ହସ
ହସ
କ୍ଷେତ୍ରମୋହନ କେମିତି ଅଛ ? ଆଉ ହାଲଚାଲ କଣ ?
ମୁହଁରେ ହସ ଫୁଟେଇ ଉତ୍ତର ମିଳେ ସବୁ ଠିକ୍ । କାଳିଆ କୃପାରୁ ସଂସାର ଗାଡି ସୁରୁଖୁରୁରେ ଗଡୁଛି ।
ଏଇଟା କହୁଛି ମୁଁ ପଚିଶ ବର୍ଷ ତଳର କଥା । ମୋ ବାପା ଖାଲି ଡାକନ୍ତି କ୍ଷେତ୍ରମୋହନ । ଆମର ବ୍ରାହ୍ମଣ ଘର । ଆଉ ତାଙ୍କର ବଢେଇ । ମୋ ବାପା ଆଉ ସିଏ ଗାଁ ସ୍କୁଲରେ ଏକାଠି ମାଇନର ପର୍ଯ୍ୟନ୍ତ ପଢିଛନ୍ତି । ତେଣୁ ଭଲ ସାଙ୍ଗ । ମୁଁ ଆପଣ କହିଲେ ସେ କୁହନ୍ତି ବ୍ରାହ୍ମଣ ଘର ପିଲା ଆମକୁ ଆପଣ ଡାକିଲେ ଆମକୁ ପାପ ଲାଗିବ । ମତେ ମାତ୍ର ଦଶବର୍ଷ ହୋଇଥାଏ । ସେ କଥାରୁ ମୁଁ କିଛି ବୁଝେନି । ବଲବଲ ହେଇ ଚାହିଁ ଚୁପ୍ ରହେ ।
ମୋ ବାପାଙ୍କ ପାଇଁ କ୍ଷେତ୍ରମୋହନ । କିନ୍ତୁ ବାକି ସମସ୍ତେ ଗାଁ ଲୋକ, ଚିହ୍ନା ପରିଚିତ, ଏମିତି କି ତାଙ୍କ ଘର ଲୋକ ବି ଖେତେରା, ଖେତୁ ଏମିତି ଡାକନ୍ତି । ବାପା ସହରରେ ଚାକିରି କରୁଥାନ୍ତି । ତେଣୁ ଆମେ ସହରରେ ରହୁ । ପୂଜା ଛୁଟି, ଗ୍ରୀଷ୍ମ ଛୁଟି, ଧାନକଟା ଛୁଟି ହେଲେ ଗାଁ କୁ ଗଲେ, ସେ କେମିତି ଜାଣନ୍ତି କେଜାଣି ବାପା ଆସିଛନ୍ତି ବୋଲି ଆମ ଘରକୁ ଘେରେ ଆସିଯାଆନ୍ତି । ବାପା ସେମିତି ପଚାରନ୍ତି, କଣ ଖବର କ୍ଷେତ୍ରମୋହନ ? ସେ ବି ହସି ହସି କୁହନ୍ତି ବଢିଆ । ଏମିତି ମଝିରେ ମଝିରେ ଗାଁ କୁ ଆସୁଥାଆନ୍ତୁ । ଆପଣଙ୍କ ମୁହଁରୁ କ୍ଷେତ୍ରମୋହନ ଡାକଟି ଶୁଣିଲେ ମୋର ଅନ୍ତରାତ୍ମା ତୃପ୍ତ ଲଭୁଛି । ମୋ ବାପା ବୋଉ ସିନା କ୍ଷେତ୍ରମୋହନ ନା ଦେଇଥିଲେ, କିନ୍ତୁ ଦିନେ ବି ଡାକିଲେନି । ଆଉ ଆପଣ ଯେଉଁ ଦିନଠୁ ସ୍କୁଲରେ ନା ଜାଣିଲେ, ସେଇ ଦିନୁ ମୋ ନା ଆପଣଙ୍କ ତୁଣ୍ଡରେ ଅମର ହେଇଗଲା ।
କ୍ଷେତ୍ରମୋହନ ମହାରଣା । ଏବେ ବୟସ ଷାଠିଏ ହେବ । ମତେ ମଧ୍ୟ ପଇଁତିରିଶ ଛୁଇଁଲାଣି । ମୁଁ ବାହା ହେଇ ଗୋଟିଏ ପୁଅ ଗୋଟିଏ ଝିଅର ବାପା ହେଇଗଲିଣି । ମୋ ପୁଅକୁ ସାତବର୍ଷ, ଝିଅ ବର୍ଷକର । ଯଦିଓ ସେ ମୋ ବାପାଙ୍କ ବୟସର କିନ୍ତୁ ନିଜେ କୋଡିଏ ବର୍ଷ ବୟସରେ ବାହା ହେଇଥିଲେ । ମୁଁ ଜନ୍ମ ବେଳକୁ ତାଙ୍କ ଝିଅ ସ୍କୁଲ୍ ଗଲାଣି ଆଉ ପୁଅ ଗୁରୁଣ୍ଡିଲାଣି । ଏମିତି ଦେଖିବାକୁ ତାଙ୍କ ପୁଅ ଓ ମୋ ଭିତରେ ବେଶୀ ବୟସର ଫରକ ନାହିଁ । କିନ୍ତୁ ସେମାନେ ଗାଁରେ ବଢିଲେ, ଆମେ ସହରରେ । ଗାଁ କୁ ଆମେ ଆସିଲେ ଯେତିକି ଦେଖା ସାକ୍ଷାତ ।
ଏବେ ତାଙ୍କ ଝିଅ ପଡୋଶୀ ଗାଁରେ ମାଷ୍ଟ୍ରାଣୀ । ପୁଅ କୂଳବେଉସା ବଢେଇ କାମ କରୁଛି ।
ମୋ ବାପା ରିଟାଏର୍ଡ । ଚୁଟିକୁ କଳା କରନ୍ତି । କିନ୍ତୁ ରିଟାଏର୍ଡ ପରେ ଗାଁରେ ରହିଲେ । ସେ ତ ଆବାହନରୁ ଗାଁରେ, କିନ୍ତୁ ଚୁଟିକୁ କଳା କରନ୍ତି ନାହିଁ । ସବୁତକ ଝୋଟ । ଏବେ ପ୍ରତଦିନ ସଞ୍ଜରେ ସେ ଆମଘରକୁ ଆସନ୍ତି । ବାପା ଓ ସେ ଗପନ୍ତି । କେବେ କେବେ ଗାଁ ଚଉତରା ଉପରେ ବସି ଘଣ୍ଟା ଘଣ୍ଟା ଗପନ୍ତି ।
ମୁଁ ଛୁଟିରେ ଗାଁ କୁ ଆସିଥାଏ । ବାପା ସେମିତି ଡାକୁଥାନ୍ତି କ୍ଷେତ୍ରମୋହନ ଆସିଗଲ । କିଛି ଖବର ଦିଅ । ସେଇ ଚିରାଚରିତ ହସ ମୁହଁରେ । ପିଣ୍ଡାରେ ବସି ଦିନ ଯାକର ଖବର ଦିଅନ୍ତି । ବାପା ତାଙ୍କ ଦୁଃଖ କୁହନ୍ତି, ପିଲାଟା ଭାରି ହଇରାଣ ହେଉଛି । ଦିଲ୍ଲୀ ସହରରେ କିଏ ସାହା ଭରସା । ଦିଦିଟା ପିଲାଙ୍କ ଖର୍ଚ୍ଚ । ପୁଣି ଘର, ଗାଡି ଇ.ଏମ୍.ଆଇ. । ଓଃ.... ଭାବିଦେଲେ ବ୍ୟସ୍ତ ଲାଗୁଛି । ସେ କିନ୍ତୁ ନୀରବ, ନିର୍ବିକାର ଚିତ୍ତରେ ଶୁଣନ୍ତି । ମୁହଁ ହସହସ । କ୍ଷେତ୍ରମୋହନ ତମେ ବୁଝି ପାରିବନି ମୋ ଚିନ୍ତା । ଝିଅଟା ସୁଦୂର ଲଣ୍ଡନରେ । ବର୍ଷେ ଦୁଇ ବର୍ଷରେ ଦଶଦିନ ପାଇଁ ଆସୁଛି । ନାତି ନାତୁଣୀ ମାନଙ୍କୁ ଯାହା ଭିଡିଓ କଲରେ ଦେଖା । ତମେ କେମିତି ଖୁସି ରହି ପାରୁଛ ? ପିଲାଙ୍କ ଚିନ୍ତା ଲାଗୁନି ?
ସେଇ ଚିରାଚରିତ ହସ ହସି କହିଲେ, ବୁଝିଲେ ବନ୍ଧୁ ! ପିଲାଦିନୁ ଆପଣ ଉଚ୍ଚାକାଂକ୍ଷୀ ଥିଲେ । ହେଲେ ଆମ ବେଳ ଅଲଗା ଥିଲା । ମୋ ପିଲେ ଗାଁରେ ଆଉ ଆପଣଙ୍କ ପିଲେ ସହରରେ ସରକାରୀ ସ୍କୁଲରେ ପଢିଲେ । ଖର୍ଚ୍ଚ କମ୍ ଥିଲା । ଆପଣ ସହରରେ ଘର କିଣାକିଣି ନକରି ରିଟାଏର୍ଡ ପରେ ଗାଁ କୁ ଫେରିଲେ । ମୁଁ ତ ଗାଁ ମାଟିର ମଣିଷ । ଝିଅ ଭଲ ପଢିଲା । ଆଗକୁ ପଢେଇଲି । ବିଇଡି କରି ମାଷ୍ଟ୍ରାଣୀ ହେଲା । ଭଲ ପ୍ରସ୍ତାବ ଦେଖି ମୋ ସଖ୍ୟ ମତେ ବାହା ଦେଲି । ପୁଅ ପଢିଲାନି । ମୋ ଭଳି ମାଟ୍ରିକ ଫେଲ୍ ହେଲା । ତେଣୁ ମୋ ସହ କୌଳିକ କାମ କରିବାକୁ ନେଇ ଶିଖେଇ ଦେଲି । ସେ ଏବେ ପରିବାର ଚଳେଇଲାଣି ।
ମୋର ଆବଶ୍ୟକତା ଯେତିକି ସେତିକିରେ ମୁଁ ସନ୍ତୁଷ୍ଟ । ନା କିଛି ଆଶା ନା ହରେଇବାର ଭୟ । ତେଣୁ ହସି ହସି ଜୀଇଁ ଯାଉଛି ।
ତାଙ୍କ କଥା ଶୁଣି ମୁଁ ଭାବିଲି, ସତରେ ତ ଆହୁରି ଆହୁରି ପାଇବାର ଆଶା, ପିଲାମାନଙ୍କୁ ଇଣ୍ଟରନାସନାଲ୍ ସ୍କୁଲରେ ପଢେଇବା ଲୋଭ, ଦୂର ଆକାଶରେ ଉଡିବାର ମୋହ ହସକୁ ଛଡେଇ ନେଇଛି ।
ଆଜି ସକାଳୁ ଖବର ଆସିଲା ବାପା ଚାଲିଗଲେ । ମୁଁ ସପରିବାର ଫ୍ଲାଇଟରେ ଉଡି ଆସି ଗାଁରେ ପହଞ୍ଚିଲି । ବାପାଙ୍କ ନିର୍ଜୀବ ଶରୀର କୋକେଇରେ ବନ୍ଧା ହେଲା । ଆଖିରୁ ଲୁହର ଧାର କିନ୍ତୁ ଓଠରେ କ୍ଷୀଣ ହସ । କିଏ ଆଉ ଡାକିବ ବନ୍ଧୁ କ୍ଷେତ୍ରମୋହନ ? ଚାଲିଗଲ ସବୁ ମାୟାର ଶୃଙ୍ଖଳ ଛିଡେଇ । ହେଉ ମୁଁ ବି ଆସିବି ମୋର ଯେଉଁ ଦିନ ସମୟ ଆସିବ ।
