ସ୍ମୃତି ମନ୍ଦିର
ସ୍ମୃତି ମନ୍ଦିର
ଆଶା ଦେବୀ ସନ୍ଧ୍ୟାରେ ସ୍ମୃତି ମନ୍ଦିରର ପ୍ରତ୍ୟେକ ବଖରା ଭ୍ରମଣ କରି ହବିଷିଆଳୀ ମାନଙ୍କ ସୁବିଧା ଅସୁବିଧା ବୁଝନ୍ତି । ଘର ଭଡା ଦେଇ ଏଇ କାର୍ତ୍ତିକ ମାସରେ ଆନନ୍ଦ ପାଆନ୍ତି । ଘରଭଡା ବି ବେଶୀ ନୁହେଁ । ନିଜର ଟଙ୍କା ଅଭାବ ନାହିଁ । ତେଣୁ ଏତେ ବଡ ଘରକୁ ସେ ଭଡା ଦେଇ ନାହାନ୍ତି । ଏକୁଟିଆ ମଣିଷ । ଦୁଇଟି ବଖରା ନିଜ ପାଇଁ ଯଥେଷ୍ଟ । ତିନି ମହଲା ସେମିତି ଖାଲି ପଡିଥାଏ । ପୁଅ ବୋହୂ କେତେଥର କହିଲେଣି ଘରକୁ ଲଜ୍ କରିଦେବା, ତୁମେ ଆମ ପାଖକୁ ଚାଲିଆସ । ଆଶା ଦେବୀ କିନ୍ତୁ ନିଜ ଘର ପୁଣି ଶ୍ରୀକ୍ଷେତ୍ରକୁ ଛାଡି ଯିବାକୁ ନାରାଜ ।
ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । କେହି କେହି ପୂର୍ଣ୍ଣମୀ ଛଞ୍ଚା ଟେକି ଦେଇ ଚାଲିଯିବେ । କେହି କେହି ଛାଡ଼ଖାଇ ଛଞ୍ଚା ଦେଲେ ଯିବେ । ତେଣୁ ଏଇ ଗୋଟିଏ ରାତି ଗହଳି । ସନ୍ଧ୍ୟାରେ ଚଉରା ପୂଜା ସରିଲା ପରେ ସମସ୍ତଙ୍କ ସହ ଗପନ୍ତି । ସୁବିଧା ଅସୁବିଧା ବୁଝନ୍ତି । ତେଣୁ ଆଜି ବି ଗଲେ । ପାଖାପାଖି ତିରିଶ ହବିଷିଆଳୀ ରହୁଛନ୍ତି । ପ୍ରାୟ ସମସ୍ତେ ପ୍ରତିବର୍ଷ ଆସନ୍ତି । କାହାକୁ ପୁଅ ଆଣି ଛାଡିଯାଏ , କିଏ ଏକୁଟିଆ ଆସେ, କେହି କେହି ଦୁଇ ତିନି ଜଣ ଏକା ଜାଗାରୁ ମିଶିକି ଆସନ୍ତି । ଏବର୍ଷ ପ୍ରଥମ କରି ଆସିଛନ୍ତି ଜାନକୀ ଦେବୀ । ବୟସ ପାଖାପାଖି ସତୁରୀ । ହସହସ ମୁହଁ । ମେଳାପୀ । ସମସ୍ତଙ୍କୁ ଆତ୍ମୀୟତାରେ ବାନ୍ଧି ଦେଇଛନ୍ତି । ତାଙ୍କ ବଖରା ବାଟ ଦେଇ ଗଲା ବେଳେ ତାଙ୍କ ସହ ଆଉ ଦୁଇ ଜଣ ରହୁଥିଲେ, ତାଙ୍କ କଥା ଶୁଭିଲା । ନାନୀ ମନଦୁଃଖ କାହିଁକି କରୁଛ ? ପୁଣି ଆରବରଷକୁ ଭେଟ ହେବାନି ?
ଆଶା ଦେବୀ ପଶିଗଲେ ବଖରା ଭିତରକୁ । ଜାନକୀ ଦେବୀଙ୍କ ମୁହଁ ଶୁଖି ଯାଇଛି । ଯିଏ ସବୁବେଳେ ହସହସ, ମନଖୋଲି ଗପନ୍ତି, ସେ ପୁଣି କାହିଁକି ମୁହଁ ଶୁଖେଇ ବସିଛନ୍ତି ? ଜିଜ୍ଞାସା ବଶତଃ ପଚାରିଦେଲେ ନାନୀ ତୁମର କଣ ହେଲା ? ମୁହଁ ଟେକି ଚାହିଁଲେ ଜାନକୀ ଦେବୀ । ଆଖି ଛଳଛଳ । ଏଇକ୍ଷଣି ଲୋତକର ଧାର ବହିଯିବ । ଅନ୍ୟ ଦୁଇ ଜଣ ମିନତୀ ଓ ଅରୁଣା ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି ।
ଏକାଠି ବସିଲେ ଚାରିଜଣ । ଜାନକୀ ଦେବୀଙ୍କ ମନର କୋହ ଦୂର କରିବା ପାଇଁ । ହେଲେ ପ୍ରଥମେ କାରଣ ତ ଜାଣିବା ଦରକାର । ଆଶା ଦେବୀଙ୍କ ବହୁତ ପ୍ରଶ୍ନ ପରେ ସେ ନିଜ ମନଦଶା ଜଣେଇଲେ ।
ସ୍ଵାମୀ ରାମଚନ୍ଦ୍ର ଓ ଚାରି ପୁଅ ଚାରି ବୋହୂ ନାତି ନାତୁଣୀ ମାନଙ୍କୁ ନେଇ ତାଙ୍କର ସୁଖର ସଂସାର । ତିନି ପୁଅ ବାହାରେ ରୁହନ୍ତି ନିଜ ନିଜ କର୍ମକ୍ଷେତ୍ରରେ । ସାନମଝିଆ ଗାଁରେ ରୁହେ । ଗାଁ ସ୍କୁଲରେ ସେ ହେଡମାଷ୍ଟର । ତାର ଗୋଟିଏ ବୋଲି ପୁଅ । ଆମେ ଜେଜେମା ଜେଜେବାପା ତାକୁ ଜୀବନ ଠାରୁ ବଳି ଭଲ ପାଉ । ମୋ ସ୍ଵାମୀଙ୍କ ପେନସନ ଆମେ ନାତି ନାତୁଣୀ ମାନଙ୍କ ପଛରେ ଖର୍ଚ୍ଚ କରୁ । ଆମ ପାଇଁ ସମସ୍ତେ ସମାନ । ତଥାପି ଗାଁରେ ବୋହୂ ସବୁବେଳେ ଆମ ପାଖରେ ରହୁଛି ବୋଲି ପୁଅକୁ ବାଧ୍ୟ କରି କିଛି ଟଙ୍କା ଦେଇ ବର୍ଷକୁ ଥରେ ଦୁଇ ଥର ବାହାରକୁ ବୁଲି ଯିବାକୁ କହୁ । ଗତବର୍ଷ ପୁଅ ହାତକୁ ତା ବାପା ତିରିଶ ହଜାର ଟଙ୍କା ଦେଇ କହିଲେ, ଯାଅ ତମେମାନେ ବୁଲି ଆସ । ବୋହୂ କହିଲା, ବାପା ଫ୍ଲାଇଟରେ ଯିବା ଆସିବା ଆମ ତିନିଜଣଙ୍କ ଚାଳିଶି ହଜାର ପଡିବ । ଆହୁରି ରହିବା ଖାଇବା ବୁଲିବା ଅଛି । କିଛି ଟଙ୍କା ଅଧିକ ଦିଅ । ଭଲରେ ସିଏ କହିଲେ ବଡ଼ର ଝିଅ ଝୁନାର ଏବର୍ଷ ବାହାଘର ବେଳେ ଟଙ୍କା ଖର୍ଚ୍ଚ ହେଇ ଯାଇଛି । ତାପରେ ଶୁଭର ତ ଦରମା ଅଛି, ସେ ତା ଟଙ୍କାରୁ କିଛି ମିଶେଇ ଥାଉ ଏଥର । ବୋହୂ ଫଟକି କହିଲା, ଆମ ପାଖେ ରହିବେ ଯଦି ଅନ୍ୟ ମାନଙ୍କ ପାଇଁ ଖର୍ଚ୍ଚ କାହିଁକି କରିବେ । ଆଉ ଯଦି ସମସ୍ତଙ୍କୁ ଦେବେ ତାହେଲେ ସମସ୍ତଙ୍କ ପାଖରେ ପାଳି କରି ଯାଇ ରୁହନ୍ତୁ । ମୁଁ ଟିକିଏ ଜୋରରେ କହିଲି ଆମେ ତୁମ ପାଖରେ ନାହୁଁ । ଏଘର ବାପାଙ୍କ । ତାଙ୍କ ପାଖରେ ତମେ ଅଛ । ବୋହୂ ଚୁପ୍ ହୋଇ ପଳେଇଲା । ଇଏ କିନ୍ତୁ ମୁଣ୍ଡକୁ ତା କଥା ନେଇଗଲେ । ସବୁବେଳେ ଅନ୍ୟମନସ୍କ ରହିଲେ । ହଠାତ୍ ଦିନେ ସକାଳୁ ଉଠି ମୁଁ ଦେଖେ ତ ସେ ଉଠୁ ନାହାନ୍ତି । ସେ ମତେ ଛାଡି ଚାଲି ଯାଇଥିଲେ ।
ସେଇଠୁ ମୋର ମନ ବି ଭଲ ରହିଲା ନାହିଁ । ଅନ୍ୟ ପିଲାମାନେ ଆସି ବାପାଙ୍କ ଶୁଦ୍ଧିକ୍ରିୟା ସାରି ପଳେଇଲେ । ଶୁଭ ସ୍ତ୍ରୀ ସମସ୍ତଙ୍କୁ କହିଲା, ବୋଉ ଏଥର ସମସ୍ତଙ୍କ ପାଖରେ ତିନି ତିନି ମାସ ଲେଖାଏଁ ରହିବେ । ସମସ୍ତେ ନିଜ ନିଜର ଅସହାୟ ଅବସ୍ଥା ଜଣେଇ ଦେଇ କହିଲେ, ବାପାଙ୍କ ଅଧା ପେନସନ ତ ବୋଉ ପାଇବ । ତୁମେ ତାକୁ ରଖ ପେନସନ ବି ଭୋଗ କର । ବୋଉ କଣ ଗାଁ ଛାଡି ଆଉ କୋଉଠି ଖୁସିରେ ରହି ପାରିବ ?
ପୁଅ ବୋଉ ବୋଉ ହେଲେ କି ନାତି ମାଆ ମାଆ ହେଲେ ବୋହୂ ଦେହ ସହିଲାନି । କାରଣ ଆଗ ଭଳି ମୁଁ ବିଶେଷ ଘରକାମ କରି ପାରୁନଥିଲି । ପ୍ରାୟ ସମୟ ନିଜକୁ ଭଗବତ ଚିନ୍ତାରେ ବୁଡେଇ ରଖୁଥିଲି । ପ୍ରଥମ ବର୍ଷ ତ କାର୍ତ୍ତିକ କରା ହେବନି । ତେଣୁ ଖାଲି ଜଳଖିଆ ଖାଇ ରହିଲି । ସେତିକି ଦେଲା ବେଳକୁ ବି ସେ ଦଶକଥା ମତେ କୁହେ । ତେଣୁ ଏବର୍ଷ କାର୍ତ୍ତିକ ମାସ ମତେ ପୁଅ କହିଲା ତୁ ଶ୍ରୀକ୍ଷେତ୍ରରେ କରେ । ମତେ ଏଇଠି ତମ ପାଖେ ଛାଡିଗଲା । ଏଠି ସମସ୍ତଙ୍କ ମେଳରେ ରହି କାଳିଆ ଦର୍ଶନ କରି ମୁଠେ ଅବଢ଼ା ଖାଇ ମତେ ଶାନ୍ତି ଲାଗୁଥିଲା । ନାତି କଥା ମନେ ପଡୁଛି କିନ୍ତୁ ସେ ଘରକୁ ଫେରିବାକୁ ଇଚ୍ଛା ହେଉନି । ସେଠାକୁ ଗଲେ ତାଙ୍କ ସ୍ମୃତି ଛଡା ଆଉ କିଛି ମୋ ଆପଣାର ଲାଗୁନି ।ଏକା ନିଶ୍ଵାସରେ କହିଗଲେ ଜାନକୀ ଦେବୀ । ସମସ୍ତଙ୍କ ଆଖି ଭିଜି ଯାଇଥିଲା ।
ଦୀର୍ଘ ନିଶ୍ଵାସ ମାରିଲେ ଆଶା ଦେବୀ । ତୁମ ମୋ ଭିତରେ ବେଶୀ ପାର୍ଥକ୍ୟ ନାହିଁ ନାନୀ । ଖାଲି ଏତିକି ପୁଅ ବୋହୂ ନାତି ଗହଣରେ ରହୁଛ ଆଉ ମୁଁ ସେମାନଙ୍କ ଠାରୁ ସହସ୍ର କୋଶ ଯୋଜନରେ । ମୋ ସ୍ଵାମୀ ଚାଲିଯିବା ବାରବର୍ଷ ହେଲାଣି । ଜୀବନ ଯାକ ତ ଚାକିରି ପାଇଁ ସାରା ଦେଶ ଭ୍ରମଣ କଲୁ । ହେଲେ ରିଟାଏର୍ଡ ପରେ ପୈତୃକ ଘର ଖଣ୍ଡିକୁ ନୂଆ କରି ତୋଳେଇ ଏଇଠି ବାକି ଜୀବନ ଆନନ୍ଦରେ କାଟିବୁ ଭାବିଲୁ । ଝିଅଟି ବାହା ହେଇ ତା ସୁଖୀ ସଂସାରରେ । ପୁଅ ଆମେରିକାରେ ମଲ୍ଟି ନାସନାଲ୍ କମ୍ପାନୀରେ ଜବ୍ କରୁଛି । ସେଠାର ସ୍ଥାୟୀ ବାସିନ୍ଦା ହୋଇ ଗଲାଣି । ଆମେ ବୁଢା ବୁଢୀ ଦୁଇ ଜଣ ଅବଢ଼ା ଖାଇ ମନ୍ଦିର ଯାଇ ବେଳେ ବେଳେ ସମୁଦ୍ର କୂଳରେ ବସି ଖୁସିରେ ଥିଲୁ । ହଁ ପୁଅ କଥା, ନାତି ନାତୁଣୀ ଦିଟା କଥା ମନେ ପଡେ । ସେମାନେ ଦୁଇ ବର୍ଷରେ ଥରେ ଆସନ୍ତି । ସେତିକି ଦେଖି ଖୁସି ହେଉଥିଲୁ । ହେଲେ ଇଏ ଚାଲିଗଲା ପରେ ପୁଅ ଯିଦି କଲା ଘର ବିକିଦେଇ ମତେ ତା ପାଖକୁ ନେଇଯିବ । କିନ୍ତୁ ଏଇଟା ଘର ନୁହେଁ ମୋ ପାଇଁ ସ୍ମୃତି ମନ୍ଦିର । ଶେଷ ଜୀବନ ଜଗନ୍ନାଥ ଧାମରେ ରହିବୁ ଭାବିଥିଲୁ, ସେ ତ ତାଙ୍କ ଶେଷ ନିଶ୍ଵାସ ନେଇ ଗଲେ ମୁଁ ବି ଏଇ ସ୍ଵର୍ଗଦ୍ବାରରେ ପାଉଁଶ ମୁଠାଏ ହେବି । ତାଙ୍କରି ସ୍ମୃତିରେ ଆଶା ନିଳୟ ପାଲଟିଲା ସ୍ମୃତି ମନ୍ଦିର । ରଞ୍ଜୁ ବୋଲି ଝିଅଟି ମୋ ପାଖରେ ରହି ମୋର ଦେଖାଶୁଣା କରୁଛି । ଆପଣ ମାନଙ୍କ ପରି ହବିଷିଆଳୀ ମାନେ ଏଠାରେ ରହିଲେ ମୋର ମନ ସନ୍ତୁଷ୍ଟ ହୁଏ । ଭଡା ଟଙ୍କା ଯାହା ମିଳେ ସେଥିରେ ଦରିଦ୍ର ନାରାୟଣ ସେବା କରେ ।
ଆଶା ଦେବୀ ଓ ଜାନକୀ ଦେବୀ ପରସ୍ପର ମନକୁ ଖୋଲିଦେଇ ଟିକିଏ ଶାନ୍ତି ବୋଧହୁଏ ପାଇଲେ । ଆଲିଙ୍ଗନ କରି ଆରବର୍ଷକୁ ବଞ୍ଚିଥିଲେ ପୁଣି ଦେଖା ହେବେ ବୋଲି କହିଲେ । ମିନତୀ ଓ ଅରୁଣା ନିଜ ନିଜ ସ୍ମୃତିରେ ହଜି ଯାଇଥିଲେ । ହଁ ଏଇ ସ୍ମୃତି ମନ୍ଦିରରେ ଥିବା ସମସ୍ତଙ୍କ ସ୍ମୃତି ଭିନ୍ନ ହୋଇ ବି ଅଭିନ୍ନ ।।
