Soumya Shubhadarshinee

Drama

4.5  

Soumya Shubhadarshinee

Drama

ସଂଜ୍ଞା

ସଂଜ୍ଞା

4 mins
218


   ମୁହୂର୍ତ୍ତର ସଂଜ୍ଞା - ସୁଖଦ ବା ଦୁଃଖଦ ନିର୍ଭର କରେ କେବଳ ଆମ ଉପରେ । ମନମର୍ଜି କେବଳ ଯାହା.........


  ବାହାଘର ପରେ ମାନସୀ ଯେବେ ବୋହୁ ଆଶିକାକୁ କହିଥିଲେ ," ମା' ରେ ଘରର ରୀତିନୀତି ତ ତୁ ପାଳି ପାରିବୁ ନାହିଁ । ତୋର ପ୍ରବାସୀ ଚାକିରୀ ଜୀବନରେ ସମୟ ନାହିଁ । ହେଲେ ମୋ ଅନ୍ତେ ଗୋଟିଏ ପୂଜା କରିବୁ ଏଇ ସୋମନାଥ ବ୍ରତ । ଏଇଟା ଆମ ଘରର ପରମ୍ପରା । କାହିଁ କେଉଁ କାଳୁ ପାଳିତ ହେଉଛି । ''  ଆଜିର ବୋହୁ ଶାଶୁଙ୍କ ଅନ୍ତେ କରିବ ପୂଜା । ଆଃ ! ଏତକ ଆଜିର ସତ୍ୟ । ଗ୍ରହଣ କରିନେବା ମଙ୍ଗଳ । ତେଣୁ ମନରେ ଗୋଟେ ଅବସୋସ୍ ରହିଥିଲା, ବୋହୁ ଥରୁଟିଏ ତାଙ୍କ ସହ ପୂଜାରେ ସାମିଲ ହେଉ । ଦଶବର୍ଣ୍ଣି ପୁର ଦେଇ ମଣ୍ଡା ଗଢୁ , ଦଶ ପ୍ରକାର ଫୁଲ , ଦଶପ୍ରକାର ଫଳ ଯୋଗାଡି ସୋମନାଥଙ୍କୁ ସ୍ମରଣ କରି ବ୍ରତ ନାଉ । ଗୋଟେ ପିଢୀର ଦାୟିତ୍ୱ ପୂର୍ଣ୍ଣତା ପାଇଯାଉ । ମନରୁ ଶଙ୍କା ଦୁରେଇ ଯାଉ । 


 " ବୋହୁ ପାରିବ , ମୋ ଅନ୍ତେ କାରଣ ମୁଁ ଶିଖେଇ ଦେଇଛି ତାକୁ ଘରର ରୀତିନୀତି ।" ଏଇ ବିଶ୍ୱାସ ଆସିଯାଉ ମନରେ ।କିନ୍ତୁ ଏଇ ସୁଯୋଗ ମିଳିନଥିଲା ଆଜିଯାଏଁ ।

    ପୂଜାର୍ଚ୍ଚନା ଭିତରେ ଧର୍ମୀୟ ଚେତନାକୁ ସୁରକ୍ଷିତ ରଖିବାର ପ୍ରଚେଷ୍ଟା କରିଆସୁଥିବା ପୂର୍ବପିଢ଼ିର ସ୍ୱର ଏମିତି ବ୍ୟଥାତୁର । ଆମ ସଂସ୍କୃତିକୁ ସମ୍ମାନ ଦେଇ , ଆମ ପରମ୍ପରାକୁ ଜାବୁଡି ଧରି ନିଜକୁ ଓଡ଼ିଆ ବୋଲି କହିବାର ଗର୍ବ କରୁଥିବା ନାରୀର ବ୍ୟଥା ଆଜି ସବୁଠି। ସତରେ ବଡ଼ ଘଡିସନ୍ଧି ମୁହୂର୍ତ୍ତରେ ଆମେ , ନା ସମ୍ପୂର୍ଣ୍ଣ ଭାବରେ ପାରମ୍ପରିକ ନା ସମ୍ପୂର୍ଣ୍ଣ ଭାବରେ ଆଧୁନିକ !

  

 ଦଶହରା ସମୟରେ ନବରାତ୍ରୀ ପାଳନ କରି ଦାଣ୍ଡିଆ ନାଚ କରିବା ନା' ଓଡ଼ିଆ ଭଳି ଦୁର୍ଗାଷ୍ଟମୀ ଓପାସ କରି ଦଶମୀ ଦିନ ସୋମନାଥ ବ୍ରତ କରିବା ; ନିର୍ଣ୍ଣୟ ନେବା ସହଜ ନୁହେଁ ! ଏମିତି ଗୋଳେଇ ଘାଣ୍ଟି ହେଇଗଲାଣି ଆମ ସ୍ଥିତି । 


ଆମେ ଆଜି ତ୍ରିଶଙ୍କୁର ଦାୟାଦ ସାଜିଛୁ ସ୍ୱେଚ୍ଛାରେ .......

ଏବେ ପୂଜାର୍ଚ୍ଚନା ପାଇଁ ସମୟ କାହିଁ । ପୁଅ ଆଉ ବୋହୁ ଛୁଟି ହେଲେ ବହାରିଯାଆନ୍ତି ବିଦେଶ ବୁଲି । ସେମାନେ କର୍ପୋରେଟ ଦୁନିଆରେ । ଛୁଟି ଅର୍ଥ ବିରତି ନିଜ ବ୍ୟସ୍ତବହୁଳ ରୁଟିନ୍ ଭିତରୁ । ସେଇ ସମୟ କେବଳ ନିରୋଳା ଆନନ୍ଦ ପାଇଁ । ପୂଜାର୍ଚ୍ଚନା କରିବାର ଅବକାଶ କାହିଁ ?......... ମାନସୀ ବୁଝି ପାରନ୍ତି ନାହିଁ ଆଜିର ପିଢୀର ଜୀବନ ଦର୍ଶନ ," ଅର୍ଥ ପାଇଁ ମେସିନ ଭଳି ଖଟିବା ଓ ଅର୍ଜିତ ଆର୍ଥିକୁ ସାରିବା ପାଇଁ ଯାଯାବର ଭଳି ବୁଲିବା ?''

 ଏଇ ପିଲାଏ ଘର ବାହୁଡା ହେବେ 

କେବେ ?......


  ମାନସୀ ଯେବେ ଫୋନ୍ କରି ଛୁଟିରେ ଆସିବାକୁ କୁହନ୍ତି ଏଇ ଦଶହରା ସମୟରେ କେବେବି ସୁଯୋଗ ମିଳେନା । ପୁଅ ଆସେ ବର୍ଷକୁ ଥରେ ସେଇ ଉଦୁଦିଆ ଜଳନ୍ତା ଖରାର ଦିନ ଗୁଡିକରେ । ଘରେ ନିବୁଜ ହେଇ ବସେ ଶିତତାପ ନିୟନ୍ତ୍ରିତ ପରିବେଶରେ । ରଜକୁ ବୋହୁ ପୁଣି ପଳେଇ ଯାଏ ବାପଘର । ସେ ଯେଉଁ ଏକକୁ ସେଇ ଏକା ହେଇପଡ଼ନ୍ତି ।


ତାଙ୍କ ଉଦାସ ମୁହଁ ଦେଖି ସୀତାକାନ୍ତ କୁହନ୍ତି , "ବୁଝିଲ ପୂଜା ଆଉ କାହିଁ ?.....  ଖୁବ୍ ଗୁଡ଼େ ବିଷାକ୍ତ ଅଙ୍ଗାରକାମ୍ଳ ଭରି ନିଜ ଭିତରେ ଆକ୍ତାମାକ୍ତା ହେବା । ଉଚ୍ଚାଙ୍ଗ ଶବ୍ଦ ସ୍ରୋତ ଭିତରେ ଉବୁଡୁବୁ ହେବା । ଆଖି ଝଲସା ଆଲୋକ ବନ୍ୟାରେ ଅନ୍ଧ ହେବା । ଉତ୍କଟ ନିଶାର ଗନ୍ଧରେ ଅଣନିଃଶ୍ବାସୀ ହେବା । ମେଞ୍ଚେ ଫାଷ୍ଟ ଫୁଡ଼ ଗେଫି ଅସୁସ୍ଥ ହେବା । ଏଇଟାହିଁ ଆଜିର ପାର୍ବଣ । ଏତକ ବ୍ୟତୀତ ଆଉ ଧର୍ମକର୍ମ , ପୂଜାର୍ଚ୍ଚନା , ଭକ୍ତି ଭାବ ଏସବୁ କେବଳ ଶବ୍ଦ । ଯାହାର ମୂଲ୍ୟ ଦି କଉଡ଼ି ଠୁ ବି କମ୍  । 


  ମୃଣ୍ମୟୀ ମୂର୍ତ୍ତି କେବଳ ଆଖିର ଆନନ୍ଦ , ପ୍ରତିଷ୍ଠାର ବିଜ୍ଞାପନ, ଆତ୍ମ ବଡ଼ିମାର ଉଦ୍ଧତ ପରିପ୍ରକାଶ । ଜାଣ ଆମେ ମୂର୍ତ୍ତି ଭିତରେ ଖୋଜୁ କେତେ ସୁନା, କେତେ ରୂପା, କେତେ ଦାମ । ଗେଟର ବିଶାଳତା ଆଉ ସମୃଦ୍ଧି ଭିତରେ କଳୁ ଭକ୍ତିର ଗଭୀରତା ।


 ଚିଟା ଲାଗିଲାଣି , ସତରେ ଭାରି ଚିଟା 

ଲାଗିଲାଣି ମୋତେ। ଆଜିର ସାମାଜିକ ଅବକ୍ଷୟ ଦେଖି କେମିତି ଗୋଟେ ବିତୃଷ୍ନା ଆସିଗଲାଣି।''


ମାନସୀ ଜାଣନ୍ତି ଏଇ ପୂଜା ବୁଲାଣି ପାଇଁ କେତେ ମୋହ ସ୍ୱାମୀଙ୍କର । ଏମିତି ଥରୁଟିଏ ହେଇନଥିବ ଯେବେ ସୀତାକାନ୍ତ ତାଙ୍କୁ ଧରି ଦଶହରା ବୁଲି ନଥିବେ । ଅକ୍ଷୟ ମହାନ୍ତିଙ୍କ ସେ ଦଶହରା ଗୀତର ପାଗଳ ପ୍ରେମୀ ସ୍ୱାମୀ ତାଙ୍କର ତାଙ୍କ ମନ ରଖିବାକୁ ନିନ୍ଦୁଛନ୍ତି ।

  

  କିନ୍ତୁ ଏଇଥରର ଏ ସଂକ୍ରମିତ ବେଳାର ନିରାଡ଼ମ୍ବର ପୂଜାରେ ମାନସୀ ବେଶ ଖୁସି । ଏଇ ସଙ୍କଟର ମୁହୂର୍ତ୍ତ ସଭିଙ୍କ ମନରେ ଭକ୍ତି ପାଇଁ ଜାଗା ଟିକିଏ ଦେଇଛି । ସଭିଏଁ ଆତ୍ମପ୍ରଚାର ପାଇଁ ସାଜିସୁଜି ପ୍ରତିଯୋଗିତାରେ ନାହାଁନ୍ତି । ପ୍ରଥମଥର ପାଇଁ ଅନିତ୍ୟ ଓ ଆଶିକା ଘରେ ଅଛନ୍ତି । ଆର୍ଥିକ ମାନ୍ଦା ସ୍ଥିତି ହେତୁ । ଅନେକ ବର୍ଷ ପରେ ତାଙ୍କ ହାତ ତିଆରି ଲୁଣି ଆଉ ମିଠା ଖଜା ଖୋଜା ପଡିଛି । ପିଲାଏ ବାହାର ଜିନିଷ ଖାଇବାକୁ ମନା ବୋଲି ଗେଲ୍ହା ନାତୁଣୀ ବି ଫେଣି ଖାଉଛି ପ୍ରଥମଥର ବୁଲିବୁଲି । ପିଜ୍ଜାର ମଜ୍ଜା ଆଉ କାହିଁ ? ପିଜ୍ଜା ଡେଲିଭରି ବୟଟି ସଂକ୍ରମିତ ହେଇ ସମସ୍ୟା ହେବା ପରେ ପିଜ୍ଜା ବନ୍ଦ ।ସଂକ୍ରମଣର ସନ୍ଦେହ ଛତୁ ଭଳି ଫୁଟିଛି ମନର ବଗିଚାରେ । ଯାହା ସଭିଁକୁ ବେଶ ସଚେତନ କରିଛି ଆଉ ସଭିଁକୁ କରିଛି ଘର ମୁହାଁ ।


  ମଣ୍ଡା ପିଠାର ଆୟୋଜନରେ ସେ ଏକୁଟିଆ ଧନ୍ଦି ହେଇନାହାନ୍ତି ସୋମନାଥ ବ୍ରତର ପାଗ ଯୋଗରେ। ଆଶିକା ବି ଶିଖିଛି ଚୁନା ଆଉ ପାଣିର ସମୀକରଣ । ବଡ଼ ଶ୍ରଦ୍ଧାରେ ପୁଅ ମୁଗ ପୂର ପିଠା ପାଇଁ ଅଳି କରିଛି । କାହିଁ କେଉଁ କାଳୁ ଅନାଥ ହେଇ ପଡିଥିବା ବଡ଼ ହଣ୍ଡାଟା ବାହାରିଛି ଅଥାର ସଜା ହେଇ ହେବାକୁ ସିଝା ମଣ୍ଡା ।

ଘର ପୁରିଲା ପୁରିଲା ଲାଗୁଛି , ମନ ଭରିଲା ଭରିଲା ଲାଗୁଛି । 


 ଘରର ଘୋଘୋ ଭିତରେ ତାଙ୍କ ବୟସ ଯେମିତି କମି ଯାଇଛି । ପୁରୁଣା ଆଣ୍ଠୁଗଣ୍ଠି ସମସ୍ୟାରେ ନିଜକୁ ଘର ଭିତରେ ନିବୁଜ କରିଥିବା ଅସହାୟ ମଣିଷର ମୁହୂର୍ତ୍ତରେ ନୂଆ ଉର୍ଜା ଭରିଯାଇଛି । ଲେଖା ହେଉଛି ସୁଖର ସତେଜ ଅଧ୍ୟାୟ । 


  '' ପ୍ଲିଜ ମୋତେ ବାହାରକୁ ଯିବାକୁ ଖୁବ୍ ଇଚ୍ଛା ହେଉଛି । ବୁଲି ଆସନ୍ତେ ଟିକେ ଏଇ ଦିନେ ଦୁଇଦିନ । '' 

 -'' ଆଶିକା, ଆର ୟୁ ମ୍ୟାଡ଼ , ଏଇ ସମୟରେ ପୁଣି ବୁଲା । " ଅନିତ୍ର ଏତକ ଶୁଣେଇ ଲନରେ ବସିବାକୁ ଚାଲିଗଲେ । ଆଉ ଆଶିକା ବିରକ୍ତ ହେଇ ବସିରହିଲା , '' ଓଃ ! ଏ କରୋନା କେବେ ଯିବ । ମୁଁ ଘରୁ ମୁକ୍ତ ହେବି । ଏଇ  

ପୂଜାପାଠ, ରୋଷେଇବାସ , ଘରକାମ ଭିତରେ ଅଣନିଶ୍ୱାସୀ ହେଇ ମରିଯିବ ମଣିଷ ନିଶ୍ଚିତ ।''.....


    

  


  



Rate this content
Log in

Similar oriya story from Drama