STORYMIRROR

Soumya Shubhadarshinee

Drama

3  

Soumya Shubhadarshinee

Drama

ଈଶ୍ବରଙ୍କ ହସ

ଈଶ୍ବରଙ୍କ ହସ

6 mins
253

 


 ଈଶ୍ୱର କ'ଣ ହସନ୍ତି ? ଈଶ୍ବର କ'ଣ କାନ୍ଦନ୍ତି ? ତାଙ୍କର କ'ଣ ଅଛି ଆମ ଭଳି ଆବେଗ ? ଭାରି ଦୁର୍ବୋଧ୍ୟ ଏଇ ପ୍ରଶ୍ନ ସବୁ । ନିରାକାର ପରଂବ୍ରହ୍ମ ତ ବିଦେହୀ ସେଥିରେ ପୁଣି ଆବେଗ !............


 କିନ୍ତୁ ଆମେ ଅନୁଭବି ପାରୁ ତାଙ୍କର ହସ କାନ୍ଦ ସେଇଥିପାଇଁ ଆମେ ତାଙ୍କର ଶ୍ରେଷ୍ଠ ସୃଷ୍ଟି ।..........


 ସଭିଏଁ ଗୋଟିଏ ନିର୍ଦ୍ଦିଷ୍ଟ ଘରେ ରୁହନ୍ତି ଏକ ନିର୍ଦ୍ଦିଷ୍ଟ ପରିଚୟ ନେଇ । ଯେମିତି ଦାସ ମଉସାଙ୍କ ଘର । ସେଇଠି ଦାସ ମଉସା , ସ୍ମୃତି ମାଉସୀ ଆଉ ତାଙ୍କ ପୁଅ ଗୁଡୁଲ । ବାସ ଗୁଡୁଲର ଗୋଟିଏ ଘର ''ସ୍ମୃତି ନିବାସ'' ତା' ମମିଙ୍କ ନାଁ ରେ । ତାକୁ ସେଇଠି 

ପାଇବା । ଆଉ କୋଉଠି ନୁହେଁ । ଠିକ ସେମିତି ରୁବି , ଲିଟୁ , କାବୁଲା ସଭିଏଁ ଗୋଟିଏ ନିର୍ଦ୍ଦିଷ୍ଟ ପରିଚୟ ଭିତରେ ବନ୍ଦୀ ।


  ସେ କିନ୍ତୁ ଭାଗ୍ୟବାନ ତା'ର ସାରା କଲୋନି ନିଜର । ସେ ସବୁଠି ମିଳିପାରେ ଭଲ ଖୁସିବାସିଆ ଦିନରେ । ହଁ ଯାହା ଘରେ ଉତ୍ସବ ସେଇଠି ସେ । ଆଗ ତାକୁ ଖୋଜା ହୁଏ ଯେମିତି ସେ ଘରର ସବୁଠାରୁ ଲୋଡିଲା ଧନ । ଭାରି ଖୁସି ହୁଏ ସେ । ସବୁ କାମରେ ଗୁଣ୍ଡୁଚି ମୂଷା ଭଳିଆ ଲାଗିପଡି ସେତୁବନ୍ଧ ବାନ୍ଧିଦିଏ ସମ୍ପର୍କର । 


 ଆଉ ସାରା ବଜାର ତାକୁ ଝୁରୁଥାଏ । କିଏ ଖାଇବାକୁ ଦିଏ କିଏ ଶୋଇବାକୁ ଦିଏ ଜଣା ନଥାଏ କିନ୍ତୁ ସଭିଏଁ ଦିଅନ୍ତି ଏତକ ଜଣା ।


 ସେ '' ବୁଦ୍ଧୁ '' , ପ୍ରକୃତରେ ବୋଧେ ବୁଦ୍ଧ କିନ୍ତୁ ସଭିଙ୍କୁ ସୁହେଇବା ପାଇଁ ବୁଦ୍ଧୁ ହେଇଯାଇଛି । ଏଇ ବୁଦ୍ଧୁ ନାଁ ଟା ଭାରି 

ମିଠା । ' ବୁଦ୍ଧୁ କିରେ ' ଡାକଟା ଶୁଣିଲେ କେମିତି ନିଜର ନିଜର ଲାଗେ । ମନ ଖୁସି ହେଇଯାଏ । ସେ ଅନାଥ ନହେଇଥିଲେ ବୋଧେ ଏଡ଼େ ବଡ଼ ପରିବାର ଟିଏ ନଥାନ୍ତା ତା'ର । ସେ ବି ବନ୍ଦୀ ହେଇଯାଇଥାନ୍ତା ଗୋଟିଏ ନିର୍ଦ୍ଦିଷ୍ଟ ଘରର ଚାରିକାନ୍ଥରେ । ତା' ପାଦରେ ବନ୍ଧା ହେଇଥାନ୍ତା ଶାସନର 

ଶିକୁଳି । 


  ଏଇଟା କରିବୁନି , ସିଆଡେ ଯିବୁନି , ସେଇଟା ଖାଇବୁନି , ସେମିତି କରିବୁନି ଏମିତି ବୁଲିବୁନି ,.........

 ଏମିତି ଅଗଣିତ ଅଲିଖିତ ନିୟମ ଘରର ବଡ଼ ମାନେ କୁଆଡୁ ଅଣନ୍ତି ବୁଦ୍ଧୁ ଜମା ବୁଝିପାରେନି । ସେ ତ ସବୁକିଛି କରେ ଏକଦମ ମୁକ୍ତ ବିହଙ୍ଗ ଭଳି କାଇଁ ତା'ର ତ କିଛି ଅସୁବିଧା ହୁଏନି । ବରଂ କହିବା ସେ ବେଶ ପରିପକ୍ୱ ବୁଝିବାକୁ ଜୀବନର ଅଙ୍କକଷା । ସେ ବେଶ ପରିପୂର୍ଣ୍ଣ ସାମ୍ନା କରିବାକୁ ହଜାରେ ସମସ୍ୟା । ସେ ନିର୍ଭୀକ ଆଉ ନୀଡର । 


 ତା' ଭଳି ସର୍ବାଙ୍ଗ ସୁନ୍ଦର ଜୀବନ କେହି ଜୀଇଁବାର ସୁଯୋଗ ପାଉନି । ସବୁବେଳେ ତାଗିଦ ଭିତରେ ରହି ଗୁଡୁଲୁ , ବୁଟୁ ଭାରିକା ବଡ଼ ଡ଼ରୁଆ । ସେ ହିରୋ ସଭିଙ୍କ ଭିତରେ । 

 ସେ କ୍ରିଶ୍ ଭଳି ସୁପର୍ ପାୱାର ଥିବା ପିଲା ଯେ କିଛି ବି କରିବାକୁ ଡରେନି । 


  ବୁଦ୍ଧୁ ରାସ୍ତା କଡ଼ ଅଳିଆ ଗଦାରୁ ମିଳିବା ଭାରି ସାଧାରଣ ଆଜିର ସମୟରେ । କିନ୍ତୁ ଲଛମା ଆମା କୋଳରେ ବଢିବା ଏକଦମ ନିଆରା । 

 କଦଳୀ ବାଲୀ ଆମା , ଏକଦମ ତାଗଡା । କେଡେ ସିନ୍ଦୁର ଟୋପା ନାଇଥାଏ ଲୋ ମା ।

ଦୁଇ ହାତରେ ପୁଣି ପାଣି କାଚ ଡ଼ର୍ଜନେ ଲେଖା । ସବୁଠାରୁ ସୁନ୍ଦର ତା' ମୋଟା ମଙ୍ଗଳସୁତ୍ର । ଏକଦାମ ସୁନାର ଦଉଡି । ଆମ ପାଖରେ ଏଡ଼େ ସରୁ ଚେନ ,ନହେଲେ ଭରିଏ ଖଣ୍ଡକର ହାର । ତାକୁ ରଖୁ ବ୍ୟାଙ୍କ ଲକର୍ ଭିତରେ । ପିନ୍ଧୁ ଇମିଟେସନ୍ ଚୋର ଡ଼ରରେ କିନ୍ତୁ ଆମା ସେ ଦାମୀକିଆ ମଙ୍ଗଳସୁତ୍ର ସହ ବସେ ରୋଜ ବଜାରରେ ।

 ତାକୁ ଦେଖିଲେ ଲାଗେ ଆମେ ଗୁଡା ଭିକାରୀ । ତା'ର ରୂପ ଯେମିତି ଥାଟ୍ ସେମିତି ଆଉ ଦିଲ ଏକଦମ ମସ୍ତ । 


 ଛୁଆଟା କୁକୁର ଖାଉଥିଲା । ସଭିଏଁ ଖାଲି ଗପୁଥିଲେ , ଆଙ୍ଗୁଳି ଦେଖେଇ ଟୀକା ଟିପ୍ପଣୀ କରୁଥିଲେ । କାହାର ପାପ ବୋଲି ଫୁସୁରୁ ଫାସୁରୁ ହେଉଥିଲେ । କିନ୍ତୁ କୋଳେଇବା ପାଇଁ କେହି ଆସୁନଥିଲେ । ଦେଳେ ଭଦ୍ରଲୋକ ପ୍ରଶାସନକୁ ଖବର ଦେବା କଥା ଅଲୋଚନା କରୁଥିଲେ ।

 ହେଲେ ଆମା ଭିଡ଼ ଧସେଇ ପଶି ଛୁଆକୁ ଛାତିରେ ଜାକି ଦୌଡ଼ିଲା ଡାକ୍ତର ବାବୁ ପାଖକୁ । ପହିଲେ ଜୀବନ ବଞ୍ଚୁ ତେଣିକି ଭାଗ୍ୟ ।

 ତୁମ୍ବିତୋଫାନ ହେଇଥିଲା ଆମା ଘରେ ତା' ଘୋଡା ମଦୁଆ ବର ସହ , ବଢ଼ିଲା ପୁଅ ଝିଅ ସହ ଆଉ ଶେଷକୁ ସମାଜର ଠିକାଦାରଙ୍କ

ସହ । ହେଲେ ଆମା ଛୁଆକୁ କୋଳେଇ ନେଲା । ନଥିଲା କୌଣସି ଆବଶ୍ୟକତା କି କୌଣସି ଆକର୍ଷଣ , ଥିଲା କେବଳ ଗୋଟେ ମା' ର ବିଶାଳ ହୃଦୟ ।


 'ବୁଦ୍ଧ ପ୍ୟାଲେସ ' ହୋଟେଲ ସାମ୍ନା ଅଳିଆ ଗଦାରୁ ମିଳିଥିଲା ବୋଲି ଆମା ଡାକୁଥିଲା ବୁଦ୍ଧ । କିନ୍ତୁ ଆଉ ସଭିଏଁ କହୁଥିଲେ ବୁଦ୍ଧୁ ।

ଆମା ଗୋଟେ ପରିତ୍ୟକ୍ତ ସତ୍ତାକୁ ଜୀବନ ଫୁଙ୍କି ସାଇତି ନେଲା ।

  ଜୀବନକୁ ନିଜର ଦିଶା ମିଳିଗଲା । କିନ୍ତୁ

ମିଳିଲାନି ଗୋଟିଏ ଠିକଣା । ମଦୁଆ ବର ଟିକିଏ ଡାଳ ପତ୍ର କଅଁଳୁ କଅଁଳୁ ଛୁଆଟାକୁ ରଖେଇ ଦେଲାନି । ଘରୁ ତଡିଦେଲା । କିନ୍ତୁ ଆମା ତାକୁ ଏଇ ବଜାର ଭିତରେ ଥାପି ଦେଲା ମହାଦୃମ ହେବା ପାଇଁ । 


  କଦଳୀ ଦୋକାନରେ ବସୁଥିଲା ବୁଦ୍ଧୁ ଫ୍ରି ସମୟରେ । ସନ୍ଧ୍ୟାରେ ସବୁ ଆଣ୍ଟି ମାନଙ୍କ ଫର୍ମାଇସ ଅନୁସାରେ କଦଳୀ ନେଉଥିଲା ଭୋଗ ପାଇଁ ବା ଏମିତି ଖାଇବା ପାଇଁ ।

ସେଇଠୁ ପୂଜାରୀ ବାବାଙ୍କ ସହ ବି ଗଢିହେଇଥିଲା ସୁନ୍ଦର ସମ୍ପର୍କ । ରୋଜ ମନ୍ଦିର ପାଇଁ କଦଳୀ ପୁଞ୍ଜିଏ ଧରି ଯାଉଥିଲା ସେ । ସେଇଠି ଦୁଃଖ ସୁଖ ଟିକେ ହେଉଥିଲା ସେଇ ପଥର ମୂର୍ତ୍ତି ସହ । ସବୁ ଲୋକ ତାଙ୍କୁ ପୂଜା କରୁଥିଲେ ବୋଲି ସେ ତାଙ୍କ ପ୍ରତି ଟିକେ ଆସକ୍ତ ଥିଲା । ଭଲ ପାଉଥିଲା

 ତାଙ୍କୁ । ତାଙ୍କ ଘରଟି ତା'ର ସବୁଠାରୁ ନିଶ୍ଚିନ୍ତ ଆବାସ ଥିଲା ।


 ବାହାଘର , ବ୍ରତଘର ବେଳେ ଏଇ ମନ୍ଦିରରେ ଆଗ ନିମନ୍ତ୍ରଣ କାର୍ଡ ଦିଆ ହେଉଥିଲା । ସେଇଟିକୁ ସେ ପୂଜାରୀ ବାବଙ୍କ ଠାରୁ ମାଗି ରଖୁଥିଲା ନିଜର କହି । ଆଉ ପହଞ୍ଚୁ ଥିଲା ସେଇଠି ନିମନ୍ତ୍ରିତ 

ଭାବେ । ସେ ଈଶ୍ବର କେବେ ପ୍ରତିବାଦ କରୁନଥିଲେ ତେଣୁ ତାଙ୍କୁ ଭଲ ପାଉଥିଲା ବୁଦ୍ଧୁ । 


  ଠିକ ସେମିତି ଯେବେ ମନ ଦୁଃଖ ହେଉଥିଲା ତା'ର ସେ ସେଇ ମନ୍ଦିରରେ ବସି କାନ୍ଦୁଥିଲା । ଆମା ଆଗରେ କି ଆଉ କାହା ଆଗରେ ନୁହେଁ କାରଣ କାନ୍ଦିବା ପୁଅଙ୍କୁ ଜମା ମାନେନି , କୁହେ ଗୁଡୁଲୁ । ମାଇଚିଆ ଗୁଡା କାନ୍ଦନ୍ତି । ହେଲେ ସେତେବେଳେ ଈଶ୍ବର ତାକୁ ବଡ ନିଷ୍ଠୁର ଲାଗନ୍ତି , ଟିକେ ବି ପ୍ରବୋଧନା ଦିଅନ୍ତି ନାହିଁ ତାକୁ । କିଛି ନହେଲେ ଫୁଲଟିଏ ଖସେଇ ଟିକେ ଓଃ ! କୁହନ୍ତେ ଭଲା । କିନ୍ତୁ କେବେ ସେମିତି ହୁଏନା । ଠାକୁର ପଥର ହେଇ ବସିଥାନ୍ତି ଆଉ ସେ ନିରବ ହେଇ କାନ୍ଦୁଥାଏ ।


 କେବେକେବେ ବୁଦ୍ଧୁ ଭାବେ ଠାକୁର କ'ଣ କେବେ କାନ୍ଦନ୍ତି ନି କି ହସନ୍ତିନି ?....


 ଆମା କିନ୍ତୁ କୁହେ ଭିନ୍ନ କଥା । କୁହେ ତାଙ୍କ ଦେଶର ଆଇଅପ୍ପାଙ୍କ କଥା । ସେ କେମିତି ପ୍ରତ୍ୟକ୍ଷ ଦେବତା କେମିତି ଭକ୍ତ ଦୁଃଖହାରି । କେତେ ନିଷ୍ଠା ତାଙ୍କଠି । ବୁଦ୍ଧୁ ଶୁଣେ ଆଉ ଭାବେ ସେ ବୋଧେ ହସୁଥିବେ ସବୁବେଳେ । ସେଇଥପାଇଁ ଏତେ ପ୍ରତ୍ୟକ୍ଷ । ସବୁ ଭକ୍ତଙ୍କ ଦୁଃଖ ଦୁରେଇ ହସୁଥିବେ ଖୁସିରେ । ଯେମିତି କାମ ଗୋଟେ ସରିଗଲେ ସେ ହସେ ଖୁସିହେଇ ଯେବେ ବକ୍ସିସ ଦିଏ ମାରୱାଡି ବୁଢା ।


 


 ଗୋଟେ ଅବସୋସ ହିଁ ଜୀବନ ବୋଧେ , ପ୍ରାପ୍ତି ଆଉ ଅପ୍ରାପ୍ତି ଭିତରେ । ଆମେ ଜୁଝୁଥାଉ ଏଇ ଅବସୋସ ସହ ଅହରହ। 

ପ୍ରାପ୍ତିର ସଂଜ୍ଞା ବି ବଡ଼ ବିଚିତ୍ର , ଇପ୍ସିତ ଚିଜ ପାଇଲା ପରେ ସେଠି ନୂଆ ଅପ୍ରାପ୍ତିର ଇସ୍ତାହାର ଲେଖାହୁଏ ।


 ବୁଦ୍ଧୁ ବି ସେଇ ଧାରାରେ । ସର୍ବହରା ଜୀବନରେ ଅପ୍ରାପ୍ତିର ଦର୍ଘ୍ୟ ପ୍ରସ୍ତ ବେଶ ବିସ୍ତୃତ । ବାଳୁତ ହୃଦୟ ସିନା ବୁଝୁନଥିଲା କିନ୍ତୁ ବୟସ ବଢ଼ିବା ସହ ସମ୍ପର୍କର ପରିଭାଷା ବଦଳୁଛି । ଆଉ ଅବସୋସର ଆୟୁଷ ବଢୁଛି ।


ଏଇ ବିଶାଳ ପୃଥିବୀରେ ଜୀବନ ଜିଗୀଶା ଭିତରେ ଈଶ୍ବରଙ୍କ ସହ ସମ୍ପର୍କଟି ହିଁ ସ୍ଵଚ୍ଛ ଆଉ ସଚ୍ଚା । ବୁଝୁଛି ବୁଦ୍ଧୁ । ଆଉ ସେଇଠି ଅଛି ଗୋଟେ ଇପ୍ସିତ । ନିଜର ଲୋକଟିକୁ ସୁଖୀ କରିବାର । ହଁ , ଈଶ୍ବରଙ୍କୁ ସୁଖୀ କରିବାର ଚେଷ୍ଟା କରୁଛି ବୁଦ୍ଧୁ । ସାରା ସଂସାରର ସୁଖ ଦୁଃଖ ବୁଝୁଥିବା ଈଶ୍ବରଙ୍କ ପାଇଁ କେହି ଜଣେତ ଚିନ୍ତା କରୁ । ସେଇଟି ବୁଦ୍ଧୁ କାହିଁକି ନୁହେଁ ?


 ପୂଜାରୀ ବାବା କୁହନ୍ତି ଶବରୀ କଥା , ଦାସିଆ କଥା , ବନ୍ଧୁ ମହାନ୍ତି କଥା , ଯେଉଁମାନେ ଈଶ୍ବରଙ୍କ ପାଇଁ ନୀତିଦିନ ଚିନ୍ତା 

କରୁଥିଲେ । ଆଜିର ମଣିଷ ପାଖରେ ସମୟ କାହିଁ । ହଜାରେ ବ୍ୟସ୍ତତା ଭିତରେ ମଣିଷ ଭୁଲିଗଲାଣି ଈଶ୍ବରଙ୍କ କଥା । ସେଥିପାଇଁ ଆଉ ନୂଆ ଦାସିଆ ଟିଏ ଆସୁନି ଲୋକ ଲୋଚନକୁ ।


 ବୁଦ୍ଧୁ ଭାବେ ନିଜ ପୋଖତ ମୁଣ୍ଡରେ ସେ କରିବ ଏଇ ଚିନ୍ତା । ତା'ର ବନ୍ଧନ ନାହିଁ , ତେଣୁ ସେ ପାରିବ ଗୁଡୁଲୁ, ବୁଟୁ ସବୁ ସଂସାରୀ । ହଁ ବସ୍ତୁହରା ଟିକୁ ନେଇ ଘର ଗଢିବାକୁ ଆଗେଇ ଆସିବା କ'ଣ ସହଜ । ଗଢି ପାରିନି ସେ ନିଜ ପାଇଁ ଏକ ନିର୍ଦ୍ଦିଷ୍ଟ ଠିକଣା ଆଜିବି । ନିଜ ସଂସାର କଥା ନେଇ ମୁଣ୍ଡ କୋଡ଼ିବାର ତ ନାହିଁ ତେଣୁ ସେ ଈଶ୍ଵର କଥା ବୁଝିବାକୁ ଢେର ସମର୍ଥ ।


 ବୁଦ୍ଧୁ ଲୋକଙ୍କ ସେବା କରେ । ଭିକାରୀ ବୁଢ଼ୀକୁ ରୋଜ ପଇସା ଦିଏ ପେଟ କାଟି ।ଶ୍ରମଦାନ କରେ ରାସ୍ତାକାମ ହେଲେ , ସ୍କୁଲ ଘର ମରାମତି ହେଲେ । କିନ୍ତୁ କେବେ ଈଶ୍ବରଙ୍କ ହସ ଦେଖିପାରେନି । 

 ଆମା କିନ୍ତୁ କୁହେ , '' ସେ ହସିଥିଲେ ସେଇଦିନ ଯେଉଁଦିନ ତୁ ମୋ କୋଳକୁ ଆସିଥିଲୁ ।''

 ଅବସୋସ ରହିଯାଏ ଈଶ୍ବରଙ୍କ ହସ ପାଇଁ। ସେଇ ମୁହୂର୍ତ୍ତରେ ମହାର୍ଘ୍ୟ ଅନୁଭବକୁ ଖୋଜିବାରେ ବିତିଯାଏ ଜୀବନ ।.........




 ସେମାନେ ନିଷ୍ପତ୍ତି ନେଇ ଯାଇଥିଲେ , ଏକଦମ ପକ୍କା ନିଷ୍ପତ୍ତି । ବାସନ୍ଦ କରିଦେବେ ବୁଢ଼ୀକୁ । ବୁଢ଼ୀକୁ ଦୁରାରୋଗ୍ୟ ରୋଗ , ଦେହ ପଚିବାକୁ ଲାଗିଲାଣି । ମାଛି ଭଣଭଣ ହେଉଛନ୍ତି ଦେହ ସାରା । ଏଟାକୁ ରଖିଲେ ସାରା ବସ୍ତି ଅସୁସ୍ଥ ହେଇଯିବ ।


ବସ୍ତିରେ ରହୁଥିବା ବୁଢ଼ୀ ପାଇଁ ଏତକ ଭାରି କଷ୍ଟକର ଥିଲା । କୁଆଡେ ଯିବ ? ଉଜୁଡା ଭାଗ୍ୟ ସବୁବେଳେ ରଙ୍ଗୀନ ଯୌବନ ବିକୁଥିବା ବାରଙ୍ଗନାର । ସେ କେବଳ ଉପଭୋଗ୍ୟା । ବୁଢ଼ୀର ଏବେ ନା ଅଛି ଯୌବନ ନା ସୌନ୍ଦର୍ଯ୍ୟ । କ'ଣ ବିକିବ ଆଉ ?.....

 ସେ ଭଙ୍ଗା ଦେହରେ , ନିଶ୍ୱ ହାତରେ ସଭିଁକୁ ନେହୁରା ହେଉଛି । ମରିବାକୁ ଅଳ୍ପ ସମୟ ଦିଅ ତେଣିକି ଫୋପାଡ଼ି ଦେବ । ତଡି ଦେଲେ ମୁଣ୍ଡ ଗୁଞ୍ଜିବି କୋଉଠି ?


 କେହି ଶୁଣୁନି ବୁଢ଼ୀକୁ , ଟ୍ରଲିଟେ ଉପରେ ଲଦା ହେଉଛି ବୁଢ଼ୀର ଜୀବନ ଫୋପଡା ହେବାକୁ ଅଳିଆ ଗଦାରେ । 


 ସେଦିନ ବୁଦ୍ଧୁ କାହିଁକି କେଜାଣି ଟ୍ରଲି ଟାଣି ବୁଢ଼ୀକୁ ନେଇଗଲା ସରକାରୀ ହସ୍ପିଟାଲ । ସେଠି ବୁଢ଼ୀକୁ ଆଡ଼ମିଟ କରି ଜଗି ବସିଲା । ବୁଢ଼ୀ ଚିକିତ୍ସିତ ହେଇ ସୁସ୍ଥ ହେବ କି ନାହିଁ ଜଣା ନଥିଲା କିନ୍ତୁ ଏତକ ଜଣା ଥିଲା ସେ ଏବେ ଅଳିଆ ଗଦାରେ ନାହିଁ ।


  ସେଦିନ ରାତିରେ ଫେରିଲା ପରେ ଈଶ୍ବରଙ୍କ ମନ୍ଦିର ଆଗରେ ହାତ ଯୋଡ଼ିଲା ବୁଦ୍ଧୁ ବୁ୍ଢୀ ପାଇଁ । ପହଡ଼ ପଡିଯାଇଥିବା ମନ୍ଦିର ଭିତରୁ କିନ୍ତୁ ଈଶ୍ଵରଙ୍କ ହସିଲା ମୁହଁ ଉଜ୍ଜ୍ବଳ ଦିଶୁଥିଲା ।...........

  


     



  

 

  


Rate this content
Log in

Similar oriya story from Drama