ଧର୍ମଘଟ
ଧର୍ମଘଟ
ସରକାର ବିରୋଧରେ ସ୍ଵର ଉତ୍ତୋଳନ କରିବାକୁ ବିରୋଧୀ ଦଳ ଆହ୍ୱାନ ଦେଇଛନ୍ତି । ଦୀର୍ଘ କୋଡିଏ ବର୍ଷ ହେଲା ସେମାନେ ରାଜୁତି କରୁଥିଲେ । ସେ ସମୟରେ ରାମରାଜ୍ୟ ଥିଲା । ଲୋକେ ପରିଶ୍ରମ କରୁନଥିଲେ । ଶୋଇଥିବା ସିଂହ ମୁହଁରେ ମୃଗ ଆସି ପଶୁଥିଲା । ଘୋଡ଼ା ମୁହଁରେ ଦାନାର ତୋବଡା ବନ୍ଧା ହେଇଥିଲା । ଆହା କି ନୈସର୍ଗିକ ସୁଖ । ଆଉ ଏ ସରକାର ଆସିଲା ଦିନରୁ ମାନେ ଏଇ ତିନି ମାସ ହେଲା ସେମିତି କିଛି ଦେଉନି । ଲୋକ ଖାଇବାକୁ ହାଁ ହାଁ ହେଲେଣି । ଜଙ୍କ୍ ଲାଗି ଯାଇଥିବା ଗୋଡହାତ ବି ହଲେଇବାକୁ କଷ୍ଟ । ଖାଇ ଖାଇ ପେଟଟା ବସ୍ତା ପରି ହେଇଥିଲା ଯେ ଏବେ ପଶି ଗଲାଣି । ଏ ଯା ମ.... ଏ ସରକାର ଦୁଃଖ ଦେଖୁନି । ତିନି ମାସରେ ମଣିଷ ଅବସ୍ଥା ଖରାପ । ସେତେବେଳେ ସିନା ହାତକୁ ଲକ୍ଷ୍ମୀ ଅକ୍ଳେଶରେ ଆସୁଥିଲେ ଯେ ଦରଦାମ ଜଣା ପଡୁନଥିଲା । ଏବେତ ସବୁ ଆକାଶଛୁଆଁ ଲାଗୁଛି । ଗୋଟିଏ ପନ୍ଥା ଧର୍ମଘଟ । ବିରୋଧୀ ଆହ୍ୱାନ ସହ ସାମିଲ ହେବା ।
ବାଆନା ସେମିତି ଜଣେ ମାଗେଣା ଖିଆ ଲୋକ । ବିରୋଧୀ ବାଇକରେ ତେଲ ପକେଇ ଧର୍ମଘଟ ସ୍ଥଳକୁ ଯିବା ପାଇଁ ଟଙ୍କା ଦେଇଛି । ତାପରେ ମଦମାଂସର ଆୟୋଜନ ବି ହେଇଛି ।
ଗାଁ ମୁଖିଆ ଯିଏ ସରକାର ପାର୍ଟିର ଲୋକ, ସେ କହିଲେ ଆରେ ବାଆନା ତତେ ମୁଁ ଇଲେକ୍ସନ ବେଳେ କଣ ନଦେଇଛି । ଆମ ସରକାର ଦେବ ଦେବ ନିଶ୍ଚୟ ଦେବ । ଅପେକ୍ଷା କର । କାହିଁକି ସେ ମିଛ ଧର୍ମଘଟ ପଛରେ ଧାଇଁଛୁ ।
ବୁଝିଲ ମଉସା ବୋଉ କହୁଛି ବିଲକୁ ଯା । ସ୍ତ୍ରୀ କହୁଛି ଏୟା ଆଣ ସେୟା ଆଣ । ପିଲାଙ୍କ ଡିମାଣ୍ଡ ନାହିଁ ନଥିବା । ଏଇଲେ ଏ ଧର୍ମଘଟରୁ କିଛି ଆଦାୟ ହେଇଯାଉ । ତାପରେ ତମ ପାର୍ଟି ମିଟିଂ ରେ ଯିବିନି । ବ୍ୟସ୍ତ କାହିଁକି ହେଉଛ ?
ବିରୋଧୀଙ୍କ ଧର୍ମଘଟ ବିରୁଦ୍ଧରେ ସରକାର ପକ୍ଷରୁ ବି ଧର୍ମଘଟ ହେଲା । ବାଆନା ସେପଟେ ପୁଣି ମିଶିଲା । ସରକାର ଧର୍ମଘଟ କରୁଛି ପୁରୁଣା ସରକାର ଖାଇ ଖାଇ ଖୋଳ କରିଛି । ବାଆନା ଦିଆଡ଼ ଧର୍ମଘଟରୁ ନିଜ ହାତ ଉଷୁମ କରୁଛି ସିନା ବିଲକୁ ଯାଉନି । ଚାଷ ନହେଇ ସେଇଟା ପଡିଆ ପଡି ରହିଛି ।
