STORYMIRROR

Padmalaya Mishra

Abstract Classics Others

4  

Padmalaya Mishra

Abstract Classics Others

ଘର

ଘର

4 mins
386



   ଅନେକ ଦିନର ଆଶା ଫଳବତୀ ହୋଇଛି । ନିଜର ବୋଲି ଦୁଇ ମହଲା କୋଠାଟିଏ ତୋଳି ପାରିଛନ୍ତି ଅଜୟ ବାବୁ । ପିଲାଦିନ କଟିଥିଲା ଗାଁ ର ଝାଟିମାଟିର ଚାଳଛପର ଘରେ । ବାପା ଅରୂପାନନ୍ଦଙ୍କ ଛୋଟିଆ ତେଜରାତି ଦୋକାନ । ସେଥିକୁ ଦଶପ୍ରାଣୀ କୁଟୁମ୍ବ । ଜେଜେମା, ବାପା, ବୋଉ ଆଉ ସାତ ଭାଈ ଭଉଣୀ । 


    ଅଜୟ ଭାଈ ଭଉଣୀ ଭିତରେ ତୃତୀୟ । ବଡ଼ଭାଇ ବିଏ ପାଶ୍ କରି ସରକାରୀ ଚାକିରି ପାଇଲା ପରେ ଘରର ଆଗପଟ ଝାଟିମାଟି ଚାଳଛପରରୁ ଚୂନ ସିମେଣ୍ଟ ଆଜବେଷ୍ଟସ୍ ଘର ହେଲା । ସେଇ ଦୁଇ ବଖରା ତିଆରି ଚାଲିଥିବା ବେଳେ ବାଡିପଟ ଦୁଇ ବଖରାରେ ସମସ୍ତେ ଚଳୁଥିଲେ । ତଥାପି ଆନନ୍ଦ ଥିଲା । ସେ ଦୁଇ ବଖରା ତିଆରି ହେଲା ପରେ ପ୍ରଥମେ ଚାରି ଭାଈ ଗୋଟିଏ ବଖରା ଓ ତିନି ଭଉଣୀ ଆର ବଖରାରେ ରହିଲେ । ଜେଜେମା ବାଡିପଟ ଚାଳଛପର ବଖରାରେ ଖଟଟିଏ ଉପରେ ଶୁଏ । ବୋଉ ସେଇଠି ତଳେ ସଉପ ପକାଇ ଶୁଏ । ବାପା ଅଗଣା ବାରଣ୍ଡାରେ ଦଉଡିଆ ଖଟ ଉପରେ ଶୁଅନ୍ତି । ସେଇ ପାଖରେ ଛୋଟିଆ ଦିଅଁଙ୍କ ଘର ଆଉ ହାଣ୍ଡିଶାଳ ଲାଗି ଲାଗି । ପ୍ରଥମେ ତ ଗାଁ ପୋଖରୀରୁ ପାଣି ବୁହା ହୋଇ ଆସି ରୋଷେଇ ଓ ଅନ୍ୟାନ୍ୟ କାମ ହେଉଥିଲା । ତାପରେ ଭାଈ ଗୋଟିଏ ଟିଉବେଲ ଅଗଣା ମଝିରେ କରିଦେଲା । ପାଣି ବୋହିବା କଷ୍ଟ କମିଲା । ବାଥରୁମ ତ ନଥାଏ । ସମସ୍ତେ ପୋଖରୀ ଯାଉ ଗାଧେଇବା ପାଇଁ । ଟିଉବେଲ ହେଲାରୁ ତାରି ମୂଳରେ ଜେଜେମା ଓ ବୋଉ ଗାଧେଇଲେ । କେବେ କେବେ ଆମେ ଭାଈ ଭଉଣୀ ବି ଗାଧଉ । କିନ୍ତୁ ପୋଖରୀ ଗାଧୁଆ ମଜା ଟିଉବେଲରେ ବାଲଟିଏ ପାଣି ଢାଙ୍କି ଗାଧେଇବାରେ ଆସେନି ବୋଲି ଆମେ ପୋଖରୀ ଅଧିକାଂଶ ଯାଉ । 


    ବଡ଼ଭାଇ ବାହାଘର ହେଲାରୁ ଗୋଟିଏ ବଖରା ଏକୁଟିଆ ତାର ହେଲା । ଅବଶ୍ୟ ପରେ ପରେ ତିନି ଭଉଣୀ ବାହାଘର ମଧ୍ୟ ଅଳ୍ପ ଅଳ୍ପ ବ୍ୟବଧାନରେ ହେଇଗଲା । ସେତେବେଳକୁ ଆମେ ଦୁଇ ଭାଈ ବି ଚାକିରି କରି ସାରିଥାଉ । ଏବେ ଘରକୁ ବାଗେଇବା କାମ ଆମର । ପଛପଟ ଝାଟିମାଟି ଘର ଭାଙ୍ଗି ଛାତ ପକେଇଲୁ । ଚାରିଭାଈଙ୍କ ଛୋଟ ଛୋଟ ଚାରି ବଖରା , ଦିଅଁଙ୍କ ଘର ଓ ହାଣ୍ଡିଶାଳ । ଜେଜେମା, ବାପା, ବୋଉ ଆଜବେଷ୍ଟସ୍ ଦୁଇ ବଖରାକୁ ସିଫ୍ଟ ହେଲେ । 


    ଅବଶ୍ୟ ଘର ତିଆରି ହେବାରୁ ଆମ ଦୁଇ ଭାଈଙ୍କ ବାହାଘର ହେଲା । କିନ୍ତୁ ସାତ ମଙ୍ଗଳା ବାସିରୁ ଆମେ ସହରରେ କର୍ମକ୍ଷେତ୍ରରେ । ବଡ଼ଭାଇ ଗାଁ ପାଖରେ ଚାକିରି କରୁଥିଲେ ଯିବା ଆସିବା କରୁଥିଲେ । ସାନଭାଇ ଗାଁ ସ୍କୁଲରୁ ମାଟ୍ରିକ ପାଶ୍ କରି ସହର ଯାଆସ ହେଇ କଲେଜ ପଢୁଥିଲା । ପରବ ପୁନିଅ ହେଲେ ସମସ୍ତେ ଘରକୁ ଯାଉ । କିଛି ଦିନ ଏକାଠି ହସଖୁସି କରି ଛୁଟି ସରିଲେ କର୍ମକ୍ଷେତ୍ରକୁ ଫେରୁ । 


    ଗାଁ ଘର ଛାତଘର କରିଦେଲୁ, କିନ୍ତୁ ମୋର ସ୍ଵଳ୍ପ ଦରମାରେ ସହରରେ ବସ୍ତି ଅଞ୍ଚଳରେ ଆଜବେଷ୍ଟସ୍ ଘରେ ଭଡା ରହିଲି । ସେଇଠି ମୋର ଦୁଇ ପୁଅ ଜନ୍ମ । ପିଲା ହେଲା ପରେ ଖର୍ଚ୍ଚ ବଢିଲା । ଦିନରାତି ପରିଶ୍ରମ କରି ସଂସାର ଚଳେଇଲି । ଘର ଖର୍ଚ୍ଚ, ପିଲାଙ୍କ ପଢା, ଅନ୍ୟାନ୍ୟ ଖର୍ଚ୍ଚ ହେଇ ମାସ ଶେଷରେ ଧାର ଉଧାର କରିବାକୁ ପଡେ । ୟା ଭିତରେ ଜେଜେମା ଚାଲିଗଲା । ତା ପଛେ ପଛେ ବାପା । ବୋଉ କେବେ ମତେ ଖର୍ଚ୍ଚ ପାଇଁ ପଇସା ମାଗିନି କି ମୁଁ ଦେଇନି । ଅତି ବେଶୀ ହେଲେ ସେ ବଞ୍ଚିଥିବା ଭିତରେ ଦୁଇ ଖଣ୍ଡ କସ୍ତା ଲୁଗା ତାକୁ ଦେଇଛି । ସେ ବି ବଡ଼ଭାଇ ଉପରେ ଭାର ଦେଉନଥିଲା । ବାପା ଗଲା ପରେ ତାଙ୍କ ତେଜରାତି ଦୋକାନରେ ବସି ନିଜ ଖର୍ଚ୍ଚ ତୁଲେଇବା ସହ ବନ୍ଧୁ ଖର୍ଚ୍ଚ ବି କରୁଥି

ଲା । ସମୟ ଗର୍ଭରେ ବୋଉ ବି ଚିରନିଦ୍ରା ଗଲା । ସାନଭାଇ ଚାକିରି କରି ବାହା ହେଇ ତା କର୍ମକ୍ଷେତ୍ରରେ । ଗାଁରେ ବଡ଼ଭାଇ ଭାଉଜ ଏକା । ତାଙ୍କ ପୁଅ ସହରରେ ହଷ୍ଟେଲରେ ରହି ପଢୁଛି ଓ ଝିଅ ବାହା ହୋଇ ଶାଶୁଘରେ । 


    ସମୟ ସହ ମୋ ପୁଅମାନେ ବଡ଼ ହେଲେ । ବଡ଼ ଚାକିରି କଲେ । ମୁଁ ରିଟାଏର୍ଡ ହେଲି । ଗାଁ ଘର ବି ଦିମହଲା ହୋଇ ସାରିଥାଏ । ସେଠି ମଝିରେ ମଝିରେ ବଡ଼ଭାଇ ଭାଉଜ ରୁହନ୍ତି । ନହେଲେ ବାଙ୍ଗାଲୋରରେ ତାଙ୍କ ପୁଅ ବୋହୂଙ୍କ ପାଖରେ । ଗାଁ ଘର ଏବେ ଅଧିକାଂଶ ସମୟ ଯାହା ସ୍ମୃତି ସାଉଁଟି ଠିଆ ହେଇଛି । 


    ସାନ ଭାଈନା ସହରରେ ଘର କଲା । ମୁଁ ଯେତେ କହିଲି ଚାଲେ ଆମେ ଗାଁରେ ଯାଇ ରହିବା, ସ୍ତ୍ରୀ ଆଦୌ ରାଜି ହେଲାନି । କେବେ କେମିତି ଗାଁରେ ରହିଲେ ମଜା ଲାଗୁଛି । କିନ୍ତୁ ସବୁବେଳେ ରହି ହେବନି । ତେଣୁ ରିଟାଏର୍ଡମେଣ୍ଟ ଟଙ୍କା, କିଛି ସେଭିଂ ମିଶେଇ ଆଉ କିଛି ଲୋନ୍ ନେଇ ଦୁଇ ମହଲା କୋଠାଟିଏ କଲି । ଦିପୁଅ ବି ସାହାଯ୍ୟ କଲେ । ମାର୍ବଲ ପକେଇ ନୂଆ ମଡେଲ ଜିନିଷ ଖଞ୍ଜି କୋଠାକୁ ସଜେଇଦେଲେ । କିନ୍ତୁ ଜଣେ ରହିଲା ଲଣ୍ଡନରେ ଜଣେ ଅଷ୍ଟ୍ରେଲିଆରେ । ଏତେ ବଡ଼ ଘରେ ଆମେ ବୁଢାବୁଢୀ ଦିଟା ରହୁଛୁ । 


   କେବେ ସଞ୍ଜବେଳେ ବାଲକୋନୀରେ ବସି ଚା ପିଇଲା ବେଳେ ଭାବେ ଗାଁ ଘରକୁ । ସେ ପିଲାଦିନର ରହଣୀକୁ । ଝାଟିମାଟି ଘର ହେଲେ ବି ବୋଉ ଲିପାପୋଛା କରି ଝୋଟି ଦେଇ ସୁନ୍ଦର କରି ରଖିଥାଏ । ଅଗଣାରେ ଆମେ ଭାଈ ଭଉଣୀ ଚାଞ୍ଚ ପକେଇ ବସି ପଢୁ । ଅଗଣା ବାରଣ୍ଡାରେ ବୋଉ ଆମକୁ ଧାଡିକି ବସେଇ କଦଳୀ ପତ୍ରରେ ଗରମ ଗରମ ବାଢିଦିଏ । ଭାତ ସହ କେବେ କୋଳଥ ଫୁଟା କେବେ ଡାଲମା, ତାସହ ବାଡି ଶାଗ, ବାଡି ଅମୃତଭଣ୍ଡା ମଟର ପଡି ତରକାରୀ, ତା ହାତ ତିଆରି ଫୁଲବଡି ଭଜା ନହେଲେ ପଖାଳ, ବାଡି ବାଇଗଣ ଆଳୁକୁ ଚୁଲିରେ ପୋଡି ଚକଟା କରିଥିବ, ବଡିଚୁରା, ଗଡିଆରୁ ନଗଦ ଧରା ମାଛ ଭଜା , ମାଛ ହଳଦୀପାଣି, କଖାରୁ ଫୁଲ ବଡା ଆହାହା । କି ସୁଆଦ । ଠାଏ ଦିଠା ହେଇଥିବ କିନ୍ତୁ ସେ ବାଢିଦେଲେ ପେଟ ପୁରି ଯାଉଥିଲା । ତା ପଣତରେ ହାତ ଧୋଇଲା ପରେ ପୋଛିଦେଲେ ଯେଉଁ ତୃପ୍ତି ମିଳୁଥିଲା ଆଉ ସେ ତୃପ୍ତି କାହିଁ କେଉଁ କାଳରୁ ଅନୁଭବ ହେଇନି । 


     ବାଲକୋନୀରୁ ଅଳ୍ପ ଦୂରର ବସ୍ତି ଦିଶେ । ସେମିତି ଏକ ବସ୍ତିରେ କୋଡିଏ ବାଇଶି ବର୍ଷ ବିତିଛି । ଅଭାବରେ ବି ପାଖ ପଡିଶାଙ୍କ ସହ ଭାବ ଆଦାନପ୍ରଦାନ, ନିଉ ଇୟର୍, ଗଣେଶ ପୂଜା ସରସ୍ୱତୀ ପୂଜା ବେଳେ ଭୋଜି, ସମସ୍ତେ ମିଶି ପିକନିକ ଯିବା ସବୁ କଷ୍ଟ ଭୁଲେଇ ଦେଉଥିଲା । କିନ୍ତୁ ଏବେ ଟଙ୍କା ଅଭାବ ନାହିଁ । ଆଉ ଘର... ଯେଉଁ ଘର ଦିନେ ଗଢିବାର ସ୍ଵପ୍ନ ଥିଲା ଆଜି ତାରି ଭିତରେ ଅତୀତର ସ୍ମୃତି ଆନନ୍ଦ ଦେଉଛି ସିନା ଘର ଖୁସି ଦେଇ ପାରୁନି । ଯେମିତି ଆମେ ଭାଈମାନେ ଗାଁ ଘରକୁ ତୋଳି ତାକୁ ସ୍ମୃତି ମନ୍ଦିର କରିଦେଲୁ ସେମିତି ଏ ଘରେ କଣ କେବେ ପିଲାମାନେ ଆସି ରହିବେ ? ଏଠି ତ ସେମାନଙ୍କ କିଛି ସ୍ମୃତି ହିଁ ନାହିଁ । ଏ ଘର ଖାଲି କଂକ୍ରିଟର ଆବରଣ ହୋଇ ରହିବ । ନା ସ୍ମୃତି ମନ୍ଦିର ହୋଇ ପାରିବ ନା ଘର ହେଇ ରହି ପାରିବ । ରହିବାକୁ ତଥାପି ଘରଟିଏ ଲୋଡା । ନିଜର ଭାବନାକୁ ସାଉଁଟି ବର୍ତ୍ତମାନକୁ ଫେରିଲା ବେଳକୁ ଶ୍ରୀମତୀ ଆଉ ଦିକପ୍ ଚା ନେଇ ହାଜର । ହେଇଟି ଦେଖିଲ ଆମ ବାଲକୋନୀରୁ ସହର କେଡେ ସୁନ୍ଦର ଦିଶୁଛି । ଅଜୟ ସ୍ମିତହାସ୍ୟ ଦେଇ ଚା କପକୁ ଓଠରେ ଲଗେଇ ପୁଣି ପ୍ରକୃତ ଘର ସନ୍ଧାନରେ ମନକୁ ଦଉଡାଇଲେ । 




Rate this content
Log in

Similar oriya story from Abstract