Rekharani Sahu

Tragedy Others

4  

Rekharani Sahu

Tragedy Others

ମଉଳା ଫୁଲ

ମଉଳା ଫୁଲ

4 mins
226


  

     ପ୍ରତ୍ୟେକ ଦିନ ଫୁଲଟିଏ ଫୁଟେ । ସେଇ ଗୋଟିଏ ଆଶାରେ କି ସେ ଭଗବାନ ଙ୍କ ପାଦ ପଦ୍ମରେ ଲାଗି ତା ଜୀବନ କୁ ଧନ୍ୟ କରିବ । କିନ୍ତୁ ସେ ଅପେକ୍ଷାର କେବେ ଅନ୍ତ ଘଟିବ ସେ ଜାଣିନଥାଏ । କେବେ ସଦ୍ୟଜାତ ଫୁଲ ହେଇ ସେ ଦିଅଁଙ୍କ ପାଖେ ପୂଜା ପାଏ, ପୁଣି କେବେ ସେ ମଉଳି ଯାଏ ମଉଳା ଫୁଲ ଟିଏ ହେଇ । ଶୀତ ଦିନର ପତ୍ରଝଡ଼ା ର ସମୟ ପରି ଜୀଵନ ଚକ୍ର ବି ସଭିଙ୍କ ଜୀବନରେ ଘଟି ଚାଲେ । ଏମିତି କିଛି ଘଟିଥିଲା ମୋର ଏକ ବନ୍ଧୁ ସହ ।

ଚାଲ ଫେରିଯିବା ପୁରୁଣା ଦିନକୁ । ସେଇ ଦିନରେ ଖୋଜି ବୁଲିବା ପୁରୁଣା ସ୍ମୃତିକୁ । ଆଉ ପତ୍ରଝଡ଼ା ର ସମୟ ସହ ମଉଳା ଫୁଲ ସହ ପରିଚିତ ହେବା ।

   ଛୋଟ ବେଳୁ ସାଙ୍ଗ ହେଇ ଦୁହେଁ ବଢ଼ିଥିଲୁ । ମୁଁ ଆଉ କାଳିଆ । ଆମ ଘର ପାଖରେ ତାଙ୍କ ଘର । ଆମ ସାହି ରେ ଆମେ ତିନି ଚାରି ଜଣ ଝିଅ ଆଉ ସେ ମିଶି ସାଙ୍ଗ ହଉ । କଣ୍ଢେଇ ଖେଳ ଖେଳୁ । ବୋହୁ ବୋହୁକା ଖେଳୁ । ସମସ୍ତେ ତାକୁ କାହ୍ନୁ ବୋଲି କହନ୍ତି ଆଉ ଆମକୁ ଗୋପୀ । ବହୁତ୍ ସୁନ୍ଦର୍ ଭାବେ ପିଲାବେଳ କଟିଯାଏ । ପାଠ ପଢ଼ା ପାଇଁ ମୁଁ ବ୍ୟସ୍ତ ରହେ । ସେ ଏତେ ଭଲ ପଢେନି କିନ୍ତୁ ଆଉ ସବୁ କାମରେ ପାରଙ୍ଗମ । ସଭିଙ୍କ ପ୍ରିୟ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁଁ ଆମ ଦାଣ୍ଡ ପିଣ୍ଡାରେ ବସି ପଢିଲା ବେଳେ ସେ ତାଙ୍କ ପିଣ୍ଡାରେ ବସି କହେ କେତେ ପଢ଼ୁଛୁ ଲୋ । ମୁଁ କହେ କଣ କରିବା ପଢ଼ିବାକୁ ପଡିବ ନହେଲେ ପିଠି ରେ ମାଡ଼ ତ ନୁହେଁ କାନ ରେ ଯୋଉ କଟାକ୍ଷ ପଡ଼ିବ ଆଉ ତା ମୋ ପାଖେ ଅସହ୍ୟ ହୋଇଯିବ । ସେ ହସିଦେଇ ତା କାମ କରେ । ମୁଁ ମୋ ପାଠ ପଢ଼େ । ଏମିତି ପାଠ ପଢା କଲେଜ ସମୟ ଯାଏ ଯୁକ୍ତ ଦୁଇ । ସେ ରୋଜଗାର ପାଇଁ କେବେ ଚାଷ କାମ ତ କେବେ ଗାଡ଼ି ରେ ଯାଏ ହେଲ୍ପର ହୋଇ ।

"ରୋଜଗାର ନହେଲେ କିପରି ପେଟ ପୋଷିବ

ସେଥିପାଇଁ ତ ଜୀବନ ଜୀବିକା କରିବାକୁ ପଡ଼ିବ ।"

ତାପରେ ମୁଁ ଅଧିକା ପଢ଼ିବା ପାଇଁ ଭୁବନେଶ୍ବର ପଳାଏ । ସେଠି କୋଚିଙ୍ଗ ସରିଲା ପରେ , ମୁଁ ବାଲେଶ୍ଵର ରେ ଇଞ୍ଜିନିୟରିଂ କରିବାକୁ ପଳେଇଲି । ଅଲଗା ସାଙ୍ଗ ମାନେ କେତେ ବାହା ହେଇଗଲେ । ଆଉ ଗୋଟେ ସାଙ୍ଗ ଚୁମକି ଥିଲା ତାର ନିର୍ବନ୍ଧ କୁ ମୁଁ ଘରକୁ ଆସିଥିଲି । ସେବେ ହିଁ କାଳିଆ ସହ ଦେଖା ହେଇଥିଲା । ତାପରେ ମୁଁ ପରୀକ୍ଷା ଥିବାରୁ ମୁଁ ମେସ୍ କୁ ପଳେଇଲି । କିଛିଦିନ ପରେ ଅଷ୍ଟମୀ ପଡେ । ପରୀକ୍ଷା ଥାଏ ବୋଲି ମୋ ବଡ଼ ଭାଇ, ବଡ ଭିଣେଇ ମୋ ପାଖକୁ ଯାଇଥାନ୍ତି । ମୁଁ କହିଲି ଭାଇ ମୁଁ ଘରକୁ ଯିବି ସେ ମନାକଲା । ତେଣୁ ମୁଁ ମନ ଦୁଃଖ କରି ରହି ଯାଏ ଆଉ ପରୀକ୍ଷା ସରିବା ପରେ ଆମର ପନ୍ଦର ଦିନ ପାଇଁ ଛୁଟି ହୁଏ । ଆଗାମୀ ସେମିଷ୍ଟର ଆରମ୍ଭ ପୂର୍ବରୁ । ମୁଁ ସେଇ ଛୁଟି ରେ ଘରକୁ ଆସିଥିଲି । ମୋ ମା ରୋଷେଇ କରୁଥିଲା । ମୁଁ କହିଲି ମା ମୁଁ ସାହି ଆଡେ ବୁଲି ଯାଉଛି । ମା କହିଲା ତୁ ଗଲେ କାଳିଆ କଥା କାହାକୁ ପଚାରିବୁନି। ମୁଁ କହିଲି କାହିଁକି ? ସେ କହିଲା ସେ ନାହିଁ । ମୁଁ ଭାବିଲି ବୟସ ବଢିବା ସହ ସେ ବି ବୋଧେ ବଦମାସୀ କରି କୋଉ ଝିଅ କୁ ନେଇ ପଳେଇଚି ବୋଧେ । ଟିକେ ସମୟ ପରେ ପଚାରିଲି କାଇଁ କଣ ହେଇଛି ତୁ କହୁନୁ । କହିଲା ସେ ମରିଯାଇଛି। ମୁଁ କହିଲି କଣ? କଣ କହୁଛୁ ? କେମିତି ହେଲା ? ସେ କହିଲା ଗାଡ଼ି ଚଢ଼ି ଯାଇଥିଲା , ତା ଅନ୍ତବୁଜୁଳା ବାହାରି ଯାଇଥିଲା । ମୁଁ ସ୍ଥାଣୁ ପାଲଟିଗଲି । ମୁଁ ଆଉ ସାହି ବୁଲି ଗଲିନାହିଁ । କିନ୍ତୁ ମୁଁ ମୋ ସାଙ୍ଗ ଚୁମୁକି ଘରକୁ ଗଲି । ସେଠି ଯାଇ ତାକୁ ପଚାରିଲି । ସେ କହିଲା ଆଲୋ ମୁଁ ସେଦିନ ଟିଅଲରେ ପାଣି ମାରୁଥିଲି । ସେ ଏଇ ପଟେ ଗଲା କହିଲା ଦେ ଗୋଟେ ବାଣ ଟେ ଫୁଟେଇ ଦିଏ ତୋ ବାହାଘରରେ ଫୁଟେଇ ପାରିବି କି ନାହିଁ କହି ବାଣ ଫୁଟାଇ ଗଲା । ସଂଧ୍ୟା ବେଳେ ଶୁଣିବାକୁ ମିଳିଲା ତା ଉପରେ ଗାଡ଼ି ଚଢ଼ି ସେ ମେଡିକାଲ ରେ ଥିଲା ଆଉ ତାର ସେଇଠି ମୃତ୍ୟୁ ହେଇଗଲା । ସବୁ ଶୁଣି ମୋ ଦେହ ଥରି ଉଠିଲା। ମୋ ଛୋଟ ବେଳର ସାଙ୍ଗ ସେ " ପତ୍ରଝଡ଼ା ର ସମୟ " ସହ ସାଜି ଯାଇଛି "ମଉଳା ଫୁଲ"। ମନ ଦୁଃଖରେ ଘରକୁ ଫେରେ । ଆସିଲାବେଳେ ତା ମା ମତେ ଦେଖେ ଭୋ ଭୋ ହେଇ କାନ୍ଦେ । କିନ୍ତୁ କଣ କହିବି ... କଣ କହି ବୋଧ କରିବି ବୁଝିପାରେନା । କିଛି ଭଲ ଲାଗେନା, ଛୋଟ ବେଳ କଥା ମନେ ପଡେ । କେତେ ସ୍ମୃତି ଭାସିବୁଲେ ଆଖି ଆଗରେ । କିଛି ଉପାୟ ନପାଇ ଚୁପ୍ ରହେ। ଆଖିରୁ ଲୁହ ସବୁ ବହିଯାଏ । ତାପରେ ଘରକୁ ଫେରେ । ଯେମିତି ଲାଗେ ଜୀବନ ର ଗୋଟେ ଅମୂଲ୍ୟ ବନ୍ଧୁ ହରାଇ ଦେଲି।

    ନଈ କୁ ଗଲେ ମୁଁ ତୋଟା ଆଡେ ଚାହେଁ । ମନେ ମନେ କହେ କାସ୍ ତତେ ଥରେ ଦେଖିପାରିଥାନ୍ତି । କିନ୍ତୁ ସେ ଫୁଲ ଯେ ମଉଳି ଯାଇଛି ସେ କଣ ସଦ୍ୟ ହେଇ ଗଛରେ ସୁନ୍ଦର ଦିଶି ପାରିବ ?... ନା ଦିଅଁ ଚରଣ ରେ ଲାଗି ପୂଜା ହେଇ ଆତ୍ମ ସନ୍ତୋଷ ପାଇବ? ଏମିତି ହିଁ ଜୀବନ ଏମିତି ହିଁ ସଂପର୍କ ଯାହା ସବୁଦିନ ପାଇଁ ସ୍ମୃତି ହେଇ ମାନସପଟରେ ସାଇତା ହେଇ ରହିବ ...।


ବି: ଦ୍ର- ସବୁ ସମ୍ପର୍କ କୁ ଆତ୍ମୀୟତା ସହ ରଖିବା ଉଚିତ୍ କିଏ ଜାଣେ କେତେବେଳେ କାହାର କଣ ହେବ ଆଉ କିଏ ମଉଳା ଫୁଲ ହେଇ ମଉଳି ଯିବ ଆଉ କିଏ ଝୁରି ଝୁରି ଦିନ କାଟିବ । ପ୍ରତ୍ୟେକ ସମ୍ପର୍କ ଅମୂଲ୍ୟ କେବେ ମୂଲ୍ୟ ସହ ତୁଳନା ନକରି ରହିବା ଭଲ । ଏମିତିରେ ଉତ୍ତମ ସଂପର୍କ ଗଢି ଉଠେ ।



Rate this content
Log in

Similar oriya story from Tragedy