ଗ୍ରାଣ୍ଡ ପାର୍ଟି ହୁଏ, ଦାଣ୍ଡିଆ ନାଇଟ୍ସ ହୁଏ । ସେଠି ଯେଉଁ ମଉଜ ଗାଁରେ କାହିଁ ?
ଅବଶ୍ୟ ଦୀର୍ଘ ପନ୍ଦର ବର୍ଷ ସଂଯୁକ୍ତା ଗାଁ ପରମ୍ପରା କରି ଆସିଛି । କିନ୍ତୁ ସାନବୋହୂ ଶିଖା ବାହା ବାସିରୁ ପୁଅ ସହ ଦେଶର ବିଭିନ୍ନ କୋଣ ବୁଲି ଆସିଲାଣି ସିନା ଗାଁ ମାଟି ମାଡିବାକୁ ମନ କରୁନି । କେବେ ଛୁଟିରେ ଆସିଲେ ଭୁବନେଶ୍ଵରରେ ବାପଘରେ ଦଶଦିନ ରହିଲେ ଶାଶୁଘରକୁ ଦିନେ ଓଳିଏ ଆସେ । ଏମିତି ନୁହେଁ ଯେ ଗାଁ ଘର ବୋଲି ଅସୁବିଧା ଅଛି । ଗାଁ ଘରେ ସହର ପରି ସବୁ ବ୍ୟବସ୍ଥା । ଲାଇଟ୍ କଟିଲେ ବି ଇନଭର୍ଟର ଅଛି । ଏସି ଅଛି ଗରମରୁ ରକ୍ଷା ପାଇବା ପାଇଁ । କିନ୍ତୁ ଗାଁରେ ନେଟୱର୍କ ଭଲ ନାହିଁ । ଲାପଟପ ଚାଲିବନି କହି ଶିଖା ରହେନି । କୁଆଡେ ଲାପଟପରେ ଅନଲାଇନ୍ ବିଜିନେସ୍ କରୁଛି ସେ ।
ସଂଯୁକ୍ତା ପୁଅ ଝିଅ ବଡ଼ ହେବା ପରେ ବାରଣ କଲେ ବେଶୀ ଗାଁକୁ ଯାଇ ସବୁ ପର୍ବପର୍ବାଣି କରିବାକୁ । କାହିଁକି ଖୁଡି ତ ଆସିବେନି କରିବେନି, ତମେ ମାମା ସବୁବେଳେ କରୁଥିବ । ସେଥିପାଇଁ ଏବେ ପାଞ୍ଚ ବର୍ଷ ହେଲା ସେମାନେ ଆସୁ ନାହାନ୍ତି । ହେଲେ ଭାସ୍କର ବଡ଼ ପୁଅ । ଗାଁ ମୋହ ବୋଉ ସ୍ନେହ ତାଙ୍କୁ ଟାଣିଆଣେ ।
ଆଜି ଦୀପାବଳି । ନିତିଆ ବୋଉ ସକାଳୁ ଆସିଲା ବେଳକୁ ବିନି ମାଉସୀ ସେମିତି ଶୋଇ ରହିଛି । ଏତେ ବେଳ ଯାଏଁ ବୁଢୀ ତ ଶୁଏନି । ନିତିଆ ବୋଉ ପଛେ ଆସି ଭଲରେ ଓଳା ପୋଛା କରିବ କିନ୍ତୁ ମାଉସୀ ଭୋର୍ ହେବାକୁ କିଛି ସମୟ ଥିବ ଉଠି ଘରେ ଛାଞ୍ଚୁଣି ମାରି ଗାଧେଇ ସୂର୍ଯ୍ୟ ଉଇଁଲା ବେଳକୁ ଠାକୁର ପୂଜା ଅଧା ହେବଣି । ଆଜି କିଛି କାମ ହେଇନି । କୁନ୍ଥେଇ କୁନ୍ଥେଇ ନିତିଆ ବୋଉକୁ କବାଟ ଖୋଲି ପୁଣି ଯାଇ ଶେଯ ଉପରେ ଗଡି ପଡିଲା । ନିତିଆ ବୋଉ ଦେହରେ ହାତ ମାରି ଦେଖିଲା ଜର । ପଚାରିଲା ପୁଅ କାଲି ଆସିଲେନି କି ? ତୁମେ ଔଷଧ ଖାଇଛ ତ ? ମୁଣ୍ଡ ଟୁଙ୍ଗାରି ବିନି ମାଉସୀ କଣ କହିଲା ବୁଝା ପଡିଲାନି । ମାଉସୀର ଫୋନ୍ ନେଇ ଭାସ୍କରକୁ ଫୋନ୍ ଲଗେଇଲା । ରିଙ୍ଗ୍ ହେଇ ହେଇ ରହିଲା । କେହି ଉଠେଇଲେନି । ବାଧ୍ୟ ହୋଇ ପଡିଶା ଘରୁ ମନକୁ ଡାକି ଆଣିଲା । ମନ ବିନି ଖୁଡିର ଜର ଦେଖି ତାଙ୍କ ଘରୁ ପାରାସିଟାମଲ୍ ଆଣି ଦେଲା । ଜର ଟିକିଏ ଓହ୍ଲେଇବାରୁ ନିତିଆ ବୋଉ ପାଣି କନା କରି ମୁହଁ ଦେହ ପୋଛି ଚୁଡା ଚକଟି ଖାଇବାକୁ ଦେଲା । ଏଥର ବିନି ମାଉସୀକୁ ଟିକିଏ ଭଲ ଲାଗୁଛି । ଆଜି ଦୀପାବଳି । ନିତିଆ ବୋଉ ଘରେ ବି ଲକ୍ଷେ କାମ । ସେ ବାସିକାମ ସାରି ଗଲା । ଦେହ ବେଶୀ ଖରାପ ଲାଗିଲେ ଫୋନ୍ କରି ଡାକିବାକୁ କହିଲା ।
ଦିନ ଯାଇ ସଞ୍ଜ ହେବା ଉପରେ । ଭାସ୍କର କି ସଂଯୁକ୍ତା କି ପିଲାମାନେ କେହି ଫୋନ୍ ଉଠୋଉ ନାହାନ୍ତି । ମନକୁ ପାପ ଛୁଉଁଛି । ଏପଟେ ସଞ୍ଜ ହେଲେ ପୟାଶ୍ରାଦ୍ଧ ହେବ । କଣ କରିବ ବୁଢୀ । ଦେହ ଭଲ ହେଲାଣି ସିନା ମନ ଭଲ ନାହିଁ । ବୁଢ଼ୀ ବ୍ରାହ୍ମଣ ଡାକି ସବୁ ସଜଡା ସଜଡି କଲାଣି । ଭାସ୍କର ଆସି ପହଞ୍ଚିଲା । ତାକୁ ଦେଖି ବିନି ମାଉସୀ ମନ ଖୁସି । ନହେଲେ ଶ୍ରାଦ୍ଧ ଅଧା ଅଧା ପରି ଲାଗିଥାନ୍ତା ।
- ଏତେ ଡେରି କାହିଁକି ହେଲାରେ ବାପା ?
- ବୋଉ ଅଫିସ୍ କାମରେ କାଲି ରାତି ବେଶୀ ହେଲା । ଆଜି ସକାଳୁ ଯେତେ ସଂଯୁକ୍ତା ଓ ପିଲାମାନଙ୍କୁ କହିଲି ଚାଲ ଗାଁକୁ ଯିବା ଶୁଣିଲେନି । ଏପଟେ ମୋର ମୋବାଇଲ ଖରାପ ହେଇ ଯାଇଛି । ସଜାଡିବାକୁ ଦେଇଛି । ମୁଁ ଏଇଲେ ଆସିବାକୁ ବାହାରିବାରୁ ସଂଯୁକ୍ତା କହିଲା, ତୋ ଫୋନ୍ କେତେ ଆସିଲାଣି ବୋଲି ।
ସବୁ କଥାକୁ ପଛରେ ରଖି ଭାସ୍କର ପୟାଶ୍ରାଦ୍ଧ କରି ଦାଣ୍ଡରେ କାଉଁରିଆ କାଠି ଜାଳିଲା । ସମସ୍ତଙ୍କ ଦୁଆର ଆଲୋକମୟ । ନିଜ ଦୁଆରେ ଆଣିଥିବା ଦୀପ ମହମବତୀ ଜଳେଇ ଆଲୋକିତ କଲା । କୁମ୍ପି ଚକ୍ରି କିଛି ଆଣିଥିଲା । ଲଗେଇ ସାରି ଘର ଭିତରକୁ ପଶିଲା ବେଳକୁ ସୁଜି କାକରା ସିମେଇ ଖିରି ଡାଲେମା ରେ ଘର ମହକୁଛି । ମା ପୁଅ ଖାଇବାକୁ ବସିଲେ । ଭାସ୍କର ବୋଉର ଫୋନରୁ ଭିଡିଓ କଲ୍ ଲଗେଇ ପିଲାମାନଙ୍କୁ ଜେଜେମା ସହ କଥା କରେଇଲେ । ପିଲେ କଣ କଲ ଆଜି ପଚାରିବାରୁ ଝିଅ ଘରର ଗୋଟିଏ କୋଣ ଦେଖେଇଲା, ଯେଉଁ ଜାଗା ଲିଚୁମାଳ ସଜା ହେଇଛି । ସେଇ ଜାଗାରେ ଚାରି ପାଞ୍ଛୋଟି ଦୀପ ଲଗା ହେଇଛି ।
ଇଏ କି ଦୀପାବଳି ? ଭାସ୍କର ଫେସବୁକ ଇନଷ୍ଟାଗ୍ରାମ୍ କାଢି ଦେଖେଇଲା, ସେଇଠି ମା-ପୁଅ-ଝିଅ ବିଭିନ୍ନ ପୋଜରେ ଫୋଟୋ କାଢି ରିଲ୍ ବନେଇଛନ୍ତି । ହାତରେ ଦୀପଟିଏ ଧରି ଦୁନିଆକୁ ହାପି ଦିବାଲି ଉଇସ୍ କରିଛନ୍ତି । ବିନି ମାଉସୀ ମୁଣ୍ଡରେ ହାତ ଦେଲା । ହାଁ ଏମିତି ବି ଦୀପାବଳି ହୁଏ । ନିଜ ଲୋକଙ୍କୁ ଛାଡି କାଉଁରିଆ ନଜଳେଇ ଦୁନିଆକୁ ହାତରେ ଦୀପ ଜଳେଇ ଦେଖେଇଦେଲେ ସରିଲା । ଭାସ୍କର କହିଲା, ଏ ଆଜିକା ଯୁଗର ସମ୍ମୋହନ ବୋଉ । ତୁ ବୁଝିବୁନି । ତୋ ବେଳ ଗଲାଣି । ପିଲାମାନେ ନୂଆ ନୂଆ କଥା ଶିଖି ସୋସିଆଲ ମିଡିଆ ବାଇ । ଆଉ ମୋ ଭଳି କିଛି ଅଛନ୍ତି ନା ସେକୂଳ ଛାଡି ପାରୁଛନ୍ତି, ନା ଏକୂଳରେ ପହଞ୍ଚି ପାରୁଛନ୍ତି । କେଜାଣି ଆଜିକା ସମ୍ମୋହନ ଭିତରେ ଆମ ପରମ୍ପରା କେତେଦିନ ବଞ୍ଚୁଛି । ଦୀର୍ଘ ନିଶ୍ଵାସ ମାରି ବୋଉ ହାତରନ୍ଧାର ପ୍ରଶଂସା କଲେ ।।
