Soumya Shubhadarshinee

Others

3  

Soumya Shubhadarshinee

Others

ନିଆଁ

ନିଆଁ

4 mins
187


  


 ବାର ଆଟେନଣ୍ଡାଣ୍ଟ ଏବେ ବିରକ୍ତ ହେଲା,

 '' ସରି ସାର୍ ଏବେ ବନ୍ଦ କରିବାର ବେଳ, ଆଉ ଏଠି ବସିବା ସମ୍ଭବ ନୁହେଁ । ନୋ ମୋର ପେଗ୍ । ''

 -'' ସଟ୍ ଅପ, ୟୁ ଇଡିୟଟ୍ " 

 ଚିତ୍କାର କଲା ସେନ୍ । ତା' ଚିତ୍କାର ପୂରା ମାହୋଲ ଦୋହଲେଇ ପକେଇଲା । ସେନ୍ ଭାବୁଥିଲା ଅଟେନଣ୍ଡାଣ୍ଟଟା ଡରିକି ବଢ଼େଇ ଦେବ ଆଉ ଗୋଟେ ପେଗ ହ୍ୱିସ୍କି ତରବର ହେଇ । କିନ୍ତୁ ସେଇଟା କଂସାରୀ ଘର ପାରା ତାକୁ କି ଏ ଚିତ୍କାର ନୂଆ । ସେ ତତୋଧିକ ଚଢା ଗଳାରେ ଡାକିଲା ବଣ୍ଟି ....... ବଣ୍ଟି ......

ଦୁମଦୁମ ହେଇ ଆସିଗଲା ବଣ୍ଟି 'ଦ ବାଉନ୍ସର୍' ଆଉ ଶୁନ୍ୟେଶୁନ୍ୟେ ଟେକି ନେଇଗଲା ସେନକୁ । ସେନକୁ ଲାଗିଲା ସେ ଯେମିତି ଆଳୁ ବସ୍ତା ଶଳା ନେଇକି ଫୋପାଡ଼ି ଦେବ ମାଲ ଗୋଦାମ ଟ୍ରକ ଡାଲାରେ । ସେ ଛାଟିପିଟି ହେଲା, ଗୋଡ଼ ହାତ ପିଟିଲା କିନ୍ତୁ ସବୁ ବେକାର । ନିଶା ଭୋଳରେ ସେ ଏମିତି ଟଳମଳ ହେଉଥିଲା ଯେ ତା' ଦେଇ କିଛି ଠିକ ଭାବେ ହେଉନଥିଲା ଜମା । ବଣ୍ଟି ତାକୁ ନେଇ ବାହାର ଅଳିଆ ଗଦାରେ ଦୁମକିନା କଚାଡି ଦେଲା । ଓଃ ! ହାଡ଼ଗୁଡା ଚୁନା ହେଇଗଲା କି ଆଉ । ନିଶା ଛାଡ଼ିଗଲା ପୁରା । 

 କିନ୍ତୁ ନା ସେମିତି ହୁଏନି । ତୀବ୍ର ନିଶାଯୁକ୍ତ ବିଦେଶୀ ପାନୀୟ ମଣିଷକୁ ପଙ୍ଗୁ କରେ ବଡ଼ କାଇଦାରେ । 

 ସେ ଅଳିଆ ଗଦାର ଦୁର୍ଗନ୍ଧ ତାକୁ ବ୍ୟତିବ୍ୟସ୍ତ କରୁଥିଲେ ମଧ୍ୟ ସେଠୁ ଉଠି ବାହାରକୁ ଯିବାକୁ ତା' ଭିତରେ ଜମା ବଳ ନଥିଲା । ସେ ତାରି ଭିତରେ ପଡ଼ିରହିଲା । ଆଉ ଗାଳି କଲା ତାରାକୁ ଜୋରରେ ।


*************

 ହାଜିପୁର ମାର୍କେଟରେ ସବୁଠାରୁ ବଡ଼ ପରିବା ହାଟ ଆଉ ମାଛ ବଜାର । ବଙ୍ଗାଳି ଲୋକ ପରିବା ଆଉ ଆଇଁଷ ପ୍ରିୟ, କିନ୍ତୁ ଏଠି ଦୁଇଟି ଜିନିଷ ଅଭାବ । ଡିଡି ନଗର ଜାଗାଟି ମଧ୍ୟପ୍ରଦେଶର ଗ୍ୱାଲିୟର ସହରର ଗୋଟେ ଛୋଟ ଜାଗା । ସେଠି ଜୈନ ଧର୍ମ ଲୋକଙ୍କ ଭିଡ଼ । ଆଇଁଷ କେହି ଛୁଆନ୍ତି ନାହିଁ, ଏମିତିକି ପିଆଜ ରସୁଣ ସୁଦ୍ଧା ଘରେ ପଶେନି । ଏଠି ତେଣୁ ଆଇଁଷ ଖିଆ ଲୋକଙ୍କୁ ଭଡା ଘର ମଧ୍ୟ ମିଳେ ନାହିଁ । 


 ତାରା ବଙ୍ଗାଳୁଣି ଏଠିକି ଆସି ଏକଦମ ବିରକ୍ତ । ମାଛ ବିନା ଭାତ ଉଠିବ ନାହିଁ ତା'ର । ପୁଣି ପରିବା ସୂକ୍ତ ବିନା ନିଦ ଆସିବ ନାହିଁ । ଗୋଟା ବାଇଗଣ ଛଣା ନିତି ଲୋଡ଼ା । ଆଉ ଆଳୁ ତା' ପ୍ରେମ । 


 ପ୍ରବୀଣ ସେନ୍ ନୂଆ ବାହା ହେଇ କି ସୁନ୍ଦରୀ ତାରାକୁ ଏଠିକୁ ଆଣିବା ବଡ଼ ଭାରି ପଡିଲା । ଏଠି ସେ ଚାକିରୀ କରିଛି ସଦାଶିବ୍ ଏଣ୍ଟରପ୍ରାଇଜେସର ମାର୍କେଟିଂ ଡିଭିଜନରେ।

  ବୁଲା ଚାକିରୀ, ହଜାରେ ଟୁର । ସେ ସ୍ତ୍ରୀକୁ ଧରି ଘିରିଘିରି ହେଇ କେତେବେଳେ ବୁଲିବ ? ଶନିବାର ଦିନ ଯଦି ଅଫ ରହିଲା ତେବେ ଫିଲ୍ମ କି ଆଉଟିଙ୍ଗ କଥା ଭାବେ ଟିକେ ପ୍ରେମିକ ପଣରେ । କିନ୍ତୁ ତାରା ବାହାରେ ହାଜିପୁର । କିଣେ ବସ୍ତାଏ ପରିବା, ସାରା ସପ୍ତାହ ପାଇଁ ମାଛ, ଯଦି ମିଳିଲା ତେବେ ରବିବାର ପାଇଁ ମଟନ୍ ।

  ପରିବା ମାର୍କେଟରେ ଦିଶନ୍ତି ଗନ୍ଧିଆ ପରିବା ବିକାଳି, ବୁଲା ଷଣ୍ଢ, ମହିଁଷି, ଫାଲୁଦା କୁଲଫି ବିକାଳି ଠକ ଆଉ ମେଞ୍ଚେ ବିରକ୍ତି । ପ୍ରେମିକ ମନଟା ପିତା ପଡିଯାଏ ଏଇ ଧୂଳିଆ ପରିବା କିଣା ଭିତରେ । ଶୀତତାପ ନିୟନ୍ତ୍ରିତ ମଲ୍ ଭିତରେ ଫିଲ୍ମ କି ଡିନରର ଇଚ୍ଛା ମାଡି ମକଚି ହେଇଯାଏ ।


  ତାରା ଅଦ୍ଭୁତ ସ୍ତ୍ରୀ, ସଉକ ହେଲା କେବଳ ଖାଇବା । ବେଶ ପୋଷାକ, ବୁଲାବୁଲି, ସଜବାଜ, ଗହଣା ଗାଣ୍ଠି କିଛି ଦରକାର ନାହିଁ । ସେନ୍ ବଡ଼ ବିକଳ ହୁଏ ଏଇ କାଣ୍ଡ କାରଖାନାରେ । ଅନେକଥର ସିନେମା ଟିକେଟ ଚିରି ପରିବା କିଣା ହୁଏ ତାରା ଯୋଗୁଁ । ସେନ୍ ଭାବେ କେତେ ଖାଉଛି ସ୍ତ୍ରୀଟା । ସେ ତ ସବୁବେଳେ ଟୁରରେ । ଠିକଣା ନଥାଏ ଖାଇବା ପିଇବାର, ଯାହା କିଣା ହୁଏ ସବୁ ତାରା ପେଟରେ ସ୍ୱାହା ହୁଏ ।

  ପରିବାର ଉତ୍ତମ ବୁଝାମଣା ଉପରେ ନିର୍ଭର କରେ । ମନ କଥା ମନରେ ମାରି କିଛି ଲାଭ ନାହିଁ । ଯିବାକୁ ହୁଏ ଶୋଷକୁ ପାଣି ପାଖକୁ । ତାରା ଭଲ ଝିଅ, ସୁଗୃହିଣୀ, ରୋଷେଇ ଘର ସହ ନିଜକୁ ଜଡେଇ ରଖି ସ୍ୱାମୀ ପେଟ ବୁଝେ । ତାକୁ ଦୋଷ ଦେଇ ଲାଭ ନାହିଁ ।


 ସେନ୍ ଜଣେଇଲା ମନ କଥା । ସପ୍ତାହ ଶେଷକୁ ସଭିଏଁ ବୁଲିବାକୁ ଯିବା କଥା ଫିଲ୍ମ, ପାର୍କ କି କୌଣସି ଦର୍ଶନୀୟ ସ୍ଥାନ ଯେମିତି ଜୟବିଳାସ ପ୍ୟାଲେସ କି ତିଘ୍ରା ଡ୍ୟାମ୍ ।

ତାରା ବଡ଼ ବଡ଼ ଆଖିରେ ଅନେଇ କହିଲା,

 '' ଆଉ ସବ୍ଜି, ମାଛ, ମଟନ କିଏ ଆଣିବ । ମୁଁ ଏକା ଯିବି କେମିତି । ମୋତେ ଡର !" 

 ଧେତ୍ ଡର ଗୋଟେ କ'ଣ ? ଲାଇନ ଅଟୋ ଧରି ଝିଅଗୁଡା ପାକିସ୍ତାନ ପଳେଇ ଯିବେ, ବଙ୍ଗାଳୁଣି ତ ବାଙ୍ଗଲାଦେଶ ଯାଏଁ ଯିବା କଥା । କହୁଛି କ'ଣ ନା ଡର ।

 କିନ୍ତୁ ସତରେ ତାରା ଡରୁଥିଲା। ସିନେମା ଦେଖା ହେଇକି ଫେରି ପରିବା କିଣିଲା । ସେଠିକା ଲୋକଙ୍କ ଭଳି ସେ ଛୋଲା କି ରାଜମା ଖାଇବାକୁ ଚେଷ୍ଟା କଲା ଆଉ ଭରି ଦୁଃଖ ପାଇଲା ।

 ସେନକୁ ବାଧିଲା ତାରାର କଷ୍ଟ, ସେଥିପାଇଁ ଅନୁଜ ଯାଦବକୁ ରିକ୍ୟୁଏଷ୍ଟ କରି କହିଥିଲା, " ୟାର ଥୋଡା ଭାବି କୋ ମାର୍କେଟ ଲେ ଜାନା ।''

 ଯାଦବ ବ୍ୟାଚେଲର ପିଲା, ଅଫିସର କମ୍ପ୍ୟୁଟର୍ ଅପରେଟର୍ । ଫ୍ରି ରୁହେ ସନ୍ଧ୍ୟା ପରେ । ଆସିବାକୁ ଭଲ ପାଏ ଘରକୁ କାରଣ ସେଇଟା ବି ଖାଦ୍ୟ ଲୋଭି । ହଁ କରିଦେଲା ଖୁସିଖୁସି । ଆଉ ସମ୍ଭାଳି ନେଲା ମାର୍କେଟ ।

 ଶନିବାର ଓ ରବିବାର ଫ୍ରି ହେଇଗଲେ ତାରା ଆଉ ସେନ୍ ଯାଦବ ଦୟାରୁ । ଖୁବ୍ ମସ୍ତି ହେଲା । ହୋଟେଲରେ ରାତି ବିତିଲା, ପାର୍ଟି ପିକନିକ ଜମିଲା ।

 ଯାଦବ ଘରର ଗୋଟେ ଖାସ ଗେଷ୍ଟ ହେଇଗଲା ପରମାନେଣ୍ଟ । 

 ସବୁ ଠିକ ଥିଲା ସେ ଦୁର୍ଘଟଣା ଘଟିବା ଯାଏଁ । ହଁ ଦୁର୍ଘଟଣା ନୁହେଁ ତ ଆଉ କଣ କହିବା । ପରିବା, ମାଛ କିଣୁକିଣୁ କେବେ ମନ କିଣିଲା ଶଳା ଯାଦବ ବୁଝା ପଡିଲା ନାହିଁ ।

 ଦିନେ ଦେଖିଲା ବେଳକୁ ତାରା ଫୁର । କୁଆଡେ ଖୋଜିବ ସେନ୍ ଜାଣି ହେଲାନି । ପୋଲିସ ନୟାନ୍ତ ହେଲା ତଥାପି ଖୋଜ୍ ଖବର ପାଇଲା ନାହିଁ ।

 ବଜରା ଦୁଇମାସ ପରେ ସୁନ୍ଦରୀ ଫୋନ୍ କରି କହିଲା ସେ ରାଜସ୍ଥାନରେ । ଆଉ ଫେରିବାକୁ ଜମା ଇଚ୍ଛା ନାହିଁ । ହତବୁଦ୍ଧି ହେଲା ସେନ୍ । କି କଥା ହେଲା ଓଃ !......


***********

 ସେ ପାଗଳ ଭଳି ବୁଲିଲା । କାହା ସହ କିଛି କଥା ହେଲାନି । ଘରକୁ ଫୋନ୍ ମଧ୍ୟ କଲାନି । ଅଫିସ ଗଲାନି କି ଘରୁ ବାହାରିଲା ନାହିଁ । ମଦ ପିଇଲା ସବୁବେଳେ ଚୁର ହେଇକି। 

 କିନ୍ତୁ ମଣିଷ ନିଜକୁ ବୁଝେଇ ପାରେ । ସେନ୍ ଧୀରେଧୀରେ ଆଉ ଥରେ ଜୀବନ ଆରମ୍ଭ କରିବାକୁ ଅଣ୍ଟା ଭିଡୁଥିଲା । ଚଳୁଥିଲା ଗୋଟେ ରକମ ଜୀବନ ତା'ର ଗତ କାଲି ଯାଏଁ ।


 ହେଲେ ଆଜି ତାରା ଆସିଛି, ପବିତ୍ର ପ୍ରେମ ଦିବସରେ ଫେରି ଆସିଛି । ଦେହରେ ବିଗତ ଦିନର ନଷ୍ଟ ଦାଗ ନେଇ ଆସିଛି, ଉଜୁଡା ସୌନ୍ଦର୍ଯ୍ୟ ଆଉ ବାସହୀନ ସ୍ୱପ୍ନ ନେଇ ଆସିଛି । ବସିଛି ଘରେ ଖୁଣ୍ଟ ହେଇ । ନିଆଁ ଚରି ଯାଇଛି ସାରା ଘରେ ତା' ଉପସ୍ଥିତିରେ ଯେମିତି ।


 ସେନ୍ ଏଠି ଅଳିଆ ଗଦାରେ ପଡି ଭାବୁଛି ତାରାକୁ କ'ଣ କରିବ ?....



Rate this content
Log in