Soumya Shubhadarshinee

Tragedy

3  

Soumya Shubhadarshinee

Tragedy

ମୋକ୍ଷ

ମୋକ୍ଷ

4 mins
212


 

 ଜୀବନ ପାରେ ପୁଣି ଯଦି କିଛି ସମ୍ଭାବନା ଅଛି ତେବେ ତା'ର ନାଁ ହେଲା ମୋକ୍ଷ ।.....


--------

 ଭବ୍ୟ ଟମ୍ପେ ରୋଡ଼ର ସାବଜା ଛୁରିଆନା ଗଛ ଗୁଡାକୁ ପଚାରୁଥିବ , '' ତୁମେ ମାନେ ନିଶ୍ଚିତ ଜାଣ , ସେ ତୁମକୁ ସବୁଠାରୁ ଅଧିକ ଆଦର କରୁଥିଲା । କୁହ , କୁହ ସେ କେମିତି ଅଛି ଏଇନେ ?''

 ଗଛ ଗୁଡା ସ୍ଥିର ହେଇ ଶୁଣୁଥିବେ ତା' କଥା, ଯେମିତି ସେମାନେ ସମଭୋଗୀ , ତା' ଦୁଃଖରେ । ଯେମିତି ସେମାନେ ସେତିକି ଭାଙ୍ଗି ପଡିଛନ୍ତି ଯେ କଥା ସ୍ଫୁରୁ ନାହିଁ ତାଙ୍କ ଓଠରୁ । ନିଶବ୍ଦ ହେଇଛନ୍ତି ଦୁଃଖର ତାଡ଼ନାରେ । ଢେର ସମୟ ସେଇ ଗଛ ସହ ବିତେଇ ଦେବ ସେ । ଆଉ ଥକି ଯିବ  ନିରୁତ୍ତରିତ ପ୍ରଶ୍ନ ଗୁଡା ଦୋହରେଇ ଦୋହରେଇ ।


 ଏଇ ମୁହୂର୍ତ୍ତରେ ଫୋନ୍ ଆସିବ , ମଧୁ ସୋରେନ୍ ର । ତା' ଭିତରେ ଚିରାଚରିତ ଉନ୍ମମାଦନା ଜାଗିବ ନାହିଁ ଆଜି ମଧୁ ଲାଗି । ଇତସ୍ତତଃ ହେବନି ସେ କାହା ଦୃଷ୍ଟିରୁ ବଞ୍ଚିବା ପାଇଁ । ଆଦୌ ଖୋଜିବନି ଗୋଟେ ସୁରକ୍ଷିତ କୋଣ ମଧୁର ସ୍ୱର ଶୁଣିବାପାଇଁ । ସେ ଫୋନ୍ ଆଟେଣ୍ଡ କରିବ ନାହିଁ । ସେଇଟାକୁ ଚୁପ କରେଇ ଦେଇ ପକେଟରେ ଶୁଏଇ ଦେବ । ମଧୁ ନୀରବ ହେଇଯିବ , ଠିକ ଯେମିତି ଛୁରିଆନା ନୀରବ ଥିବେ ।


*****

 ଆଜି ଡି - ୨୨୨ ଘରଟା ଭିନ୍ନ ଦେଖାଯିବ । ତା' ସାମ୍ନାରେ ସେଇ ଭାଲୁଆ କୁକୁରଟା ଭୁକିବାର ଶୁଭୁନଥିବ । ଭବ୍ୟ କିନ୍ତୁ ଆଜି ସେଇ ଶବ୍ଦକୁ ଖୋଜୁଥିବ ବଡ଼ ବିକଳ 

ହେଇ । ବିନୀତ ହେଇ କହୁଥିବା , "କ୍ୟାରୋଲ ପ୍ଲିଜ ଆ' ବାହାରକୁ ଆ' ଦେଖ ଥରେ ମୁଁ ଆଜି ଜମା ବିଗିଡିବି ନାହିଁ । ଟ୍ରଷ୍ଟ ମି ।"

 କ୍ୟାରୋଲ କିନ୍ତୁ ଥିବ ହୁଏତ ସଂଗରୋଧରେ , ଘରର ଚାରିକାନ୍ଥ ଭିତରେ ନିବୁଜ ହେଇ । ଶୁଣୁ ନଥିବ ସେ , ଶୁଣୋଉ ନଥିବ ତା' ବିରକ୍ତ କର ଭୋ' ଭୋ ' ।........

*****

  ବ୍ରଜବାସିନୀ ବସ ଆଜିକୁ ତିନିମାସ ହେଲା ଥିବ ଧର୍ମଘଟରେ ଠିକ ତା' ଘରର ଚାରୋଟି ଘର ଛାଡ଼ି ଥିବା ଖାଲି ପଡ଼ିଆରେ । ଭାରି ଇଚ୍ଛା ହେଉଥିବ ଦୌଡ଼ି ଯାଇ ସେଇଥିରେ ବସିବାକୁ । ଠିକ ସାଢ଼େ ଆଠଟାରେ ସେଥିରେ ନୀତି ଯିବାର ଅଭ୍ୟାସ ଭିତରେ ଖୁଜୁବୁଜୁ ହେଉଥିବ । କିନ୍ତୁ ସେ କେବଳ ବସକୁ ଦେଖିବ ଆଉ ଦେଖିବ । ତା'ର ଚଳତଶକ୍ତି ବିହୀନ ଭାବ ଗ୍ରାସୀ ଯିବ ଭବ୍ୟକୁ ଅଜଗର ଭଳି। 


 ସକାଳ ସାଢେ ପାଞ୍ଚରୁ ଆଲାର୍ମ ଦେଇ ଉଠୁଥିବା ଘରର ବ୍ୟସ୍ତତା । ପ୍ରେସର କୁକର ସିଟିର ସ୍ୱରରେ ଅନିଚ୍ଛା ସତ୍ତ୍ୱେ ଭାଙ୍ଗୁଥିବା ନିଦ , ପୁଅକୁ ଭିଡିମୋଡି ସ୍କୁଲ ପାଇଁ ପ୍ରସ୍ତୁତ କଲାବେଳେ ବିନା କାରଣରେ ବିଗୁଡୁଥିବା ସ୍ୱର , ଚାରିଟିକିଆ ଗ୍ୟାସ ଚୁଲା ସହ ରୀତିମତ କସରତ କରି ରୋଷେଇ ସାରୁଥିବା ହାତ , ସାଢ଼େ ଆଠ ସୁଦ୍ଧା ବ୍ରଜବାସିନୀ ଧରୁଥିବା ଜୀବନ : ବିରକ୍ତିକର ଆଦୌ ନୁହେଁ ବରଂ ଇପ୍ସିତ ବୋଲି ଲାଗୁଥିବ ଭବ୍ୟକୁ । ସେଇ ପରିଚିତ କୋଳାହଳ , ଅସ୍ତବ୍ୟସ୍ତ ଜୀବନ ଚର୍ଯ୍ୟାକୁ ହଜିଲା ଧନ ଭଳି ଖୋଜୁଥିବ ମନ । କାରଣ ସେଇଟି ଅସମ୍ଭବ ଭାବେ ନିଶବ୍ଦ ଥିବ ଠିକ ସେଇ ମଧୁ ସୋରେନ୍ ର ଅନ ଅଟେଣ୍ଡେଡ କଲ୍ ଭଳି ।


 ଭବ୍ୟ ସାରା ଘରର କୋଣ ଅନୁକୋଣରେ ସନ୍ଧାନୁ ଥିବ ଗୋଟେ ବାସ୍ନା, ଗୋଟେ ହସ, ଗୋଟେ ସ୍ପାର୍କ। କିନ୍ତୁ କେଉଁଠି ବି ନଥିବ ସେଇଟି । ତା' ଭିତରେ ଅସମ୍ଭବ ସ୍ଥାଣୁତା ଜମିଯାଇଥିବ । ଯେମିତି ସେ ଅସୁସ୍ଥ ଖୁବ୍ ଅସୁସ୍ଥ । ଏଇନେ ବୁହାହେଇଯିବ ଗୋଟେ ନିଷିଦ୍ଧ ପୃଥିବୀକୁ , ଅସ୍ପୃଶ୍ୟ ପୃଥିବୀକୁ , ଭୟର ବଳୟକୁ । 


-- '' ଜାଣ ଏଠି ବହୁତ ଭୟ ଲାଗୁଛି ମୋତେ କେହି କୁଆଡେ ନାହାଁନ୍ତି ଏଠି । ଯିଏ ବି ଆସୁଛି ଗୋଡ଼ରୁ ମୁଣ୍ଡ ଯାଏଁ ନିବୁଜ ହେଇ । ମଣିଷ କି ମେସିନ ସେତକ ମଧ୍ୟ ବୁଝି ହେଉନି । ମୋତେ ଭୟ ଲାଗୁଛି ଭବ୍ୟ ବହୁତ ଭୟ ।".....


 ଶୁଭୁଥିବ ସେ ସ୍ୱର ସ୍ପଷ୍ଟ ଆଉ ଶାଣିତ । ପାଗଳ କରୁଥିବ ଭବ୍ୟକୁ ସେ ସ୍ୱରର କାରୁଣ୍ୟତା । ଭବ୍ୟ ନିଜର ସମସ୍ତ ଶକ୍ତି ପ୍ରୟୋଗ କରି କାନ ଦୁଇଟାକୁ ବନ୍ଦ କରିନେବ , କିନ୍ତୁ ଏମିତି ସେ ଶବ୍ଦ ଆହୁରି ସ୍ପଷ୍ଟ ହେଉଥିବ ସିନା କମୁନଥିବ ଜମା ।

  

 ଘୋଘୋ ହୋହୋ ହେଉଥିବା ବଜାରର , ଚୁପଚାପ ପହଡ଼ ଦିଆ ମନ୍ଦିର , ମାଟି କାମୁଡି ପଡିଥିବା ମଲ , ପବ , ମଲ୍ଟିପ୍ଲେକ୍ସ ସଭିଏଁ ଭବ୍ୟକୁ ଆହୁରି ଏକ୍ଲା କରୁଥିବେ । ଏଇ ମୁହୂର୍ତ୍ତରେ ସେ ଇଚ୍ଛା କରୁଥିବ କୁଆଡେ ଗୋଟେ ପଳେଇ ଯିବାକୁ । ଏକଦମ ଦୂରକୁ ଯେଉଁଠି ଅନ୍ତତଃ ଚଳତଶକ୍ତି ସମ୍ପନ୍ନ ପୃଥିବୀର ଦୃଶ୍ୟ ଥିବ । ଯେଉଁଠି ଅହର୍ନିଶି ମୃତ୍ୟୁର ଅନ୍ଧକାର ଗଳାରୋଦ୍ଧ କରୁନଥିବ । ଟିଭି ପରଦାରେ ଭୟର ପାରଦ ଚଢୁ ନଥିବ । ଉଜୁଡା ସଂସାର ଓ ଉଚ୍ଛନ୍ନ ଜୀବନର ଏଇ ଅନ୍ଧଗଳି ଭିତରୁ ମୁକୁଳି ଯିବାର ଅଦୃଶ୍ୟ ପଥଟିଏ ଖୋଜୁଥିବ ଭବ୍ୟ।

  ଗୋଟେ କାଳଖଣ୍ଡର ମୃତୁ ତାଣ୍ଡବ କବଳରୁ ମୁକ୍ତି କିନ୍ତୁ ଏତେ ସହଜ ନଥିବ । ନା ଆଦୌ ନଥିବ । ଲହଲହ ଜିଭ କାଢି ମାଡି ଆସୁଥିବା କାଳର କରାଳ ସର୍ପ ଦଂଶି ସାରିଥିବ ଭବ୍ୟ ଆଉ ତା' ହାତଗଢା ନୀଡ଼ ।

***********

 ବୋଉ ଥିବ ଫୋନରେ , ତା' ଭିତରର ମଧ୍ୟ ଶବ୍ଦ ସବୁ କୋହରେ ରୂପାନ୍ତରିତ ହେଇଯାଇ ଆହୁରି ବ୍ୟଥା ଦେଉଥିବେ ଭବ୍ୟକୁ । ସେ ଚାହୁଁଥିବ ଅନ୍ତତଃ ବୋଉ କିଛି କହୁ , ଆସ୍ବସ୍ତିର ବାଣୀ , ନିର୍ଭୟ କରୁଥିବା କଥା , ତାକୁ ଶକ୍ତ କରୁଥିବା ଶବ୍ଦ । ବୋଉ ଅଭୟ ଦେଇପାରେ ସେ ଜାଣିଥିବ । ତୁଚ୍ଛା ବେଲପତ୍ର ଟିକେ ଖୁଏଇ ଅମରତ୍ୱ ଦେଇପାରୁଥିବା ଇଶ୍ୱରଙ୍କ ବାର୍ତା ଟିକେ ଶୁଣିବାର ଇଚ୍ଛା ଥିବ ବୋଉ ଓଠରୁ , '' ଶୁଣ ଆଜିଠୁ ସଂକଳ୍ପ କଲି , ପ୍ରଭୁ ନୀଳକଣ୍ଠଙ୍କ ପାଖରେ । ସେ ଅକର୍ମ କର୍ମ କାରକ ତାଙ୍କ ଶରଣାଗତର ସୁରକ୍ଷା ସେ ନିଶ୍ଚିତ କରିବେ । ତୁ ଜମା ବ୍ୟସ୍ତ ହୋନା । ବେଳପତ୍ରି ଧଣ୍ଡା ଟିକେ ପାଟିରେ ମାରିଦେ ବାସ ।''

  ବୋଉର ଏଇ କଥାଗୁଡା ଆଜି ଜମା ଶୁଭୁନଥିବ । ଯଦିଓ ଆଜି ଏମିତି ଶୁଣିବାକୁ ଭବ୍ୟ ଅପେକ୍ଷାରତ ଥିବ । ବୋଉ କିନ୍ତୁ କେବଳ ଲୁହ ବୁହେଇ ଚାଲିଥିବ । ବାପା ଫୋନ୍ ଛଡେଇ ନେଇ କହିବେ , " ତୁ ଚାଲି ଆ ବାବୁ ଆଉ ସହି ପାରୁନୁ ଆମେ ବୁଢା ବୁଢ଼ୀ ଦୁହେଁ । ଚାଲିଆରେ ଚାଲିଆ !''......

  ବାପାଙ୍କର ସେ ଶବ୍ଦ ତକ କିନ୍ତୁ ବଡ଼ କର୍କଶ ଶୁଭିବ । ଯେମିତି ସେ ପୁଣିଥରେ ରାଗିଛନ୍ତି ତା' ଉପରେ । ଦେଉଛନ୍ତି ଗୋଟେ ଦଣ୍ଡ । ସେ ଜମା ଇଚ୍ଛା କରିବନି ତାଙ୍କ ରାଗକୁ ସମ୍ମାନ ଦେବାକୁ । ସେ ଫୋନ୍ କାଟି ଦେବ । ବୋଉ ପୁଣି ଲ଼ଗେଇବ ଆଉ କହିବ , '' ବାବୁରେ ଖାଇଛୁ କିଛି?"

 ଏତିକି ଯଥେଷ୍ଟ ଥିବ ଭବ୍ୟ ଭିତରୁ ଟିକି ପିଲାଟିଏ ବାହାର କରିବାକୁ । ଯିଏ ଅଝଟିଆ ହେବ , ଚଗଲା ହେବ , ଅଳି କରିବ ଆଉ ଶେଷରେ ବୋଉ କୋଳରେ ମୁଣ୍ଡ ଗୁଞ୍ଜି ଶୋଇଯିବ । 

 ଆଜି କିନ୍ତୁ ସେ ଟିକି ପିଲାଟି କେବଳ ଭୋଭୋ ହେଇ କାନ୍ଦିବ । ପୂରା ଜୀବନର ଯେତେ ଲୁହ ଝରେଇବାର କ୍ଷମତା ମଣିଷ ପାଖରେ ଥାଏ ସବୁ ସାରି ଦେବ । ବୋଉ ପ୍ରବୋଧନା ପାଇଁ କୌଣସି ଶବ୍ଦ ଖୋଜିପାଉନଥିବ । ଗୋଟେ ଭିନ୍ନ କ୍ରୁରତା ଥିବ ସେଇ ଦୂରତା ଭିତରେ , ନିଃସଙ୍ଗତା ଭିତରେ , ଅସହାୟତା ଭିତରେ ।


 ଭବ୍ୟ କିନ୍ତୁ ନିଜକୁ ଶକ୍ତ କରି ପ୍ରଶ୍ନଟେ ପଚାରିବ , '' ବୋଉ ମିନୁକୁ ସେମାନେ ପୋଡ଼ିଦେଲେ , ମୋତେ ଦେଖିବାର ସୁଯୋଗ ମଧ୍ୟ ଦେଲେନି ମୁଖାଗ୍ନି ଦୂରର କଥା । ତା' ମୃତ୍ୟୁର କୌଣସି କ୍ରିୟା କର୍ମ ମଧ୍ୟ ହେଇପାରୁନି ଏଠି । ସେ କ'ଣ ଅମୋକ୍ଷ ରହିଯିବ ?".......

  

      


Rate this content
Log in

Similar oriya story from Tragedy