Padmalaya Mishra

Abstract Classics Inspirational

3  

Padmalaya Mishra

Abstract Classics Inspirational

ଭଡାଟିଆ

ଭଡାଟିଆ

3 mins
5



    ଓହୋ, କି ଜୀବନ ହେଲା ମଣିଷର । ଅଧାରୁ ଅଧିକ ଜୀବନ ଭଡା ଘରେ କଟିଲାଣି । ବାହାଘର ପୂର୍ବରୁ ବାପାଙ୍କ ଚାକିରି ଯାଗା ମାନଙ୍କରେ ଭଡାଘରେ ରହୁଥିଲୁ । ବାହାଘର ପରେ ସ୍ବାମୀ ସହ ଏ ଯାଗା ସେ ଯାଗା ବୁଲି ଭଡାଘରେ ରହିବାକୁ ହେଉଛି । 


   ତୃପ୍ତି ଖାଲି ଚିଡିଚିଡି ହେଉଥିଲେ । ତରୁଣ ସେମିତି ନୀରବରେ ବସି ପେପର୍ ପଢୁଥିଲେ । ଭୁବନେଶ୍ୱର ଆସିବା ପାଞ୍ଚ ବର୍ଷ ହେଲାଣି । ଚାରିଟା ଭଡାଘର ବଦଳା ହେଲାଣି । ଏଇ ମାସେ ତଳେ ଏଇ ନୂଆ ଭଡାଘରେ ପ୍ରବେଶ କରିଛନ୍ତି । ଝିଅର କଲେଜ ପାଖ, ପୁଅର ସ୍କୁଲ୍ ଅଳ୍ପ ଦୂରରେ । ତରୁଣଙ୍କ ଚାକିରି ଏମିତି ଯେ ଦୁଇ ତିନି ବର୍ଷରେ ଥରେ ଟ୍ରାନ୍ସଫର୍ । ହେଇ ଏବେ ବର୍ଷେ ହେଲାଣି ଖୋର୍ଦ୍ଧା ଟ୍ରାନ୍ସଫର୍ ହେଇ ଯାଇଛି । କିନ୍ତୁ ପିଲାଙ୍କ ପାଠ ଡିଷ୍ଟର୍ବ ନକରିବା ପାଇଁ ମା ପିଲା ଭୁବନେଶ୍ୱରରେ ରହୁଛନ୍ତି । ତରୁଣ ବାବୁ ଖୋର୍ଦ୍ଧା ଅଫିସ୍ ପାଖରେ ବଖୁରିଏ ଘର ଭଡା ନେଇ ରହୁଛନ୍ତି । ଶନିବାର ରାତିରେ ଭୁବନେଶ୍ୱର ଆସୁଛନ୍ତି, ସୋମବାର ସକାଳୁ ଯାଉଛନ୍ତି । 


    ତୃପ୍ତି ଜମା ଶାଶୁଘରେ ରହିବାକୁ ରାଜି ହେଲେନି । ପୁଅ ଝିଅ ଗାଁରେ କେମିତି ପଢିବେ ଯେ । ମୋ ପିଲେ ସହରରେ ଇଂରାଜୀ ମିଡିୟମରେ ପଢିବେ । ତେଣୁ ଏସହର ସେସହର ବୁଲିଲେ ତରୁଣ ବାବୁଙ୍କ ସହ । 


  ଏଥର ଯିଦି ଧରିଛନ୍ତି, ଭୁବନେଶ୍ୱରରେ ଯାଗା କିଣି ଘର କରିବା । ପଚାଶ ବର୍ଷକୁ ଧାପ ଦେଲେଣି । କେତେ ପରଘର ଧୁଆ ପୋଛା କରୁଥିବା । ନିଜ ଘର ଦିବଖରା କରିବା । 


   ଶେଷରେ ସେୟା ହେଲା କିଛି ଜମା ପୁଞ୍ଜି, ଆଉ ଗାଁର ଖଣ୍ଡେ ଜମି ବିକି ବିକାଶଶୀଳ ସହରର ଉପାନ୍ତରେ ଜମି କିଣା ହେଲା । ଧାଁ ଧୌଡ଼ କରି ସେଠି ଦିବଖରା ଛାତ ପଡିଲା । ଆଖପାଖ ଅଞ୍ଚଳରେ ଜନଗହଳି କମ୍ । ଶାନ୍ତ ଯାଗା । ଯଦିଓ ଭୁବନେଶ୍ୱର ତଥାପି ଡେଭେଲପ୍ ହେବାକୁ ଆହୁରି ଚାରି ଛ ବର୍ଷ ଲାଗିବ । 


    ଏବେ ନିଜ ଘରେ ରହିବା ପରେ ତୃପ୍ତିଙ୍କ ନିଶା ଲାଗିଛି ଦୁଇ ମହଲା କରିବା । ଭଡାଟିଆ ରଖିବା । ନହେଲେ ଖାଁ ଖାଁ ଲାଗୁଛି । ପୁଣି ସାମନା ଦାସ ବାବୁଙ୍କ ଘର ଉପରେ ରହି ତଳଘର ଭଡା ଦେଇଛନ୍ତି ଯେ ମାସକୁ ଦଶହଜାର ଭଡା ପାଉଛନ୍ତି । 


   ଚାରିମାସ ହେଲା ତ ଘର ତୋଳିଛେ, ହାତରେ ଟଙ୍କାଟିଏ ନାହିଁ । ଯାଉ ଦି ଚାରି ବର୍ଷ । ତାପରେ ଦେଖିବା । ସେଥିରେ ବି ତୃପ୍ତିଙ୍କ ଗରଗର । ଦେଖିବା ମାନେ ଆଉ ନୁହେଁ । ତୁମର କିଛି ଇଚ୍ଛା ନାହିଁ । ମୁଁ ପଛରେ ପଡିଲି ବୋଲି ଆମେ ଭଡା ଦେବାରୁ ମୁକ୍ତ ହେଲେ । ଏବେ ମୋ କଥା ମାନ, ଆମେ କେମିତି ଭଡା ପାଇବା ସେ ବିଷୟରେ ଚିନ୍ତା କର । 


    ପୁଣି ତୃପ୍ତିଙ୍କ କଥା ରହିଲା । ଜିପିଏଫ୍ ଟଙ୍କା, ଧାର ଉଧାର, ସୁନା ଲୋନ୍ ସବୁ ଆଣି ଉପର ମହଲା ତୋଳା ହେଲା । ତଳଘର ଭଡା ଦେବା ପାଇଁ ଟୁଲେଟ୍ ଲେଖା ହେଲା । ଏବେ ପ୍ରାୟ ପ୍ରତିଦିନ ଭଡାରେ ନେବା ପାଇଁ ଲୋକ ଆସୁଛନ୍ତି । ଘରେ ଯୁବତୀ ଝିଅ ଅଛି, ତେଣୁ ବ୍ୟାଚଲର୍ ପୁଅ ରହିବେନି । ପୁଅ ବି ଅଛି, ତେଣୁ ଝିଅ ପିଲା ବି ରହିବେନି । ଅଧିକ କୁଟୁମ୍ବ ଲୋକ ରହିଲେ ଇଲେକ୍ଟ୍ରି ପାଣି ବେଶୀ ସାରିବେ । ତେଣୁ କେବଳ ନିଉଲି ମାରେଡ୍ କପଲ୍ ନହେଲେ ଗୋଟିଏ ଛୁଆ ଥିବା ଦମ୍ପତ୍ତି ରହି ପାରିବେ । ଅନେକ ଖୋଜାଖୋଜି ପରେ ମନମୁତାବକ ଭଡାଟିଆ ମିଳିଲେ । ସ୍ଵାମୀ ସ୍ତ୍ରୀ ଓ ପାଞ୍ଚ ବର୍ଷର ପୁଅଟେ । 


    ମାସକୁ ଦଶହଜାର ଘରଭଡା ମିଳୁଛି । ତୃପ୍ତି ଏବେ ଖୁସି । ଘର ଛାଡି ମଝିରେ ମଝିରେ ଗାଁ କୁ ଗଲେ ବି ଟେନସନ୍ ନାହିଁ, ଚୋରୀ ଭୟ ନାହିଁ । ବର୍ଷଟେ ବିତିଗଲା । ଭଡାଟିଆଙ୍କ ଭଡା ବଢେଇବା କଥା ଭାବିଲା ବେଳକୁ ସେମାନେ ଡାଉନ୍ ପେମେଣ୍ଟ୍ ଦେଇ ଫ୍ଲାଟ୍ ବୁକ୍ କରି ସାରିଥିଲେ । ଯେତିକି ଭଡା ଦେଉଛନ୍ତି ଆଉ କିଛି ସେଥିରେ ମିଶେଇ ଦେଲେ ଇଏମ୍ଆଇ ଆରାମରେ ଦିଆ ହୋଇ ପାରିବ । 


    ପୁଣି ଭଡାଟିଆ ଖୋଜିବା ଅଭିଯାନ ଆରମ୍ଭ ହେଲା । ଘର ସାମନାରେ ଟୁଲେଟ୍ ଲେଖା ହେଲା ।


Rate this content
Log in

Similar oriya story from Abstract