ସମୟ ବି ବଦଳେ
ସମୟ ବି ବଦଳେ
ନାଲି ବ୍ରାହ୍ମଣ ଝିଅ ଟିଏ । ଘରର ସାନ । ଭାଇ ଭଉଣୀ ମିଶି ତିନି ଜଣ । ଦୁଇ ଭାଇ ଉପରେ । ବାପା ପୁରୋହିତ ଥିଲା । ମା ଗୃହିଣୀ । ନାଲି ଛୋଟ ବେଳୁ କଷ୍ଟ କଣ ଭଲସେ ଜାଣିଥିଲା । ତଥାପି ଘରର ସାନ ଝିଅ ଆଦର ବି ପାଉଥିଲା ।
ସମୟ ଚକ୍ର ସହ ସେ ବି ଧିରେ ଧିରେ ବଢ଼ିଲା । ସେ ସାଙ୍ଗ ମାନଙ୍କୁ ବେଶି ଭଲ ପାଏ। ସ୍କୁଲ୍ ରେ ପଢିଲା ବେଳେ ବି ବହୁତ୍ କଷ୍ଟ କରି ପାଠ ପଢ଼େ । ଭଲ ଛାତ୍ରୀ ଟିଏ ଥିଲା ସେ । ସ୍କୁଲ୍ ରେ ଯୋଉ ଭାଷଣ ପ୍ରତିଯୋଗିତା ଆଉ ଗୀତ , ରଚନା ଲେଖା ଖେଳ କୁଦ ସବୁଥିରେ ସେ ଭାଗ ନିଏ । ଆଉ ଭଲ କରେ ମଧ୍ଯ । ଝିଅ ହିସାବରେ ହୀରା ଟିଏ। କିନ୍ତୁ ତା ଜୀବନର ସଂଘର୍ଷ ଥାଏ ଶିରା ମଧ୍ୟେ । କାହାକୁ କିଛି ନକହି ସବୁ ସହିଯାଏ । ସାଙ୍ଗ ମାନେ ଯେମିତି ତାର ଜୀଵନ ।
ସେ ସାଙ୍ଗ ମାନଙ୍କୁ ବେଶି ଭଲ ପାଏ । ଦଣ୍ଡେ ନଦେଖିଲେ ଯେମିତି ସେ ରହିପାରିବନି ସେମିତି ହୁଏ । ସେ ଯେତେବେଳେ ମାଇନର ସ୍କୁଲ୍ ରେ ଥିଲା ମୁଁ ସେତେବେଳେ ତା ତଳ ଶ୍ରେଣୀରେ ପଢ଼ୁଥିଲି । ମୁଁ ସେତେବେଳେ ତାକୁ ବହୁତ୍ ରାଗେ । ଯେତେବେଳେ ସେ ଦଶମ ମୁଁ ନବମ ସେଇ ସମୟରେ ତାର ମୋର ଭଲ ବନ୍ଧୁତା ହୁଏ । ଯେମିତି ସେ ମୋ ବୟଫ୍ରେଣ୍ଡ ମୁଁ ତା ଗଲ୍ ଫ୍ରେଣ୍ଡ । ସେ ବି ସାଙ୍ଗ ମାନଙ୍କୁ ବେଶି ଭଲପାଏ । ତାଙ୍କ ଶ୍ରେଣୀର ଆଉ ଦୁଇ ଜଣ ଦିଦି ତାର ଭଲ ସାଙ୍ଗ ଥିଲେ । ସେଇ ଭିତରୁ ଜଣେ ଦିଦି ତାକୁ ବହୁତ୍ ଭଲ ପାଆନ୍ତି । ଯେମିତି ଲଭର୍ । ସେ ତାଙ୍କ ଘରେ ଯାଇ ରହେ । ଇଏ ବି ତାଙ୍କ ଘରେ ଯାଇ ରହେ । ଚିଠି ଦିଆନିଆ । ସେତେବେଳେ ବନ୍ଧୁତା ଥିଲା ଅଲଗା ପ୍ରକାରର । ଆଉ ଏବେ ସିନା ମୋବାଇଲ୍ ଯୁଗ । ସଙ୍ଗେ ସଙ୍ଗେ ଭିଡିଓ କଲ୍ । ସେବେତ ସେଇ ଚିଠି ଥିଲା ଏକମାତ୍ର ମାଧ୍ୟମ ।
ତାର ଦଶମ ସରେ ଯୁକ୍ତ ଦୁଇ ରେ ବହୁ କଷ୍ଟ ରେ ନା ଲେଖାଏ । ତାପରେ ଟିଉସନ୍ କରି ପଢ଼େ । ଯୁକ୍ତ ଦୁଇ ସରିଲା ପରେ ସେ ଯୁକ୍ତ ତିନି କରିପାରେ ନାହିଁ । ତାପରେ ଆସେ ତା ଜୀବନର ମୋଡ । କନଭେଟ ସ୍କୁଲ୍ ରେ ସେ ପାଠ ପଢାଏ । ଟିଉସନ୍ କରେ । ସେଇଥିରେ ଯାହା ଚଳେ। ସମୟ ଦାଉ ସାଧିଲା ପରି ତା ବାପାଙ୍କ ଦେହାନ୍ତ ହୁଏ । ଭାଇ ଭଗାରି ସାଜେ । ତାକୁ ଅଲଗା କରିଦିଅନ୍ତି । ବଢ଼ିଲା ଝିଅଟା କରିବ କଣ ଭାବି ତା ବଡ ବୋଉ ତାକୁ ଆଶ୍ରୟ ଦିଏ । ଏ ଟିଉସନ୍ କରି ଯାହା ଆଣେ ସେଥିରେ ଚଳେ । ଦିନ ପରେ ଦିନ ଗତି କରେ । ସେ ବହୁତ୍ ଆସନ୍ତି ରେ ବଞ୍ଚେ । ସେ ଅନ୍ୟ ଗାଁକୁ ଟିଉସନ୍ ଯାଏ କରିବାକୁ । ସେଇ ଲୋକ ମାନେ ଗୋଟେ ପ୍ରସ୍ତାବ ଦିଅନ୍ତି ବାହାଘର ପାଇଁ । ତା ବୋଉ ବୁଝାବୁଝି କରି ଝିଅ ବାହା ଦେଇଦିଏ। ସେତିକି ରେ ବି ତା କଷଣ ସରେନି । ସେ ଶାଶୂଘରେ ବହୁତ୍ ଅଣଦେଖା ପାଏ । ଛନ୍ଦ କପଟର ଶିକାର ହୁଏ ।
କିନ୍ତୁ କଥାରେ ନାହିଁ
"ଯାହାର ମନ ଜେଡେ ତାର ପ୍ରଭୁ ତେଡେ" ।
ସେଇଆ ବି ହୁଏ । କେତେ ବର୍ଷ କଷ୍ଟ ସହିଲା ପରେ ତାର ଝିଅ ଟିଏ ହୁଏ । ସେଇ ଝିଅ ମୁହଁକୁ ଚାହିଁ ସେ ଜୀଵନ ବଞ୍ଚେ । ତା ଗେରସ୍ତ ତାକୁ ବୁଝେ ଓ ବୁଝାଏ । ଧିରେ ଧିରେ ପରିସ୍ଥିତି ଠିକ୍ ହେବାକୁ ଲାଗିଲା ବେଳେ ପୁଣି କେଁ ପସେ। ପୁଅ ଟିଏ ହେଇନି କୁଳ ରକ୍ଷା କେମିତି ହେବ । ପୁଅ ପୁଅ ବୋଲି କେତେ ଚେଷ୍ଟା କରେ । କେତେ ବର୍ଷ ପରେ ପୁଅ ଟିଏ ହେଲା । ସେ ପୁଅ ଏବେ ବଡ ହେଇ କଥା କହିବା ଶିଖିଲାଣି । ସେଇ ପୁଅ ଝିଅ ସ୍ବାମୀ ଏବେ ତାର ସମ୍ପତ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ସେଇ ମାନଙ୍କ ମୁହଁକୁ ଚାହିଁ ସେ ଏବେ ବଞ୍ଚି ଚାଲିଛି । ଯୋଉ ପିଲାବେଳ ସେ କଷ୍ଟ ସହି ହଜେଇ ଦେଇଥିଲା। ସେଇ ପିଲାବେଳ ଖୁସି ସେ ତା ଛୁଆଙ୍କ ସହ ବଞ୍ଚୁଚି । ଯୋଉ ସାଇକଲ ଖଣ୍ଡେ ଧରି ସେ ଟିଉସନ୍ ଯାଇ ପେଟ ପୋଷୁଥିଲା , ଏବେ ସେ ପ୍ରତ୍ୟେକ ବର୍ଷ କାର୍ ବଦଳାଉଚି । ସମୟ ବି ବଦଳେ । ଆଉ ମଣିଷ କଷଣ ବି ବଦଳେ ।
ବି: ଦ୍ର:- "ଜୀବନର ସଂଘର୍ଷ ବି ଆମକୁ ମଣିଷ ଚିହ୍ନିବା ଶିଖାଏ । ଆଉ ଯିଏ ପ୍ରକୃତ ସାଥୀ ସେ ସବୁଦିନ ସାଥୀ ହେଇ ରହେ । ଆଉ ଯିଏ ସ୍ୱାର୍ଥର ସାଥୀ ସେ ବିପଦ ଦେଖିଲେ ଚାଲିଯାଏ ।"

