Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Soumya Shubhadarshinee

Romance


3  

Soumya Shubhadarshinee

Romance


ଶୁଭ ଖବର

ଶୁଭ ଖବର

8 mins 574 8 mins 574

ପ୍ରତୀକ୍ଷାର ଅନୁଭବ କେମିତି ବୁଝେଇ ହେବନି। ଶବ୍ଦ କମ ପଡିଯିବ। କେତେ ଯେ ବ୍ୟାକୁଳତା ଓଃ!.....

★★★★★★

ପ୍ରତ୍ୟକ ଷ୍ଟେସନ , ଆସିବା କ୍ଷଣୀ ହୃଦସ୍ପନ୍ଦନ ବଢି ଯାଉଥାଏ ଅଂଶୁର। କେମିତି ଗୋଟେ ବିହ୍ଵଳିତ ଭାବ ଆବୋରି ନେଉଥାଏ ସାରା ସତ୍ତା। ଆରେ ଅଛି ପାଖରେ ରୁଟ୍ ଚାଟ୍ , କେତେବେଳେ କେଉଁ ଷ୍ଟେସନ ଆସିବ ଜଣା ଅଛି । କିନ୍ତୁ ସେସବୁ ଦେଖିବାକୁ ଇଛା ନାହିଁ ଜମା। ସେଇ ନିର୍ଜୀବ କାଗଜ ଖଣ୍ଡକ ଚାରି ଭାଙ୍ଗ ହେଇ ଶୋଇଛି ପକେଟ୍ ରେ। ଆଉ ମନ ଉଡୁଛି ଶୂନ୍ୟ ଶୂନ୍ୟ ମହାଶୂନ୍ୟରେ। ହଜାରେ ପଙ୍ଖ ଲାଗିଯାଇଛି ଯେମିତି। ପୂରା ସୁପର ସୋନିକ୍ ସ୍ପୀଡ୍!!

ବହୁତ ଭାବି ଚିନ୍ତି ଫୋନ୍ କଲା ସେ ! ଭୟ , ସଂଶୟ, ଉତ୍ସାହ , ଆନନ୍ଦ ସବୁର ଫେଣ୍ଟା ଫେଣ୍ଟି ଅନୁଭବ ଥିଲା ତା' ଭିତରେ। କାଳେ କିଛି ଅଘଟଣ ଘଟିବ। ପ୍ରେମୀ ମନ ସବୁବେଳେ ଏମିତି ବଡ଼ ବିକଳ। କେବେ କିଛି ଜୋର ଦେଇ କହିବାର ଜୁ ନଥାଏ। ତା' ନୁହେଁ ତ ଆଉ କ'ଣ ! ଫୋନ୍ କରିବାର ସ୍ୱାଧୀନତା ବି ମିଳେନି। ନିର୍ଦ୍ଧିଷ୍ଟ ସମୟ ନିର୍ଦ୍ଧାରିତ ହୁଏ ଆଉ କେବଳ ସେଇ ମହାର୍ଘ୍ୟ ମୁହୂର୍ତ୍ତରେ ହିଁ ଶୁଣିବାକୁ ମିଳେ ଇପ୍ସିତର ସ୍ୱର। ସେଥିରୁ ବ୍ୟତିକ୍ରମ ହେଲେ ଅସୁବିଧା । ଅପ୍ରତ୍ୟାଶିତ ଦୁର୍ଘଟଣା ଘଟିବାର ସବୁଜ ସଙ୍କେତ ମିଳିଯାଏ । ଆଉ ଯଦି ସେମିତି ହେଲା ତେବେ କଥା ସରିଲା। ସ୍ନେହା ଏମିତି ଗାଳି ଦିଏ ବାପରେ !!

- '' ତୁମ ମୁଣ୍ଡ ଅଛି? ଆରେ ଶୁଭୁନି କି ପଚାରୁଛି ପା' ଅଛି ତୁମ ମୁଣ୍ଡ????

ଏଇ ପ୍ରଶ୍ନଟା ଘୋଷି ପକେଇଛି ଅଂଶୁ କାରଣ ହଜାରେରୁ ଅଧିକ ଥର ଶୁଣି ସରିଲାଣି ସେ । ଆଉ ଯେବେ ସ୍ନେହା ଏ ପ୍ରଶ୍ନ କରିବ ଉତ୍ତର କେବଳ ନୀରବତା। ଉଁ କି ଚୁଁ କହିବାର ନାହିଁ ଜମା। ଏପରି କି ମୁହଁରେ ବି କୌଣସି ଭାବ ଆଣିବାର ନାହିଁ। ଆଖି ଉଠେଇ ଦେଖିବାର ପ୍ରଶ୍ନ ଉଠୁନି। କେବଳ ଚୋର ଭଳି ମୁହଁ ପୋତି ଚୁପ ରହିବାର ଅଛି।

ଆଗରୁ ଅଂଶୁ ଏକ୍ସପ୍ଲାନେସନ୍ ଦେବାର ଅପଚେଷ୍ଟା କରୁଥିଲା । ବହୁତ ବୁଝେଇବାକୁ ଚେଷ୍ଟା କରୁଥିଲା। କିନ୍ତୁ ସବୁବେଳେ ଯେତେ ଯାହା କହିଲେବି ବୁଝେଇ ହୁଏନି ସ୍ନେହାକୁ । ଅଧିକନ୍ତୁ ସେ ଆହୁରି ଆହୁରି ରାଗେ, କଥା ହୁଏନି , ଫୋନ୍ ଉଠାଏନି, ଜମାରୁ ଭେଟିବାକୁ ଆସେନି। ଅଂଶୁବି ଆଗରୁ ରାଗୁଥିଲା ସ୍ନେହାର ଏ ଅବୁଝା ପଣ ପାଇଁ। ଆଉ ଦୁଇଜଣ ବେକାର କାରଣରୁ ମନ ଫଟା ଫଟି ହେଇ କିଛି ସୁନ୍ଦର ସମୟ ନଷ୍ଟ କରି ଦେଉଥିଲେ।

ଧୀରେ ଧୀରେ କିନ୍ତୁ ଅଂଶୁ ପାଇଗଲା ବାଗ ସ୍ନେହାକୁ ମନେଇବାର। ଚୁପ ରହିଲେ ସ୍ନେହାର ସବୁ ରାଗ ଥଣ୍ଡା ପଡ଼ିଯାଏ। ସେ ପୂରା ସୁନା ଝିଅ ହେଇ ମିଛ କାନ୍ଦ ଟିକେ କାନ୍ଦେ ଆଉ ସବୁ ରାଗ ଶାନ୍ତ ହେଇଯାଏ।

ତେଣୁ ଆଜି ଅବେଳରେ ଫୋନ୍ କରିବାକୁ ସାହସ ଜୁଟେଇବା ବଡ଼ କଷ୍ଟ ଥିଲା। ଯଦି ଝଡ଼ ଆସେ ତେବେ କଥା ଶେଷ। ହେଲେ ଆଉ କି ଆସିବ ଏ ସୁଯୋଗ??

*********

-" ହ୍ୟାଲୋ ସ୍ନେହା ମ୍ୟାମ୍। ମୁଁ ଅଂଶୁ ଚିହ୍ନି ପାରୁଛନ୍ତି ତ ? ମୁଁ ଆଜି ଆପଣଙ୍କ ସହରରେ। ଟ୍ରେନ୍ ରେ ଯାଉଛି ଗୋଟେ ଅଫିସ କାମରେ। "

ହଁ ଏମିତି ଠିକ ଗୋଟେ ପେସେଣ୍ଟ ପରି କଥା ହୁଏ ଅଂଶୁ ଯେବେ ଅସମୟରେ ଫୋନ୍ କରିବାର ଥାଏ। ସ୍ନେହା ମ୍ୟାମ୍ ଡେଣ୍ଟିଷ୍ଟ୍ ତେଣୁ ତାଙ୍କ ପେସେଣ୍ଟ ହେବାରେ କିଛି ସମସ୍ୟା ନାହିଁ।

ଏମିତି ଗୋଟେ କଣ୍ଡିସନ୍ ଆଗରୁ କରିଛି ସ୍ନେହା, ପ୍ରେମ ପାଇଁ ରୋଗୀ ହେବାକୁ ପଡିବ। ସେଇଟା ଗୋଟେ ସବୁଠୁ ଭଲ ଉପାୟ, ହାଏ ରେ କପାଳ!!......

**********

ଭାଗ୍ୟ ଭଲ ସ୍ନେହା ଭଲ ମୁଡ଼୍ ରେ ଥିଲା। ଆଉ ଖୁସି ଖୁସି କହିଲା, " ସତ ! କେତେବେଳେ ପହଞ୍ଚିବ ହେ।ଆଗରୁ କହିବାର ନଥିଲା ଟିକେ । କୁହ ମ' କେତେବେଳେ ମୁଁ ଯାଇ ଦେଖା କରି ଆସିବି। କେତେଦିନ ହେଲା ଆଉ ଆସିନ ତୁମେ ?"

ଆଶ୍ୱସ୍ତ ହେଲା ଅଂଶୁ ଯାହାହେଉ ପାଣି ପାଗ ଭଲ ଅଛି। ଆସିବ ସ୍ନେହା ରାଜି ହେଇଗଲା ବିନା ଦ୍ବିଧାରେ।

ଏତେ ସହଜରେ ରାଜି ହେଇଗଲା କେମିତି ଟିକେ ଏଇ କଥାଟି ମୁଣ୍ଡକୁ ଆସିଲା, ଭିତରେ ହଲ୍ ଚଲ କଲା କିନ୍ତୁ ସ୍ନେହା କଥା ଭାବି ସବୁ ପୁଣି ଶାନ୍ତ ହେଇଗଲା।

*********

ବଦଳି ହେଇଯିବାର ଅର୍ଡର ଯେଉଁଦିନ ମିଳିଲା ଅଂଶୁ କାନ୍ଦକାନ୍ଦ ହେଇ ଯାଇଥିଲା। କେଡେ ସୁନ୍ଦର ସହର ଏଇ ଜୟପୁର , ଓଡ଼ିଶାର କାଶ୍ମୀର । ନା' ତ ବେଶି ଖରା ନା' ତ ବେଶି ଶୀତ: ସବୁବେଳେ ବଢିଆ ପାଗ। ଆଉ ତାଠୁ ବେଶି ପ୍ରଭାବିତ କରୁଥିବା ସୁନ୍ଦର ପ୍ରାକୃତିକ ପରିବେଶ । କେତେ ସ୍ୱପ୍ନିଳ ମୁହୂର୍ତ୍ତ ସବୁ ସ୍ନେହା ସହ। ତା' ନୂଆ ଚାକିରୀ ଆଉ ନୂଆ ପ୍ରେମିକା ଦୁଇଟି ଯାକ ଏଇ ଜୟପୁର ସହରର ଦାନ।

ଭଲ ସିନସିୟର୍ ,ୟଙ୍ଗ୍ , ଆକ୍ଟିଭ୍, ଏମ୍ପ୍ଲୟୀ ହେଲେ ଅସୁବିଧା। ତା' କାର୍ଯ୍ୟଦକ୍ଷତା ଦେଖି ହେଡ୍ ଅଫିସକୁ ବଦଳି କରିଦେଲା ସିଷ୍ଟମ୍। ଏମିତି ଭଲ ଏମ୍ପ୍ଲୟୀ ଏଠି ନୁହେଁ ଭୁବନେଶ୍ୱରରେ ଲୋଡ଼ା!!

ବହେ ନିନ୍ଦି ଥିଲା ସେ ନିଜ ଭାଗ୍ୟକୁ ଆଉ ତା' ମମିକୁ। ଆଉ ନୁହେଁ ତ' କ'ଣ ? ମମି ସବୁବେଳେ ଖାଲି ଶିଖେଇବ କାମ କରିବାର ସ୍ପୃହା ମଣିଷକୁ ପରିଚିତ କରେ। ଯେଉଁ ମଣିଷ ଯେତେ କର୍ମଠ ସେଇ ମଣିଷ ସେତେ ସଫଳ। କିନ୍ତୁ କାଇଁ , ସେ ବେଶି କର୍ମଠ ହେଇ ପ୍ରେମରେ ବିଫଳ ହେଇଗଲା।

ସ୍ନେହାକୁ ଯେବେ ଜଣେଇଲା ଏଇ ଖବର ନିଜକୁ ଷ୍ଟ୍ରଙ୍ଗ ଆଉ ଷ୍ଟ୍ରିକ୍ଟ ଦେଖଉଥିବା ଡେଣ୍ଟିଷ୍ଟ ଅଂଶୁକୁ ଆଲିଙ୍ଗନ କରି କାନ୍ଦିଲା , ଖୁବ୍ କାନ୍ଦିଲା। ସେଇ ମୁହୂର୍ତ୍ତରେ ହିଁ ବୁଝିଲା ଅଂଶୁ ପ୍ରେମ ନିକଟରେ ନୁହେଁ ଦୁରତ୍ୱରେ ହିଁ ଅଧିକ ପ୍ରକାଶିତ ହୁଏ।

'ହାତ ପାହାନ୍ତାରେ ଥିବା ପ୍ରେମ ଠାରୁ ଅପହଞ୍ଚ ପ୍ରେମ ଆହୁରି ସୁନ୍ଦର'!........

***********

ଅଭିମାନୀ ପ୍ରିୟା ଆଉ ତା' ସହରକୁ ପଛରେ ପକେଇ ଆସିଗଲା ଅଂଶୁ ରାଜ୍ୟର ରାଜଧାନୀକୁ। ବହୁତ କିଛି କରିବାର ସ୍ପୃହା ଆଉ ନିଜକୁ ପ୍ରତିପାଦନ କରିବାର ନିଶାରେ ବୁଡ଼େଇ ରଖିଲା । ଦିନରାତି ଏକାକାର କରି କାମ ଆଉ ଖାଲି କାମ କଲା।ହେଲେ ଶତ ଚେଷ୍ଟା କରିବି ସ୍ନେହା ନାମକ ଆକର୍ଷଣକୁ ଟିକିଏବି ଏଡାଇ ପାରିଲା ନାହିଁ। ଅଗଣିତ ଇଛା ସବୁ କେବଳ ଆଉ କେବଳ ସ୍ନେହାର ସାନିଧ୍ୟ ଲୋଡିଲେ ଆଉ ବ୍ୟତିବ୍ୟସ୍ତ କଲେ। କେବେ ଏମିତି ସ୍ନେହା ମନସ୍କ ସେ ହେଲା ସତେ??.......

ଏଇଠି ଆସି ବୁଝିଲା କାହାକୁ କୁହନ୍ତି ଝୁରାପଣ। କେତେ ବ୍ୟାକୁଳତା ଥାଏ ସେଇ ଝୁରିବାରେ। ନିଦ ଆସେନି ଥରେ କଥା ନହେଲେ। ସ୍ନେହା ଗୋଟେ ଚରିତ୍ର ନୁହେଁ ଗୋଟେ ଅନୁଭବ ହେଇ ଯାଇଥିଲା। ଯାହା କେବେ ମଧୁର, ପୁଣି କେବେ ତିକ୍ତ ସ୍ୱାଦ ଦେଉଥିଲା ପରିବେଶ ଓ ପରିସ୍ଥିତିର ପ୍ରଭାବରେ।ଧୁ ଧୁ ଖରାବେଳେ ସ୍ନେହାର ସ୍ମୃତି , ତା' ସ୍ୱର , ତା' ହସ ଚନ୍ଦନ ପରି ଶୀତଳ ଲାଗୁଥିଲା । ପୁଣି କେବେ ଶୀତୁଆ ରାତିର ଅଂଶୁ ସ୍ନେହାର ଦୁଇ ପଦ କଥାରେ ଖରା ଦିନର ଉତ୍ତାପ ପାଇଯାଉଥିଲା। ତା' ହସ କାନ୍ଦ, ରାଗ ରୁଷା, ଅଳି ଅଝଟ, ମାନ ଅଭିମାନ ସବୁ ସେଇ ସ୍ନେହାଠୁ ଆରମ୍ଭ ହେଇ ସେଇଠି ସ୍ନେହା ପାଖରେ ସରୁ ଥିଲା।

ସ୍ନେହା ଗୋଟେ ଅଦୃଶ୍ୟ ତରଙ୍ଗ ପରି ଆକର୍ଷିତ କରୁଥିଲା ସବୁବେଳେ। ଭୁବନେଶ୍ୱର ଆସି ଥରେ ଦେଖା କରିବାକୁ ବହୁ ଅନୁରୋଧ କରୁଥିଲା ଅଂଶୁ କେବଳ ସେଇ ଆକର୍ଷଣର ପ୍ରଭାବରେ। ସ୍ନେହା ଆସୁ ଏଠିକୁ ,ଆଉ କିଛି ନିରୋଳା ମୁହୂର୍ତ୍ତ ବିତେଇ ଯାଉ ନିଜ ଅଂଶୁ ସହ। ଏଠି ନନ୍ଦନକାନନରେ ବୁଲୁ, କୋଣାର୍କର ମେରାଇନ୍ ଡ୍ରାଇଭରେ ହଜୁ, ପୁରୀ ଜଗନ୍ନାଥ ଆଉ ମହୋଦଧି ସହ ଏକାତ୍ମ ହେଉ ଆଉ ଏସବୁ ଭିତରେ ଅଂଶୁ ନିଜ ଭାଗର ପ୍ରେମ ଭୋଗି ନେଉ। ଏମିତି ସଜଳ ସ୍ୱପ୍ନଟେ ସାଇତୁ ଥିଲା ଅଂଶୁ ନିଜ ଆଖିରେ।

ସ୍ନେହା କିନ୍ତୁ ଆସିବାକୁ ଚାହିଁ ବି ଆସି ପାରେନା କେବେ। ପ୍ରତିରୋଧ କରେ ସମାଜ, ସଂସ୍କାର, ଆଉ ମୂଲ୍ୟବୋଧ।

'' ଅଂଶୁ ତୁମେ ଆସ । ଆରେ ଏଇଟା ତୁମ ପରିଚିତ ସହର ଆଉ ତୁମେ ଜଣେ ମୁକ୍ତ ମଣିଷ , ମୋ ପରି କ'ଣ ଆବଦ୍ଧ?'' କୁହେ ସ୍ନେହା ଆଉ ଆଡେଇ ଯାଏ ଅଂଶୁର ଅନୁରୋଧ। ଅଧିକନ୍ତୁ ଅଂଶୁକୁ ଆମନ୍ତ୍ରଣ କରି ଅଡୁଆରେ ପକେଇଦିଏ।ଅଂଶୁ ବୁଝେ ତା' ଅସହାୟତା , କିନ୍ତୁ ପ୍ରେମ କି ବୁଝେ??

**********

ଗୋଟେ ଅଫିସ କାମରେ ଯିବାର ଥିଲା ଅଂଶୁକୁ। ସବୁବେଳେ ଫ୍ଲାଇଟ୍ ପ୍ରିଫର କରୁଥିବା ଅଂଶୁ କାମ ସାରି ଫେରିବା ବେଳେ କେବଳ ଏଇ ସ୍ନେହା ପାଇଁ ଟ୍ରେନ ଧରିଲା। ଭାରି ଇଚ୍ଛା ଥିଲା ସ୍ନେହାକୁ ସର୍ପ୍ରାଇଜ୍ ଦେବ ତେଣୁ ଆଗରୁ କିଛି କହି ନଥିଲା। ଗୋଟେ ଦିନ ଜୟପୁରରେ ରହି ପୁଣି ଯିବାର ପ୍ଲାନ କରିଥିଲା।

ହେଲେ ବେଳା ଖରାପ ତା'ର । କାମଟା ତୁରନ୍ତ ଶେଷ କରି ଫେରିବାକୁ ନିର୍ଦ୍ଦେଶ ଆସିଲା ଆଉ ତା'ର ଗୋଟିଏ ଦିନ ରହିବାର ସୁଯୋଗ ନଷ୍ଟ କରିଦେଲା। ସେଥିପାଇଁ କେବଳ ଦେଖିନେବ ସେ ସ୍ନେହାକୁ ଷ୍ଟେସନରେ ଟିକେ ମନ ଭରି ଆଉ ଫେରିବ ପୁଣି ଅସରନ୍ତି ଅସମ୍ପୂର୍ଣ୍ଣ ଇଚ୍ଛା ସବୁ ନେଇ । ସେଥିପାଇଁ ଫୋନ୍ କରି ଜଣେଇଲା ତା' ଆସିବାର ଖବର।

************

ଇଚ୍ଛାବତୀ ନଦୀରେ ଅଗଣିତ ସ୍ୱପ୍ନପୋତ ଭାସି ବୁଲନ୍ତି । ସବୁଥିରେ ସାଇତା ହେଇଥାଏ କୁଢ଼ କୁଢ଼ ଅବଶୋଷ ଆଉ ଅସମ୍ପୂର୍ଣ୍ଣ ଆକାଂକ୍ଷା । ଜଣା ନଥାଏ କେବେ କେଉଁ ପୋତ କୂଳ ଛୁଇଁ ଯିବ।ଠିକ ସେମିତି ସ୍ନେହାକୁ ଦେଖିବାର ସ୍ୱପ୍ନ ପୋତ ଆଜି ସତରେ କୁଳ ଛୁଇଁବ ଏଇ ଭାବନାର ପ୍ରଭାବ ଥିଲା ଅବର୍ଣ୍ଣନୀୟ। ଅଂଶୁ ବିହ୍ଵଳ ହେଉଥିଲା, ଅପୂର୍ବ ଆଲୋଡ଼ନ ଥିଲା ତା' ଭିତରେ। ଆଉ ସ୍ନେହାମୟ ହେଇଯାଇଥିଲା ସବୁକିଛି।

କିଛି ଖାଇବାର ଇଛା ନଥିଲା କି କିଛି କରିବାରେ ମନ ନଥିଲା। ସେ ନେଇଥିବା କାମଟା କେମିତି ହେଲା, ଭଲ ହେଲା କି ଖରାପ, ଠିକ ସମୟରେ ସେ ପହଞ୍ଚି ପାରିବ ତ? ଭୁବନେଶ୍ୱର ଯାଇ ସଠିକ ଭାବେ ନେଇଥିବା କାମକୁ ପ୍ରତିପାଦନ କରି ପାରିବତ? ଏମିତି ଅଗଣିତ ଭାବନା ଯାହା ଚିରାଚରିତ ଭାବେ ସବୁବେଳେ ବ୍ୟସ୍ତ କରନ୍ତି ତାକୁ କୌଣସି ଅଫିସ କାମରେ ଥିଲା ବେଳେ। ଆଜି ଗୋଟିଏ ବି ଆସୁ ନଥିଲେ ମନରେ। ସେ ଏକପ୍ରକାର ଭୁଲି ଯାଇଥିଲା ଅଫିସ କଥା।

ଭାବୁଥିଲା ଖାଲି ସ୍ନେହା କଥା। ନିଷ୍ଠୁର ଭାଗ୍ୟଚକ୍ର କେତେ ଯେ ଯନ୍ତ୍ରଣା ଦେଉଛି ସେଇ କଥା। ଦୂରତ୍ୱ କେତେ ବ୍ୟତିବ୍ୟସ୍ତ କରୁଛି ସେଇ କଥା। ସ୍ନେହାର ଅନୁପସ୍ଥିତି କେତେ କଷ୍ଟ ଦେଉଛି ସେଇ କଥା !.......

କେବଳ ଗୋଟିଏ ସ୍ପନ୍ଦନ ଥିଲା ସାରା ସତ୍ତାରେ ,

" ସ୍ନେହା ଆସି ଯାଉ। ଆଉ ଦେଖି ନେଉ ଅଂଶୁ ତାକୁ ଟିକେ ମନଭରି

ଆଉ କିଛି ଲୋଡ଼ା ନାହିଁ ।"

*********

ବଢ଼ନ୍ତା ରାତି ସହ ତାଳ ଦେଇ ଦ୍ରୁତ ହେଉଥିଲା ଅଂଶୁର ହୃଦସ୍ପନ୍ଦନ। ଆଉ ତୀବ୍ର ଯନ୍ତ୍ରଣା ହେଉଥିଲା ମନରେ। କେଡେ ବେପରୁଆ ଏ ଟ୍ରେନ ଟିକିଏବି ବୁଝୁ ନଥିଲା ମନର ବେଦନା। ଶୀଘ୍ର ଟିକେ ଚାଲୁ ନଥିଲାକି ଆସୁ ନଥିଲା ସ୍ନେହାର ସହର। ଯେତେ ଡେରି ହେଉଥିଲା ସେତେ ଅଧିକ ଭାରାକ୍ରାନ୍ତ ହେଉଥିଲା ମନ। ବାରମ୍ବାର ଘଡି ଦେଖୁଥିବା ଆଖି ଯୋଡିକ ଧୀରେ ଧୀରେ ମୁଦି ଆସୁଥିଲେ ରାତିର ବୟସ ବଢ଼ିବା ସହ ତାଳ ଦେଇ। କିନ୍ତୁ ମନ ଚାହୁଁଥିଲା ଭିନ୍ନ। ' ନିଦ ଗୋ ଆଜି ତୁମେ ଟିକେ ଆଡ଼ ହେଇ ଯାଅ। ଆସନି ମୋ ନିକଟକୁ। ଆଜି ରାତିକ ପାଇଁ ମୋତେ ଟିକେ ମୁକ୍ତ କର କାରଣ ଆଜି ସ୍ୱପ୍ନରେ ନୁହେଁ ସତରେ ଆସିବ ପ୍ରିୟା।'

ରାତିର ଅନ୍ଧକାରବି ଉଜ୍ଜ୍ୱଳ ଦିଶୁଥିଲା ଅଂଶୁକୁ। ପ୍ରତ୍ୟକ ଷ୍ଟେସନରେ ମନ ହଲଚଲ ହେଉଥିଲା। ଟିକେ ଝରକା ଖୋଲି ଦେଖିବାକୁ ଭାରି ଇଚ୍ଛା ହେଉଥିଲା ଜୟପୁର ସହରକୁ ମନଭରି। ସ୍ନେହା ଆସିବା ପୂର୍ବରୁ ତା' ଉପସ୍ଥିତି ଅନୁଭବ କରିପାରିଥାନ୍ତା ସେଇ ସହରର ରୂପ ଦେଖି। କିନ୍ତୁ ନା' 'ଏ.ସି' ବଗିରେ କି ଅଛି ଭାବର ଝରକା , ପ୍ରେମ ସହରର ପବନ ଛୁଇଁବାକୁ!!......

ପ୍ରତୀକ୍ଷା ଯେବେ ଚରମ ସୀମାରେ ପହଞ୍ଚେ ସେତେବେଳେ ମୁଣ୍ଡବି ଆଉ କାମ କରେନି। କେମିତି ଗୋଟେ ଅଜଣା ଉନ୍ମାଦନାରେ ବିବ୍ରତ ହୁଏ। ନା ଆଉ ନୁହେଁ ଏଥର ଟିକେ ଫୋନ୍ କରି ବୁଝିବାକୁ ହେବ , ଆସୁଛି ତ ସ୍ନେହା??

ସ୍ନେହା ଥିଲା ନିଜ ଗାଡ଼ିରେ ତେଣୁ ତା' କଥା ସ୍ପଷ୍ଟ ହେଉନଥିଲା। ହେଲେ ଶୁଭିଲା ଯେତିକି ସେତିକି ଥିଲା ଢେର। ଆସୁଛି ସେ ନେଇ ଅଗଣିତ ସମ୍ଭାବନା ଆଉ ଅସରନ୍ତି ସ୍ନେହ।

*********

ଯନ୍ତ୍ର କି ବୁଝେ ଯନ୍ତ୍ରଣା?......

ନା' ବିଲକୁଲ ବୁଝେନା, ପୂରା ଗୋଟେ ଘଣ୍ଟା ଡେରିରେ ଆସିଲା ଟ୍ରେନ ସ୍ନେହାର ସହରକୁ। ଅଂଶୁ ଟ୍ରେନ୍ ରୁ ବାହାରି ଖୋଜିନେଲା ସବୁଠି। କଉଠି ସ୍ନେହା ଓଃ!!

ଦୁର୍ଭାଗ୍ୟକୁ ଯାଇ ଚାରି ନମ୍ବର୍ ଧାରଣାରେ ଲାଗିଛି ଟ୍ରେନ। ତେଣୁ ଟିକେ ଦୂର ହେଇଯାଇଛି। ବିଚାରୀ ଆସି ପାରିନାହିଁ କି?? ଅଂଶୁ ମନକୁ ପାପ ଛୁଇଁଲା। ସତରେ ଯଦି ଆସିବ ନାହିଁ , ଛାଡ଼ିବେ ନାହିଁ ଘର ଲୋକ, ଅସୁବିଧା ସବୁଠି ସବୁବେଳେ। କିନ୍ତୁ ସେ ଟିକେ ନଦେଖି ଯାଇ ପାରିବି ନାହିଁ କେବେବି।

ଅଂଶୁ ତନ୍ନ ତନ୍ନ କରି ଖୋଜିଲା ସବୁଠି। କିନ୍ତୁ ସ୍ନେହା ନଥିଲା। ହୁଏତ କିଛି ସମସ୍ୟା ହେଇଛି। ଫୋନ୍ କରିବାକୁ ହେବ ଆଉ କିଛି ଉପାୟ ନାହିଁ।

'' ହ୍ୟାଲୋ , ସ୍ନେହା ତୁ କେଉଁଠି? ବ୍ୟତିବ୍ୟସ୍ତ ଅଂଶୁର ସ୍ୱର। ଆଉ ଖୁବ୍ କାନ୍ଦ କାନ୍ଦ ମନର ସ୍ଥିତି।

ସ୍ନେହା ଚୁପ କି କହିଲା ,

" ତୁମର ବୁଦ୍ଧି ନାହିଁ ନା ଆଖି ଖରାପ ମ , ଟିକେ ଦେଖ ଭଲ କରି। ମୁଁ ତୁମକୁ ଦେଖୁଚି ଅଥଚ ତୁମେ ଦେଖି ପାରୁନ।"

ଆରେ ସ୍ନେହା ତେବେ ଏଇଠି କେଉଁଠି। ଓଃ କେତେ ଉତ୍କଣ୍ଠା କହିବାର ନୁହେଁ। ପାଗଳ ପରି ଘୁରିବୁଲିଲା ଅଂଶୁ ଆଉ ପାଇଗଲା । ସ୍ନେହା ଖୁବ୍ ନିକଟରେ ଠିଆ ହେଇଛି , କିନ୍ତୁ ପିନ୍ଧିଛି ଗୋଟେ ଶାଢ଼ୀ ତେଣୁ ଚିହ୍ନି ହେଉନି।

ହସୁଥିଲା ସ୍ନେହା ,ଦେଖି ବିବ୍ରତ ଅଂଶୁକୁ ଆଉ ମନ ଭରି ଦେଖୁଥିଲା ସାଇତା ପ୍ରେମକୁ। ଭାରି ଭଲ ଲାଗୁଥିଲା ଏମିତି ଅଂଶୁ।

ଏତିକି ବେଳେ ଅଂଶୁ ବିଚିତ୍ର କାମଟେ କଲା , ସିଧା ଯାଇ ସ୍ନେହା ହାତ ଧରି କାନ୍ଦି ପକେଇଲା। ଇସ୍ କି ପିଲା ପ୍ରଭୁ! ବାଷ୍ପରୁଦ୍ଧ ସ୍ୱରରେ କହିଲା,

" ତୁ ଆସିବୁନି ଭାବି ପାଗଳ ହେଇ ଯାଇଥିଲି , ସତ । ଥାଙ୍କୁ ଭେରି ମଚ୍ "

ସେଯାଏଁ ସ୍ନେହା ଚୁପ ଥିଲା ଆଉ ଶୁଭିଗଲା ଟ୍ରେନ ଛାଡିବାର ସଂକେତ। ଅଂଶୁ ଭାରି ଦୁଃଖୀ ହେଇଗଲା। ଏକରକମ ଜାବୁଡି ଧରିଲା ସ୍ନେହାର ହାତ।

ସ୍ନେହା କହିଲା, " ଚାଲ ଟ୍ରେନ ପଳେଇ ଯିବ। ଆମେ କ'ଣ ଚାଲି ଚାଲି ଯିବା ଭୁବନେଶ୍ୱର?"

ଅଂଶୁ ଶୁଣିପାରିଲା ଠିକ କିନ୍ତୁ ବିଶ୍ୱାସ କଲାନି।

" ଆମେ "!!........

ସ୍ନେହା କଣ କହୁଛି ଆମେ ଯିବା। ସେ ଅନେଇଲା ବିସ୍ମୟରେ। ସ୍ନେହା କହିଲା ,

" ହେ ଶୀଘ୍ର ଚଢ଼ ଆଉ ମୋ ବ୍ୟାଗ ରଖ। ଆସ ଜଲ୍ଦି।''

ଖୁସିରେ ଅଧୀର ଅଂଶୁ ଚଟାପଟ୍ ଚଢିଗଲା ଆଉ ସ୍ନେହାର ହାତ ଧରି ଟେକି ନେଲା ଟ୍ରେନ୍ ଭିତରକୁ। ବିଦ୍ୟୁତ ବେଗରେ ସରିଗଲା ଏଇ ଅପ୍ରତ୍ୟାଶିତ କାମ।

ସ୍ନେହା କହିଲା ,

" ଭୁବନେଶ୍ୱରରେ ଅଛି ମୋର ଗୋଟେ କନ୍ଫରେନ୍ସ। ତୋତେ ସର୍ପ୍ରାଇଜ୍ କରିବି ଭାବି କହି ନଥିଲି। "

ଅଂଶୁ ମନେ ମନେ ହସୁଥିଲା ଆଉ ଭାବୁଥିଲା ଶୁଭ ଖବର ଦେବାର ମାଧ୍ୟମ ଟା ଏଇ ଟ୍ରେନ । ଯନ୍ତ୍ରଟାରବି ହୃଦୟ ଥାଏ ବୋଲି ଅଭିହତ ହେଇଗଲା ଆଜି !!........

*ସୌମ୍ୟା ଶୁଭଦର୍ଶିନୀ*


Rate this content
Log in

More oriya story from Soumya Shubhadarshinee

Similar oriya story from Romance