ନିର୍ମୂଳୀ ଲତା
ନିର୍ମୂଳୀ ଲତା
ଚିତ୍ରଲେଖା ଗଛ ଲଗେଇ ସେମାନଙ୍କ ଯତ୍ନ ନେବା ସଉକ । ସେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ, ସୁନା ବୋହୂ, ସ୍ନେହମୟୀ ମା' ଆଜ୍ଞାକାରୀ ପତ୍ନୀ । ତା ଛଡା ଅନ୍ୟାନ୍ୟ ସମ୍ପର୍କ ମାନଙ୍କୁ ଆପଣେଇ ପାରନ୍ତି ବୋଲି ସମ୍ପର୍କର ଭିଡ଼ ଭିତରେ ସବୁବେଳେ । କିଏ କଣ କହୁଛି ସବୁ ଶୁଣନ୍ତି । କିନ୍ତୁ ଭଲ ହେଇଥିଲେ ଆପଣେଇ ନିଅନ୍ତି , ଖରାପ ଲାଗିଲେ ଅଣଶୁଣା ଅଣଦେଖା କରି ଦିଅନ୍ତି । ସେଇଥିପାଇଁ ବୋଧହୁଏ ସର୍ବଦା ସବୁ ପରିସ୍ଥିତିରେ ମୁହଁରେ ହସର ଗାର । ସ୍କୁଲରେ ପଢେଇବା, ଘରେ ରୋଷେଇ, ପିଲାଙ୍କ ପଢା ସହ ଘରର ଯତ୍ନ ନେବା ତ ତାଙ୍କ ଦାୟିତ୍ୱ କର୍ତ୍ତବ୍ୟ ଭାବି ସମସ୍ତେ ସବୁ ଭାର ତାଙ୍କ ଉପରେ ଲଦି ଦେଇଛନ୍ତି । ସେ ସବୁ ଦାୟିତ୍ୱ ସହ ସେ ବଗିଚା ଦାୟିତ୍ୱ ବି ନେଇଛନ୍ତି । ସେଇଟା ଅବଶ୍ୟ କେହି ବାଧ୍ୟ କରି ନାହାନ୍ତି ତାଙ୍କୁ । ବଗିଚା କାମରେ ନିଜକୁ ନିୟୋଜିତ କରି ସେ ଆନନ୍ଦିତ ହୁଅନ୍ତି ।
ବିବାହ ପୂର୍ବରୁ ସେ ଚାକିରି କରିଛନ୍ତି । ବିଜ୍ଞାନର ଶିକ୍ଷୟିତ୍ରୀ । ବହୁତ ଭଲ ଭଲ ଅଫିସର, ଇଂଜିନିୟର ପ୍ରସ୍ତାବ ଆସିଥିଲେ ବି ପ୍ରତ୍ୟାଖ୍ୟାନ କରିଥିଲେ । ଭାଈ ଇଂଜିନିୟର । ବିବାହ ପରେ ନିଜ ସ୍ତ୍ରୀ କୁ ନେଇ ପ୍ରଥମେ ଦିଲ୍ଲୀ ତାପରେ ଲଣ୍ଡନରେ ରହୁଛି । ଅବଶ୍ୟ ବାପା ବୋଉ କେମିତି ଅଛନ୍ତି କଣ ଆବଶ୍ୟକ ଫୋନରେ ପଚାରି ବୁଝୁଛି । କିନ୍ତୁ ବୟସର ଅପରାହ୍ନରେ ପାଖରେ ଆପଣାର କେହି ଜଣେ ଲୋଡା ହସିବା ପାଇଁ ବଞ୍ଚିବା ପାଇଁ । ତେଣୁ ଚିତ୍ରା ମନେ ମନେ ଠିକ୍ କରି ନେଇଥିଲେ ବିବାହ ନକରି ବାପା ବୋଉ ପାଖରେ ରହି ସେମାନଙ୍କ କଥା ବୁଝିବେ । କିନ୍ତୁ ବଢିଲା ଝିଅ ଘରେ ଥିଲେ ଗାଁ ଲୋକଙ୍କ ନଜର ସେଇଠି ହିଁ ଲାଖିଥାଏ । ସେଥିରେ ପୁଣି ଚାକିରିଆ ଝିଅ ହେଲେ ଶୁଣିବାକୁ ମିଳେ ଝିଅ ପଇସାରେ ଚଳିବେ ବୋଲି ବାହା ନକରି ଘରେ ରଖିଛନ୍ତି । ବୋଉ ବୁଝେଇ ଚାଲିଥାଏ । କେତେ ରାଣ ନିୟମ ପକେଇ ବାହାଘର ପାଇଁ ରାଜି କରେଇଲା । ହେଲେ ଚିତ୍ରାର ସର୍ତ୍ତ ଦୂରରେ ବାହା ହେବନି । ଘରଠୁ ପାଞ୍ଚ ଦଶ କିଲୋମିଟର ଭିତରେ । ଚାକିରି ଛାଡିବନି କି ବର ସହ ଦୂର ଯାଗାକୁ ଯିବନି । ଝିଅ ରାଜି ହେଇଛି ଯେତେବେଳେ ବୋଉ ବାପା ବି ତା ସର୍ତ୍ତରେ ରାଜି ।
ପଡୋଶୀ ଗାଁରେ ଶାଶୁ ଘର । ବଡ଼ ପୁଅ ରାଜୀବ ଚାଷବାସ ବୁଝେ । ସମ୍ପତ୍ତିର ଅଭାବ ନାହିଁ । ବସି ଖାଇଲେ ବି ତିନି ପୁରୁଷ ଖାଇବେ । ସାନପୁଅ ସହରରେ ପାଠ ପଢେ । ମଝିଆ ହେଉଛି ନଣନ୍ଦ । ବାହା ହେଇ ବମ୍ବେରେ । ରାଜୀବ ଭଲ ପିଲା । ଯେବେଠୁ ସେ ଚାଷବାସ ବୁଝିଲାଣି ତାଙ୍କ ବାପା ରିଟାଏର୍ଡ ପ୍ରାୟ । ଘରେ ଟିଭି ଦେଖିବା ନହେଲେ ଗାଁ ମଣ୍ଡପ ଉପରେ ଭାଗବତ ଚର୍ଚ୍ଚା ସେଇଥିରେ ବ୍ୟସ୍ତ । ବୋଉ ଆଉ ଘର କାମକୁ ପାରୁନି । ବୟସ ବେଶୀ ନୁହେଁ । ମାତ୍ର ପଞ୍ଚାବନ । କିନ୍ତୁ ରୋଗୀଣା ।
ଉଭୟ ପରିବାରଙ୍କ ସହମତି ଏବଂ ରାଜୀବ ଓ ଚିତ୍ରା କଥା ହେଲା ପରେ ବିବାହ । ଚିତ୍ରା ଚାକିରି ଛାଡିବନି ବୋଲି ଆଗରୁ ସର୍ତ୍ତ । ତେଣୁ ଅଳ୍ପ ଦିନ ଯାଆସ ପରେ ରାଜୀବ ଲାଗି ଲାଗି ନିଜ ଗାଁ ହାଇସ୍କୁଲକୁ ଟ୍ରାନ୍ସଫର କରିଦେଲେ ।
ଘର ଦାୟିତ୍ୱ ପୁରାପୁରି ଚିତ୍ରା ହାତରେ । ତାଙ୍କର ଏକ ବଡ଼ ବାଡି ଥିଲା । ଯେଉଁଠି ଶୀତଦିନେ ପନିପରିବା ଟିକିଏ ଲଗା ହୁଏ ନହେଲେ ପଡିଆ ପଡିଥାଏ । ରାଜୀବଙ୍କୁ କହି ଚିତ୍ରା ସେଇ ବାଡିକୁ ସଫା କରି ବାଡ଼ ବୁଲେଇ ଦେଲା । ତାପରେ ସେଠି ପିଜୁଳି, ଜାମୁରୋଳ, ଅମୃତଭଣ୍ଡା ଭଳି କିଛି ଗଛ ଆଉ ବିଭିନ୍ନ ରକମର ଫୁଲ ଗଛ ଲଗେଇ ଅଳ୍ପ ଦିନ ମଧ୍ୟରେ ସୁନ୍ଦର କରି ଦେଲା । ଶାଶୁ, ଶଶୁର, ସ୍ଵାମୀ କାହାର ବି ସେ ବଗିଚା ତୋଳିବାରେ ଆଗ୍ରହ ନଥିଲା କି ଯତ୍ନ ନେବାର ଆଗ୍ରହ ନାହିଁ । ତେଣୁ ନିଜେ ଚିତ୍ରା ସ୍କୁଲରୁ ଫେରି ଦେଖାଶୁଣା କରେ । ରବିବାର ଓ ଅନ୍ୟାନ୍ୟ ଛୁଟି ଦିନ ମାନଙ୍କରେ ସଯୟ ଦେଇ ଯତ୍ନ ନିଏ । ବଗିଚାରେ ଫୁଲ ଫୁଟିଲେ କି ଫଳ ଫଳିଲେ ତାର ଦେହରେ ଅଜବ ଶିହରଣ ଖେଳିଯାଏ । ଦିନ ଯାକର ପରିଶ୍ରମ ଲାଘବ ହେଇଯାଏ ।
ବୟସ ଏବେ ପଚାଶ ଛୁଇଁବାକୁ ବସିଲାଣି । ଝିଅ ସହରରେ ପଢୁଛି । ପୁଅ ଗାଁ ହାଇସ୍କୁଲରେ ଏ ବର୍ଷ ଦଶମ ପଢୁଛି । ସ୍ଵାମୀ ଏବେ ଜମି ଭାଗ ଲଗେଇ ଗାଁ କୋଠ କାମ ବୁଝୁଛନ୍ତି । ଦିଅର ଯା ଛୁଟିରେ କେବେ କେମିତି ପୁଅକୁ ନେଇ ଆସି ସପ୍ତାହ ଦଶଦିନ ରହି ଯାଆନ୍ତି । ନଣନ୍ଦ ବାହାରେ ସ୍ଵାମୀ ପାଖରେ ନହେଲେ ଛୁଟି କାଟିବାକୁ ବାପଘରେ । ଅବଶ୍ୟ ତାଙ୍କ ଝିଅ ବାହା ହେଇ ଗଲାଣି । ପୁଅ ଚାକିରି କଲାଣି । ଶାଶୁ ଶଶୁର ଘରେ ଟିଭି ସାମନାରେ । ସବୁ ଦାୟିତ୍ୱ କର୍ତ୍ତବ୍ୟ ନାମରେ ଚିତ୍ରା ଉପରେ ।
ହଠାତ୍ ଚିତ୍ରା ବୋଉ ଦେହ ଖରାପ ହେଲା । ଭାଈ ସମୟ ହେଲେ ଆସିବ ଜଣେଇ ଦେଲା । ଚିତ୍ରା ସ୍କୁଲରୁ ଛୁଟି ନେଇ କିଛି ଦିନ ପାଇଁ ସେଠାକୁ ଗଲା । ଅବଶ୍ୟ ମଝିରେ ମଝିରେ ଆସେ । ସ୍କୁଲରେ ନିଜ ଉପସ୍ଥିତି ଦେଖେଇ ପୁଣି ଯାଏ । ଏବେ ବୋଉ କଟକ ବଡ଼ ମେଡ଼ିକାଲରେ । ଭାଈ ଆସିଥିଲା । ଭାଉଜ କି ପିଲାମାନେ ଆସିଲେନି । ଭାଈ ବି ଅଳ୍ପ ଦିନ ରହି ପଳେଇଲା । ଦୀର୍ଘ ଦୁଇମାସ ହସପିଟାଲ୍ ରେ ରହିବା ପରେ ବୋଉ ଘରକୁ ଫେରିଲା । ସେ ଏବେ ସୁସ୍ଥ । ହେଲେବି ଦୁର୍ବଳ । କିନ୍ତୁ ଏପଟେ ରାଜୀବଙ୍କ ତାଗିଦ । ବୋଉ ରୋଷେଇ କରି ହଇରାଣ ହେଉଛି । ପୁଅର ଦଶମ ଏବର୍ଷ । ତଥାପି ତୁମେ ଘରକୁ ଆସିବାକୁ ନାରାଜ । ଘରେ ସୁବିଧା କରେଇ ଚିତ୍ରା ଦୁଇ ଦିନରେ ଥରେ ଆସିବ କହି ଶାଶୁ ଘରକୁ ଗଲା ।
ଘରେ ସମସ୍ତେ ଏମିତି ବ୍ୟବହାର କଲେ ସତେ ଯେମିତି ନିଜ ବୋଉ ପାଖକୁ ତ ଚିତ୍ରା ଯାଇ ନଥିଲା । ବୁଲିବାକୁ ଯାଇଥିଲା । ଛାଡ... ସମୟ ସବୁ ଠିକ କରିଦେବ । ପୁଣି ନିଜକୁ ଘରକାମ ସ୍କୁଲ ଏଇଥିରେ ନିୟୋଜିତ କରିଦେଲା । ପାଖାପାଖି ତିନିମାସ ହେଲାଣି ବଗିଚା ଦେଖିନି । ଅବଶ୍ୟ ଫୋନ୍ କରି ରାଜୀବଙ୍କୁ କହେ ବଗିଚାର ଯତ୍ନ ନେଉଥିବ ।
ଭାରି ମନଦୁଃଖ ହେଲା । ଆଖିରୁ ଲୁହ ନିଗିଡି ଗଲା । ତିନି ମାସ ଭିତରେ ଅଧାରୁ ଅଧିକ ଫୁଲଗଛ ଜଳି ଯାଇଛି ପାଣି ନପାଇ । ଅମୃତଭଣ୍ଡା ଗଛରୁ ଫଳ ତୋଳି ନେଉଥିଲେ କିନ୍ତୁ ପିଜୁଳି ଗଛ ଉପରେ ନିର୍ମୂଳୀ ଲତା ମାଡି ଗଛଟିକୁ ନଷ୍ଟ କରି ଦେଲାଣି ଦେଖି ନାହାନ୍ତି ।
ଘରେ ବୋଉକୁ ନପାଇ ପୁଅ ବଗିଚା ଆଡେ ଗଲା । ବୋଉକୁ କାନ୍ଦୁଥିବା ଦେଖି ଆଶ୍ଚର୍ଯ୍ୟ ହେଲା । ସେ କେବେ ବୋଉକୁ କାନ୍ଦିବା ଦେଖିନି । ଚିତ୍ରା ପିଜୁଳି ଗଛରୁ ନିର୍ମୂଳୀ ଲତାକୁ ହଟେଇବାର ପ୍ରୟାସ କରୁଥିଲା । ପୁଅ ବି ମା'କୁ ସାହାଯ୍ୟ କଲା ।
ସଞ୍ଜ ହେଇ ଆସୁଥାଏ । ମା ପୁଅ ଘରକୁ ଆସିଲେ । ଦୁଃଖ ମନରେ ଘରର ସବୁ କାମ କରୁଥାଏ ଚିତ୍ରା । ପୁଅ ଡାକିଲା ବୋଉ ବିଜ୍ଞାନର ଗୋଟିଏ ଚାପ୍ଟର୍ ମତେ ବୁଝେଇ ଦେବୁ ? ଚିତ୍ରା ପୁଅ ପାଖରେ ବସି ବହି ଖୋଲିଲା । କୋଉ ଚାପ୍ଟର୍ । ପରଜୀବୀ । ଉଦାହରଣ ନିର୍ମୂଳୀ ଲତା । ଆଖିରେ ପୁଣି ଲୁହ ଆସିଗଲା । ପୁଅ ବହି ବନ୍ଦ କରିଦେଲା । ବୋଉ ଆଖିରୁ ଲୁହ ପୋଛି କହିଲା , ତୁମେ ଠିକ୍ ସେଇ ପିଜୁଳି ଗଛ ପରି । ପିଜୁଳି ଗଛ ନିର୍ମୂଳୀ ଲତାକୁ ନିଜ ଉପରେ ମାଡିବାକୁ ଦେଲା । ଲତାଟିଏ ଭାବି ଆଶ୍ରୟ ଦେଲା । ହେଲେ ବଦଳରେ ନିର୍ମୂଳୀ ଲତା ଆଶ୍ରୟ ନେଉ ନେଉ ଶୋଷଣ କଲା ତାକୁ । ତୁମ ଉପରେ ଘରର ସମସ୍ତେ ନିର୍ଭର କଲେ । ତୁମେ ପ୍ରତିବାଦ କଲନି । ହଁ ନିଜ ଲୋକ ତ ଭାବି ସବୁ ହସି ହସି କରି ଚାଲିଲ । ହେଲେ ପାଇଲ କଣ ? କେବେ ଭାବିଛ ।
ବୋଉ ଘରେ କେହି ଦୁର୍ବଳ ନଥିଲେ । ତୁମ ଉପରେ ତଥାପି ସବୁ ବୋଝ ଲଦି ଦେଲେ । ତୁମେ ଭାବିଲ ତୁମେ ସବୁ ବୋହି ପାରିବ । ପାରିଲ ମଧ୍ୟ । କିନ୍ତୁ ନିଜତ୍ବ ପାଇବା ପାଇଁ ସଂଗ୍ରାମ କରୁଛ । ପିଜୁଳି ଗଛ ଉପରୁ ନିର୍ମୂଳୀ ଲତାକୁ ହଟେଇଲା ଭଳି ନିଜ ଉପରୁ ଦାୟିତ୍ୱ କର୍ତ୍ତବ୍ୟ ର କିଛି ଅଯଥା ବୋଝକୁ ଉତାରି ଦିଅ । ଦେଖିବ ତୁମ ମନ ମସ୍ତିଷ୍କ ହାଲୁକା ହେବ ।
ଛୋଟ ପିଲା ହେଇ ପୁଅ ଆଜି ତା ମନ କଥା ବୁଝି ପାରିଛି । ସୁନ୍ଦର ଉଦାହରଣ ଦେଇ ତାର ମନକୁ ହାଲୁକା କରିବା ଚେଷ୍ଟା କରିଛି । ଧୀରେ ଧୀରେ ଲୁହ ଶୁଖିଗଲାଣି । ଓଠରେ ଚେନାଏ ହସ ଦିଶିଲାଣି । ନିଜର ପରବର୍ତ୍ତୀ ପଦକ୍ଷେପ ପାଇଁ ବୋଧହୁଏ ଚିତ୍ରା ଓରଫ ଚିତ୍ରଲେଖା ପ୍ରସ୍ତୁତ ହେଲାଣି ।।
