ପରିଭାଷା
ପରିଭାଷା
ଦଙ୍ଗା ହେଇଛି ବୋଧେ ....
ମୋ ସ୍ୱପ୍ନ ଆଉ ମୋ ବାସ୍ତବତା ଭିତରେ ଗୋଟେ ଭୟଙ୍କର ଦଙ୍ଗା ଯାହାର ନଷ୍ଟ ଦାଗ ଏବେ ମୋ ପୃଥିବୀରେ । ମୋ ଦେହ ତୁମକୁ ଘୃଣାକରେ । ତୁମେ ସୃଷ୍ଟିର ସବୁଠାରୁ ଘୃଣିତ ଚରିତ୍ର । ମୋ ଛାତିର ସ୍ପନ୍ଦନ ତୁମକୁ ଭୟକରେ ହଁ ହଁ ଭୟ କରେ ।
ମୁଁ କେବଳ ତୁମକୁ ଘୃଣା କରେ ସୈକେତ । କେବଳ ଘୃଣା । ମୋତେ ମୁକ୍ତ କରିଦିଅ । ହେ ଈଶ୍ବର ମୋତେ ମୁକ୍ତି ଦିଅ । ମୁକ୍ତି ଦିଅ ......
ନୀରାର ଶବ୍ଦ ସବୁ ଭୟଙ୍କର ଚିତ୍କାର ଭଳି ଶୁଭୁଥିଲା । ସେ ଅନ୍ଧାରୁଆ ବଖୁରିଏ ଘରର କାନ୍ଥ ସେ ଶବ୍ଦର ଆଘାତରେ ଭାଙ୍ଗି ଯାଉଥିଲା କି ଆଉ !........
କିନ୍ତୁ ସେଇ ଘରୁ ଶବ୍ଦଗୁଡିକ ମୁକ୍ତ ହେଇ ବାହାର ପୃଥିବୀର କାହାରିକୁ ଶୁଭୁ ନଥିଲେ ।
ସେଇ ପରିତ୍ୟକ୍ତ ଘରେ କେବଳ ନୀରା ଥିଲା ହୁଏତ ମୃତ୍ୟୁବତ ସେଇଠି ରହିବାର ଚୁକ୍ତିବଦ୍ଧ ହେଇ ।
******
ପ୍ରେମ ବଡ଼ ବିଚିତ୍ର , ନା ବଡ଼ ନିଷ୍ଠୁର ? ପ୍ରେମ ମଣିଷକୁ ଅନ୍ଧ କରିପାରେ , ମୁକ ବଧିର ମଧ୍ୟ । ହତବୁଦ୍ଧି ହେବାର ସବୁଠାରୁ ଶକ୍ତିଶାଳୀ ଆୟୁଧ ବୋଧେ ଏଇ ପ୍ରେମ ।
ସୈକତ ସାମନ୍ତ ଗୁଣ୍ଡା , ଅସାମାଜିକ କି ଅପରାଧୀ ନୁହେଁ । ସେ ବଡ଼ ସାଧାରଣ କଲେଜ ପଢୁଆ ମଧ୍ୟମିତ୍ତ ପରିବାରର ସୌମ୍ୟା ଦର୍ଶନ ପିଲାଟିଏ । ନୀରା ତା' ପ୍ରତି ଆକର୍ଷିତ ହେବା ବଡ଼ ସୁନ୍ଦର । ଉଭୟ ବେଶ ଖୁସି ' ମେଡ୍ ଫର୍ ଇଚ୍ ଅଦର୍ ' ଯୋଡି । କଲେଜରେ ଭାରି ଚର୍ଚ୍ଚା । ନୀରା ସୌଭାଗ୍ୟବତୀ କଲେଜ ଟପ୍ପରର ପ୍ରେମିକା । ଆଗକୁ ଉଜ୍ଜ୍ୱଳ ଭବିଷ୍ୟତ ।
ଦିନ ସବୁ ପାଣି ଭଳି ବହି ଯାଉଥିଲା ଉଭୟଙ୍କର । ସାଥିରେ ରହିବାର ଝୁଂକ ଯୋଡି ହେଇଯାଇଥିଲା ଭିତରେ ।
ସେଦିନ ଜନ୍ମ ଦିନ ନୀରାର । ବଡ଼ ଆୟୋଜନ ଘରେ । କିନ୍ତୁ ମନ ଆନମନା ସୈକତ ପାଇଁ । ପାର୍ଲର ବାହାନାରେ ବାହାରିଥିଲା ନୀରା ଭେଟିବାକୁ ।
ସେମାନେ ବାହାରି ଯାଇଥିଲେ ସହରର ଉପକଣ୍ଠ । ସୁଦୃଶ୍ୟ ଲାଲ ଗୋଲାପର ସ୍ତବକ ଉପହାର ଦେଇଥିଲା ସୈକତ । ଦୁହେଁ ଆଇସକ୍ରିମର ମିଠାପଣରେ ବୁଡି ବିତେଇଥିଲେ ଗୋଟେ ଚମତ୍କାର ସନ୍ଧ୍ୟା ।
ସନ୍ଧ୍ୟାର ଅନ୍ଧକାରରେ କିଛି ମଦ୍ୟପ ଗୁଣ୍ଡା ଶ୍ରେଣୀର ଲୋକେ , ଅସାମାଜିକ ଭାବେ ନୀରାକୁ ଆକ୍ରମଣ କରିବା ଯଦିଓ ସ୍ୱାଭାବିକ କିନ୍ତୁ ସୈକତ ନିଜେ ନୀରାକୁ ସେମାନଙ୍କ ହାତରେ ସମର୍ପି ଦେବା ଆଦୌ ବିଶ୍ୱାସନୀୟ ନୁହେଁ । କିନ୍ତୁ ସେଇଆ ଘଟିଥିଲା । ସେମାନେ ଆକ୍ରମଣ କଲା ବେଳେ ସୈକତ ନୀରାକୁ ବିନା ଦ୍ବିଧାରେ ସମର୍ପି ଦେଇଥିଲା ତାଙ୍କ ହାତରେ । ଦୌଡ଼ି ପଳେଇ ଥିଲା ନିଜ ଜୀବନ ବଞ୍ଚେଇ ସେ କଳା ଲୋକଟା ହାତରେ ମାଉଜର ଦେଖି ।
ସୈକତ ସୈତାନ ହେଇଯିବାର କାରଣ ଜଣା ନାହିଁ ନୀରାକୁ । ସେ ହୁଏତ ଭୟ କଲା । ସାଧାରଣ ମଣିଷ ଜୀବନ ପ୍ରତି ଅହେତୁକ ଆକର୍ଷଣ କରିବା ସଠିକ । କିନ୍ତୁ ନୀରା କ'ଣ କହିବ ତାକୁ ଯେବେ ଏଇ ପରିତ୍ୟକ୍ତ ପୃଥିବୀରେ ବିଚାରୀ ନର୍କ ଭୋଗୁଛି ଓ ପ୍ରେମର ପରିଭାଷା ଖୋଜୁଛି । ତିକ୍ତ କାକ୍ଟସ ଭଳି ଗୋଟେ ବିଷାକ୍ତ ଯନ୍ତ୍ରଣା ଦେଉଛି ପ୍ରେମର ପରିଣତି ।