STORYMIRROR

Padmalaya Mishra

Abstract Classics Others

3  

Padmalaya Mishra

Abstract Classics Others

ତିନି ଛକର ଭିକାରି

ତିନି ଛକର ଭିକାରି

3 mins
13


     ନନା ଚାଲିଗଲେ । ଏବେ ଶୁଦ୍ଧିକ୍ରିୟା ହେବ । ପୁଅ ବୋହୂ, ଝିଅ ଜୋଇଁ, ନାତି ନାତୁଣୀ ସମସ୍ତେ ଉପସ୍ଥିତ । ପାଖାପାଖି ନବେ ବର୍ଷ ବୟସରେ ନନା ଗଲେ । ତେଣୁ ଦିନେ ଓଳିଏ କନ୍ଦାକନ୍ଦି କରି କେମିତି ସୁରୁଖୁରୁରେ ବାରଶ୍ରାଦ୍ଧ ପର୍ଯ୍ୟନ୍ତ କାମ ହେବ ସେଇ ଚିନ୍ତା । ଯାହା ବୋଉର ଶୂନ୍ୟ କପାଳ, ରଙ୍ଗବେରଙ୍ଗ ଚୁଡି ବିହୀନ ହାତକୁ ଦେଖିଲେ ଦୁଃଖ ଲାଗୁଛି ।


    ବକ୍ତିକିଆ ଖିଆ । ଶାରୁ କଦଳୀ କଞ୍ଚା ମୁଗ ଡାଲେମା ଆଉ ଅରୁଆ ଅନ୍ନ । ବାସ୍ ଏତିକି ରନ୍ଧା । ସମସ୍ତେ ଏକାଠି କଦଳୀ ପତ୍ର ପକେଇ ବସି ଖାଉଛନ୍ତି । ଯାହା ବଳିବ ସବୁ ଗୋଟିଏ ମାଟି ହାଣ୍ଡିରେ ପୁରେଇ ନେଇ ସନ୍ଧ୍ୟା ପରେ ତିନି ଛକରେ ଥୁଆ ହେବ । ଅବଶ୍ୟ ପୂର୍ବେ ମାଟି ହାଣ୍ଡିରେ ରୋଷେଇ ହେଇ ସେଇ ହାଣ୍ଡି ଥୁଆ ହେଉଥିଲା । ଏବେ ରସ, ଷ୍ଟିଲ୍ ଯୋଉଥିରେ ହେଲେ ରନ୍ଧା ହେଉଛି, ବଳକା ତକ ମାଟି ହାଣ୍ଡିରେ ପଶି ଥୁଆ ହେଉଛି । 


    ବଡ଼ ପୁଅ ଜୀବନ ନନାଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟ କରିବ । ସେ ହିଁ ଏଇ ହାଣ୍ଡି ନେଇ ତିନି ଛକରେ ଥୋଇବ । ଆଜି ବେଳିକିଆ ଖାଇବାର ପ୍ରଥମ ଦିନ । ସମସ୍ତଙ୍କ ପାଇଁ ଏକାଠି ରୋଷେଇ ହେଇଛି । ଅନ୍ଦାଜ ପାଇଲାନି । ତେଣୁ ବହୁତ ଭାତ ଡାଲି ବଳିଛି । ମାଟିହାଣ୍ଡିଟା ଫୁଲ୍ । ଜୀବନ ସନ୍ଧ୍ୟା ପରେ ତିନି ଛକକୁ ହାଣ୍ଡି ନେଇ ଗଲେ । ସେଇ ଜାଗାଟି ପ୍ରାୟ ଅନ୍ଧାରୁଆ । ଟିକିଏ ଟିକିଏ ଡର ବି ମାଡୁଛି । କୁକୁର ଗୁଡାକ ବିକଟାଳ ରଡି କରୁଛନ୍ତି । ଲାଗୁଛି ସତେ ଯେମିତି ଏଇଠି ପ୍ରେତାତ୍ମା ର ବାସ । ଜୀବନ ଭାବିଲେ, କୁକୁର ସେ ହାଣ୍ଡିର ଖାଦ୍ୟ ଖାଇବେ । ହେଲେ ଏ କଣ ସେଇ ଅନ୍ଧାରିଆ ଗଳି ଭିତରୁ ପ୍ରେତ ପରି ଦିଶୁଥିବା ମଳିମୁଣ୍ଡିଆ ଛିଣ୍ଡା ବସ୍ତ୍ର ପିନ୍ଧିଥିବା ଲୋକଟେ ବାହାରି ଆସିଲା । ବିକଳରେ ହାଣ୍ଡିକୁ ଧରି ଖାଇବାକୁ ଲାଗିଲା । କୁକୁର ଗୁଡାକ ବି ଖାଇବେ ବୋଲି ଲସର ପସର ହେଉଥିଲେ । ତା ପେଟ ପୁରିଗଲା ପରେ ହାଣ୍ଡିକୁ ଥୋଇଲା । ତାପରେ କୁକୁର ଖାଇଲେ । 


    ଟିକିଏ ଦୂରରେ ଠିଆ ହେଇ ଜୀବନ ସବୁ ଲକ୍ଷ୍ୟ କରୁଥିଲେ । ସେଇ ବାଟ ଦେଇ ଦାମ ଭାଇନା ଯାଉଥିଲେ । ଜୀବନକୁ ଦେଖି ଅଟକି ନନା ଚାଲିଯାଇଥିବା ଖବର ପାଇଛନ୍ତି ଓ ସେଥିରେ ସେ ଦୁଃଖିତ ବୋଲି ଜଣାଇଲେ । ନନାଙ୍କ ପରି ଅମାୟିକ ମଣିଷ ମିଳିବା ଦୁର୍ଲଭ । ତାଙ୍କ ସହ ଜୀବନ କଥା ହେଉଥିଲେ ସତ କିନ୍ତୁ ସେଇ ହାଣ୍ଡି ଖିଆ ଲୋକଟା ଉପରେ ନଜର ଥାଏ । ଜୀବନର ଅନ୍ୟମନସ୍କତା ଦେଖି ଦାମ ଭାଇନା କହିଲେ, ସେଇଟା ତିନି ଛକର ଭିକାରୀ । ସହରର ଯେତେଟା ତିନି ଛକ ଅଛି ତା ଉପରେ ତାର ନଜର ଥାଏ । କାହା ଘରେ ଅଣସୁଧିଆ ହେଲେ ସେ ସେଇ ପାଖ ତିନି ଛକରେ ରହେ । ହାଣ୍ଡି ଥୁଆ ହେଲେ ଖାଏ । ଏଠୁ ସରିଗଲେ ଆଉ କୋଉ ତିନି ଛକକୁ ଯିବ । 


    ଜୀବନ ରାତିରେ ଶୋଇ ପାରିଲେନି । ନନାଙ୍କ କଥା ଯେତେ ମନେ ପଡୁନି ଅଧିକା ସେଇ ଲୋକଟା ଆଖି ଆଗରେ ନାଚି ଯାଉଛି । କୋଉ ବେଳାରେ ଜନ୍ମ ହେଇଥିଲା ଲୋକଟି କେଜାଣି ଏମିତି ଜୀବନଟେ ବଞ୍ଚୁଛି । 


    ଆଜି ଭାତ କମି ଯାଇଛି । ଜଣେ ବି ପେଟ ପୁରା ଖାଇ ପାରିବନି । ନିୟମ ଅନୁସାରେ ହାଣ୍ଡି ନେଇ ତିନି ଛକରେ ଥୋଇଲେ । ସେ ଲୋକଟି କୋଉଠି ଥିଲା ପୁଣି ଉଭା ହେଇଗଲା । ହାଣ୍ଡିରେ ହାତ ପୁରେଇ କିଛି ଖାଇଲା କିଛି କୁକୁର ମାନଙ୍କ ପାଇଁ ଛାଡିଲା । ଆଜି ଆଉ ସେ ଲୋକକୁ ଦେଖି ଜୀବନଙ୍କୁ ଡର ମାଡୁନି । ଧୀରେ ତା ପାଖକୁ ଯାଇ କହିଲେ, ନିଅ ଟଙ୍କା ନିଅ । କିଛି କିଣି ଖାଇଦେବ । ବାଲୁବାଲୁ ହେଇ ଚାହିଁ ସେ ପଳେଇଲା । ଟଙ୍କା ବି ନେଲାନି । 


    ଆଜି ନନା ଯିବାର ନ ଦିନ । ବେଳିକିଆ ଖାଇବାର ଶେଷ ଦିନ । ଜୀବନ ହାଣ୍ଡି ସହ ନିଜର କିଛି ପୁରୁଣା ଡ୍ରେସ୍ ଓ ଟଙ୍କା ନେଇ ତିନି ଛକରେ ଥୋଇଲେ । ହେଲେ ଏ କଣ ଡ୍ରେସ୍, ଟଙ୍କା ଆଡେ ଜମା ନଜର କରୁନି ଲୋକଟା । ହାଣ୍ଡିରୁ ଖାଦ୍ୟ ଖାଇଦେଇ ପଳେଇ ଗଲା । 


     ତାପରେ କେତେ ଦିନ ପର୍ଯ୍ୟନ୍ତ ସେଇ ତିନି ଛକକୁ ଜୀବନ ଗଲେ ସେଇ ସନ୍ଧ୍ୟା ସମୟରେ ହେଲେ ତାର ଆଉ ଦେଖା ନଥିଲା । ସହରର କେତେ ତିନି ଛକରେ ଖୋଜିଲେଣି ହେଲେ ପାଉ ନାହାଁନ୍ତି । 




Rate this content
Log in

Similar oriya story from Abstract