ଅଭିମନ୍ତ୍ରିତ
ଅଭିମନ୍ତ୍ରିତ
ଜୀବନ ସ୍ରୋତସ୍ୱିନୀ ଥିବାଯାଏଁ ସଜୀବ ନୋହିଲେ ନିର୍ଜୀବ ।
ବେଶ କରୁଣ ଥିଲା ସେ ଗୀତର ଆବେଗ । ଜଣେ ଆତୁର ହେଇ ବିଚ୍ଛେଦର କରୁଣ ରାଗିଣୀ ଶୁଣଉ ଥିଲା ।
ବିମାନ ବନ୍ଦରରୁ ଫେରନ୍ତା ରାସ୍ତାରେ ସେଇ ଗୀତଟି ମୁଗ୍ଧାକୁ ବଡ଼ ଆନ୍ଦୋଳିତ
କରୁଥିଲା । ତା' ମାନସିକ ସ୍ଥିତି ସହ ଖୁବ୍ ତାଳମେଳ ଥିଲା ସେଇ ଗୀତରେ । ଏକାକୀ ହେଇଯିବାର ଯନ୍ତ୍ରଣା ; ଆଃ ! ତାଠୁ ଅଧିକ କିଏ ଭୋଗିଛି ଭଲା !
ବିଚ୍ଛେଦ ଗୋଟେ ଭୟଙ୍କର ମାନସିକ ସ୍ଥିତି । ଝୁରାପଣ ମଣିଷକୁ ପାଗଳ କରିପାରେ ଠିକ ମୁଗ୍ଧା ଭଳି ।
ଆୟୁଷ ଆଜି ଦିଲ୍ଲୀ ଚାଲିଗଲା ନିଜର ପରିଚୟ ସୃଷ୍ଟି ପାଇଁ । ଲାଗୁଛି ନିଃଶେଷ ହେଇଗଲା ମୁଗ୍ଧା , ସରିଗଲା ସବୁ । ଅଦ୍ଭୁତ ଶୁନ୍ୟତା ତା' ପୃଥିବୀରେ ।
ତାରା କହୁଥିଲା ," ପିଲାଏ ଥରେ ନୀଡ଼ ଛାଡି ଉଡି ଗଲେ ହୁଅନ୍ତି ଅଫେରା ବାଟର ପକ୍ଷୀ ।"
କେବେ ଫେରନ୍ତି ନାହିଁ ସେମାନେ । ବାକି ଯାହା ରୁହେ ସେତକ ମରୀଚିକା । ଭୁଲିଯାନ୍ତି ପରିବାରର ଶ୍ରଦ୍ଧା , ପ୍ରତିବଦ୍ଧତା ଓ ବଳିଦାନ । ଖାସ ସେଥିପାଇଁ ପିଲାଙ୍କ ପ୍ରତି ଅହେତୁକ ଆକର୍ଷଣ ଭାରି ବିପଦଜନକ ।
ମୁଗ୍ଧା ସେଇ କଥା ଗୁଡା ଭାବିଭାବି ଯନ୍ତ୍ରଣା ଜର୍ଜରିତ ହେଉଥିଲା । ଆଉ ଗୋଟେ ଅଦ୍ଭୁତ ବିଚ୍ଛେଦ ଭୋଗୁଥିଲା ।
-- '' ତୁ ବାହା ହେଇ ସଂସାର କରିବା ଜରୁରୀ ମା' । ଏକାକୀ ଚଳିବା କଷ୍ଟ ମୋ ଅନ୍ତେ ।''
--'' ମୁଁ ପିଲାଟିଏ ପୋଷ୍ୟ କରିବି ବାପା ।''
--'' ନା' ନା' ଆମ ସମାଜ ଏସବୁକୁ ଘୃଣ୍ୟ ଦୃଷ୍ଟିରେ ଦେଖେ ମା' ।''
--'' ମୁଁ କିନ୍ତୁ ଆପଣଙ୍କୁ ଶ୍ରଦ୍ଧା କରେ ବାପା , ସ୍ୱାର୍ଥପର ହେଇ ଛାଡି ଯାଇ ପାରିବିନି । ମମି ଯଦି ଥାନ୍ତା ତେବେ ଭିନ୍ନ ହୁଅନ୍ତା ସ୍ଥିତି ।''
ଦୃଢ଼ ନିଷ୍ପତ୍ତି ମୁଗ୍ଧାର ସେ ନିଜର ଅସୁସ୍ଥ ବାପାଙ୍କୁ ଛାଡି ଯିବ ନାହିଁ । କିଏ ନେବ
ଦାୟୀତ୍ୱ ? କୋଉ ସ୍ୱାମୀ ସ୍ତ୍ରୀ ସହ ଅସୁସ୍ଥ ଶ୍ୱଶୁରକୁ ଗ୍ରହଣ କରିବ ସାରା ଜୀବନ ?.....
ମୁଗ୍ଧା ଏମିତି ସୁପୁରୁଷଟେ ସନ୍ଧାନୀ ବାର ଅପଚେଷ୍ଟା କରିନଥିଲା । ନିଜ ସିଦ୍ଧାନ୍ତରେ ତିଷ୍ଠି ରହି ଆୟୁଷକୁ ପୋଷ୍ୟ କରିଥିଲା । ସ୍ୱାବଲମ୍ବୀ ସ୍ତ୍ରୀଟିଏ ପାରେ ସବୁ ଯତେଇ ଦେଇଥିଲା ସଭିଙ୍କୁ ।
ଘର , ଚାକିରୀ , ବାପା ଓ ପୁଅ ବାସ ପରିପୂର୍ଣ୍ଣ ପୃଥିବୀ ତାକୁ ଘଡ଼ିଏ ଏକ୍ଲା କରିନଥିଲା ଏଯାବତ । ପେଷି ହେଉଥିଲା ସେ ସେଇ ପୃଥିବୀରେ ଅହରହ ।
ବାପା ଛୁଆଠୁ ଅଧିକ ନିର୍ଭରଶୀଳ ହେଉଥିଲେ ଦିନୁଦିନ । ଆୟୁଷ ଅଣନିଶ୍ୱାସୀ
ହେଉଥିଲା ଏଇ ପୃଥିବୀରେ ଆଉ ବାରମ୍ବାର ମୁକ୍ତି ଖୋଜୁଥିଲା ଏଇ କିଛି ଦିନ ହେବ ।
ବୟସ ଅନୁସାରେ ବଦଳେ ଆମର ପ୍ରକୃତି , ସ୍ୱାଭାବିକ ଏଇତକ । ଉଦ୍ଦାମ ଯୌବନ ମଣିଷକୁ ପ୍ରେରିତ କରେ ଭିନ୍ନ ପରିଚୟ
ପାଇଁ । ଆୟୁଷ ନିଜକୁ ସେଇ ସ୍ରୋତରେ ସାମିଲ କରିଥିଲା । ଆରମ୍ଭରୁ ସ୍ୱାବଲମ୍ବୀ ହେବାର ଝୁଂକ ପାଳିଥିବା ପିଲାଟି ଆଜି ଆଇ.ଆଇ.ଟି ଅଭିମୁଖେ ବହାରିଯିବା ଗୋଟେ ସୁଖମୟ ଅନୁଭବ ସଭିଙ୍କ ପାଇଁ ।
ସିଙ୍ଗଲ ମଦର୍ ଟିଏ ଏମିତି ସ୍ୱପ୍ନ ସାଇତି ରଖେ , ନିଜ ଏକାକୀ ପ୍ରଚେଷ୍ଟାରେ ପିଲାକୁ ସଫଳ କରିବାର ନିଶା ମନ ଭିତରେ ଅହରହ ରୁହେ । କିନ୍ତୁ ପ୍ରାପ୍ତି ଉତ୍ତାରୁ ଶୁନ୍ୟତା ଦଂଶୁଛି ମୁଗ୍ଧାକୁ ।
ଗୋଟେ ଦୀର୍ଘ ଦିନର ସାଇତା ଘର , ଆୟୁଷ ବ୍ୟତୀତ କଳ୍ପନା ବାହାରେ । ପ୍ରକୃତରେ ବାପା ତ ନିର୍ଭରଶୀଳ ମଣିଷ , ଅଚଳ ପଙ୍ଗୁ । ଜୀବନ ପ୍ରବାହ କହିଲେ କେବଳ ଆୟୁଷ । ତାକୁ ମେରିଖୁଣ୍ଟ କରି ଘୁରୁଥିଲା ଘର । ଏବେ କେମିତି ଚାଲିବ ?.....
କାହା ପାଇଁ ସକାଳ ଚାରିରୁ ଉଠା ଯିବ ?..
କାହା ପାଇଁ ବ୍ୟତିବ୍ୟସ୍ତ ହେଇ ଟିଫିନ ସଜଡ଼ା ଯିବ ?
କାହା ଉପରେ ରାଗିବ ମୁଗ୍ଧା ଅଳିଆ ଘରକୁ ଦେଖି ?.....
କାହା ପାଇଁ ଆଉ ୟୁ ଟ୍ୟୁବ୍ ଖୋଲି ନୂଆ ରେସିପି ଖୋଜା ଯିବ ?
କାହା ପାଇଁ ଅମାଜନ ଦରାଣ୍ଡି ନୂଆ ଡିଜାଇନର୍ ଡ୍ରେସ ଖୋଜାଯିବ ?.....
କାହା ଲାଗି ବେଷ୍ଟ କୋଚିଂର୍ ବ୍ୟବସ୍ଥା କରିବ ସେ ?......
ନିତି ଆଉ କାହା ସହ ବାଣ୍ଟିବ ନିଜକୁ ??...
ବାପା ଏସବୁର ଖୁବ୍ ଦୂରରେ । ନିର୍ଦ୍ଧିଷ୍ଟ ନର୍ସଟିଏ ତାଙ୍କର ସହଚରୀ । ଖାଦ୍ୟ ଏକଦମ ସାଧାରଣ , ଟିକେ ପ୍ରୋଟିନ ପାଉଡର , ଅଳ୍ପ ଜୁସ , ଯୋଡ଼େ ଫଳ , ଗିଲାସେ କ୍ଷୀର , ରୁଟି ସଂତୁଳା । ଏସବୁ ରାଧା ମାଉସୀ କରିଆସିଛି ଏଯାବତ ।
ଘଡ଼ିଏ ଭାବିଲା ମୁଗ୍ଧା , ସେ କେମିତି ଜୀଇଁବ ?........
ରାଧା ମାଉସୀ ସହ , ନର୍ସ ଝିଅଟି ସହ , ଅଫିସ ଲୋକଙ୍କ ସହ ନିଜକୁ ବ୍ୟସ୍ତ ରଖି ଭୁଲି ହେବ କି ଆୟୁଷର ଅନୁପସ୍ଥିତି ।
ଦପ କରି ଆଖି ମୁଦି ନେଲା ସେ । କୋହ ଉଠେଇ ଏବେ କାନ୍ଦୁଥିଲା ତା' ମମତ୍ୱ । ସେ ଆଉ ଡ୍ରାଇଭ କରି ପାରିଲା ନାହିଁ । ରାସ୍ତା କଡରେ ଥିବା ଗୋଟେ ଗଛ ପାଖରେ ରହିଗଲା ଅନ୍ୟମନସ୍କ ହେଇ ।
ହଠାତ ନଜର ଗଲା ଗଛଟି ଉପରକୁ । ଆରେ ଏଇଟି ଏମିତି ପତ୍ର ଶୁନ୍ୟ କାହିଁକି ? କି ରୁକ୍ଷ ଦିଶୁଛି ତା'ର ରୂପ । ବେଶ ଝଙ୍କାଳିଆ ଥିଲା ତ ଏଇ କିଛି ଦିନ ତଳେ !....
ମୁଗ୍ଧା ମନରେ ପତ୍ରଝରା ଋତୁର ଭାବନା ନଥିଲା ଆଦୌ । ସେଇଟି ଏକ ନିର୍ଦ୍ଦିଷ୍ଟ ସମୟର ପ୍ରଭାବ । ପୁଣି ନବ ପଲ୍ଲବର ଋତୁ ଛୁଆଁରେ ବଦଳି ଯିବ ଏଇ ବିବର୍ଣ୍ଣ ସ୍ୱରୂପ ।
ନିୟତିର ଚିରାଚରିତ ଗତି ଇଏ , ବିଗତ ଦିନର ସମାଧି ଉପରେ ନୂତନ ଦିନର
ସୌଧ ।
ଏବେ କିନ୍ତୁ ସେ ଅନୁଭବ ତାକୁ ତୀବ୍ର ଯନ୍ତ୍ରଣା ଦେଲା । ନିମିଶକ ପାଇଁ ସେଇ ଗଛ ଭିତରେ ନିଜର ପ୍ରତିଫଳନ ଦେଖିଲା
ସେ ।.....
ରୁଟି କ୍ଷୀର ଆଜି ବାପା ଆଦୌ ଖାଉ ନଥିଲେ । ଦୁଇଥର ହାତ ଛିଞ୍ଚାଡି ଢାଳି ସାରିଲେଣି । ନର୍ସଟି ଜଣେଇଲା ମୁଗ୍ଧାକୁ ।
" ବୁଢା ବାବୁ ଆଜି ମୋ ଦେଇ ଜମା ସମ୍ଭାଳି ହେଉନାହାନ୍ତି ଦିଦି । ତୁମେ ଆସ ଟିକେ ।"
ମୁଗ୍ଧା ନିଜ ଭିତରର ଦୁଃଖ ତକ ପିଇ ନେଇ ବାପାଙ୍କ ପାଖକୁ ଗଲା । ସେ ରୁଷି ବସିଥିଲେ , ମୁହଁ ବୁଲେଇ କାନ୍ଥଆଡ଼କୁ । ଜମା ଅନେଇଲେ ନାହିଁ କି ପଦେ କହିଲେ ନାହିଁ । ଅଝଟ ହେଲେ ଠିକ ଟିକି ପିଲା
ପରି ।
ମୁଗ୍ଧା ତାଙ୍କ ହାତଧରି କହିଲା , " ସେ କ'ଣ
ପାଠ ପଢିବ ନାହିଁ ବାବା ?"..........
ଛୋଟ ପିଲା ଭଳି ବାବାଙ୍କ ସ୍ୱର ,'' ଆଉ ମୁଁ , କ'ଣ କରିବି , କାହା ସହ ଲାଗିବି ?''
ମୁଗ୍ଧା ବାବାଙ୍କୁ କୋଳେଇ ନେଇ କହିଲା , ମୁଁ ବି ଠିକ ସେଇଆ ଭାବୁଛି ବାବା ।
ଲୁହ ଥିଲା ଏବେ ଦୁହିଁଙ୍କ ଆଖିରେ । ଏକ ଅଦ୍ଭୁତ ନୀରବତା ରାଜୁତି କରୁଥିଲା ସାରା ଇଥରରେ ।
ବାବା କିନ୍ତୁ ଏବେ ଅବୁଝା ହେବା ଛାଡି ରୁଟି ଖାଇଲେ ଆଉ ମୁଗ୍ଧା ତାଙ୍କ ଖାଇବର ଢଙ୍ଗ ଦେଖି ଖୁସିହେଲା ।
ଆଜି କୌଣସି କାର୍ଯ୍ୟ ବ୍ୟସ୍ତତା ନଥିଲେ ସୁଦ୍ଧା ନିଦ ଭାଙ୍ଗିଗଲା ବଡ଼ି ଭୋରରୁ । କେବେ ଏଡ଼େ ସହଳ ଶେଜ ଛାଡି ନଥିଲା ମୁଗ୍ଧା । ବ୍ରାହ୍ମ ମୁହୂର୍ତ୍ତର ରକ୍ତାଭ ଆକାଶ ଦେଖୁଥିଲା ସେ ଅନେକ ଦିନ ଉତ୍ତାରୁ ।
ପିଲାବେଳେ ବାବା ନିତି ଉଠେଇ ଦେଉଥିଲେ ଏଇ ସମୟରେ । କହୁଥିଲେ ,
" ଈଶ୍ବରଙ୍କ ସମୟ ଇଏ , ତଥାସ୍ତୁ ଦେବତାଙ୍କ ବିଚରଣ ଏଇ ସମୟରେ । ଏଇ ପବିତ୍ର ବ୍ରାହ୍ମ ମୁହୂର୍ତ୍ତରେ ଯେଉଁ କାର୍ଯ୍ୟ କରିବ ସବୁ ସଫଳ ହେବ ତାଙ୍କ କୃପାରେ ।''
ଏକଦମ ବିଶ୍ୱାସ କରୁଥିଲା ମୁଗ୍ଧା , ତଥାସ୍ତୁ ଦେବତାଙ୍କ ପ୍ରଭାବ । ସତ ମଧ୍ୟ ହେଇଥିଲା ସବୁ ପ୍ରୟାସ । ସେତେବେଳେ ଯାହା ପଢୁଥିଲା ସବୁ ପ୍ରାଞ୍ଜଳ ଭାବେ ଲେଖା ହେଉଥିଲା ସ୍ମୃତିରେ । ଏଇ ତମାମ ଜୀବନର ଶିକ୍ଷା ଓ ସମୃଦ୍ଧ ସ୍ୱାବଲମ୍ବୀ ସ୍ଥିତି ସେଇ ତଥାସ୍ତୁ ଦେବତାଙ୍କ ଦୟା ବ୍ୟତୀତ ଆଉ କିଛି ନୁହେଁ ।
ଆଜି କିନ୍ତୁ ତାଙ୍କୁ କ'ଣ ମାଗିବ ସେ ?.....
ଆୟୁଷ ପାଇଁ ହିଁ ବ୍ୟସ୍ତତା ଥିଲା ।କିନ୍ତୁ ସେ ଏବେ ସମୃଦ୍ଧି ପଥରେ ପଥିକ ।
ହଠାତ ବାଳ ଅରୁଣଙ୍କ ଆଲୋକ ଉଦ୍ଭାସିତ ହେଇ ବିଭୋର କଲା ମୁଗ୍ଧାକୁ । କାହିଁକି କେଜାଣି ନିଜ ପାଇଁ ଭିନ୍ନ ଗୋଟେ ବ୍ୟସ୍ତତା ମାଗିବାକୁ ଇଚ୍ଛା କଲା ସେ ।
ଭଲରେ ବିତିଗଲା ଗୋଟେ ନୂତନ ଦିନ , ଆୟୁଷ ବିହୀନ । ଅଫିସରେ ନିଜକୁ ବୁଡ଼େଇ ରଖି ଏତକ ସମ୍ଭବ ହେଲା । ଆଉ ହୁଏତ ତଥାସ୍ତୁ ଦେବତାଙ୍କ ଶୁଭ ଦୃଷ୍ଟି କଲା ଏଭଳି ଚମତ୍କାର ।
ଫେରନ୍ତା ବାଟରେ ଆଜି ଘଟିଲା ଗୋଟିଏ ବିଚିତ୍ର ଘଟଣା । ଲିଫ୍ଟ ଭିତରେ ଦେଖା ହେଲା ସୌମ୍ୟା ଦର୍ଶନ ପିଲାଟିଏ । ପିଲାଟା ଭାରି ଆକର୍ଷଣୀୟ ଥିଲା .....ନା ନା ଭାରି ଭିନ୍ନ ଥିଲା । ସେ ଭିନ୍ନତା ତାକୁ ଆକର୍ଷଣୀୟ କରୁଥିଲା । ହଁ , ଚମତ୍କାର ବେଣୀ ଥିଲା ତା ମୁଣ୍ଡରେ , ଗୋଛାଏ କେଶକୁ ନେଇ । ଆଉ କାନରେ ସୁନ୍ଦର କୁଣ୍ଡଳ । ହାତରେ ମେଞ୍ଚେ ଛୋଟଛୋଟ ଘୁଙ୍ଗୁର ବନ୍ଧା କଳା ସୂତା ।
କୋଉ ଯାତ୍ରା ପାର୍ଟିରୁ ବାହାରି ଆସିଥିଲା ଯେମିତି ମୁହଁରେ ରଙ୍ଗ ମାଖ ସମିତି ସଫେଦ ଥିଲା ତା ଦେହର ରଙ୍ଗ । ଅସଭ୍ୟ ଲାଗିଲେ ମଧ୍ୟ ତାକୁ ନିରିଖେଇ ଦେଖିଲା ମୁଗ୍ଧା । ପିଲାଟି କାନରେ ଇଅର କର୍ଡ ଦେଇ କିଛି ଶୁଣିବାରେ ଏତେ ମଗ୍ନ ଥିଲା ଯେ ମୁଗ୍ଧାକୁ ଥରୁଟିଏ ଅନେଇଲା ମଧ୍ୟ ନାହିଁ । ଆଖି ମୁଦି ସେ ଶୁଣୁଥିବାର ଗୀତର ତାଳରେ ପାଦ ଚାଳନା କରୁଥିଲା ଓ ମୁଗ୍ଧା ତାର ବିଚିତ୍ର ବେଶଭୁଷା କୁ ଉପଭୋଗ କରୁଥିଲା ।
କିନ୍ତୁ ଉଭୟ ନୀରବ ଥିଲେ । ଦ୍ଵିତୀୟ ମହଲାରେ ମୁଗ୍ଧାର ଘର କିନ୍ତୁ ସେ ଆଜି ପିଲାଟି ସହ ଗଲା ତା' ଗନ୍ତବ୍ୟ ସ୍ଥାନ ଯାଏଁ ।
ତାକୁ ଆହୁରି ଆଶ୍ଚର୍ଯ୍ୟ କରି ପିଲାଟି ଗଲା ବିଲ୍ଡିଂଗର ଛାତକୁ । ଆଜି ପ୍ରଥମ ଥର ମୁଗ୍ଧା ଆସିଥିଲା ପାଞ୍ଚ ମହଲା ବିଶିଷ୍ଟ ସେଇ ଫ୍ଲାଟର ଛାତକୁ । କିନ୍ତୁ ସେଠି ପହଞ୍ଚି ସେ ନିଜକୁ ସଂଯତ କଲା ଓ ପୁଣି ଲିଫ୍ଟରେ ଫେରିଗଲା ।
ମୁଣ୍ଡ ଖୁବ୍ ହାଲୁକା ହେଇଯାଇଥିଲା ଏଇ ପିଲାଟି ସହ । ଗୋଟେ ଅଜବ ବିଭୋର ପଣ
ଘାରିଥିଲା ତାକୁ । ଭଲ ଲାଗୁଥିଲା କେଜାଣି କାହିଁକି । ଆଜି ପ୍ରଥମ ଥର ସେ ଗୋଟେ ଅସାମାଜିକ କାମ କରିଥିଲା । ଗୋଟେ ଅଜଣା ପିଲାଟିକୁ ଅସଭ୍ୟ ଭାବରେ ଝାଙ୍କି ତା' ସହ ଆନମନା ହେଇ ଛାତ ପର୍ଯ୍ୟନ୍ତ ପଳେଇ ଥିଲା । ଯଦିଓ ପିଲାଟି ତା'ର ଏଇ
ଅଭିଯାନ ବିଷୟରେ ଅନଭିଜ୍ଞ ଥିଲା କିନ୍ତୁ ସେ ତ ଜ୍ଞାତସାରରେ କରିଥିଲା ସବୁ ।
ନିଜ ଉପରେ ବଡ଼ ସନ୍ଦେହ ହେଲା ଆଜି । ତା' ଭିତରେ ବି ଏମିତି ଚପଳତା ; ଆଜି ଆବିଷ୍କାର କରିଥିଲା ସେ ।
ରାଧା ମାଉସୀ ଚା' ଦେଇ ବସିଗଲା ମୁଗ୍ଧାକୁ ଅନେଇ ।ଆଉ କହିଲା ,''ଆଜି ଭଲ ଦିଶୁଛୁ ମା' "
ମୁଗ୍ଧାକୁ ଏତକ ଶୁଣି ଆଜି ଭାରି ଭଲ ଲାଗିଲା । ସେ ହାଲ୍କା ହସି କହିଲା , ''ତୁମ ହାତ ରନ୍ଧା ଦହି ମାଛର ଇଏ କମାଲ । ବଢିଆ ହେଇଥିଲା । ''
ଚେନାଏ ହସ ଖେଳିଗଲା ରାଧା ମାଉସୀ ଓଠରେ । ଯାହାର ସୌନ୍ଦର୍ଯ୍ୟ ସଂଚରି ଗଲା ମୁଗ୍ଧା ଓଠ ଯାଏଁ । ବାନ୍ଧବୀ ତାରା ସହ କଥା ହେବାକୁ ଇଚ୍ଛା ହେଉଥିଲା , ଏଇ ବିଚିତ୍ର ପିଲା କଥା । ଫୋନ୍ ଲଗେଇଲା ମଧ୍ୟ ସେ , କିନ୍ତୁ ଆଲୋଚନାର ପରିସରରେ କାହିଁକି କେଜାଣି ସେଇ ବିଚିତ୍ର ପିଲାଟି ଆସିପାରିଲା ନାହିଁ ।
ପର ଦିନ ବ୍ରାହ୍ମ ମୁହୂର୍ତ୍ତରେ ପୁଣି ଉଠିଲା ମୁଗ୍ଧା ଆଲାର୍ମ ଦେଇ ସ୍ୱଚ୍ଛାରେ । ଆଉ ଆଜିର ଅନୁଭବ ଥିଲା ଆହୁରି ମନୋରମ । ଥିଲା ରକ୍ତାଭ ଆକାଶ , ଅଳସୀ ବାଳସୁର୍ଯ୍ୟ ଓ ଶୀତଳ ପ୍ରଭାତ ସହ ଅପୂର୍ବ ସଙ୍ଗୀତର ଯୁଗଳବନ୍ଦୀ ।
ରାଗ ଭୈରବୀର ମନ୍ତ୍ରିତ ସ୍ୱର ପବନରେ । ଆଃ ! ଗୋଟିଏ ସମର୍ପିତ କୃଷ୍ଣ ଭଜନ ପବନକୁ ଗୋପାଙ୍ଗନା କରି ସଜେଇ ଦେଇଛି ଯେମିତି । ସେ ଭଜନର ସ୍ୱର ସହ ସ୍ୱର ମିଶେଇଲା ମୁଗ୍ଧା । କେଡେ ସ୍ପନ୍ଦିତ ସେ ଭଜନର ଆବେଗ ସତେ । ଅନନ୍ୟ ପ୍ରେମର ଶ୍ରେଷ୍ଠ ନିଦର୍ଶନ ଶ୍ରୀକୃଷ୍ଣଙ୍କ ପାଇଁ ସମର୍ପଣ ସତେ ସ୍ୱର୍ଗୀୟ ।
ବିତିଗଲା କାହିଁ କେତେ ସମୟ ସେଇ ତଲ୍ଲୀନ ସ୍ଥିତିରେ ଜଣା ନାହିଁ ମୁଗ୍ଧାକୁ । ବାପାଙ୍କ ଡାକ ଶୁଣି ସେ ଫେରିଲା ବାସ୍ତବତାକୁ ।
ଅଫିସ , ଘର , ଆୟୁଷ , ବାପା ଏସବୁ ଭିତରେ ନିଜକୁ ବାଣ୍ଟି ନେଇଥିବା ମଣିଷଟି ହୁଏତ ଆଜି ପ୍ରଥମ ଥର ନିଜକୁ ଦେଇଥିଲା କିଛି ସମୟ । ଭଲ ଥିଲା ଏଇ ନିଜ ସହ ବାଣ୍ଟି ହେବାର ଅନୁଭବ ।
ପୁଣି ନୂଆ ସକାଳ ଓ ନୂଆ ଭଜନର ଆବେଶ ତାକୁ ଆହୁରି ନିମଗ୍ନ କଲା । ଆଜି ସେ କେବଳ ଗୁଣୁଗୁଣୁ ହେଲାନି ଯନ୍ତ୍ରର ସାହାରା ନେଇ ୟୁ ଟ୍ୟୁବ ଖୋଲି ବଜେଇଲା ସେ ଭଜନ । ଠିକ ସେଇ ପିଲାଟି ଭଳି ଇୟର କଡ଼ ଦେଇ ହଜିଲା ସେ ରାଗ ଭୈରବୀର ସ୍ରୋତରେ ।
ମନ ଏକଦମ ହାଲୁକା ହେଇଗଲା । ଯେମିତି ମୁଠେ ତୁଳା , ସଙ୍ଗୀତର ମନ୍ଦ ମଳୟରେ ବହି ଯାଉଛି । ମୁଦ୍ରିତ ଆଖିରୁ ଧାରଧାର ଆନନ୍ଦାଶ୍ରୁ ବୋହି ଭିଜେଇ ଦେଉଥିଲା ତା' ସତ୍ତା ।
ରାଧା ମା' ସହ ରବିବାର ସକାଳୁ ମୁଗ୍ଧା ଗୋଟିଏ ନୂଆ ଅଭିଯାନରେ ବାହାରି ଥିଲା ଆଜି । କୋଉ କାଳୁ ତାଜା ସନ୍ଧିରେ ଆସନ ଜମେଇଥିବା ପୁରୁଣା ହାର୍ମୋନିୟମ ଟିକୁ ଉଦ୍ଧାର କରି ଜୀବନ୍ୟାସ ଦେବାର ଅଭିଯାନରେ ବାପା ମଧ୍ୟ ସାମିଲ ଥିଲେ ଉତ୍ସହିତ ହେଇ । ପୁଣି ଥରେ ବୋଉକୁ ସମର୍ପିତ ସ୍ମୃତି ସଜଳ ହେଉଥିଲା । ଠିକ ବୋଉ ଭଳି ମୁଗ୍ଧା ହାତର ଆଙ୍ଗୁଳି ହାର୍ମୋନିୟମ ଉପରେ ଚଳଚଞ୍ଚଳ ହେଉଥିଲେ ଅଭିମନ୍ତ୍ରିତ ହେଇ ।
