Padmalaya Mishra

Abstract Classics Inspirational

4  

Padmalaya Mishra

Abstract Classics Inspirational

ମୁଁ ବାପା ହେବି

ମୁଁ ବାପା ହେବି

3 mins
12



   ମୁଁ ସଦାନନ୍ଦ । ସରକାରୀ ଚାକିରିଆ । ଯେତିକି ଦରମା ସେଥିରେ ଖୁସିରେ ସଂସାର ଚଳେ । ଅବଶ୍ୟ ଗାଁ ଜମିରୁ କିଛି ଆଦାୟ ହୁଏ ଆଉ ବାପାଙ୍କ ପେନସନ ଟଙ୍କା ମିଶୁଛି । ତେଣୁ ଭଲରେ ଭଲରେ ଘର ଚଳୁଚି, ପିଲା ଦିଟାଙ୍କ ପାଠ ପଢା ଖର୍ଚ୍ଚ, ବାପା ବୋଉଙ୍କ ଔଷଧ ଖର୍ଚ୍ଚ, କୁଣିଆ ମୈତ୍ର ଖର୍ଚ୍ଚ ହେଇ କିଛି ସଞ୍ଚୟ ହେଇ ପାରୁଛି । 


    ଝିଅ ନିକି ଓ ପୁଅ ରିଷି , ତାଙ୍କ ବୋଉ, ମୋ ବୋଉ ବାପାଙ୍କୁ ନେଇ ମୋ ଦୁନିଆ । ମୋର ତିନି ଭଉଣୀ ବାହା ହେଇ ତାଙ୍କ ଦୁନିଆରେ ବ୍ୟସ୍ତ । ବାପା ସେମାନଙ୍କ ଦାୟିତ୍ୱ ରିଟାଏର୍ଡ ହେବା ଆଗରୁ ସାରି ଦେଇଥିଲେ । ତେଣୁ ମୋ ମୁଣ୍ଡ ଉପରେ କିଛି ଚିନ୍ତା ନଥିଲା । ପିଲାମାନେ ହେଲା ବେଳକୁ ମୁଁ ସହରରେ ଖଣ୍ଡେ ଘର କରି ସାରିଥିଲି । ଗାଁରେ ରହି ମୋ ପିଲେ କୂପ ମଣ୍ଡୁକ ହେବେନି, ଭଲ ପଢି ଦୁନିଆ ସହ ତାଳ ଦେଇ ଚାଲିବେ ।


   ଝିଅ ବିଏ ପଢୁଚି ଆଉ ପୁଅ ଇଣ୍ଟରମିଡିଏଟ୍ । ମୋ ସହ ସମ୍ପର୍କ ଖାଲି ହାଏ ଡାଡି, ବାଏ ଡାଡି, ଆଜି ଗେଟଟୁଗେଦର ଟଙ୍କା ଦିଅ ଡାଡି, ପିକନିକ ପାଇଁ ଟଙ୍କା ଦିଅ ଡାଡି, ଫୋନ୍ ବାଲାନ୍ସ ପକାଅ ଡାଡି ଇତ୍ୟାଦି ଇତ୍ୟାଦି । ମୁଁ ବି ନୀରବ । କିଛି କହିବି ଯଦି ସ୍ତ୍ରୀ କହିବେ କାହା ପାଇଁ ରୋଜଗାର କରୁଛ । ମନେ ପଡୁଛି ମୋର ଷଷ୍ଠ କ୍ଲାସ୍ ହେଇଥିଲା । ଗାଁ ସ୍କୁଲରେ ଫାଷ୍ଟ ହେଉଥିଲି, ସାର୍ ଦିଦି ସମସ୍ତେ ପ୍ରଶଂସା କରୁଥିଲେ । ବୋଉ ବି ତିନି ଝିଅରେ ପୁଅଟେ ହେଇଛି ବୋଲି ସବୁ ମନପସନ୍ଦର ଖାଇବା କରୁଥିଲା । ଜେଜେମା ର ତ ଆଖିର ତାରା ଥିଲି । କିନ୍ତୁ ବାପା ସବୁବେଳେ ଗୁରୁ ଗମ୍ଭୀର । ତାଙ୍କୁ ଦେଖିଲେ ଡର ମାଡୁଥିଲା । ବାପା ଅଫିସ୍ ଗଲେ ନାନୀ ମାନେ ଖେଳନ୍ତି ନହେଲେ ବହି ଧରି ବସିଥିବେ, ବୋଉକୁ ସାହାଯ୍ୟ କରୁଥିବେ । ମୁଁ ବି ବାପା ଥିଲା ବେଳେ ବହି ଭିତରେ ମୁହଁ ମାଡିଥିବି । ଷଷ୍ଠ କ୍ଲାସରେ ଦିନେ ସାଙ୍ଗ ସହ କଳି, କଳିରୁ ଧସ୍ତାଧସ୍ତି । ସାର୍ଟ ଚିରିଗଲା । ଘରକୁ ଆସିଲା ବେଳକୁ ମୋ ଦୁର୍ଭାଗ୍ୟ ସେଦିନ ବାପା ଅଫିସ୍ ଯାଇ ନଥାନ୍ତି । ମୋର ଏମିତି ଅବସ୍ଥା ଦେଖି ଆଗ କର୍ଣ୍ଣ ମୂଳେ ଦି ଚାପୁଡ଼ା । ତାପରେ କଣ ହେଲା ପଚାରିଲେ । ବୋଉ ଟିକେ ମୋ ପଟିଆ ବାହାରିଲା ଯେ ତାକୁ ଗାଳି । ଜେଜେମା ଆସି ମତେ ରକ୍ଷା କଲା । କହିଲା, ହଇରେ ପୁଅଟାକୁ ମାରିଦେବୁ ନା କଣ ? କଥାରେ ଅଛି ପରା ହାତ ଉଞ୍ଚେଇବ ହେଲେ ମାରିବନି । ବାପା କହିଲେ ଏଗାର ପୁରିଲା, ଆଉ କେତେ ଗେଲବସର ହେବ । ତମେ ଶାଶୁ ବୋହୂ ତାକୁ ମୁଣ୍ଡରେ ଚଢେଇଚ । ବାପାଙ୍କୁ ବୋଉ, ନାନୀ ମାନେ ମୁଁ ସମସ୍ତେ ଡରୁଥିଲୁ । ବାପା ନଥିଲା ବେଳେ ତାଙ୍କ ଫୁଲପେଣ୍ଟ ସାର୍ଟ ପିନ୍ଧି ମୁଁ କହେ ବଡ଼ ହେଲେ ମୁଁ ବାପା ହେବି । ସମସ୍ତଙ୍କୁ ଶାସନ କରିବି । 


    ଧେତ୍ ବାପା ହେଇଗଲି ସିନା ବାପାଙ୍କ ଭଳି ହେଇ ପାରିଲିନି । ମୋ ପୁଅ ଝିଅ କଥା କଥାରେ କହୁଛନ୍ତି ଡାଡି ଇଜ୍ ଆଓ୍ଵାର ବେଷ୍ଟ୍ ଫ୍ରେଣ୍ଡ୍ । ପାଠ ବିଷୟରେ ପଚାରିଲେ କହୁଛନ୍ତି, ରେଜଲ୍ଟ ଦେଖେଇଲେ ଗଲା । ଆମେ ଭାଈ ଭଉଣୀ ପିଟାପିଟି ହେଲେ ବୋଉର ଖଡିକା ଉଡି ଯାଉଥିଲା । ବାପାଙ୍କ କଥା ନକହିଲେ ଭଲ । ବାପା ଭାକ୍ କହୁକହୁ ମୁଁ ମୁତି ପକଉଥିଲି । ହେଲେ ମୋ ପୁଅ ଝିଅ କଳି କଲେ ଆମେ କିଏ ବୁଝେଇଲେ କହୁଛନ୍ତି, ଡାଡି ମମି ଆମ ଭିତରେ ପଶନି । ଆମେ ସର୍ଟ୍ ଆଉଟ୍ କରିବୁ । 


   ଯୋଉ ବାପା ଆମକୁ ଏତେ କଟକଣା ରେ ରଖିଥିଲେ ସିଏ ନାତି ନାତୁଣୀ ଙ୍କ ସାଙ୍ଗ । ସେତେବେଳେ ନିଜେ ଭୁଲ୍ କରି ଗାଳି ଖାଉଥିଲି ଏବେ ପିଲାମାନେ ଭୁଲ୍ କଲେ ବାପା କହୁଛନ୍ତି ଦୋଷ ମୋର । ଲଗାମ୍ ଛଡା କରି ଦେଇଛି । କିନ୍ତୁ ଗାଳି କଲେ ନାତି ନାତୁଣୀ ପଟିଆ ହେଇ ମତେ ଗାଳି କରିବେ । 


    ବାପାଙ୍କ ସହ ଏକାଠି ବସି ଡିଡି ନ୍ୟୁଜ୍ ଦେଖିବାକୁ ବି ଡର ଲାଗୁଥିଲା କଲେଜ ପଢିଲା ପରେ ବି କିନ୍ତୁ ମୋ ପିଲା ସପରିବାର ବସି ଆଧୁନିକ ସିନେମା ଦେଖୁଚନ୍ତି । ମୋ ଆଗରେ ଗୀତ ଗାଉଚନ୍ତି । ମତେତ ଡର ଲାଗୁଛି ପୁଅ କୋଉ ଦିନ କହି ନଦେଉ ଡାଡି ଆଜି ପାଗ ଦେଇଚି । ବିଅର୍ ଓ ଚାଖଣା ଏକାଠି ଏନଜୟ କରିବା ।


  ମୁଁ ଡାଡି ହେଇଗଲି ହେଲେ ବାପା ହେଇପାରିଲିନି । ବାପାଙ୍କ ପରି ମୁରବୀ ନୁହେଁ ମୁଁ ଆବଶ୍ୟକତା ପୁରଣ କରୁଥିବା ଡାଡି ।



Rate this content
Log in

Similar oriya story from Abstract