padmaja pati

Fantasy Inspirational

3  

padmaja pati

Fantasy Inspirational

ଶତାବ୍ଦୀର ସ୍ବପ୍ନଭଙ୍ଗ

ଶତାବ୍ଦୀର ସ୍ବପ୍ନଭଙ୍ଗ

8 mins
300


.... ଶତାବ୍ଦୀ ରାୟ । ଏ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟିନୀ । ତାଙ୍କର ଉପନ୍ୟାସ A journey from unwanted to most wanted ପାଇଁ ।

ସତରେ କେତେ ଆନନ୍ଦଦାୟକ ଏଇ ମୁହୂର୍ତ୍ତ ।

ଦୂରଦର୍ଶନରେ ଏଇ ଖବର ପ୍ରସାରିତ ହେବା ପରେ ତା'ର ମୋବାଇଲ ବନ୍ଦ ହେବାର ନାଁ ଧରୁନି । ପାଠକ ମହଲ, ଅନ୍ୟ ପରିଚିତ ବ୍ୟକ୍ତି ଓ ଲେଖକ ବନ୍ଧୁମାନଙ୍କ ଅଭିନନ୍ଦନ ବାର୍ତ୍ତା ଶୁଣି ଶୁଣି ସେ କ୍ଲାନ୍ତ ହୋଇ ପଡିଲାଣି ।

କାଲି ଭଳି ଲାଗୁଛି, ତା'ର ବାନ୍ଧବୀ ଶତରୂପା କଥା ।


.. ସେ ଶତାବ୍ଦୀକୁ ଅନୁରୋଧ କରିଥିଲା ତା ' ଜୀବନ କାହାଣୀକୁ ନେଇ ଏକ ଉପନ୍ୟାସ ଲେଖିବା ପାଇଁ କାରଣ ଶତାବ୍ଦୀ ଉପରେ ତା'ର ଯଥେଷ୍ଟ ଭରସା ଥିଲା । ପାଠକ ତଥା ଲେଖକ ମହଲରେ ଶତାବ୍ଦୀ ସୁପରିଚିତ ଥିଲା । କେବଳ ଓଡିଆରେ ନୁହେଁ, ଇଂରାଜୀ ଭାଷାରେ ମଧ୍ୟ ସେ ଖୁବ ସୁନ୍ଦର ଭାବେ ଗଳ୍ପ, କବିତା ଓ ଉପନ୍ୟାସ ଲେଖି ପାରୁଥିଲା । ଶତରୂପା ଭାବିଥିଲା ଯେ ନିଶ୍ଚିତ ତା'ର ଜୀବନ କାହାଣୀ ତା ' ଭଳି ପରିସ୍ଥିତି ଦେଇ ଗତି କରୁଥିବା ଅନ୍ୟ ନାରୀମାନଙ୍କୁ ସମାଜରେ ତିଷ୍ଠି ରହିବାପାଇଁ ପ୍ରେରଣା ଯୋଗାଇବ । ଏହି ଉଦ୍ଦେଶ୍ୟରଖି ସେ ଶତାବ୍ଦୀକୁ ଅନୁରୋଧ କରିଥିଲା ଉପନ୍ୟାସଟିଏ ଲେଖିବାକୁ । ତା' ଜୀବନର ସବୁ ଉତ୍ଥାନପତନ କଥା ଶତାବ୍ଦୀକୁ ଭଲଭାବେ ଜଣା । ତାକୁ କିଛି କହିବାର ଆବଶ୍ୟକତା ମଧ୍ୟ ନାହିଁ । ଶତାବ୍ଦୀ ଭାଙ୍ଗି ପାରି ନ ଥିଲା ଶତରୂପାର ଅନୁରୋଧକୁ । ଏପରି ଏକ ସୁଯୋଗକୁ ତ ସେ କେଉଁ କାଳରୁ ଅପେକ୍ଷା କରିଥିଲା ହେଲେ ମୁହଁ ଖୋଲି କହି ପାରୁ ନ ଥିଲା ଶତରୂପାକୁ ।

ସେମାନଙ୍କ ପିଲାବେଳର ଅଭୁଲା ସ୍ମୃତି ନାଚି ଉଠିଲା ଶତାବ୍ଦୀର ଆଖି

ଆଗରେ ।

ଶତରୂପାକୁ ତାଙ୍କ ଘରେ ସମସ୍ତେ ଆଦରରେ ଶତୁ ବୋଲି ଡାକୁଥିଲେ । ଶତୁ ଥିଲା ଶତାବ୍ଦୀର ଘନିଷ୍ଠ ବାନ୍ଧବୀ । ଖେଳିବା. ଖାଇବା, ପଢିବା, ଚିତ୍ର ଆଙ୍କିବା ଏପରିକି ନାଚ ଗୀତରେ ମଧ୍ୟ ଦୁହିଁଙ୍କର ରୁଚି ଥିଲା । ଉଭୟ ପରିବାର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ଥିଲା ।ଶତାବ୍ଦୀର ବାପା ସ୍ଥାନୀୟ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ ଓ ମାଆ ଥିଲେ ସୁଗୃହିଣୀ । ଶତରୂପାର ବାପା ଚାଷ କାମ କରୁଥିଲେ, ମାଆ ଘରକାମ ସହ ଅନ୍ୟ ସବୁ କାମରେ ତା'ର ବାପାଙ୍କୁ ସାହାଯ୍ୟ କରୁଥିଲେ । ତା 'ର ଜେଜେମା ରନ୍ଧାବଢ଼ା, ପିଠାପଣା ତିଆରିରେ ଧୁରନ୍ଧର ଥିଲେ । ଶତାବ୍ଦୀ ତାଙ୍କ ଘରକୁ ଗଲେ ଭଲମନ୍ଦ ନ ଖୁଆଇ ଛାଡୁ ନ ଥିଲେ । ବାଡ଼ି ବଗିଚାରେ ହୋଇଥିବା ପନିପରିବା ନିତି ପହଞ୍ଚି ଯାଉଥିଲା ଶତାବ୍ଦୀ ଘରେ । ଶତାବ୍ଦୀର ମାଆ ଖରାବେଳର ଜଳଖିଆ ଦୁହିଁଙ୍କ ପାଇଁ ପହଞ୍ଚାଇ ଦେଉଥିଲେ ସ୍କୁଲରେ । ଖୁବ ଖୁସିରେ କଟି ଯାଉଥିଲା ପିଲାଦିନ ସେମାନଙ୍କର ।

ଶତରୂପା ପିଲାଦିନରୁ ମେଧାବୀ ଥିଲା । ତା'ର ସରଳ , ଅମାୟିକ ବ୍ୟବହାର ସମସ୍ତଙ୍କ ମନ କିଣି ନେଉଥିଲା । ହେଲେ ଏ ଖୁସି ବେଶି ଦିନ ରହିଲା ନାହିଁ । ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ ସେମାନେ । ଡ଼ିସେମ୍ବର ମାସରେ ହେବାକୁ ଥିବା ଅର୍ଦ୍ଧବାର୍ଷିକ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥାନ୍ତି ସେ ଦୁହେଁ । ଶତରୂପାର ପଡୋଶୀ ଘରର ପୁଅ ବାହାଘର । ତା'ର ମାଆ, ବାପା ଦୁହେଁ ବରଯାତ୍ରୀରେ ଯିବାକୁ ବାହାରିଲେ । ସେମାନେ ଶତରୂପାକୁ ମଧ୍ୟ ସାଙ୍ଗରେ ନେବାକୁ ଚାହୁଁଥିଲେ । କିନ୍ତୁ ସେ ପରୀକ୍ଷା ପାଇଁ ପଢିବ ବୋଲି କହିବାରୁ ତାକୁ ବାଧ୍ୟ କଲେ ନାହିଁ । ଘରେ ରହିଲେ କେବଳ ସେ ଓ ଜେଜେମା ।

ମାତ୍ର ପାଞ୍ଚ ଘଣ୍ଟା ପରେ ଖବର ଆସି ପହଁଚିଲା ବର ଓ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଖାଇ ମଧ୍ୟରେ ଗାଡିଟି ଖସି ପଡିଛି । ସମସ୍ତେ ମୃତ । ସତେ ଯେମିତି ଦୁଃଖର ପାହାଡ଼ ଲଦି ହୋଇଗଲା ସେମାନଙ୍କ ମୁଣ୍ଡ ଉପରେ । ଜେଜେମା ତ ଭୂଇଁ ସାଉଁଟି ଗଡୁଥିଲେ ।ଆଉ ବାହୁନି ବାହୁନି କହୁଥିଲେ, "କୁଆଡେ ଗଲୁ ମୋ ଧନମାଳି, ମୋ ସୁନା ଥାଳି, ମୋ ମାଆ ରାଣୀ , କଲୁ ବାୟାଣୀ. . ।


ଇତି ମଧ୍ୟରେ ଏକ ମାସ ବିତି ଗଲାଣି । ଜେଜେମା ଆଗ ଭଳି ସ୍ନେହଶୀଳା ନୁହଁନ୍ତି ।କଥା କଥାକେ ତାଙ୍କ ପାଟିରୁ ବାହାରୁଛି, "ଲୋ ଶତୁ, ଲୋ ନିଆଁ, ଲୋ ଚୂଲି । ପୋଡ଼ାମୁହିଁ ତୁ ହେଲେ ମରି ଯାଇଥାନ୍ତୁ । ମୁଁ ବେକରେ ପଥର ବାନ୍ଧି କୂଅ କି ପୋଖରୀକୁ ଡେଇଁ ପଡିଥାନ୍ତି ।ଏ କଥା ଶୁଣି ଶୁଣି ଶତୁର କାନ ବଧିରା ହୋଇ ଗଲାଣି ।


ଦିନେ ମନରେ ସାହସ ବାନ୍ଧି ଜେଜେମାଙ୍କୁ କହିଲା, " ଜେଜେମା, ଯାହା ତ ହେବାର ହୋଇଗଲା । ଆମେ ଦୁହେଁ କିପରି ବଂଚିବା, ଏଣିକି ସେ ବିଷୟରେ ଚିନ୍ତା କରିବା । କେତେ ଦିନ ଆଉ ସାହିପଡିଶାଙ୍କ ଦୟାରେ ଚଳିବା । ମୁଁ ତୁମ ଠାରୁ ବହୁତ ସାନ । ତୁମର ଅଭିଜ୍ଞତା ମୋ ଠାରୁ ଯଥେଷ୍ଟ ଅଧିକ । କିଛି ଭଲ ଚିନ୍ତା ତ କର । ମୁଁ ବି ପାରୁ ପର୍ଯ୍ୟନ୍ତ ସବୁ କାମରେ ତୁମକୁ ସାହାଯ୍ୟ କରିବି ।


ଜେଜେମା ଚିଡି ଉଠି କହିଲେ, "ଆଲୋ, ତୁ ମେଞ୍ଚଡ଼ ଟୋକୀ, ତୁ ମୋତେ କି ସାହାଯ୍ୟ କରିବୁ ? ତୋ ମାଆ ଖୁଆଇ ଦେଲେ ଖାଉଥିଲୁ । ଏ କଥା କ'ଣ ମାସ ଗୋଟାକରେ ଭୁଲିଗଲୁ?

ଶତୁ କହିଲା, " ମୋର ପାଠ ପଢି ବଡ଼ ମଣିଷ ହେବା ଲାଗି ବହୁତ ଆଶା ଜେଜେମା, ମୋତେ ହତାଶ କର ନାହିଁ । କିଛି ତ ଉପାୟ ବାହାରିବ ।ମୁଁ ତୁମ ଗୋଡ଼ ତଳେ ପଡୁଛି ।

ଏତିକିବେଳେ ଜେଜେମାଙ୍କ ସାଙ୍ଗ ସୁନି ମା ଆସି ପହଁଚିଲେ । ସେ କହିଲେ, " ଜେଜେମା ଓ ନାତୁଣୀ ବସି କି ଦୁଃଖ ସୁଖ ହେଉଛ କି ? ଜେଜେମା କୋହଭରା କଣ୍ଠରେ କହି ଉଠିଲେ, "ଶୁଣିବୁ ସୁନି ମା ଏ ପୋଡ଼ାମୁହିଁର କଥା । ବାପମାଙ୍କୁ ତ ଖାଇଲା । ମୋତେ କହୁଛି କିଛି ଗୋଟେ ଉପାୟ କର । ଆଲୋ, ମୁଁ କ'ଣ କରିବି ? ଏତିକି କହି ପୁଣି କାନ୍ଦଣା ଆରମ୍ଭ କରିଦେଲେ ।


ସବୁ ଶୁଣି ସାରି ସୁନି ମା କହିଲେ, "ସଙ୍ଗାତ, ସାନ ଛୁଆଟାଏ ଶତୁ ।ସେ ଚିନ୍ତା କରୁଛି କ'ଣ କଲେ କାହା ଉପରେ ବୋଝ ନ ହୋଇ ବଞ୍ଚି ପାରିବ । ତୁମେ ବଡ଼ ମଣିଷ ହୋଇ ଅଧୈର୍ଯ୍ୟ ହେଉଛ? ମୁଁ ଯାହା କହୁଛି ଥରେ ଭାବି ଦେଖ । ଜେଜେମା କହିଲେ, "କ'ଣ କୁହ । ବୁଡିଗଲା ଲୋକକୁ ତ କୁଟାଖିଏ ଆଶ୍ରା । ଯଦି ମୁଁ ନିଜେ ବଞ୍ଚି ଶତୁକୁ ବଞ୍ଚାଇବାର ବାଟ ଖୋଜି ପାଆନ୍ତି, ଏତେ ବ୍ୟସ୍ତ ହୁଅନ୍ତି କାହିଁକି?


ସୁନି ମା କହିଲା, "ତୁମକୁ ତ ଭଲ ବଡି, ପାମ୍ପଡ଼ ଓ ଆଚାର ଆସେ । ମୁଁ ଦଶ ହଜାର ଟଙ୍କା ଋଣ ଆମ ସ୍ୱୟଂ ସହାୟକ ଗୋଷ୍ଠୀରୁ ଆଣି ତୁମକୁ ଦେବି । ବେପାର ତୁମ ଘରେ ଆରମ୍ଭ କର । ଭାବୁଛି, ତୁମେ କମ ଦିନରେ ଋଣ ଶୁଝିଦେବ ।ମୁଁ ମଧ୍ୟ ଏ କାମରେ ତୁମକୁ ସାହାଯ୍ୟ କରିବି ।


ଶତୁ କହିଲା, "ହଁ ମା, ମୋ ପାଠ ପଢ଼ା ସମୟକୁ ଛାଡ଼ି ଦେଲେ ବାକି ସମୟରେ ମୁଁ ବି ତୁମକୁ ସାହାଯ୍ୟ କରିବି ।


ନାତୁଣୀର କଥା ଶୁଣି ଜେଜେମାଙ୍କ ଆଖି ଲୁହରେ ଭରିଗଲା । ସେ ଶତୁକୁ ଛାତି ଉପରକୁ ଆଉଜେଇ ଆଣି ବିକଳରେ କହି ଉଠିଲେ, "ମୋ ଶତୁ ଲୋ, ମୋତେ ସୁନା ଲୋ, ମୋ ଧନ ଲୋ । ସୁନି ମା, ମୁଁ ତୁମ ପରାମର୍ଶ ଅନୁଯାୟୀ କାମ କରିବାକୁ ରାଜି ।

ସେହି ଦିନଠାରୁ ଶତରୂପା ଆଉ କେବେ ପଛକୁ ଫେରି ଚାହିଁ ନ ଥିଲା । ସେ ଜାଣିଥିଲା କେବଳ ସଂଘର୍ଷ ଓ ସାଧନା । ପଢ଼ା ସମୟ ବ୍ୟତୀତ ଘରକାମ,ଜେଜେମାଙ୍କୁ ବ୍ୟବସାୟରେ ସାହାଯ୍ୟ, ବାଡ଼ିରେ ପନିପରିବା ଲଗାଇବା ଓ ପାଣି ମଡ଼ାଇବା ଆଦିରେ ତା'ର ସମୟ ବିତି ଯାଉଥିଲା । ସାଙ୍ଗସାଥୀଙ୍କ ସହ ମିଶି ଖେଳିବା କି ହସ ଖୁସିରେ ସମୟ ବିତେଇବାର କେହି ତାକୁ କେବେ ଦେଖି ନାହିଁ । ଏପରିକି ଶତାବ୍ଦୀ ମଧ୍ୟ ତାକୁ ଛୁଟିଦିନରେ ତାକୁ ସବୁ କାମରେ ସାହାଯ୍ୟ କରୁଥିଲା । ଶତାବ୍ଦୀର ବାପା ଓ ମା ମଧ୍ୟ କେବେ ଶତାବ୍ଦୀକୁ ବାରଣ କରି ନାହାନ୍ତି ବରଂ ଖୁବ ଖୁସି ହୋଇଛନ୍ତି । ଶତାବ୍ଦୀର ବାପାଙ୍କ ପ୍ରଚେଷ୍ଟାରେ ଦୁହେଁ କୃତିତ୍ୱର ସହ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ ହେଲେ ।


ଶତାବ୍ଦୀର ବାପା ଅଧିକ ଉତ୍ସାହିତ ହୋଇ ସେମାନଙ୍କୁ ନବୋଦୟ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ କଲେ । ଏହି ପରୀକ୍ଷାରେ ଶତୁ କୃତକାର୍ଯ୍ୟ ହେଲା । ଶତାବ୍ଦୀ ଓ ତା'ର ପରିବାର ଖୁବ ଖୁସି ଥିଲେ ହେଲେ. ଖୁସି ହୋଇ ପାରୁ ନଥିଲା ଶତରୂପା । ଶତାବ୍ଦୀ ଓ ଜେଜେମାଙ୍କୁ ଛାଡି ହଷ୍ଟେଲ ରହିବା କଥା ଭାବିଲା ବେଳକୁ ତାକୁ ବହୁତ ବ୍ୟସ୍ତ ଲାଗୁଥିଲା ।


ସବୁବେଳେ ଭାଗ୍ୟକୁ ନିନ୍ଦୁଥିବା ଜେଜେମାଙ୍କ ଆଖିରୁ ଝରି ପଡିଥିଲା ଖୁସିର ଲୁହ । ସେ ଶତୁକୁ କହିଲେ, "ଶତାବ୍ଦୀ ଓ ତା'ର ପରିବାର, ସୁନି ମା ତ ମୋର ଭଲ ମନ୍ଦ ବୁଝିବାକୁ ଅଛନ୍ତି । ତୁ ଖୁସି ମନରେ ଯାଇ ପାଠ ପଢ଼ । ଶତୁ ଯୋଗ ଦେଲା ପାଖ ସହରରେ ଥିବା ଜବାହର ନବୋଦୟ ବିଦ୍ୟାଳୟ ରେ ।

ଖୁବ ମନ ଲଗାଇ ପାଠ ପଢୁଥିଲା ଶତରୁପା । ପାଠ ପଢା ସହ ଚିତ୍ର ଆଙ୍କିବା, ବକ୍ତୃତା କହିବା, ଗୀତ ଗାଇବାରେ ତାର ରୁଚି ଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ ତାକୁ ଖୁବ ଭଲ ପାଉଥିଲେ ଓ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ଉତ୍ସାହିତ ହୋଇଥିଲେ । ସେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାସ କରି ଯୁକ୍ତ ଦୁଇ ପଢା ଶେଷ କରି ବିଦ୍ୟାଳୟରୁ ବିଦାୟ ନେଲା । କିନ୍ତୁ ଏ ଖୁସି ମଧ୍ୟ ତା'ର ବେଶି ଦିନ ରହିଲା ନାହିଁ । ଜେଜେମା ହୃଦଘାତରେ ଆରପାରିକୁ ଚାଲିଗଲେ । ସେ ହୋଇଗଲା ସମ୍ପୂର୍ଣ୍ଣ ଏକୁଟିଆ ।


ପାଖ ଗାଁ ସ୍କୁଲକୁ ଯାଉଥିବା ପିଲାଙ୍କୁ ଟ୍ୟୁସନ କରି ନିଜର ଗୁଜୁରାଣ ମେଣ୍ଟାଇବା ଲାଗି ଚେଷ୍ଟା କଲା ସେ । ଏତିକିବେଳେ ସେ ସତ୍ୟକାମଙ୍କ ସଂସ୍ପର୍ଶରେ ଆସିଥିଲା । ତାଙ୍କ ଭଉଣୀ ନୀତା ଶତରୂପା ପାଖରେ ଟ୍ୟୁସନ ହେବାକୁ ଆସୁଥିଲା । ନୀତାକୁ ନେବା ଆଣିବା ଦାୟିତ୍ୱ ଥିଲା ସତ୍ୟକାମଙ୍କର । ସେ ବି. ଏ. ପାସ କରିବା ପରେ ଚାକିରୀ ପାଇଁ ଇଣ୍ଟରଭିୟୁ ଦେଉଥିଲେ । ଅନେକ ସମୟରେ ତା' ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିଲେ । ଶତରୂପାର ବିଚକ୍ଷଣ ବୁଦ୍ଧିମତା ସହ ସରଳତା ତାଙ୍କୁ ମୁଗ୍ଧ କରିଥିଲା । ସତ୍ୟକାମଙ୍କ ଆଚାର ବ୍ୟବହାର ମଧ୍ୟ ଆକୃଷ୍ଟ କରିଥିଲା ଶତରୂପାକୁ । ଉଭୟ ନିକଟତର ହେବାକୁ ଲାଗିଥିଲେ । ଏ କଥା ଅଛପା ରହିଲା ନାହିଁ ନୀତାକୁ । ତା'ର ମାଆଙ୍କ ଆଗରେ ସେ ଏ ଦୁହିଁଙ୍କ ବିଷୟରେ କହିଦେବାରୁ ସତ୍ୟକାମ ବହୁତ ଗାଳି ଗୁଲଜ ଶୁଣିଥିଲେ ଓ ନୀତାର ମଧ୍ୟ ବନ୍ଦ କରି ଦେଇଥିଲେ l ସେତିକିରେ ତାଙ୍କ ମନ ବୁଝି ନଥିଲା । ଘରକୁ ଆସି ବାମନ କେବେ ଚାନ୍ଦକୁ ହାତ ବଢାଇବା ଉଚିତ ନୁହେଁ ବୋଲି ତାଙ୍କ ମାଆ ତାକୁ ଶୁଣାଇ ଦେଇଥିଲେ । ଗୋଟାଏ ଅନାଥ ଝିଅ ତାଙ୍କ ପରିବାରର ବୋହୁ ହେବାକୁ ଅଯୋଗ୍ୟ ବୋଲି କହିବାକୁ ମଧ୍ୟ ପଛାଇ ନ ଥିଲେ ।


ଏ କଥା ଖୁବ ବାଧିଥିଲା ଶତରୂପାକୁ । ହେଲେ ଭାଙ୍ଗି ପଡି ନ ଥିଲା ସେ । ପିଲାଟିବେଳୁ ଦୁଃଖ ତ ତା'ର ଦେହ ସୁହା ହୋଇ ଯାଇଥିଲା । କିଛି ପ୍ରତିବାଦ କରି ନ ଥିଲା ସେ । ବରଂ ନିଜ କାମ ଓ ଟ୍ୟୁସନ ପଢାଇବାରେ ଅଧିକ ମନୋନିବେଶ କରିଥିଲା । ପତ୍ର ବିନିମୟ ପାଠ୍ୟକ୍ରମରେ ନାମ ଲେଖାଇ ସେ ସଫଳତାର ସହ ବି. ଏ. ଓ ଇତିହାସରେ ପ୍ରଥମ ଶ୍ରେଣୀରେ ଏମ. ଏ. ପାସ କଲା । କେବଳ ସେତିକି ନୁହେଁ, ଅଧ୍ୟାପିକା ଚାକିରୀପାଇଁ ହୋଇଥିବା ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇ ଚାକିରୀ ପାଇଲା । ସେତେବେଳକୁ ଶତାବ୍ଦୀ ଇଂରାଜୀରେ ପି. ଏଚ.ଡି କରୁଥିଲା । ଭାରି ଖୁସି ହୋଇଥିଲା ସେ ଶତରୂପାର ସଫଳତାର ଖବର ଶୁଣି ।

ସତ୍ୟକାମଙ୍କ ଘରୁ ବିବାହ ପ୍ରସ୍ତାବ ମଧ୍ୟ ଆସିଗଲା । କିନ୍ତୁ ଏହାକୁ ନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିଲା ସେ । ସେ କହିଥିଲା, "ମୁଁ ଯେପରି ଅନାଥିନି ଥିଲି, ଆମ ସମାଜରେ ଆହୁରି ଥିବେ । ସେମାନଙ୍କୁ ମୁଁ ସମାଜରେ ପ୍ରତିଷ୍ଠିତ କରାଇବାକୁ ଚାହୁଁଛି । ତେଲ, ଲୁଣର ସଂସାର ଭିତରେ ହଜି ଯିବାକୁ ମୋର ଆଦୌ ଇଛା ନାହିଁ ।


ସେ ନିଜ ଘରେ ତିଆରି କଲା ଏକ ନାରୀ ସେବା ସଦନ । ପ୍ରଥମେ ଦୁଇଜଣ ଅନ୍ତେବାସିନୀଙ୍କୁ ନେଇ ଗଢି ଉଠିଥିବା ସେବା ସଦନରେ କୋଡିଏ ଜଣ ଯୋଗ ଦେଇ ସାରିଥିଲେ । ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ସହ ସେ ସେମାନଙ୍କ ପାଠପଢା ଉପରେ ବେଶି ଗୁରୁତ୍ୱ ଦେଉଥିଲା । ସେ ଶ୍ରେଷ୍ଠ ସମାଜସେବୀ ଭାବେ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ମଧ୍ୟ ହୋଇ ସାରିଥିଲା । ଶତାବ୍ଦୀ ତାକୁ ଅଭିନନ୍ଦନ ଜଣାଇବା ବେଳେ ସେ କହିଲା, " ଖାଲି କଥାରେ କହିଦେଲେ ଚଳିବ ନାହିଁ । ମୋ ଜୀବନୀକୁ ନେଇ ଏକ ଉପନ୍ୟାସ ଲେଖିବା ଆରମ୍ଭ କର । ମୁଁ ଭାବୁଛି ଏହା ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ । ମୋ ଭଳି ଘାତ ପ୍ରତିଘାତ ସହି ସମାଜରେ ସମ୍ମାନର ସହ ବଞ୍ଚିବା ପାଇଁ ଏହା ଆଲୋକବର୍ତ୍ତିକା ସଦୃଶ କାମ କରିବ ।


.. ଶତାବ୍ଦୀ ଆନନ୍ଦରେ କହି ଉଠିଲା, "ଏ ତ ଖୁବ ଖୁସିର କଥା । ମୁଁ ତୋ ଜୀବନୀକୁ ନେଇ ନିଶ୍ଚିତ ଏକ ଉପନ୍ୟାସ ଲେଖିବି ।


ଏଥିପାଇଁ ଖୁବ ପରିଶ୍ରମ କରିବାକୁ ପଡିଥିଲା ଶତାବ୍ଦୀକୁ । ରାତି ରାତି ଅନିଦ୍ରା ରହି ଶେଷ କରିଥିଲା ଉପନ୍ୟାସଟିକୁ । ପ୍ରଥମେ ପାଣ୍ଡୁଲିପିଟିକୁ ସେ ପଢିବାକୁ ଦେଇଥିଲା ଶତରୁପାକୁ । ଏହାକୁ ପଢି ସାରିବା ପରେ ଖୁବ ଖୁସି ହୋଇଥିଲା ଶତରୂପା । ଶତାବ୍ଦୀ କହିଲା,"ମୁଁ ଏହାକୁ ଇଂରାଜୀ ଭାଷାରେ ମଧ୍ୟ ଅନୁବାଦ କରି କେନ୍ଦ୍ର ସାହିତ୍ୟ ଏକାଡେମୀର ସଦସ୍ୟ ମାନଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଚେଷ୍ଟା କରିବି । ଆଉ ଏହାର ନାମକରଣ କରିବି A journey from unwanted to most wanted । ନାଁ, କ 'ଣ କହୁଛୁ? ଶତରୂପା କହିଲା , " ତୁ ଯାହା ଠିକ ଭାବୁଛୁ ତାହା କର ।


ଅକ୍ଲାନ୍ତ ପରିଶ୍ରମ କରି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ଶତାବ୍ଦୀ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟିନୀ ହୋଇ ଥିବାରୁ ସେ ଆଜି

ଆନନ୍ଦିତ l


"ଶତାବ୍ଦୀ, କ'ଣ ଏତେବେଳ ପର୍ଯ୍ୟନ୍ତ ଶୋଇଛୁରେ ମା ? ଦେହ ଭଲ ନାହିଁ କି ? ମାଆ ତାକୁ ନିଦରୁ ଉଠାଇବାକୁ ଚେଷ୍ଟା କରୁଥିଲେ । ନିଦରୁ ଉଠି ଚାରି ଆଡକୁ ନିରେଖି ଚାହିଁଲା ସେ । ମାଆ ତା'ର ମୁଣ୍ଡକୁ ଆଉଁସି ଦେଇ କହିଲେ, "କ'ଣ ଏତେ ଭାବୁଛୁ? ପାଣ୍ଡୁଲିପିଟା ଛାତି ଉପରେ ରଖି ତୁ ଶୋଇ ପଡିଥିଲୁ । ସ୍ବପ୍ନ ଦେଖୁଥିଲୁ କି ?

ଶତାବ୍ଦୀ ଲାଜେଇ ଯାଇ କହି ଉଠିଲା, "ହଁ, ମାଆ । ମୁଁ ସ୍ବପ୍ନ ଦେଖୁଥିଲି ଏଇ ଉପନ୍ୟାସ ପାଇଁ ମୁଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛି ।" ମାଆ ସରାଗରେ କହି ଉଠିଲେ, "ଭଗବାନ ତୋ ସ୍ବପ୍ନକୁ ସତରେ ପରିଣତ କରି ଦିଅନ୍ତୁ ରେ ମା ' । ତୁମ ଦୁହିଁଙ୍କ ପାଇଁ ମୁଁ ଗର୍ବିତ । "

ଘରପାଖ ମନ୍ଦିରରୁ ଠାକୁରଙ୍କ ସକାଳ ଆଳତି ଶୁଭୁଥିଲା ।


Rate this content
Log in

Similar oriya story from Fantasy