Soumya Shubhadarshinee

Romance

3  

Soumya Shubhadarshinee

Romance

ରାତି

ରାତି

4 mins
216


 


ଭରିବାକୁ କିଛି ଅତୃପ୍ତି , ଅପ୍ରାପ୍ତି ଓ ଅସମାପ୍ତି : ସବୁବେଳେ ଦୀର୍ଘ ହୁଏ ତୁମ ଅନୁପସ୍ଥିତିର ରାତି । ଜାଣ ତଥାପି ଏଇ ରାତି ସହ ମୋର ଢେର ପ୍ରୀତି । .....


★★★★★★


  ନଦୀ ଉପରର ସେଇ ସୁଦୀର୍ଘ ପୋଲଟି ଦିଶୁଛି ଏକ ରଙ୍ଗୀନ ଆଲୋକ ମାଳା ଭଳି ଦୂରକୁ । ଉଭୟ ପଟେ ଚମତ୍କାର ଷ୍ଟ୍ରିଟ ଲାଇଟ ସୃଷ୍ଟି କରୁଛି ଏଇ ଭ୍ରମ ।

 ସାରା ଦିନର ଡ୍ରାଇଭ ପରେ ଦେହ ଏକଦମ କ୍ଲାନ୍ତ । ଲାଗୁଛି ହାଡ଼ଗୁଡା ଯେମିତି କେହି ହାତୁଡି ପିଟି ଗୁଣ୍ଡ କରିଦେଇଛି । ପ୍ରବଳ ଯନ୍ତ୍ରଣା ହେଉଛି ଶରୀରରେ । କିନ୍ତୁ ମନ ଆଃ ! ଏଇ ଆଲୋକ ମାଳା ଭଳି ଉଜ୍ଜ୍ୱଳ ଓ ପ୍ରଫୁଲ୍ଲ । ଘଡ଼ିଏବି ତର ନାହିଁ , ସେ ଏବେ ମନପବନ ଘୋଡାରେ । କମଳ ଦେଶର ରାଜକୁମାର , ହାତରେ ପୁଷ୍ପଧନୁ ଧରି ଉଭା ହେଇଛନ୍ତି ତା' ହୃଦୟରେ ।

 ଆଖି ପୁଣି ଗଲା ଆଲୋକର ହିଲ୍ଲୋଳ ଦିଗକୁ । ଆକର୍ଷଣୀୟ ବେଶ ଆକର୍ଷଣୀୟ ସେ ହିଲ୍ଲୋଳ । ଲାଗେ ଯେମିତି ହାତ ଠାରି ଆମନ୍ତ୍ରଣ କରେ ପ୍ରତ୍ୟକ ଠିକଣା ବିହୀନ ପଥିକକୁ କହିବାକୁ ଏତିକି , '' ତୁମ ପାଖରେ ସମୟ ଅଛିକି ଘଡ଼ିଏ ? ଯଦି ହଁ , ତେବେ ରୁହ ଟିକେ , ଅଳସୀ ନଈର ଶିତଳତା ଭିତରେ ନିଜକୁ ହଜେଇ ସୁଖୀ ହୁଅ । ''


 ସେ ଜେବେବି ଆସେ ମେଘନାର ସହରକୁ ଆଗ ସେଇ ନଦୀ ପ୍ରତି ଆକୃଷ୍ଟ ହୁଏ ଆଉ ପୋଲଟି ଉପରେ ଘଡ଼ିଏ ଠିଆ ହୁଏ ।

 ସେଠି ପ୍ରେମ ପସରା ମେଲି ଥାଏ ସହର । ଯୋଡି ଯୋଡି ପ୍ରଜାପତି ଉଡୁଥାନ୍ତି ଆବେଶରେ । ବାଦାମ ଭଜା ଆଉ ସିଝା ମକା ଭଳି ଅତି ସାଧାରଣ ବସ୍ତୁ ଲାଗେ ଅପୂର୍ବ ସେଇ ପ୍ରଜାପତିଙ୍କ ହାତରେ । ସେ ସେସବୁ ଦେଖେ ମନଭରି ଆଉ ଫେରିଯାଏ ପୁରୁଣା ସମୟକୁ ଜିଇଁବାକୁ ମେଘନା ସହ କିଛି ଅପେକ୍ଷିତ ମୁହୂର୍ତ୍ତ କଳ୍ପ ଚେତନା ଭିତରେ ।


 ମେଘନା ତଡିତ ପ୍ରବାହ ଭଳି ଖେଳିଗଲା ପ୍ରତ୍ୟକ ତନ୍ତ୍ରୀରେ । ସେ ବିଭୋର ହେଲା ।ଲାଗିଲା ମେଘନା ଠିଆ ହେଇଛି ସେଇ ପୋଲ ଉପରେ ତା' ହାତ ଦୁଇଟିକୁ ପ୍ରସାରିତ କରି ଦୁଇ ହାତରେ ଭରି ମୁଠାମୁଠା ଆଲୋକ । ଆଉ କହୁଛି , '' ଆସ ମୁଁ ମାଖି ଦେବି ଆମ ସମ୍ପର୍କରେ ଢେର ଔଜଲ୍ୟ । ଦୁରେଇ ଦେବି ପରସ୍ତ ପରସ୍ତ ଲୁହର 

ଅନ୍ଧକାର । "

 ଦପ କରି ଆଖି ମୁଦି ନେଲା ସେ । ଓଃ !ସେ ହାତରେ ଷ୍ଟିୟରିଂ ଧରିଛି ଯେ । ଜୋରରେ ବ୍ରେକ ଦେଇଦେଲା ସମସ୍ତ ଶକ୍ତି ଖଟେଇ ; ସାଇକେଲ ବାଲା ପିଲାଟେ ଅତର୍କିତ ହେଇ ପଡିଯାଉ ଯାଉ ରହିଗଲା ।

 ସେ ପ୍ରକୃତିସ୍ଥ ହେଲା , ନା' ନା' ଆନମନା ହେବାର ସମୟ ନୁହେଁ ଇଏ । ଆଜି ସେ ଆଲୋକର ଆବାହନ ପ୍ରତି ଦୁର୍ବଳ ହେବେନି । ତା' ପାଖରେ ସମୟର ଘୋର ଅଭାବ । 

 ତରୁଣର ଫୋନ୍ ଶୁଣିବା ପରେ ସେ ଆଉ ଜମା ରହିପାରିଲା ନାହିଁ । ସମ୍ବଲପୁରରୁ ଭୁବନେଶ୍ୱର ଦୂର ବହୁତ ଦୂର କିନ୍ତୁ ତା' ମନର ସ୍ଥିତି ସାମ୍ନାରେ କିଛି ନୁହେଁ । ସେ ନିଜ ବାଇକ ଧରି ଆସିଛି ପାଗଳ ହେଇ । ସାରା ଦିନ ଚଳେଇଛି ଗାଡି ଦ୍ରୁତରୁ ଦ୍ରୁତତର । ଏ ସହରରେ ତା'ର କେହି ନାହିଁ ଆଉ ବାବା ଗତବର୍ଷ ଚାଲିଗଲା ପରେ । ଏଠୁ ନିଜକୁ ସମ୍ପୂର୍ଣ୍ଣ ବିଚ୍ୟୁତ କରିଦେଇଛି ସେ ବିଗତ ଦିନଗୁଡିକରେ । ଓପାଡି ଦେଇଛି ଦୀର୍ଘ ପଚିଶ ବର୍ଷର ଜୀବନ ଦ୍ରୁମ ଜୋର କରି । ବୋଉ ସହ ସମ୍ବଲପୁର ଏବେ ନିଜର ଲାଗୁଛି। ସେଠି ନିଜକୁ ଜୋର କରି ପୋତି ଦେବାର କୁଛ୍ର ସାଧନା କରୁଛି ସେ ନିରନ୍ତର । ଆସିବନି ସେ କେବେ ଭୁବନେଶ୍ୱର , ମାଟି ମାଡିବ ନାହିଁ ଏ ଅଶୁଭ ସହରର । ଏଠୁ ସେ ପାଇଛି ଅସରନ୍ତି ଦୁଃଖ କେବଳ । ମେଘନା କିନ୍ତୁ ସବୁର ଉର୍ଦ୍ଧ୍ବରେ ।


 ତରୁଣ କହିଛି , " ମେଘନା ଅପେକ୍ଷା କରିଛି ତୋତେ , ଆସ ଶେଷଥର । ସମୟ ନାହିଁ ସେ ଚାଲିଯିବ ସବୁଦିନ ପାଇଁ ଫରେନ୍ ଆଦିତ୍ୟ ସହ । ତୋତେ ଦେଖିବାକୁ ଭାରି ଇଚ୍ଛା ତା'ର ନିଜେ ଆସିଥିଲା ମୋ ପାଖକୁ ଅନୁନୟ ବିନୟ ହେଇ କହିବାକୁ ତା' ମନ କଥା । ଭାଇ ମୁଁ ତାକୁ ନାହିଁ କହିପାରିଲି ନାହିଁ ।''


 ତରୁଣରର ଏଇ କଥା ଅଚିରେ ଭାଙ୍ଗି ଦେଇଛି ମନର ଅଦୃଶ୍ୟ ପ୍ରାଚୀର । 

ମେଘନାକୁ ଭୁଲିବାର ସବୁ ଚେଷ୍ଟା । ବାପାଙ୍କୁ ଦେଇଥିବା ପ୍ରତିଶ୍ରୁତି ।

*********

 ମେଘନା ତା'ର ପ୍ରଥମ ଓ ଶେଷ ପ୍ରେମ , ମେଘନା ତା'ର ପ୍ରଥମ ଓ ଶେଷ ଅବସୋସ , ମେଘନା ତା'ର ପ୍ରଥମ ଓ ଶେଷ ହାର ।.........

 ତଥାପି ମେଘନା ତା'ର ଆକର୍ଷଣ ଠିକ ଏଇ ଆଲୋକ ମାଳା ଭଳି । ଦୁର୍ବାର ତା'ର ଚେତନା । 

 ଏଇ ଶେଷ ରାତି ହାତରୁ ଛାଡିବାର ନୁହେଁ ।ସେ ଭେଟିବ ମେଘନାକୁ ସଚ୍ଚୋଟ ପ୍ରେମିକ ହେଇ । ଅପ୍ରାପ୍ତି ଓ ଅସହାୟତା ସହ ସାଲିଶ କରିନେବ ନୀରବରେ । ଆଜିବି ସେ ଆଣିଛି ତା'ର ପ୍ରିୟ ପରଫ୍ୟୁମ ଭର୍ସାକ କ୍ରିଷ୍ଟାଲ୍ । ଶେଷ ସନ୍ତକ ଭାବରେ ।


 ହାତଘଡି ଏବେ ଜଣେଇ ଦେଉଛି ସମୟ ଖୁବ୍ କମ୍ ବଢ଼ନ୍ତା ରାତିର।........


****

  ବଡ଼ ବିଚିତ୍ର ଝିଅ ଏତେ ରାତିରେ କିଏ ଭେଟେ !.  ରାତି ବାରଟା ରେ ସେ ଭେଟିବ ଆଜି ଆୟୁଷକୁ । ନିଜ ଘରକୁ ନିମନ୍ତ୍ରଣ କରିଛି । ଆୟୁଷ ଆଉ ଥରେ ସିଗାରେଟ ଜଳେଇ ନେଲା । ବ୍ୟତିବ୍ୟସ୍ତ ହେଲେ ସେ ଧୂଆଁ ହୁଏ ନିଜକୁ ଫୁର କରି ଉଡେଇ ଦେବାକୁ ।

 ମେଘନାର ଆପାର୍ଟମେଂଟ ବାହାରେ ଠିଆ ହେଇଛି ସେ ଗୋଟେ ସନ୍ଦିଗ୍ଧ ଭଳି । 

ୱାଚ୍ ମ୍ୟାନ୍ କୁ କ'ଣ କହିବ ସେ ଭାବୁଛି । କହିବ ସେ ଆସିଛି ଫ୍ଲାଟ ନମ୍ବର ' ସି ୧୮'କୁ ଏତେ ରାତିରେ । ଜଣେଇବ ନିଜର ନାଁ ଗାଁ ଠିକଣା । ଯଦି କେବେ ଅସୁବିଧା ହୁଏ ଝିଅଟିର ?..........

 ଭିତରର କମଳ ଦେଶର ରାଜକୁମାର ଏବେ ଚିନ୍ତାଗ୍ରସ୍ତ ଭାରି । କିଛି ଭାବିବାକୁ ଇଚ୍ଛା ନାହିଁ ଆଉ । ସେ ନିଜକୁ ଧିକ୍କାର କଲା , କୋସିଲା ଖୁବ୍ ଆଉ ଭାବିଲା , '' ଫେରିଯିବ ସେ ପୁଣି ସମ୍ବଲପୁର । ମେଘନା ହୁଏତ ଭାବ ପ୍ରବଣତାର ପ୍ରତୀକ କିନ୍ତୁ ଆୟୁଷ ବାସ୍ତବବାଦୀ ମଣିଷ । ''

 ଗାଡି ବୁଲେଇ ଯିବା ବେଳକୁ ଆଶ୍ଚର୍ଯ୍ୟ ଚକିତ ହେଇ ଦିଶିଲା ମେଘନା । ଯତ୍ନରେ ପିନ୍ଧିଛି ଗୋଲାପୀ ଶାଢ଼ୀ । ତାକୁ ସବୁଠାରୁ ଅଧିକ ଭଲ ଲାଗୁଥିବା ରଙ୍ଗ ।

 ଝିଅ ଗୁଡା କାହିଁକି ସୃଷ୍ଟି କରନ୍ତି ଈଶ୍ୱର !....

  ପାଖକୁ ଆସି କହିଲା , '' ମୁଁ ଜାଣିଥିଲି ତୁମେ ଆସିବ । ଚାଲ ଯିବା !"

 ଗୋଟେ ଆର୍ତ୍ତନାଦ ଭଳି ଆୟୁଷ କହିଲା ,

 '' କୁଆଡେ ?''

  ମେଘନାର ବଡ଼ ସରଳ ଉତ୍ତର ଥିଲା , ଆଜି ତୁମ ଇଚ୍ଛାରେ ମୁଁ ।.....

  ସେ ଦୁହେଁ ଏବେ ସତରେ କମଳ ଦେଶ ଅଭିମୁଖେ ବାହାରି ଗଲେ ।


     


  


Rate this content
Log in

Similar oriya story from Romance