କୁନି ଝିଅ
କୁନି ଝିଅ


ଦିନ ରାତି ଚବିଶ ଘଣ୍ଟା । କିନ୍ତୁ ଆଜି ଘଣ୍ଟା କଣ୍ଟା ଟା ବୋଧେ ବୁଲୁନି । ଗୋଟେ ଦିନ ଯେପରି ବର୍ଷେ ପରି ଲାଗିଲାଣି ସୁନାକୁ । ନା ଦିନ ଗଡି ସଞ୍ଜ ହଉଛି , ନା ତା ବାପାଙ୍କ ଫଟ ଫଟିଆ ଲୁନାଟାର ଶଦ୍ଦ ଶୁଭୁଚି । ଘରେ ବାପା ଝିଅ ଦି ଜଣ । ଆଉ କେହି ନାହିଁ । ବାପା ନଆସିବାରୁ ସୁନାକୁ ଭାରି ଚିନ୍ତା ଲାଗୁଛି । ସେଇ ସମୟରେ କେହି ଜଣେ ପଛରୁ ଆସି ତା କାନ୍ଧ ଉପରେ ହାତ ପକେଇ କହୁଛି ଆରେ ମା କଣ ଖୋଜୁଛି କି ?? ସୁନା ସଙ୍ଗେ ସଙ୍ଗେ ପଛକୁ ବୁଲି ଚାହେଁ । କିଏ ଇଏ ?? ଦେଖେ ତା ବାପା ରାମ ଦାସ । ହେଲେ ସେ କେମିତି ଆସିଲେ ? ଘର କବାଟ ତ ଖୋଲା ହେଇନି । ବାଡି ପଛ କବାଟ ବି ବନ୍ଦ , କିନ୍ତୁ ବାପା କେମିତି ଆସିଲେ । କଣ ଭାବୁଛୁ କି ମା? ନାଇ ବାପା କବାଟ ତ ବନ୍ଦ ତମେ କେମିତି ଭିତରକୁ ଆସିଲ ? ଆରେ ମା ମୋ ପାଇଁ କଣ କୋଉ କବାଟ ଝରକା ଲୋଡା ,ମୋ ଝିଅ ପାଖକୁ ଆସିବାକୁ । ତୁ ପରା ମୋ ବିଶ୍ଵ ଯିଏ ମୋ ଭିତରେ ଅଛି । ହଉ ଚାଲ୍ ଖାଇବା । ମୋ ଝିଅକୁ ଭୋକ ଲାଗୁଥିବ । ହଁ ବାପା ଯୋରେ ଭୋକ । ରୁହ ମୁଁ ଖାଇବା ବାଢୁଛି କହି ରୋଷେଇ ଘର ଭିତରୁ ଯାଇ ଖାଇବା ଆଣେ ପଖାଳ ଭାତ, ବାଇଗଣ ପୋଡ଼ା , ବଡି ଚୁରା , ବାଡି କୁନ୍ଦୁରି ଭଜା , ବୋଇତାଳୁ ଫୁଲ ଭଜା । ସବୁ ବାଢି ଆସନ ପକାଇ ଲୁଣ, ଲଙ୍କା , ରସୁଣ, ଧନିଆ ପତ୍ର ରଖି ବସିପଡିଚି। କହିଲା ବାପା ବସ । ଭୋକ ଜୋରରେ ହେଲାଣି । ବାପା ସେଇ ଚଟେଇରେ ବସିଛି । ସୁନା ତାର ଭାତ ପୁରା ଖୁସିରେ ପାଗ କରି ଖାଇଚାଲିଚି । ମହକି ଯାଉଛି ବାସ୍ନା ପାଗର । କିନ୍ତୁ ବାପା ତମେ ଖାଉନ କଣ ପାଇଁ । ମୋ ଝିଅ ପେଟ ପୁରେଇ ଖାଇ ସାରୁ ତାପରେ ମୁଁ ଖାଇବି । ଖାଇସାରି ସୁନା ହାକୁଟି ମାରେ କହେ ବାପା ଆଜି ପୁରା ବଢିଆ ଲାଗିଲା ଖାଇବା ।
ବାହାର ପଟରୁ କବାଟ ଠକ୍ ଠକ୍ ଶୁଭିଲା । କାନେଇ ଶୁଣିଲା । କହିଲା ବାପା ତୁମେ ଖାଉଥାଅ କିଏ ଡାକୁଚି ମୁଁ ଶୁଣିଦେଇ ଆସେ । କହି ହାତ ଧୋଇ ଦଉଡି ଗଲା ଦାଣ୍ଡ ପଟ କବାଟ ଖୋଲିବାକୁ । କବାଟ ଖୋଲି ଦେଖେ ତ ଲୋକ ମେଞ୍ଚାଏ । କଣ ହେଇଛି ? ଲୋକ ଏତେ କଣ ଆମ ଘର ସାମ୍ନାରେ । ସମସ୍ତେ ତାକୁ ଚାତକ ପରି ଚାହିଁଛନ୍ତି । ବାପା ଏଠି କଣ ଏତେ ଲୋକ ଅଛନ୍ତି ଆସ ଦେଖିବ । ତମକୁ ଖୋଜୁଛନ୍ତି ବୋଧେ । ସମସ୍ତଙ୍କ ଆଖିର ଲୁହ ଜକେଇ ଆସିଲା ସୁନାକୁ ଦେଖି । ସୁନା ବାପା ବାପା ବାପା କହି ଘର ଭିତରକୁ ଦଉଡ଼ି ଗଲା । ଦେଖିଲା ସେଠି କେହି ନାହାନ୍ତି । ବାପା ବାପା କୁଆଡେ ଗଲ । କେତେ ଲୋକ ଦେଖ ଆମ ଘର ଦୁଆରେ ଏକାଠି ହେଇଛନ୍ତି ।
କୁଆଡେ କିଛି ଖୋଜ ଖବର ପାଇଲା ନାହିଁ ତା ବାପାର । ତାଙ୍କ ଘର ପାଖ ନେତି ମାଉସୀ ଆସି ସୁନାକୁ ଜାବୁଡ଼ି ଧରି କାନ୍ଦିବାରେ ଲାଗିଲା । କହିଲା ମା ଲୋ ତୋ ବାପା ଆଉ ନାହିଁ । ସେ ଆର ପାରିକୁ ଚାଲିଗଲା । କଣ ଇଆଡୁ ସିଆଡୁ କହୁଚୁ ନେତି ମାଉସୀ । ମୋ ବାପା ତୋ ସହ ଥଟ୍ଟା ତାମସା କରେ ବୋଲି କଣ ତୁ ମୋ ବାପା ମରିଯାଇଛି ବୋଲି କହିବୁ । ତା କଥା ଶୁଣି ସବୁ ଲୋକଙ୍କ ମନରେ କୋହର ଛାୟା ଖେଳିଗଲା। ସମସ୍ତେ ଆଡେଇ ହେଇଗଲେ । ଲୁନାଟା ଭାଙ୍ଗି ରୁଜି ଚୂର୍ ମାର୍ ହେଇଯାଇଛି । ଆଉ ସେଇଟି ଗୋଟିଏ ଲୋକ ସୋଇଛି । କିଏ ସେ ଭାବି ଦଉଡି ଗଲା ସେଠିକି କହିଲା କିଏ ଇଏ ଆମ ଘର ସାମ୍ନାରେ କାଇଁ ସୋଇଛି । ସମସ୍ତେ ତାକୁ ସାନ୍ତ୍ଵନା ଦେଉଛନ୍ତି । ମାଆ ରେ ସେ ତୋ ବାପା । କିଏ କହିଲା ମୋ ବାପା ବୋଲି । ଏଇ ଏବେ ଏବେ ତ ମୋ ବାପା ମୋ ସହ ବସି ଖାଇଥିଲେ । ଆଉ ମୁଁ ପେଟ ପୁରା ଖାଇଲି । ଚାଲୁନ ଦେଖିବ ଘରେ ବାସନ ପଡ଼ିଛି । ସମସ୍ତଙ୍କ ଅନ୍ତର ଆତ୍ମା ଫାଟି ପଡ଼ୁଚି । ଆଖିର ଲୁହ ବୋଲ ନମାନି ଝରି ପଡୁଛି । କେମିତି ବୁଝେଇବେ ସେ କୁନି ଝିଅକୁ , ଯେ ତା ବାପା ଜୀବିତ ବୋଲି କହି ଚାଲିଛି । ଦଲକାଏ ପବନ ବୋହିଗଲା ସୁନା କାନରେ କହିଗଲା ମା'ରେ ତୁ ପରା ମୋ ଭିତରେ ଥିବା ବିଶ୍ଵ , ଆଉ ମୁଁ କଣ ଅଛି ନିଶ୍ୱ । ମୁଁ ତୋ ସାଥିରେ ପ୍ରତ୍ୟେକ ମୁହୂର୍ତ୍ତରେ ଅଛି , ଆଉ ରହିଥିବି ମଧ୍ଯ । କେବେ ନିଜକୁ ଏକା ଭାବିବୁନି । ତୋ ବାପା ତୋ ଭିତରେ ଅଛି ତୋ ବିଶ୍ଵ ହେଇ ଆଉ ତତେ ତା ଭିତରେ ବିଶ୍ଵ କରାଇ । ପବନରେ ରାମ ଦାସ ମୁହଁରୁ କପଡାଟା ଖୋଲିଗଲା । ବାପାକୁ ଏମିତି ଅବସ୍ଥାରେ ଦେଖି ସୁନା ମୂର୍ଝା ହେଇଗଲା । ସୁନାକୁ ଚେତାକୁ ଆଣି ରାମ ଦାସର କ୍ରିୟା କର୍ମ କରେଇଲେ ଗାଁ ଲୋକେ । ସୁନା ଯେପରି ହଜି ଯାଇଛି କୋଉ ଦୁନିଆଁରେ । ଯେମିତି ସେ ତା ବାପାର ବିଶ୍ଵ ହେଇ ମଧ୍ଯ ନିଶ୍ବ ସଜିଯାଇଛି । ହରାଇ ବସିଛି ନିଜର ଅହେତୁକ ଚପଳାମୀ ଆଉ ଆତ୍ମବିଶ୍ୱାସ ।
ତା ବାପା ଆସି କହୁଛି ଆରେ ମା ଏତେ ଭାଙ୍ଗି ପଡିଲେ ହେବ ତତେ ଶକ୍ତ ହେଇ ବଞ୍ଚିବାକୁ ହେବ ନହେଲେ ଏ ସାରା ବ୍ରହ୍ମାଣ୍ଡ ତୋ ଉପରେ ରାଜତ୍ଵ କରିବାକୁ ଲାଗିବ ।
କିଛି ବର୍ଷ ପରେ ସୁନା ନିଜର ନୂଆ ପରିଚୟ ଗଢ଼ିବସେ । ସମସ୍ତଙ୍କ ପାଖେ ପରିଚିତ ହୁଏ ସମାଜସେବୀ "ସୁନା ଦେଇ" । ତାପରି ଦୁନିଆଁରେ କେହି ନାହିଁ । ସେ ଗୋଟେ ଅନାଥ ଆଶ୍ରମ ଖୋଲି ଅନାଥ ଛୁଆଙ୍କୁ ଆଣି ଲାଳନ ପାଳନ କରେ ଯାହାର ନା "କୁନି ଝିଅ, ମୋ ଭିତରର ବିଶ୍ଵ " । ସେଇ ପରିଚୟ ତାକୁ ଆନନ୍ଦ ଦିଏ । ଆଉ ଅନାଥ ଛୁଆ ମାନଙ୍କ ସଙ୍ଗେ ସେ ତା ଜୀବନ ଖୁସି ଖୁସିରେ କାଟି ଦିଏ ।
ବି: ଦ୍ର:- ଜୀଵନରେ ବଞ୍ଚିବାକୁ ହେଲେ ଏକୁଟିଆ ବି ବଞ୍ଚି ହେବ , କିନ୍ତୁ ସମସ୍ତେ ଥାଇ ମଧ୍ୟ ଯଦି ଆତ୍ମବିଶ୍ବାସ ଓ ଆତ୍ମସମ୍ମାନ ନଥିବ ସେ ଜୀଵନ ଥାଇ ମଧ୍ୟ ମୃତ ବୋଲି ପ୍ରତୀତ ହେବ । ଏଇ ତ ଦୁନିଆଁ , ଏଠି ଏବେ ଜୀବନ କ୍ଷଣସ୍ଥାୟୀ। ନିଜ ଭିତରେ ନିଜକୁ ଖୋଜି ପାରିଲେ ବଞ୍ଚି ପାରିବ ବିଶ୍ଵକୁ ନିଶ୍ୱ ଭିତରେ ଆପଣାଇ । ତୃଟି ଥିଲେ କ୍ଷମା ଦେବେ ।