Sudeshna Misra

Action Crime Thriller

4.7  

Sudeshna Misra

Action Crime Thriller

ଫେରାର୍

ଫେରାର୍

6 mins
761


ଦୁଇକଡେ ଲମ୍ବା ଲମ୍ବା ଶାଳଗଛ । ଶାଳବଣକୁ କାଟି ମଝିରେ ପାଉଁଶିଆ ପିଚୁ ରାସ୍ତା । ଛୁଟି ଚାଲିଛି ଏକ ନାଲି କାର୍ । କାର୍ ଭିତରେ ଆରୋହୀଙ୍କ ପଛପଟ ଝାପସା ଦିଶୁଛି । ମୁଁ ତାଙ୍କ ପଛେ ପଛେ ଅନେକ ବେଳୁ ବାଇକରେ । ଖବର ଥିଲା କେନ୍ଦ୍ରାପଡ଼ାର ଜଣେ ପୁଅ ଜଣେ ଝିଅ ସହିତ ଫେରାର ହେଇଯାଇଛନ୍ତି । 

ମତେ ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ଏସ୍.ପି.ଙ୍କ ଠାରୁ ଓ୍ବେଆରଲେସ୍ ଥିଲା ଯେ ସେ ଦୁଇଜଣ କନ୍ଧମାଳ ଜିଲ୍ଲା ଆଡେ ଯାଉଛନ୍ତି । ମୋର ଡିଟେକ୍ଟିଭ କାମରେ ରୁଚି ଥିବା ଯୋଗୁଁ ପୋଲିସକୁ ବେଳେ ବେଳେ ମୁଁ ଏହିଭଳି କାମରେ ସହାୟତା କରିଥାଏ । ଭଲକରି ଦେଖିବା ପାଇଁ, କିଛି ସମୟ ପରେ ମୁଁ କାରଟିକୁ ଅତିକ୍ରମ କରି ଆଗେଇଗଲି । ପଛକୁ ଚାହିଁ ଦେଖିବାକୁ ଚେଷ୍ଟା କଲି । କାଚରେ ଗଛଗୁଡ଼ିକର ଛାଇପଡି ଭଲ ଦିଶୁନି । ହଁ ଏବେ ଦିଶିଲା... କାରଣ ସେହି ସ୍ଥାନରେ ରାସ୍ତାର ଦୁଇକଡେ ଗଛ ନଥିଲା । 


ଦେଖିଲି ଚାଳକଙ୍କ ସିଟରେ ଜଣେ ପତଳା ହେଇ ଯୁବକ ବସି ଗାଡ଼ି ଚଲଉଛନ୍ତି । ଡ୍ରାଇଭର ପାଖ ସିଟରେ ହଳଦିଆ ସାଲଓ୍ୱାର ସୁଟ୍ ପିନ୍ଧି ବସିଛନ୍ତି, ଜଣେ ଅଳ୍ପ ବୟସ୍କ ମହିଳା । ହାତ ଦେଖେଇ ଅଟକିବାକୁ ଇଙ୍ଗିତ ଦେଲି । ଟିକେ ଆଗେଇଯାଇ ଗାଡ଼ି ସାମ୍ନାରେ ବାଇକ୍ ପାର୍କ କଲି । ମୋ ପଛରେ ଥିବା ଗାଡ଼ିଟି ସଡନ୍ ବ୍ରେକ ଦେଇ ଅଟକି ଗଲା । ମୁଁ କାର୍ ପାଖକୁ ଯାଇ ଆରୋହୀଙ୍କ ସିଟ୍ ପାଖରେ ପହଞ୍ଚି ପଚାରିବାର ଉଦ୍ୟତ କଲା ବେଳେ ଡୋରର କାଚ ବନ୍ଦ ହେଇଗଲା । ମୁଁ ଟିକେ ନକ୍ କଲି । ମୋ ସହିତ ଥିବା କନେଷ୍ଟବଳ ରାଜିବ୍ ନିଜର ପରିଚୟପତ୍ର ଦେଖାଇବାକୁ ଲାଗିଲେ । କାର ଭିତରୁ "ଆଶିକି" ସିନେମାର ଗୀତ ମୈ ଦୁନିଆ ଭୁଲାଦୁଙ୍ଗା ତେରି ଚାହତ ମୈ ଶୁଭୁଥାଏ । ହଠାତ୍ ସେ ଗାଡ଼ିଟି ଷ୍ଟାର୍ଟ ହେଇ ଚାଲିବାକୁ ଲାଗିଲା ଓ ବେଶ୍ ଜୋରରେ ପିକ୍ ଅପ ନେଇ ଆଗକୁ ଗଡିଚାଲିଲା । ଆମେ କିଛି ବୁଝିବା ଆଗରୁ କାର୍ ଆମ ପାଖରୁ ପାଞ୍ଚଶହ ମିଟର ଆଗେଇ ଯାଇଥିଲା । ଆମର ସନ୍ଦେହ ଆହୁରି ଘନିଭୂତ ହେଲା । 

 ରାଜିବ୍ ସଙ୍ଗେ ସଙ୍ଗେ ୱେଆରଲେସ୍ କଲେ । ପରବର୍ତ୍ତୀ ପୋଲିସ ଷ୍ଟେସନ ଫୁଲବାଣି । ସାର୍, ଓ ଡି ଜିରୋ ଟୁ ଏ 9211 ନାଲି ରଙ୍ଗର ଫୋର୍ଡ୍ ଗାଡ଼ି ଯାଉଛି । ତୁରନ୍ତ ଆକ୍ସନ ନେବେ । ଆମେ ବି ସଙ୍ଗେ ସଙ୍ଗେ ତା ପଛରେ ବାଇକ୍ ଷ୍ଟାର୍ଟ କରି ଚାଲିଲୁ । ପ୍ରାୟ କୋଡିଏ ମିନିଟ୍ ପରେ ଆମେ ଦେଖିବାକୁ ପାଇଲୁ ଲାଲବତୀ ବାଲା ପୋଲିସ ଗାଡି । କିନ୍ତୁ ସେ ନାଲିଗାଡି କାହିଁ । ବଡ଼ ଆଶ୍ଚର୍ଯ୍ୟ କଥା । ଆମେ ପୋଲିସ ଗାଡି ପାଖରେ ପହଞ୍ଚିଲାବେଳକୁ ଫୁଲବାଣୀ ଡିଷ୍ଟ୍ରିକ୍ଟ ହେଡକ୍ୱାଟର୍ସ ଥାନା ଓ. ଆଇ. ସି. ଆମକୁ ଆସି ପଚାରିଲେ ଗାଡ଼ି କାହିଁ । ରାଜୀବ ଓ ମୁଁ ଟେନ୍ସନରେ ଥାଉ । ହଠାତ୍ ମୋ ମୁଣ୍ଡକୁ ଜୁଟିଲା ଗାଡ଼ିଟି ମଝିରେ କେଉଁଠି ଅଟକି ଯାଇନିତ? ମୋର ମନେପଡ଼ିଲା ମଝିରେ ଗୋଟେ ଛୋଟ ଗାଁ ପରି ସ୍ଥାନ ଥିଲା ଚାରିପାଞ୍ଚଟା ଚାଳିଆ ସହ ଦୁଇ ଚାରିଟା ବଡ଼ ଦୋକାନ ଦିଶୁଥିଲା । ଆମେ ତତକ୍ଷଣାତ୍ ବାଇକ୍ ବୁଲେଇଲୁ, କିଛି ଦୂରରୁ ଦିଶିଲା ସେ ଗାଁ । ଆମେ ପାଖକୁ ଯାଇ ଖୋଜିଲୁ ସେ ଗାଡ଼ିଟି । ଆରେ, କୋଉଠି ଦିଶୁନି ତ!! 

 ମୋର ଓ ରାଜୀବର ଅନୁସନ୍ଧିତ୍ସୁ ଆଖି ଖୋଜି ବୁଲୁଥିଲା ଚାରିଆଡେ । ଠିକ୍ ଏହି ସମୟରେ ଗଛ ଆଢ଼ୁଆଳରେ ନାଲି ରଙ୍ଗ ଦିଶିଲା, ଲାଗିଲା କାରଟି ସେଇଠି ଅଛି । ଆମେ ପାଖକୁ ଯାଇ ଦେଖିଲୁ କାରର ଡୋରରେ ଚାବି ପଡ଼ିଛି ଆଉ ସେଠି କେହି ନାହାନ୍ତି । କିଛି ବେଳ ଠିଆ ହେଲୁ । ଭାବିଲୁ ମାମଲା ସଙ୍ଗୀନ୍ । ରାଜୀବ ସେତେବେଳକୁ ତା ଓ୍ବେଆରଲେସରେ ମେସେଜ୍ ଦେଇସାରିଲାଣି । କିଛି ଦୂରରୁ ଦେଖିଲୁ ହଳଦିଆ ସଲୱାର ସୁଟ୍ ପିନ୍ଧିଥିବା ମହିଳା ଜଣଙ୍କ ଆସୁଛନ୍ତି । ସେ ଆମକୁ ଦେଖିପାରିଲେ କି ନାହିଁ ଜାଣିନଥିଲୁ । କାଳେ ଦେଖିକି କାର୍ ପାଖକୁ ଆସିବେନି ଭାବି ଆମେ ସେହି ଗାଡ଼ି ପଛ ପଟେ ଲୁଚିଗଲୁ । ସେ ଆମକୁ ବୋଧହୁଏ ଦେଖିନଥିଲେ, ଆଉ ସେଇଠିକି ଆସି କାରର ଡୋର ଖୋଲି ବସିଗଲେ । ସେଇଠୁ ଆମେ ଧୀରେ ଧୀରେ ଯାଇ କାରର ଡୋର୍ ପାଖରେ ଠିଆହେଲୁ । ଆମକୁ ହଠାତ୍ ଦେଖି ସେ ଚମକି ପଡିଲେ । ଆମେ ତାଙ୍କୁ ନିର୍ଭୟ ରହିବାର ଆଶ୍ଵାସନା ଦେଇ ପଚାରିଲୁ, "ଆପଣ କୁଆଡେ ଯିବେ" ? 

  

"ଦାରିଙ୍ଗବାଡି" 

"ସାର୍ କୁଆଡେ ଗଲେକି" ? ଆମେ ଭଲ କରି ଲକ୍ଷ୍ୟ କଲୁ ତାଙ୍କୁ । 

"ଏଇ ସେ ଦୋକାନ ପାଖକୁ" ସେ କହିଲେ


ଆମେ ଦେଖିଲୁ, ସେ ମହିଳାଜାଣଙ୍କୁ ତିରିଶ ବର୍ଷ ଭିତରେ ହେବ । ହାତରେ ଶଙ୍ଖା ଓ ସିନ୍ଥିରେ ସିନ୍ଦୂର ଥିବାରୁ ବିବାହିତ ବୋଲି ମନେହେଉଥିଲେ । ପଚାରିଲୁ କେଉଁଠୁ ଆସିଲେ । 

"ଭୁବନେଶ୍ଵରରୁ" । 

ଏଇ ଭିତରେ ସେ ବ୍ୟକ୍ତିଜଣଙ୍କ ଆସି ପହଞ୍ଚିଯାଇଥିଲେ । ଆମକୁ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲେ । ଆମେ କହିଲୁ ଟିକେ ପଚାରିବାକୁ ଅଛି । ରାଜୀବ ନିଜର ପରିଚୟପତ୍ର ବଢାଇଦେଲେ ତାଙ୍କୁ । ଟିକେ ଆଶ୍ଚର୍ଯ୍ୟ ହୋଇ ସେ ଚାହିଁ କହିଲେ କଣ ପଚାରିବାକୁ ଅଛି ? 

ଆମେ କହିଲୁ ଆପଣଙ୍କ ନାମ ଆଉ କେଉଁଠୁ ଆସିଲେ । 

କାହିଁକି ପଚାରୁଛନ୍ତି ?

ଏହି ସମୟରେ ଫୁଲବାଣୀ‌ ପୋଲିସ୍ ବି ସେଠି ପହଞ୍ଚି ସାରିଥିଲେ । 

ସେ ବ୍ୟକ୍ତିଙ୍କୁ ଦେଖି ଜଣେ ଅଳ୍ପ ବୟସ୍କ ଯୁବକ ଝିଅକୁ ଧରି ଫେରାର ହେଲା ପରି ଲାଗୁନଥିଲେ । ମୋର ଏଇ ଭାବନାକୁ ମୁଁ ସେ ଫୁଲବାଣୀ ଡିଷ୍ଟ୍ରିକ୍ଟ ହେଡକ୍ୱାଟର୍ସ ଥାନା ଓ. ଆଇ. ସି.ଙ୍କ କାନରେ କହିଲି । ତେଣୁ ସେ ଟିକେ ନରମେଇକି ଆଉଥରେ ସେ ପ୍ରଶ୍ନ ଗୁଡ଼ିକ ଦୋହରାଇଲେ ତାଙ୍କୁ । ଏଥର ସେ ବ୍ୟକ୍ତି ଜଣକ ଟିକେ ଚିଡ୍ ଚିଡା ସ୍ୱରରେ କହିଲେ "ଆପଣମାନେ କଣ ପାଇଁ ମତେ ପିଛା କରୁଛନ୍ତି ଟିକେ କହିବେ କି "?

ପୋଲିସ୍ ଅଫିସର ଜଣଙ୍କ କହିଲେ " ଆମ ପାଖରେ ଅନୁସନ୍ଧାନ ପାଇଁ ଅର୍ଡର୍ ଅଛି ତେଣୁ ଆମେ ଆମର କାମ କରିବୁ " । 

"ଅଭିଯୋଗଟା ଟିକେ ଶୁଣିପାରିବି କି "? କହିଲେ ସେ ବ୍ୟକ୍ତି 

ଜଣେ ଝିଅକୁ ଅପହରଣ କରାଯାଇଥିବାର ଅଭିଯୋଗ ଅଛି । ପୁଅ ଓ ଝିଅ କେନ୍ଦ୍ରାପଡ଼ାର । ସେମାନେ ଗୋଟେ ନାଲି ରଙ୍ଗର ଫୋର୍ଡ ଗାଡ଼ି ବ୍ୟବହାର କରୁଛନ୍ତି ବୋଲି ଖବର ଥିଲା । ତେଣୁ ଆମେ ସବୁ ନାଲି ଫୋର୍ଡ କାରକୁ ତଲାସି କରୁଛୁ । ତେଣୁ ଆପଣଙ୍କୁ କିଛି ପ୍ରଶ୍ନ କରିବୁ । 

ସେ ବ୍ୟକ୍ତି ଜଣଙ୍କ ନୀଳରେ ଛୋଟ ବିନ୍ଦୁ ବିନ୍ଦୁ ପ୍ରିଣ୍ଟ ସାର୍ଟ୍ ସହ କାଜୁଆଲ୍ ଫିକା ରଙ୍ଗର ଟ୍ରାଉଜର ପିନ୍ଧିଥିଲେ । ଦେଖୁଲି ବଡ଼ ରିଷ୍ଟ୍ ୱାଚ ବାଁ ହାତ କଚଟିରେ । ସାର୍ଟ ପକେଟରେ ପେଲିକାନ୍ କଲମ । ଆଖିରେ ସନ୍ ଗ୍ଲାସେସ୍ ମୁଣ୍ଡରେ ଟୋପି । କାନ୍ଭାସ୍ ସ୍ପୋର୍ଟସ ଜୋତା । ବେଶ୍ ଷ୍ଟାଇଲିଷ୍ଟ । ପୁରା ଟୁରିଷ୍ଟ ବେଶରେ ଥିଲେ ସେ । 


ତାପରେ ଇନିସ୍ପେକ୍ଟର କିଛି ପ୍ରଶ୍ନ କଲେ । ଗୋଟିଏ ଦୁଇଟିର ଜବାବ ଦେଲାପରେ ସେ ନିଜ ପକେଟରୁ କଣ କାଗଜ ବାହାର କଲେ ଓ ପୋଲିସକୁ ଦେଖେଇଲେ । ମୁଁ ସେତେବେଳେ ତାଙ୍କ ପାଖକୁ ଆସିଯାଇଥିଲି । ସେ କାଗଜଟି ସେ ବ୍ୟକ୍ତିଙ୍କର ନିଜ ପରିଚୟପତ୍ର ଥିଲା । 


ପୋଲିସ୍ ଅଫିସର ଜଣଙ୍କ ସେ କାଗଜଟି ଧରି ପଢ଼ିଲେ । ନାଁ ଲେଖାଥିଲା ରଣଜିତ୍ କାନୁନଗୋ, ପି.ଡି, ଡି.ଆର୍.ଡି.ଏ, କେନ୍ଦ୍ରାପଡ଼ା । ସେଥିରେ ତାଙ୍କ ଫଟ ବି ଥିଲା । ତାପରେ ସେ ଭଦ୍ରବ୍ୟକ୍ତିଜଣଙ୍କ କହିଲେ "ଦେଖନ୍ତୁ ଇଏ ମୋର ଧର୍ମପତ୍ନୀ ସରିତା । ତାପରେ ନିଜ ୱାଲେଟ ଖୋଲି ଦଶବର୍ଷ ତଳର ସରିତାଙ୍କ ସହ ନିଜର ବିବାହ ବେଳର ଫଟ ଦେଖେଇ କହିଲେ ବର୍ତ୍ତମାନ ଆମେ କିଛି କାମରେ ଯାଉଛୁ ଦାରିଙ୍ଗବାଡି । ଆଉ ଏପରି ମିଥ୍ୟା ଖବରରେ ଆପଣମାନେ ଭଦ୍ର ନାଗରିକ ମାନଙ୍କୁ ହଇରାଣ କରୁଛନ୍ତି " । 

ପୋଲିସ୍ ଇନିସ୍ପେକ୍ଟର କହିଲେ, କ୍ଷମା କରିବେ, ଆମକୁ ଏ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । 

  ମତେ କିନ୍ତୁ ବହୁତ ଖରାପ ଲାଗିଥିଲା । କାରଣ ମୁଁ ଏ ମିଶନରେ ଏକ ମୁଖ୍ୟ ସ୍ଥାନ ନେଇଥିଲି । ତେଣୁ ମୁଁ ବିନମ୍ର ଭାବରେ କହିଲି ସାର୍ ମୁଁ ଓ ରାଜୀବ ଯେତେବେଳେ ଆପଣଙ୍କୁ ଅଟକେଇ ପଚାରିଲୁ, ସେତେବେଳେ ପ୍ରଥମେ ଡୋରର ଝରକା ଖୋଲିଲେ ଏହାପରେ ପୁଣି ଦ୍ରୁତ କାର୍ ଚାଳନା କରି ଚାଲିଗଲେ । ସେଥିପାଇଁ ଆମର ସନ୍ଦେହ ବଢ଼ିଗଲା । ପୁନଶ୍ଚ ମଝିରେ କାର୍ ଏଇଠି ଅଟକି ଗଲା, ତେଣୁ ଆହୁରି କିଛି ଅସୁବିଧା ଅଛି ବୋଲି ମନକୁ ଆସିଲା । 

ରଣଜିତ୍ ସାର୍ ଟିକେ ମୁରୁକି ହସି କହିଲେ " ପ୍ରଥମେ ଯେତେବେଳେ ତମେ ଅଟକେଇଲ ଆଣ୍ଟି ସୋସିଆଲ ହେଇଥିବ ବୋଲି ଭାବିଥିଲୁ, କାରଣ ଏ ଅଞ୍ଚଳ ନକ୍ସଲ ପ୍ରବଣ । କିନ୍ତୁ ଦିନ ବେଳେ ସେପରି ଲୋକ ଆସିବେନି । ତେଣୁ ପୋଲିସକୁ କିଛି ଗୁରୁତର ଘଟଣା ସମ୍ପର୍କରେ ଅନୁସନ୍ଧାନ କରିବାକୁ ଅଛି ବୋଲି ମନେହେଲା । ଆଉ ଜାଣିଚ, ଆମେ କାହିଁକି ସେ ମଝିରେ ଥିବା ଗାଆଁରେ ଅଟକିଲୁ" ? 

"ସାର୍ ଆପଣ ପୋଲିସକୁ ଆଭଏଡ କରିବା ପାଇଁ ସେଇଠି ଅଟକି ଥିବେ । " ମୁଁ କହିଲି । 

"ପାଖାପାଖି ଠିକ୍ । ପ୍ରକୃତରେ ଦୁଇଟି କାରଣ ଯୋଗୁଁ ଆମେ ସେ ଗାଆଁରେ ଅଟକିଲୁ । ଗୋଟିଏ ହେଲା ବୁଝିବା ପାଇଁ ଯେ ସେଇ ଆଖାପାଖ ଅଞ୍ଚଳରେ କିଛି ଅପରାଧ ଘଟିଛି କି? ପୋଲିସ୍ କିମ୍ବା ଆଣ୍ଟି ସୋସିଆଲ ଲୋକ ସେହି ସ୍ଥାନକୁ ଆସିବାର ଖବର ଅଛି କି ? ଦ୍ୱିତୀୟ କାରଣ ହେଲା ପୋଲିସ କେତେ ଗଭୀରକୁ ଯାଇ ତା ଅନୁସନ୍ଧାନ କାମ କରୁଛି, ତାହା ଜାଣିବାକୁ । ମୁଁ ଯେହେତୁ ନିଶ୍ଚିତ ଥିଲି ଯେ ମୋର କୌଣସି ଭୁଲ ନାହିଁ, ତେଣୁ ତୁମେମାନେ ମୋ ଗାଡ଼ି ସାମ୍ନାରୁ ହଟି କଡ଼ରେ ଆସି ଅଟକେଇବାକୁ ଚେଷ୍ଟା କଲାବେଳେ, ଗାଡ଼ି ଚାଳନା କରି ଚାଲିଆସିଲି । ଆଉ ଜାଣିଥିଲି, ସତରେ ବଡ଼ ସମସ୍ୟା ଥିଲେ ପୋଲିସ, ପରେ ନିଶ୍ଚୟ ଅଟକେଇ ପଚରା ଉଚୁରା କରିବ । ସେତେବେଳେ ସତ ହିଁ ଜଣାପଡିବ । 

କିନ୍ତୁ ମୁଁ ବୁଝିପାରୁନି ଏଭଳି ଏକ ମିଛ ଖବର ପ୍ରଚାରିତ ହେଲା କିପରି" 

"ପାଖାପାଖି ମିଛ, କିନ୍ତୁ ପୁରା ମିଛ ନୁହେଁ ସାର୍" ମୁଁ କହିଲି । "ହୁଏତ ଆପଣ କିମ୍ବା ମାଡାମ୍ ଆପଣଙ୍କର ଏ ଦାରିଙ୍ଗବାଡି ଯାତ୍ରା ସମ୍ପର୍କରେ ଫେସ୍ ବୁକ୍ ଓ ହ୍ୱାଟ୍ସଆପରେ ପୋଷ୍ଟିଂ କରିଥିବେ । ଆଉ ତାହାକୁ ଦେଖି, କେହି ଜଣେ ମଜାରେ ହେଉ ବା ବଦମାସୀ କରିବା ଉଦ୍ଦେଶ୍ୟରେ ଏହିଭଳି ଖବର ପୋଲିସକୁ ଦେଇଥୁବ" । ହଉ ସାର୍ ଆମକୁ ଭୁଲ ବୁଝିବେନି । ‌ଆପଣଙ୍କୁ ଅସୁବିଧାରେ ପକେଇଥିବାରୁ ଦୁଃଖିତ । 

ଏହି ସମୟରେ ଫୁଲବାଣୀ ଥାନା ଓ. ଆଇ. ସି. ଜଣଙ୍କ ଚାହା ମଗେଇ କହିଲେ, ସାର୍ ଟିକେ ଚାହା ପିଅନ୍ତୁ ଆଉ ଏଠିକାର ମାଣ୍ଡିଆ ପକୁଡ଼ି ଭଲ ଲାଗେ, ଚାଖିକି ଦେଖନ୍ତୁ । ରଣଜିତ୍ ସାର୍ ତାଙ୍କ ପିଠିରେ ଓ ମୋ ପିଠିରେ ହାତ ଥାପୁଡେଇ ହସି ହସି କହିଲେ," ଡୋଣ୍ଟ ଓରି, କ୍ୟାରି ଅନ୍ । ତୁମେ ନିଜର ଦାୟିତ୍ୱ ସମ୍ପାଦନ କରିଛ" । 

"ଆଉ ଅତି ଶୀଘ୍ର ମୁଁ କନ୍ଧମାଳ କଲେକ୍ଟର ହିସାବରେ ଜଏନ କରୁଛି" । 



Rate this content
Log in

Similar oriya story from Action