ସେମାନେ କୁହନ୍ତି
ସେମାନେ କୁହନ୍ତି
ହୁଏତ କହିବାର ସୁଯୋଗ ସଭିଁଙ୍କୁ ମିଳେନା ! ଇପ୍ସିତ କଥାଟି କହିବାର ସୌଭାଗ୍ୟ ଲେଖା ହୁଏନି ସଭିଙ୍କ ଭାଗ୍ୟରେ ।........
ପୁରୁଣା ଗୀର୍ଜାର ସେଇ ପରିଚିତ ଘଣ୍ଟାଟି ଆଜି ପୁଣି ସ୍ପଷ୍ଟ ଥିଲା । ହଁ ଟିକେ ଅଡୁଆ ହେଲେ ମଧ୍ୟ ସେ ବିଶ୍ୱାସ କରୁଥିଲା ଯେ, ମନ ଯେବେ ବିଚଳିତ ହୁଏ ଘଣ୍ଟା ଶବ୍ଦ ତାକୁ ସ୍ପଷ୍ଟ ଶୁଭେ । ହୁଏତ ବିଚଳିତ ମନ ବ୍ୟାକୁଳ ହେଇ ଈଶ୍ବରଙ୍କ ଶରଣାପନ୍ନ ହୁଏ ତେଣୁ ତାଙ୍କ ସ୍ୱର ଏଇ ଘଣ୍ଟା ଭିତରେ ଗୁଞ୍ଜରିତ ହୁଏ ଆଉ ସେ ନିମଗ୍ନ ହେଇଯାଏ ସେଇ ସ୍ୱରରେ ।
ଛୋଟ ବେକେରୀ ସପ୍ ର ଅଭାବୀ ପୃଥିବୀ । ଚକଲେଟ କେକ୍ , ଭ୍ୟାନିଲା ମଫିନ ଓ ଆଲମଣ୍ଡ ପ୍ୟାଷ୍ଟ୍ରିର ବାସ୍ନାୟିତ ପୁଞ୍ଜିରେ ବେଶ ଧନୀକ ହୁଏ କିଛି ନିର୍ଦ୍ଦିଷ୍ଟ ଋତୁର ଛୁଆଁରେ । ଅଭାବୀ ପୃଥିବୀରେ ଝଲ୍କି ଯାଏ ଚେନାଏ ହସର ଚାନ୍ଦିନୀ ।
କ୍ୟାଫେ ମାଲିକ ବୃଦ୍ଧ ଅଗଷ୍ଟିନ୍ ସେଇ ଋତୁରେ ସତେଜ ହୁଅନ୍ତି ଆଉ ତାକୁ ବେଶ ଫୁର୍ତ୍ତି ହେବାକୁ ନିର୍ଦେଶ ଦିଅନ୍ତି ।
ସେ ଲାଗିଯାଏ ଦିନ ରାତି ଗୋଲାପି ଆଇସିଙ୍ଗ ସୁଗାର୍ ଆଚ୍ଛାଦିତ ସୁଦୃଶ୍ୟ କେକ୍ ଉପରେ ଗାଢ଼ ନାଲି ରଙ୍ଗର ଗୋଲାପ ଆଙ୍କିବାରେ । ରାତି ପାହି ଯାଏ ସେଇ କାମ ସବୁ ଭିତରେ । ଖାସ ଗୋଲାପ ଅତର ମଖା ପ୍ୟାଷ୍ଟ୍ରି ତିଆରି ହୁଏ ଲାବଣ୍ୟମୟୀ ପ୍ରେୟସୀ ପାଇଁ ।
ଚକଲେଟ୍ ଗୁଡିକ ନିଆନ୍ତି ହୃଦୟ ଆକୃତି ଯେଉଁଥିରେ ଭରା ଯାଏ ପ୍ରିୟତମ ପାଇଁ ଅଜସ୍ର ପ୍ରେମ । ଆହୁରି ଦାବି ବଢେ ଗୋଟିଏ ଖାସ ମଫିନ୍ ପାଇଁ , ହଁ
' ଲଭ୍ ମଫିନ୍' ନାଁରେ ଡାକ ଅଛି ଏଇ ବେକେରୀ ସପ୍ ର । ବଡ଼ କାଇଦାରେ ଲାଲ ପାନ ପତ୍ର ଭଳି ମଫିନ୍ ଗୁଡିକ ଭିତରେ ସାଇତା ହୁଏ ଛୋଟ ଛୋଟ ମୋତି ଭଳି ସଫେଦ ମିଳ୍କ ଚକଲେଟ ଟୁକୁଡ଼ା । ସେଇଟି ଗଣା ହୁଏ ଅନନ୍ୟ ପ୍ରେମର ନିଦର୍ଶନ ଭାବରେ ।
ଏଇ ପ୍ରେମ ଋତୁର ଆଗମନ ତେଣୁ ସେଇ ଛୋଟ ବେକେରୀ ସପ୍ ସାଜେ ଏକ ନୂତନ ଅଭିସାରର ଏନ୍ତୁଡ଼ିଶାଳ ।
ସେ ଗୋଲାପ କିଣେ ସବୁଦିନ ସଜେଇବାକୁ ପୂରା ସପ୍ । ଯାହା ଲାଲ ରଙ୍ଗର ଗୋଟେ ବର୍ଣ୍ଣାଳୀ ଭରି ଦିଏ ମନରେ, ଦେହରେ , ଭାବନାରେ । ଆସୁଥିବା ପ୍ରତ୍ୟକ ଗ୍ରାହକ ପ୍ରଥମେ ପଡନ୍ତି ସେଇ ବର୍ଣ୍ଣ ମୋହରେ ଆଉ ପରେ ସାଜନ୍ତି ଜଣେଜଣେ ପ୍ରୀତି ଭ୍ରମର । ଗୋଟିଏ ପ୍ୟାଷ୍ଟ୍ରି ପାଇଁ ପକେଟ୍ ଅନୁମତି ଦେଉଥିଲେ ମଧ୍ୟ ଦୁଇଟି କିଣିନିଅନ୍ତି ଟିକେ ବିଭୋର ପଣରେ ।
ଯେଉଁ ଆଦ୍ୟ ଯୌବନ ଛୁଆଁ ଚଗଲା ଛୁଆଟି ଆସିଥାଏ ପ୍ରଥମ ଉପହାର କିଣିବାର ଅସହଜପଣ ନେଇ । ଯିଏ ଦୋଦୋ ପାଞ୍ଚ ହେଉଥାଏ ଉପହାର ବାଛିବାରେ ; ସେ ତା' କାନ୍ଧ ଥାପୁଡ଼େଇ କୁହେ," ନିଅ ଏଇ ଲଭ୍ ମଫିନ , ବିଶ୍ୱାସ କର ସେ କେବେ ମନା କରିପାରିବେ ନାହିଁ । ବହୁ ପରୀକ୍ଷିତ ଏଇ ଉପହାର । ମୋ ନିଜସ୍ୱ ପନ୍ଦର ବର୍ଷୀୟ ଅନୁଭୂତି ।"
ନବ ଯୁବକଟି ଦେଖେ ତା' ଆଖି ଗୋଟେ ଭିନ୍ନ ଦୃଷ୍ଟିରେ ଆଉ ଆବେଶରେ ପଡ଼ିଯାଏ । ଅବଶ୍ୟ ଫେରି କୁହେନି କେବେ ତା' ସ୍ୱୀକୃତି ବା ପ୍ରତ୍ୟାଖ୍ୟାନ କଥା। କିନ୍ତୁ ତା'ର କେହି ଜଣେ ବନ୍ଧୁ ନିଶ୍ଚିତ ଆସି କିଣିନିଏ ମଫିନ୍ ତା' ପର ବର୍ଷ ଆଉ କୁହେ ," ଜାଣନ୍ତି ଏଇ ମଫିନ୍ ମୋ ବନ୍ଧୁର ଜୀବନ ଭରିଦେଇଛି ଢେର ସୁଖରେ ।"
ଯଦି କେବେ ସେ ଏତକ ଶୁଣେ ହସି ଦିଏ ଆଉ ଧନ୍ୟବାଦ ଦିଏ ସେଇ ଅଜଣା ଗ୍ରାହକକୁ ।
ଏଇ ପ୍ରେମ ଋତୁର ପ୍ରଭାବରେ ଏମିତି ତା' ସମଗ୍ର ପୃଥିବୀ ଆଚ୍ଛାଦିତ ହେଇଯାଏ ସମ୍ପୂର୍ଣ୍ଣ ଭାବେ କେବଳ ତା' ନିଜସ୍ୱ ହୃଦୟକୁ ଛାଡି ।
କେବେକେବେ ବୃଦ୍ଧ ଅଗଷ୍ଟିନ୍ ତାକୁ ଉସୁକେଇ ଦିଅନ୍ତି , ନିଜ ମନସ୍କ ହେବାକୁ ଫୁସୁଲେଇ କୁହନ୍ତି , ନିଜ ପାଇଁ ଲଭ୍ ମଫିନ ଟିଏ କିଣିବାକୁ ବାଧ୍ୟ କରନ୍ତି । ଟିକେ ରସିକତା କରି କୁହନ୍ତି , '' ତୁମେ ମୋ ସପ୍ ଗୋଟିଏ ଦିନ ପାଇଁ ବୁକ କରିନିଅ ଜୋଜୋ ତୁମ ଲେଡି ଲଭ୍ ପାଇଁ । ତୁମକୁ ମୁଁ ଦେବି ଫ୍ରିରେ । କିନ୍ତୁ ଗୋଟେ ଛୋଟ ସର୍ତ୍ତ ରଖିବି ; ତା' ହାତରୁ ଗୋଟେ କପ ବ୍ଲାକ କଫି ପିଇବି
ରୋଜ ।"
ସେ ହସିଦିଏ ଗୋଟେ ମ୍ଳାନ ହସ । ଆଉ ଆନମନା ହୁଏ । ସେଇ ମୁହୂର୍ତ୍ତରେ ସେ ସ୍ପଷ୍ଟ ଶୁଣିପାରେ ଗୀର୍ଜାର ଘଣ୍ଟା ଶବ୍ଦ । ଆଉ ଜାଣିପାରେ ଲେସି ମଧ୍ୟ ଅଗଷ୍ଟିନ୍ ଙ୍କ ସ୍ୱର ସହ ନିଜ ସ୍ୱର ମିଶେଇ କହୁଛି , " ଜୋଜୋ ପ୍ଲିଜ ନିଜକୁ ଏମିତି ବର୍ବାଦ କରନି , ନିଜକୁ ଆଉ ଏକୁଟିଆ ଦଣ୍ଡ ଦିଅନି ।"
ସେ କିନ୍ତୁ ଆଦୌ ପାରେନି କହି ଯେ ପ୍ରେୟସୀ ଲେସି ବ୍ୟତୀତ ଆଉ କାହା ସହ ଘରଟିଏ ଗଢିବାର ସ୍ୱପ୍ନ ସେ ଦେଖିପାରିବ ନାହିଁ । କାରଣ ତାକୁ ନିତି ଲେସି ଅନୁଭବ ହେଉଛି ; ଏଇ ବେକେରୀ ଭିତରେ । ସାମ୍ନା ପାର୍କର ବିସ୍ତୀର୍ଣ୍ଣ ପେଟୁନିଆ ଫୁଲ ମେଲଣରେ । ଗୀର୍ଜା ଘରର ଘଣ୍ଟାରେ , ଦିନର ବ୍ୟସ୍ତତା ଭିତରେ , ରାତିର ନିଶବ୍ଦତାରେ , ଆଉ ସବୁଠାରୁ ବେଶି ଏଇ ପ୍ରେମ ଋତୁର ପଦପାତରେ ।