Soumya Shubhadarshinee

Tragedy

4  

Soumya Shubhadarshinee

Tragedy

ପଂଝା

ପଂଝା

7 mins
270


 


 ପ୍ରାପ୍ତିର ମୋହ ଚିରକାଳ ପ୍ରଲୁବ୍ଧ କରୁଥାଏ ମଣିଷକୁ । କିନ୍ତୁ ସ୍ଥଳବିଶେଷରେ ପ୍ରାପ୍ତି ମଧ୍ୟ ହେଇପାରେ ଏକ ଅଦୃଶ୍ୟ ହିଂସ୍ରକର ପଞ୍ଝା, କରିପାରେ ସ୍ୱପ୍ନ ସବୁଙ୍କୁ ଧୂଳିସାତ । ..........


★★★★★


 ମାଟି ପଲମରେ ଚୁନା, ବସା ଦହି ଆଉ ଟିକେ ଗୁଡ଼ ସାଇତା ହେଇ ରହିବ ରାତିରୁ । ସେଇଟି ରଖାହେବ ଗୋଟିଏ ବଡ଼ ତସଲା ଭିତରେ ପାଣିଦେଇ । ନୋହିଲେ ପିମ୍ପୁଡି ଧାର ଲାଗିଯିବେ । ସକାଳ ପାଞ୍ଚରୁ ଉଠି ନିତ୍ୟକର୍ମ ସାରି ବୁଢ଼ାବାବୁ ଖାଇବେ ସେଇ ଚୁନା ଟିପେ ଲୁଣ ମିଶେଇ । 


 ବୁଝେଇ କହିବେ ମାଟି ପଲମ ସାଇତା ଚୁନାର ଯଉଁ ବାସ, ଯଉଁ ଶିତଳତା ଆଃ ! ଆତ୍ମା ଶାନ୍ତି । ତା' ପରେ ହେବ ସୂକ୍ଷ୍ମ ବ୍ୟାୟାମ ଓ ପ୍ରାଣାୟାମ । ଯଦିଓ ନିୟମତଃ ଖାଲି ପେଟରେ ଏସବୁ କରିବା ବିଧି କିନ୍ତୁ ବୁଢ଼ାଙ୍କ ପାଇଁ ଚୁନା ଖିଆ ବାଦେ । 

 ଆମ୍ବୁଲିଆ ଦେହରେ ଅମ୍ଳ କାରକ ତତ୍ତ୍ୱ ଗୁଡା ଅଧିକ ତେଣୁ ପେଟ ଖାଲି କଲେ ଅଡୁଆ । 

ତା' ବାଦେ ଋତୁକାଳୀନ ଫଳ ପୁଞ୍ଜିଏ ଖିଆ ହେବ ଆଉ ଅଳ୍ପ ଗଜାମୁଗ ସେବା ହେବ । 

 ଏତିକିରେ ସରିବ ସକାଳ ମଣୋହି । ତେଣିକି ଖବରକାଗଜ, ଟି .ଭି ., ଫୋନରେ କଥା ଏସବୁ ପାଇଁ ଆଉ ଖୋଜା ହେବନି ଶୁଭକୁ । ସେ ଲାଗିବ ଦ୍ଵି - ପହର ରୋଷେଇରେ । ୟା ଭିତରେ ବାରମାସି ଚଢେଇଙ୍କ ଖୋରାକ, ପାଣି ଆଉ ମୋତି ପାଇଁ ରୁଟି କ୍ଷୀର ବନ୍ଦୋବସ୍ତ ବି ହବ ସେଇ ଶୁଭ ହାତରେ । ସେଇମିତି ହଜାରେ କାମରେ ବନ୍ଧା ଶୁଭ ପାଖରେ ଟିକିଏ ତର ନଥିବ । ଓଃ ! ମଣିଷ କେତେ କରିବ । ତଥାପି ଏଇଠି ସବୁ ସୁଖ । ....


 ବିରାଟ ଘର, ବିସ୍ତୃତ ବାଗନା, କିଶମ କିଶମ ଫୁଲ ଆଉ ଫଳର ଶୋଭା, ବାଳ ଗୋପାଳ ମନ୍ଦିର ଆଉ ଗୋଟିଏ ଛୋଟ ପାଠାଗାର । ଏତକ ଆଜିର ସମୟରେ କୋଟିଏ ଟଙ୍କାଠୁ ବେଶି । 

  

 ଘରେ ଗୋଟିଏ ନିବୁଜ କୋଠ ଘର, ସେଥିରେ ଏଡ଼େ ବଡ଼ କୋଲପ । ଶୁଣାଯାଏ କୁଆଡେ ଜମିଦାରୀ ଯୁଗର ଧନ ସେଇଠି । ଆଉ ବୁଢ଼ାବାବୁଙ୍କ ଶୋଇବା ଘର ଗୋଟିଏ ବିଶାଳ କାଠ ଅଲମାରି। ଶୁଦ୍ଧ ଶାଳରେ ତିଆରି । ଅପୂର୍ବ କମକୁଟରେ ସଜା ସେଇ ନିବୁଜ ଆଲମାରିର ଚାବି ବୁଢା ବାବୁଙ୍କ ପଇତାରେ । ଏସବୁର ଏକମାତ୍ର ଅଧିକାରୀ ବୁଢା ବାବୁ । ତାଙ୍କ ଏକମାତ୍ର ସେବକ ଶୁଭଙ୍କର । ଏଇ ସମ୍ପର୍କ ଯେତିକି ମଧୁର ସେତିକି ଜଟିଳ । 


 ବୁଢା ବାବୁଙ୍କ ପିଲାଏ ବିଦେଶରେ । ରୋଜ ଫୋନରେ କଥା ଭାଷା । ବୁଢ଼ାଙ୍କର ତାଙ୍କ ଲାଗି ଢେର ଶ୍ରଦ୍ଧା । ସବୁ ମାସରେ ଫଳ ମୂଳ ପଠାନ୍ତି ସହରରେ ରହୁଥିବା ପିଲାଙ୍କ କତିକି। ନଡ଼ିଆ, କଦଳୀ, ପିଜୁଳି, ଲେମ୍ବୁ କେତେ କ'ଣ । ବାରମାସି କୋଠିଆ ଧନୁ ନେଇକି ଯାଏ ସହର । ଫେରିଲା ବେଳେ ଆଣେ ଗରମ ପୋଷାକ, ମିଠା ଖଜୁରୀ, ଦାମୀ ଲୁଗାପଟା ଆଉ କୁହେ ପୁଅ ପଠେଇଛି, ଝୁଅ ଦେଇଛି । 

 ବୁଢ଼ାବାବୁ ଉଜ୍ଜ୍ୱଳ ଦିଶନ୍ତି, ସେଦିନ ଗୋଟା ବେସର, ମହୁର ହୁଏ । ଶୁଭ ଦିଗୁଣ୍ଡା ଅଧିକ ଅନ୍ନ ଅଜାଡି ଦିଏ ବୁଢା ବାବୁଙ୍କ ପତରରେ । 

 ସବୁ ଭଲ ଚାଲେ କିନ୍ତୁ ପିଲାଏ କେବେ ଆସନ୍ତି ନାହଁ କି ବୁଢ଼ାବାବୁ କୁଆଡେ ଯାଆନ୍ତି ନାହିଁ । ଶୁଭର ବଡ଼ ଇଚ୍ଛା ହୁଏ ପିଲାଏ ଆସନ୍ତେ, ବାହାରକୁ ବୁଢ଼ାଙ୍କୁ ନେଇ ଯାଆନ୍ତେ । ଘର ଟିକେ ବୁଢ଼ାଙ୍କ ନଜରରୁ ମୁକୁଳି ଯାଆନ୍ତା । ସେଇ ସୁଯୋଗରେ ସେ ନଜର ପକେଇ ଦେଖନ୍ତା କୋଠଘର ରୂପ ରଙ୍ଗ । ଖୋଲି ଦେଖନ୍ତା ଶାଳ ଆଲମାରୀର 

ରହସ୍ୟ । ଉତକଣ୍ଠା ସେଇଥିପାଇଁ ଜାଗେ ଯେଉଁଥିପାଇଁ ଆମକୁ ସୁଯୋଗ ନଥାଏ । ମନା କରାଯାଏ ଯେଉଁ କାମ ସେଇଟି କରିବାକୁ ଆମେ ହାଇଁପାଇଁ ହେଉ । ସେଇଟା ମଣିଷର ପ୍ରକୃତି । 

 ବାସ୍ତୁହରା ହେଇ ବୁଲୁଥିବା ଶୁଭକୁ ତା' ଲେଖାଯୋଖାର ଜଣେ ମାମୁଁ ଏଠେଇ ରଖେଇ ଥିଲେ ଆଜିକୁ ଦଶ ବର୍ଷ ତଳେ । ସେତେବେଳେ ପେଟ ପାଟଣା ପାଇଁ ମୁଣ୍ଡ ଗୁଞ୍ଜି ଥିବା ଶୁଭକୁ ଏଇ ଜେଗା ଇନ୍ଦ୍ରଭୁବନ ଲେଖାଏଁ ବୋଧ ହେଉଥିଲା । ଚବିଶ ଘଂଟା ର ଖଟଣୀ ଟିକିଏ ବି ବାଧୁ ନଥିଲା ଚାରିବେଳା ଭୁରି ଭୋଜନ ପାଇଁ । କିନ୍ତୁ ଏବେ ଆଉ ସ୍ଥିତି ଆଗ ଭଳି ନୁହେଁ । ଏବେ ବୟସ ବଢ଼ିଲାଣି, ଜୁଆନ ଦେହର ଭୋକ ବି ବଢ଼ିଲାଣି । ଏବେ ଶୁଭର ନଜର ଟିକେ ଅଶୁଭ ବୁଢ଼ାଙ୍କ ପ୍ରତି । ଏସବୁ ଅଚଳାଚଳ ସମ୍ପତ୍ତି ପ୍ରତି ମୋହ ମେଞ୍ଚେ ବୁଢିଆଣି ସୂତା ଭଳି ମାଡି ଗଲାଣି ତା' ମନରେ । 

 ବୁଢ଼ାବାବୁଙ୍କ ସେ କୋଠ ଘର ଆଉ ଆଲମାରୀ ଉପରେ ସବୁଠାରୁ ଅଧିକ ଲାଳସା ଶୁଭ ମନରେ । ହେଲେ କୌଣସି ଉପାୟ ଦିଶୁନି । ଚାବି ଯେ ବୁଢ଼ାଙ୍କ ପଇତାରେ । 

 ବେଳେବେଳେ ଶୁଭ ପାଞ୍ଚେ ଚାବିର ଦାଗ ସାବୁନ ଧିଅରେ ନେଇ ଚାବିଟେ ଗଢେଇ ଆଣିବ । ତେଣିକି ତାଲା ଖୋଲା ଅଡୁଆ ଯିବ । କିନ୍ତୁ ବୁଢ଼ାଙ୍କ ନିଦ କୁକୁରଠୁ ବି ପତଳା । ଟିକିଏ ଖୁଡ କିନାରେ ଭାଙ୍ଗି ତଇନାଦ । ଏମିତି ଲୋକଠୁ ଚାବି ଦାଗ କିମିତି ନେବା ଭଲା । 

 ରାତିରେ ବୁଲୁଥାନ୍ତି ବୁଢ଼ାବାବୁ ଢେର ବେଳ ଯାଏଁ । ଶୁଅନ୍ତି କି ନାହିଁ ଅଜଣା ଶୁଭକୁ । ତଥାପି ମନରେ ଆଶା ବନ୍ଧା ହେଇଛି । ଉପରବାଲା ଆଜି ନୋହିଲେ କାଲି ଶୁଣିବ । ଏ ସେବପୂଜା କେଭେଁ ଅନର୍ଥ ହେବନି । 


 କିନ୍ତୁ ଶଇତାନ୍ ଟାଏ ମନରେ ଘର କରି ବଡ଼ ଉପଦ୍ରବ କରେ । କିସମ କିସମର ଖଳ ଗୋଳ ସୃଷ୍ଟି କରି କିଲିବିଲି କରେ । ତକିଆ ମାଡି ବୁଢ଼ାଙ୍କୁ ଜୀବନରୁ ମାରି ଦେବାର ଭୟଙ୍କର ପରାମର୍ଶ ମଧ୍ୟ ଦିଏ । ନୋହିଲେ ବେହୋସ ଓଷଦ ଖୁଏଇ ଘରେ କଳାକନା ବୁଲେଇ ଚମ୍ପଟ ମାରିବାକୁ ବି ଉସୁକାଏ । 

 ହେଲେ କେଜାଣି କେମିତି ବୁଢାଙ୍କର ସେଇ ଟିକି ପିଲା ମିତି ମୁହଁଟି ଦେଖିଲେ ସବୁ ଦୁଷ୍ଟ ବୁଦ୍ଧି ଉଭାନ ହେଇଯାଏ । ଶଇତାନ୍ ମନରୁ ହଟି ଯାଇ ଈଶ୍ୱର ବିଦ୍ୟମାନ ହୁଅନ୍ତି । କିନ୍ତୁ ମୋହ ତୁଟେନା । ଚଳାଇ ଥାଏ ଗୋଟେ ଦୁଷ୍ଟ ଅଭିସନ୍ଧି । 


 ବୁଢ଼ାବାବୁ ଏସବୁ କିଛି ବୁଝନ୍ତି ନାହିଁ । ସେ ରୁହନ୍ତି ନିଜ ପୃଥିବୀରେ । ପୂଜାପାଠ , ଭଜନ କୀର୍ତ୍ତନ, ଭାଗବତ ପରାୟଣ, ଗୀତା ଯଜ୍ଞ ଆଦି ଭିତରେ । ତାଙ୍କ ମନ ଏସବୁ ମୋହ ମାୟାରେ ନଥାଏ ବୋଧହୁଏ । 

 କେତେ ନା କେତେ ଚିଜ ଦାନ ଦକ୍ଷିଣାରେ ଯାଏଁ ତା'ର ହିସାବ ନଥାଏ । ପୂଜାର୍ଚ୍ଚନାର ଆଦବ କାଦା ଦେଖି ଆଖି ଖୋସି ହେଇଯାଏ ଶୁଭର । ଭାବେ ବୁଢା ପାଖରେ ଅମାପ ସମ୍ପତ୍ତି । ଆଉ ତା' ସହ ଆସେ ସେଇ ଶଇତାନର ଡାକ । ଲୁଟିନେବାକୁ, ହଡପ କରିନେବାକୁ ସେଇ ଐଶ୍ୱର୍ଯ୍ୟ । 


*************


 ଅଚାନକ ବୁଢ଼ାଙ୍କ ଦେହ ବିଗିଡିଲା, ଖଟିଆ ଧରିନେଲେ ଦିନ ଦୁଇଟାରେ । ଡାକ୍ତର କହିଲେ ପକ୍ଷାଘାତ, ଅଚଳ ଅବସ୍ଥା । ବାର୍ଦ୍ଧକ୍ୟର ପ୍ରହାର ଆଉ ଉଠିବାର ନୁହେଁ ବୁଢା । କିନ୍ତୁ କଥା କହିବା, ଦେଖିବା, ଶୁଣିବାର ଶକ୍ତି ଅକ୍ଷୁର୍ଣ୍ଣ ରହିଛି । ତେଣିକି ଭାଗ୍ୟ । ଉଠିପାରନ୍ତି ବା ସେଇଠି ଶର ଶଯ୍ୟା । 

 ଏଇନେ ଶୁଭର ଆନନ୍ଦ, ଗଲା ଗୋଟେ ଚିନ୍ତା ବୁଢ଼ାଟା ଅଚଳ ହେଇ ଆଉ କି ରୋକିବ ତାକୁ । ଛଡେଇ ନେଇ ହେବ ଚାବି କାଠି ଅଚିରେ । ଦରାଣ୍ଡି ହେବ କୋଠ ଘରର କୋଣ ଅନୁକୋଣ । ଆଲମାରିର ସାଇତା ସମ୍ପତ୍ତି ମଧ୍ୟ ଏଇନେ ହାତ ପାହାନ୍ତାରେ।


 କିନ୍ତୁ ବାହାରକୁ ଶୁଭ କାନ୍ଦି କାଟି ଆଣ୍ଠିଏ । ବୁଢ଼ାଙ୍କ ପାଇଁ ତା'ର ବେଜାଏ ଶୋକ । "ମୋ ବାବୁଙ୍କ ଦେହ ଚଞ୍ଚଳ ଭଲ କରିଦିଅ ହେ ବାଳଗୋପାଳ, ଦୟା ଦୃଷ୍ଟି ଟିକେ ଦିଅ ହେ ନନ୍ଦ ଗୋପାଳ ''........

***********

 ହେଲେ ମଣିଷ ପାଞ୍ଚେ ଗୋଟାଏ ହୁଏ ଅନ୍ୟଥା । ଦୁଇଦିନ ପରେ ଆସିଲେ କଳା କୋଟ ପିନ୍ଧା ଓକିଲ ବାବୁ । ହାତରେ ମେଞ୍ଚେ କାଗଜପାତି । ବୁଢାବାବୁଙ୍କ ସଖା, ସବୁଠାରୁ ବିଶ୍ଵସ୍ତ ଏଇ ଓକିଲ ବାବୁ । ଭଲରେ ମନ୍ଦରେ ଏଇ ସାହା । କି କଥା ପାଇଁ ଆସିଛନ୍ତି ବୋଲି ଶୁଭ ମନରେ ହଜାରେ ଆଶଙ୍କା । 

 ବୁଢ଼ାବାବୁ ଡକେଇଲେ ଶୁଭକୁ ପାଖକୁ । ଧୀର ପାଟିରେ କହିଲେ, '' ବାବୁରେ ତୋ ହାତରେ ଦେଲି ମୋର ସବୁ କିଛି । ଏଇ ଗୋପାଳ ତୋତେ ଲାଗିଲେ । "

 ଶୁଭ କାନକୁ ପରତେ ବିଶ୍ୱାସ ଆସିଲା ନାହିଁ ! ବୁଢ଼ାଙ୍କ ମୁଣ୍ଡ ବିଗିଡିଗଲାଣି ବୋଧହୁଏ । ନିଜର ପୁଅଝୁଅ ଥାଉଁଥାଉଁ ଏଇ ଛାର ଚାକର ହାତରେ ବାଳ ଗୋପାଳ । ବଡ଼ ଅଦ୍ଭୁତ କଥା । ଶୁଭ ଭାବିଲା ଭୁଲ ଶୁଣିଛି ବୋଧହୁଏ !.....

 କିନ୍ତୁ ଓକିଲ ଆଜ୍ଞା ବି ସେଇ କଥା ଦୋହରେଇ ଦେଲେ । ବୁଢ଼ାବାବୁ ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ଶୁଭ ଜିମା କରିଦେଇ ଇଚ୍ଛାପତ୍ରଟିଏ ଲେଖେଇଛନ୍ତି । ଏବେ ଶୁଭ ହେଲା ସର୍ବେସର୍ବା । ଏଇ କାଗଜପାତିରେ ସେଇ ଇଚ୍ଛାପତ୍ର । ଶୁଭକୁ ଓକିଲ ବାବୁ ସେଇଟି ଦେଖେଇଲେ । ତା' ସାମନାରେ ବୁଢ଼ାବାବୁ ସେଥିରେ ଟିପ ଦେଲେ ଆଉ ଶୁଭ ଦସ୍ତଖତ କଲା। ଏଇନେ ଗୋଟିଏ ବିଧିବଦ୍ଧ କୋର୍ଟ କାଗଜ ଧିଅରେ ଶୁଭର ସ୍ୱପ୍ନ ସଫଳ ହେଇଗଲା । 


 ଶୁଭ ହାତରେ ସେ ଇଚ୍ଛାପତ୍ରଟିକୁ ଧରେଇ ଦେଇ ଶୁଭେଚ୍ଛା ଜଣେଇ ବାହାରିଗଲେ ଓକିଲ ବାବୁ । 

  ଶୁଭ ନିଜକୁ ମନେମନେ ଢେର କୋଶିଲା । ବୁଢ଼ାଙ୍କ ପାଇଁ ଯେଉଁ ଅମଙ୍ଗଳ କଥା ଗୁଡା ମନରେ ଘିନା କରିଥିଲା ସେ ଲାଗି ଗୋଡ଼ ତଳେ ପଡି ବହେ କାନ୍ଦିଲା । ଯାହା ଓଜର ଆପତ୍ତି କରିଥିଲା ସେଲାଗି କ୍ଷମା ମାଗିଲା । 

  ବୁଢା ନିର୍ଲିପ୍ତ ହେଇ ଆକାଶକୁ ଅନେଇଥିଲେ ନା' ହୁଁ ମାରିଲେ ନା ଚୁ କହିଲେ । 

  ପତଳା ସାବୁଦାନା କ୍ଷୀରି ଟିକେ ଖୁଏଇ ଦେଲା ଶୁଭ ବଡ଼ କଷ୍ଟରେ । ଉଷୁମ କ୍ଷୀର ଆଉ ଲୋଡୁ ନଥିଲେ ବୁଢ଼ାବାବୁ । କଳା ଗାଈର ମିଠା କ୍ଷୀର ଏବେ ଶୁଭର ଚା' ରେ ଯାଉଥିଲା । ରାତି ଶେଜ ସଜାଡି ଯିବାକୁ ବାହାରିଲା ବେଳକୁ ବୁଢା ତାକୁ ଅଟକେଇ ଦେଲେ । ବସିଗଲା ଶୁଭ ବୁଢ଼ାଙ୍କ ହାତକୁ ଧରି । ଅଚଳ ହାତରେ ଟିକେ ଉଷୁମ ଛୁଆଁ ଦେଇ ଶୁଣିଲା ବୁଢ଼ାଙ୍କ ମନ କଥା । 

 କହୁଥିଲେ ବୁଢା ବାବୁ, '' ଶୁଭରେ ଆଜି ତୋତେ କହିଦେବି ସବୁ ଗୁମର କେଜାଣି କାଲିକି ପ୍ରାଣ ଥିବ କି ନାହିଁ । ଚାବି କାଠିଟା ମୋ ପଇତାରୁ ଖୋଲି ନେ, ଏଇନେ ମୁଁ ମୁକ୍ତ । ''


  ଶୁଭ ଗୁମାନ କରି କାଳ କଥା ଗୁଡା ତୁଣ୍ଡରେ ଧରିବାକୁ ମନା କଲା । ପୁଅଝୁଅ ସବୁ ଆସିବେ ଧନୁ ଖବର ଦେଇଛି ବୋଲି ଜଣେଇଲା । ତେଣିକି ତାଙ୍କୁ ଦେଖି ବୁଢା ଝାଡ଼ିଝୁଡ଼ି ହେଇ ଉଥିବେ ବୋଲି ଆଶା ଜଗେଇଲା । 

  ବୁଢା ହସିଲେ ବଡ଼ ବିକଳ ହସ । ଆଉ ଗଳା ଝଡି କହିଲେ, '' ବାବୁରେ ମୋର ପୁଅ କି ଝିଅ କେହି ନାହିଁ । ଧନୁ ସବୁବେଳେ ସହରର ଅନାଥ ଆଶ୍ରମ ଯାଇ ଟଙ୍କା, ଫଳମୂଳ ସେଇ ଛୁଆଙ୍କୁ ଦେଇ ଆସେ । ମୋରି ପାଖରୁ ଯଉଁ ଟଙ୍କା ଘେନିକି ଯାଇଥାଏ ସେଥିରେ ଲୁଗାପଟା, ମିଠାମିଠି ନେଇଆଣେ । ''

 ଶୁଭ ହାଁ ହେଇ ଅନେଇଲା । ଏଡ଼େ ମିଛ କିନ୍ତୁ କାହିଁକି ?'''.....

  ବୁଢା ପୁଣି ଖୋଲୁଥିଲେ ଗୁମର ପେଡି,

"ବାବୁ ମୋର କେହି ରହିବେ ନାହିଁ, ମୁଁ ନିର୍ବଂଶ ହେବି କହିଥିଲେ ଗୁରୁ । ଏଇ ମଠ ବାଡି ତାଙ୍କରି । ମୁଁ ମାନିଲି ନାହିଁ ବାହା ଚଉରା ହେଲି, ପୁଅ ଝିଅ କଲି । ହେଲେ ସବୁ କାଳ ହାତରେ ବାଟ କଢେଇ ନେଇଗଲେ ଏଇ ମଠବାଡ଼ି । ଏଇଟା ପ୍ରଭୁଙ୍କ ଇଚ୍ଛା । ତାଙ୍କ ସେବକ କେବଳ ତାଙ୍କଠି ଧ୍ୟାନ ଦେବ । ସଂସାର କରିବ ନାହିଁ । ତୁ ବି ସେଇ ଗୁରୁ ଦାୟିତ୍ୱରେ ରହିଲୁ । ଏକା ରହିବୁ, ଏକା ସେବିବୁ । ସଂସାର ଲୋଭ କରିବୁ ନାହିଁ । ଅନ୍ୟଥା ତୁଚ୍ଛାକୁ ଜୀବନ ଯିବ ତୋ ପିଲାପିଲିଙ୍କ ମୋ ଭଳି ।"


  ଶୁଭକୁ ଆଉ କୌଣସି କଥା ଶୁଭୁ ନଥିଲା । ବଚନ ସ୍ଫୁରୁ ନଥିଲା ତା ଓଠରୁ । ବୁଢ଼ାବାବୁ ନୁହେଁ ସେ ଯେମିତି ଅଚଳ ହେଇଯାଉଥିଲା ପୂରାପୂରି । ମନ ଭିତରର ସେଇ ପାଜି ସଇତାନଟା ଏଇନେ ନିଶୁନ ହେଇଯାଇଥିଲା । ଦେଉଥିଲା କୌଣସି ନୂଆ ଖଳ ବୁଦ୍ଧି । ଶୁଭ ଆଖିରେ ନାଚୁ ଥିଲା କେତକୀର ସେଇ ହଳଦୀ ମଖା ମୁହଁର ଲାଜ । ବାଳ ଗୋପାଳ ମନ୍ଦିରର ବେଢ଼ାରେ ତା ସହ ଚାରିଆଖି ହେଇଯିବାର ସେ ବିଭୋର ଦୃଶ୍ୟ । ନା ନା ତାର ସେବକ ହେବାର ନୁହେଁ ସେ ସଂସାରୀ ହେବ । କେତକୀ ସହ ଶାଗ ଭାତ ମୁଠେ ଖାଇ ଜୀବନ ଜୀଇଁବ ପଛେ ଜଖ ହବନି ଏଠି । ଜୀବନ ଗୋଟିଏ, ସେତକ ଭୋଗିବାକୁ ଏକ୍ଳା ମଣିଷ ହେଇ ଜୀଇଁ ହବନି ଜମା । ବିକଳ ହେଇ କହିଲା ସେ, ''ମୋର ଲୋଡ଼ା ନାହିଁ ଏ ଅଚଳାଚଳ ଧନ, ମୋତେ ଛାଡିଦିଅ ବୁଢାବାବୁ ମୋତେ ଛାଡିଦିଅ । ମୁଁ ସେବକ ନୁହେଁ ମୁଁ ଶଠ, ମୁଁ ଭଣ୍ଡ ।"

 କିନ୍ତୁ କାଳର ଚକ୍ରାନ୍ତ ସରିଯାଇଥିଲା, ବୁଢ଼ାଙ୍କ ପ୍ରାଣ ପବନ ଆଉ ଘର ଧରୁନଥିଲା । ସେ ନଥିଲେ ଶୁଭକୁ ମୁକ୍ତ କରିବାକୁ । ତାଙ୍କ ଶିଥିଳ ହାତ ଗୋଟେ ଶକ୍ତ ବାଘର ପଞ୍ଝା ଭଳି ଜାବୁଡି ଧରିଥିଲା ଶୁଭର ବର୍ତ୍ତମାନ, ଭବିଷ୍ୟତ ଆଉ ସବୁଜ ସ୍ୱପ୍ନ । 

   

    



Rate this content
Log in

Similar oriya story from Tragedy