Padmalaya Mishra

Abstract Classics Inspirational

4  

Padmalaya Mishra

Abstract Classics Inspirational

ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ

ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ

4 mins
10



   ଆଜି ଇନ୍ଦ୍ରଜିତ୍ ଆସୁଛି । ବସୁନ୍ଧରା ଙ୍କ ପାଦ ତଳେ ଲାଗୁନି । ତାର ମନପସନ୍ଦର ଖାଦ୍ୟ ପ୍ରସ୍ତୁତ କରିବାରେ ବ୍ୟସ୍ତ । ବିଚିତ୍ରାନନ୍ଦ ଏପଟ ସେପଟ ହେଇ କହୁଥାନ୍ତି, ପୁଅ ଆସିବା ଖୁସିରେ ମତେ ଖାଇବାକୁ ମିଳିବନି ବୋଧହୁଏ । ନାଟକ କରନି, ସକାଳୁ ତିନି ଥର ଚା, ଦୁଇ ଥର ଜଳଖିଆ ତ ଖାଇଚ। ପୁଅ ପହଞ୍ଚୁ । ତାପରେ ଏକାଠି ଖାଇବାନି । ତାହେଲେ ଲଞ୍ଚ ଆଜି ଚାରିଟାରେ ହେବ । ହେଉ ତୁମ ଦୟା । ବିଚିତ୍ରାନନ୍ଦ ନାଟକୀୟ ଶୈଳୀରେ ଗୁଣୁଗୁଣୁ ହେଉଥାନ୍ତି । ବସୁନ୍ଧରା ନଶୁଣିଲା ପରି କାର୍ଯବ୍ୟସ୍ତ । 


     ବିଚିତ୍ରାନନ୍ଦ ଓଡ଼ିଆ ସାହିତ୍ୟର ରିଟାଏର୍ଡ ପ୍ରଫେସର୍ । ତାଙ୍କ ରଚିତ ଅନେକ ଗଳ୍ପ, କବିତା, ଉପନ୍ୟାସ, ନାଟକ ବହୁ ଚର୍ଚ୍ଚିତ । ଚାକିରି ରୁ ସିନା ରିଟାଏର୍ଡ କିନ୍ତୁ ସାହିତ୍ୟ ସେବା ଅବ୍ୟାହତ ରହିଛି । ପତ୍ନୀ ବସୁନ୍ଧରା ରିଟାଏର୍ଡ କୃଷି ବିଜ୍ଞାନୀ । ଏଇ ମାସେ ହେଲା ରିଟାଏର୍ଡ କରିଛନ୍ତି । କୃଷି କ୍ଷେତ୍ରରେ ଅବଦାନ ନିମନ୍ତେ ମିଳିଛି ଅନେକ ସମ୍ମାନ, ପୁରସ୍କାର । ବିଚିତ୍ରାନନ୍ଦ ଓ ବସୁନ୍ଧରା ଙ୍କ ବାପା ପିଲାଦିନର ସାଙ୍ଗ ଥିଲେ । ବନ୍ଧୁତ୍ଵକୁ ସମ୍ପର୍କରେ ପରିଣତ କରିବାକୁ ଯାଇ ଏମାନଙ୍କ ବାହାଘର ହୋଇଥିଲା । କିନ୍ତୁ ଦୁହେଁ ଦୁଇଟି ପୋଲ । ଜଣେ ଉତ୍ତର ମୁହାଁ ମାନେ ସାହିତ୍ୟ, କଳାର ପୂଜାରୀ । ଆଉ ଜଣେ ଦକ୍ଷିଣ ମୁହାଁ ମାନେ ବିଜ୍ଞାନର ସାଧିକା । ଦୁଇ ପିତାଙ୍କ କଥା ରଖିବାକୁ ଯାଇ ପତି ପତ୍ନୀ ହେଲେ । ପରସ୍ପର ପ୍ରତି ସମ୍ମାନ ଥିଲା ସତ କିନ୍ତୁ ପରସ୍ପରର ନିଶା ଓ ପେଷାକୁ ଆକ୍ଷେପ କରାକରି ହୁଅନ୍ତି । 


    ନୂଆ ନୂଆ ବାହାଘର ପରେ ଦୁଇ ଜଣ ଅଲଗା ରହୁଥିଲେ । ଯେହେତୁ ଅଲଗା ପ୍ରଫେସନ୍ ଅଲଗା ସ୍ଥାନରେ । ଶନିବାର ରବିବାର ଦେଖା ସାକ୍ଷାତ । ସେଥିରେ ଜଣେ ଚେଙ୍ଗ ରାଶି ଜଣେ ବେଙ୍ଗ ରାଶି । ଭଲପାଇବା ପ୍ରାୟ ନଥିଲା ଦୁହିଁଙ୍କ ଭିତରେ । ଯିଏ ଯାହା ପ୍ରଫେସନ୍ ରେ ବ୍ୟସ୍ତ । ବସୁନ୍ଧରା ଙ୍କୁ ସାହିତ୍ୟ ଭଲ ଲାଗେ କିନ୍ତୁ ବିଚିତ୍ରାନନ୍ଦ ଙ୍କ ନାଟକ ଓ ଯାତ୍ରା ପାର୍ଟି ସହ ଜଡ଼ିତ ହେବା ଭଲ ଲାଗୁନଥିଲା । ବିଚିତ୍ରାନନ୍ଦ କିନ୍ତୁ ସାହିତ୍ୟ କୁ ଯେତିକି ଭଲ ପାଉଥିଲେ ରଙ୍ଗମଞ୍ଚକୁ ବି ସେତିକି ଭଲ ପାଉଥିଲେ । ପତ୍ନୀ କୁ ଛାଡି ଦେବେ ସିନା ରଙ୍ଗମଞ୍ଚକୁ ଛାଡି ପାରିବେନି ଜଣେଇ ଦେଇଥିଲେ । ଉଭୟ ପରିବାର ଟେନସନ୍ ରେ ଆସିଲେ । ଏମିତି ଜିଦି ରେ ରହିଲେ ଘରସଂସାର କେମିତି କରିବେ । ଅନେକ ବୁଝାବୁଝି ପରେ ବିଚିତ୍ରାନନ୍ଦ ଟ୍ରାନ୍ସଫର୍ ହୋଇ ବସୁନ୍ଧରା ଙ୍କ ଚାକିରି ଯାଗାକୁ ଆସିଲେ ।


    ଟଙ୍କା ପୈସାର ଅଭାବ ତ ନଥାଏ । ତେଣୁ ଘରେ ରୋଷେୟା, ଚାକର, ଡ୍ରାଇଭର୍ ସମସ୍ତେ ରହିଲେ । ଅଫିସ୍ ଓ କଲେଜରୁ ଫେରି ଉଭୟ ଦିଜଣଙ୍କ ସହ ସମୟ ବିତାଇଲେ । ଧୀରେ ଧୀରେ ପ୍ରେମ ମଧ୍ୟ ହେଲା । ବିବାହର ଦୀର୍ଘ ସାତ ବର୍ଷ ପରେ ପୁଅ ଜନ୍ମ ନେଲା ।


    ପୁଅ ଜନ୍ମ ନେବାର ଖୁସି ଯେତିକି ତାଠାରୁ ଅଧିକ ଟେନସନ୍ ପୁଅର ନାମ କଣ ରଖାଯିବ । ବିଚିତ୍ରାନନ୍ଦ ଲାଳିତ୍ୟ ଭରା ସାହିତ୍ୟିକ ନାମ ବାଛିଲେ । ବସୁନ୍ଧରା ବିଜ୍ଞାନୀ ନାମ । ଅନେକ ମତାନ୍ତର ପରେ ନାମ ରଖାଗଲା ଇନ୍ଦ୍ରଜିତ୍ । କାରଣ ଇନ୍ଦ୍ର ଆକାଶର ଅଧିପତି ପୁଣି କଳାର ପ୍ରଶଂସକ । 


   ଇନ୍ଦ୍ର ଯେତେ ଯେତେ ବଡ ହେଉଥିଲା, ତାର ବିଜ୍ଞାନ ପ୍ରତି ରୁଚି ସେତେ ଅଧିକ ହେଉଥିଲା । ବସୁନ୍ଧରା ମଧ୍ୟ ଅନେକ ବିଜ୍ଞାନ ସମ୍ବନ୍ଧୀୟ ବହି ପଢିବାକୁ ଆଣି ଦେଉଥିଲେ । ସ୍କୁଲରେ ଇନ୍ଦ୍ର ଆନୁଆଲ୍ ଫଙ୍କସନରେ ନାଟକରେ ବି ଅଭିନୟ କଲା । ସେଥିରେ ବି ସେ ବୈଜ୍ଞାନିକ ହୋଇଥିଲା । ବସୁନ୍ଧରା ମନେ ମନେ ଖୁସି ହୁଅନ୍ତି ଯେ ତାଙ୍କ ପୁଅର ତାଙ୍କ ପରି ବିଜ୍ଞାନ ରେ ରୁଚି । ତେଣୁ ଯେତେବେଳେ ତାଙ୍କ ଘରେ ସାହିତ୍ୟ ଚର୍ଚ୍ଚା ପାଇଁ ବିଚିତ୍ରାନନ୍ଦ ଙ୍କ ବନ୍ଧୁ ମାନେ ଆସିଥାନ୍ତି ସେ ପୁଅକୁ ନେଇ ବାହାରକୁ ବୁଲିବାକୁ ଚାଲି ଯାଆନ୍ତି । ଦୁଇତିନି ଘଣ୍ଟା ବାହାରେ ବୁଲି ଘରକୁ ଫେରନ୍ତି । 


    ଥରେ ବସୁନ୍ଧରା ଘରେ ନଥାନ୍ତି ଅଫିସିୟାଲ୍ ଟୁରରେ ବିଦେଶ ଗ୍ରସ୍ତ କରିଛନ୍ତି । ବିଚିତ୍ରାନନ୍ଦ ଘରେ ସାହିତ୍ୟ ଆସର ରଖିଥିଲେ । ସହରର ଅନେକ ପ୍ରବୀଣ ସାହିତ୍ୟିକ ଉପସ୍ଥିତ ହେଲେ । ସାହିତ୍ୟ ଚର୍ଚ୍ଚା ଚାଲିଥାଏ । ଇନ୍ଦ୍ରଜିତ୍ କାନରେ ସବୁ ପଡୁଥିଲା । କିନ୍ତୁ ସାଇନ୍ସ ପାଠ ପୁଣି ପରୀକ୍ଷା । ତେଣୁ ଇଚ୍ଛା ଥାଇ ବି ଶୁଣି ପାରୁ ନଥିଲା ।


    ସମୟର ସ୍ରୋତରେ ପ୍ରବାହିତ ହୋଇ ଆଜି ସେଇ ପିଲା ଇନ୍ଦ୍ର ପାଲଟିଛି ସ୍ପେଶ୍ ସାଇଣ୍ଟିଷ୍ଟ୍ ଇନ୍ଦ୍ରଜିତ୍ ସାମନ୍ତରାୟ । ଏଇ ନିକଟରେ ହୋଇଥିବା ଚନ୍ଦ୍ରାୟନ ସଫଳତାର ସେ ବି ଭାଗିଦାର । ସବୁଆଡୁ ପ୍ରଶଂସାର ସୁଅ ଛୁଟି ଆସୁଛି ବିଚିତ୍ରାନନ୍ଦ ଓ ବସୁନ୍ଧରା ଙ୍କ ପାଖକୁ । ଗର୍ବରେ ଛାତି କୁଣ୍ଢେମୋଟ ହୋଇ ଯାଉଛି । ବସୁନ୍ଧରା ଙ୍କ ସ୍ଵପ୍ନ ସତରେ ପରିଣତ ହେଇଛି । 


    ଇନ୍ଦ୍ର ଆସି ପହଞ୍ଚି ଗଲା । ବାପା ବୋଉ କୁଣ୍ଢେଇ ପକେଇଲେ । ଚନ୍ଦ୍ରାୟନ ସଫଳତା ପରେ ପ୍ରଥମ ଥର ପୁଅ ଘରକୁ ଆସିଛି । 


    ନିଉଜ୍ ଚାନେଲ୍, ମିଡିଆ ବାଲା ଆସି ଇନ୍ଦ୍ରଜିତ୍ ର ଇଣ୍ଟରଭ୍ୟୁ ନେଉଛନ୍ତି । ଆଗାମୀ ପ୍ରୋଜେକ୍ଟ ବିଷୟରେ ପଚାରୁଛନ୍ତି । ବସୁନ୍ଧରା ଙ୍କ ଖୁସି କହିଲେ ନସରେ ।


     ରିଟାଏରମେଣ୍ଟ୍ ପରେ ବିଚିତ୍ରାନନ୍ଦ ଙ୍କ ଘର ଛାତ ଉପରେ ପ୍ରତି ସପ୍ତାହରେ ସାହିତ୍ୟ ଚର୍ଚ୍ଚା ଚାଲୁଛି । ପେଷାରୁ ସିନା ନିବୃତ୍ତ ହେଲେ କିନ୍ତୁ ନିଶା ଯେ ମୃତ୍ୟୁ ପର୍ଯ୍ୟନ୍ତ ସାଥିରେ ରହିବ । ସହରର ବରିଷ୍ଠ ପ୍ରବୀଣ ସାହିତ୍ୟିକ ଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥାଏ । ଏଥରର ଚର୍ଚ୍ଚାର ବିଷୟ ଇନ୍ଦ୍ରଜିତ୍ ଓ ଚନ୍ଦ୍ରାୟନ । ଇନ୍ଦ୍ରଜିତ୍ ନୀରବେ ବସି ରହିଥାଏ । ଜ୍ଞାନୀ ଗୁଣୀଙ୍କ ମେଳରେ ବସି ମନଧ୍ୟାନ ଦେଇ ସାହିତ୍ୟ ସମ୍ବନ୍ଧରେ ଆଲୋଚନା ଶୁଣୁଥାଏ । ଶେଷରେ ମୁଁ ପଦେ ଶୁଣେଇବାକୁ ଚାହୁଁଚି ବୋଲି ଅନୁରୋଧ ରଖିଲା । ସମସ୍ତେ ଏକସ୍ଵରରେ ସ୍ଵୀକାରୋକ୍ତି ଦେଲେ । 


   ଇନ୍ଦ୍ରଜିତ୍ ଆରମ୍ଭ କଲେ-


ଆକାଶକୁ ମାପିବାକୁ ନାହିଁ ମାପକାଠି

ତଥାପି ପ୍ରୟାସରେ ଲାଗିଛୁ ଆମେ

ଦିଗବଳୟ ପାରି ଯାଇ ପାର ବୋଲି

ଦ୍ୱିତୀୟ ସ୍ରଷ୍ଟା ହୋଇଛ ଆପଣେ ।


ଓ୍ଵା ଓ୍ଵା


ବୈଜ୍ଞାନିକ ଇନ୍ଦ୍ରଜିତ୍ ଯେ କାବ୍ୟିକ ସତ୍ତାର ଅଧିକାରୀ ଆମେ ଜାଣି ନଥିଲୁ । ବିଜ୍ଞାନ ଗବେଷଣାର ସାହିତ୍ୟ ଆଉ ସାହିତ୍ୟ ଗବେଷଣାତ୍ମକ ବିଜ୍ଞାନ । ଇନ୍ଦ୍ରଜିତ୍ ଏତିକି କହିଛି କୁଣ୍ଢେଇ ଧରିଲେ ବିଚିତ୍ରାନନ୍ଦ । ବାପର କଳା ପୁଅ ପାଖେ ଅଛି ବୋଲି ସଭିଏଁ କହୁଥାନ୍ତି । 

  

    ଇନ୍ଦ୍ର ର ଅନେକ କଳା ସହ ପିଲାବେଳୁ ପରିଚିତ ଥିଲେ ବିଚିତ୍ରାନନ୍ଦ । ଡିବେଟ୍, ଏଶେ, ପେଣ୍ଟିଂ, ଅଭିନୟ, ନୃତ୍ୟ, ଖେଳ, ଭଲ ପାଠ ଏମିତି ସାତରଙ୍ଗ ଦେଖି ସାରିଥିଲେ । ଆଜି କବି ରୂପରେ ଅଷ୍ଟମ ରୂପ ସହ ପରିଚିତ ହେଲେ । ଇନ୍ଦ୍ରଜିତ୍ ବାପା ବୋଉ ଉଭୟଙ୍କ ଇଚ୍ଛା ପୂରଣ କରି ସୁପୁତ୍ର ହୋଇ ପାରିଛି । ସେଥିପାଇଁ ବାପାଙ୍କ ଘର ଓ ଅଜାଙ୍କ ଘର ସମସ୍ତେ ଆନନ୍ଦିତ ।



Rate this content
Log in

Similar oriya story from Abstract