padmaja pati

Tragedy

3.4  

padmaja pati

Tragedy

ଦୀପ ସବୁ ଲିଭିଗଲା ପରେ

ଦୀପ ସବୁ ଲିଭିଗଲା ପରେ

2 mins
12.1K


ଅନୀଲ ଠିଆ ହୋଇଥିଲା ଏକ କଦମ୍ବ ଗଛକୁ ଡେରି ହୋଇ l ଗାଁର ସବୁ ଗଛ ଭିତରେ ଏଇ ଗଛଟି ତା'ର ଭାରି ପ୍ରିୟ l ଫୁଲବାଣୀ କଲେଜରେ ପଢ଼ୁଥିବା ସମୟରେ ବନ ମହୋତ୍ସବ ଉପଲକ୍ଷେ ସେ ଓ ଲୀନା ମିଶି ଗଛଟିକୁ ଲଗାଇଥିଲେ l ଲୀନା ତାକୁ କହିଥିଲା, " ଆଜି ଯେମିତି ମିଶିକି ଗଛ ଲଗାଉଛେ, ଫୁଲ ଫୁଟିଲେ ଆସି ଫଟୋ ଉଠାଇବା l ମୋତେ ଫୁଲ ଭର୍ତ୍ତି କଦମ୍ବ ଗଛ ଦେଖିବାକୁ ଭାରି ଭଲ ଲାଗେ lକଲେଜରୁ ଫେରିବା ରାସ୍ତାରେ ଗଛଟି ପଡୁଥିବାରୁ ସେ ସବୁଦିନ ଗଛର ଯତ୍ନ ନେଉଥିଲା l ଲୀନା ତାକୁ କଲେଜରେ ଭେଟ ହେଲେ ଆଗ ଗଛ କଥା ପଚାରୁ ଥିଲା l ୟା ଭିତରେ ଦୀର୍ଘ ଆଠ ବର୍ଷ ବିତି ଗଲାଣି l ଅନୀଲ ଓ ଲୀନା ଦୁହେଁ କଲେଜ ପଢ଼ା ଶେଷ ହେବା ପରେ ପରସ୍ପରକୁ ଭେଟି ପାରିନାହାନ୍ତି l କର୍ମ ସଂସ୍ଥାନ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାରେ ନିଜକୁ ବ୍ୟସ୍ତ ରଖିଥିଲା ଅନୀଲ l ତଥାପି ମଝିରେ ମଝିରେ ଲୀନାକୁ ଫୋନ୍ ଭୁଲି ନ ଥିଲା l ଲୀନାର ବାପାଙ୍କ ଅବସର ପରେ ସେମାନେ ସୁଦୂର ରାୟଗଡା ଫେରି ଯାଇଥିଲେ l

ଆଉ ଅନୀଲ ରହୁଥିଲା ଫୁଲବାଣୀରେ l ଆଜି ଲୀନାର ଫୋନ୍ ଆସିଥିଲା l ତା'ର ବାହାଘର ଏକ ଇଞ୍ଜିନିଅର ସହ ହେବାକୁ ଯାଉଛି l ସମ୍ଭ୍ରାନ୍ତ ପରିବାର, ସମସ୍ତେ ଖୁବ୍ ଖୁସି l ଏ କଥା ଶୁଣି ଅନୀଲର ପାଦ ତଳୁ ମାଟି ଖସି ଯାଉଥିଲା l ଅବଶ୍ୟ ଏଥିପାଇଁ ସେ ଲୀନାକୁ ଦୋଷ ଦେଉନାହିଁ l କାରଣ ସେ କେବେ ମୁହଁ ଫିଟାଇ ଲୀନାକୁ ପ୍ରସ୍ତାବ ଦେଇ ପାରିନାହିଁ l ବୋଧହୁଏ ଲୀନା ତାକୁ କେବଳ ଭଲ ସାଙ୍ଗଟିଏ ଭାବିଛି l ସେ ଭାବିଥିଲା ଭଲ ଚାକିରୀଟିଏ କଲା ପରେ ଘରେ ଲୀନା ବିଷୟରେ କହିବ l କରୋନା ମହାମାରୀ ପାଇଁ ଅନେକ ପ୍ରତିଯୋଗିତାମୂଳକ ପରୀକ୍ଷାର ଫଳାଫଳ ହସ୍ତଗତ ହୋଇ ନାହିଁ l ସେ ଆଉ କରିବ କ'ଣ? ଲୀନା ଆହୁରି ମଧ୍ୟ କହୁଥିଲା ଯେ ବାପାଙ୍କ ଦେହ ଭଲ ରହୁ ନ ଥିବାରୁ କମ୍ ଲୋକ ଡାକି ବାହାଘର ସାରିଦେବେ l ଲକ୍ ଡାଉନ୍ ଥିବାରୁ ସାଙ୍ଗ ସାଥି କେହି ଆସି ପାରିବେନି ବୋଲି ତା'ର ମନ ଦୁଃଖ l ଆଜି ମଧ୍ୟ ସେ କଦମ୍ବ ଗଛରେ ଫୁଲ ହେଲାଣି କି ବୋଲି ପଚାରିବାକୁ ଭୁଲି ନ ଥିଲା l ଅନୀଲ କହିଥିଲା "ହଁ, ଗଛ ତ ବଡ଼ ହୋଇ ଗଲାଣି l ଏଇ ବର୍ଷାଦିନେ ବୋଧେ ଫୁଲ ଆସିବ l ଲୀନା ଖୁସି ହୋଇ କହିଥିଲା, " ମୋତେ ଫୁଲ ଫୁଟିଲେ ନିଶ୍ଚିତ ଜଣାଇବ l ଯଦି ଲକ୍ ଡାଉନ୍ ଖୋଲିଥିବ ମୁଁ ମୋ ସ୍ୱାମୀଙ୍କ ସହ ଯିବି l ଆମେ ତିନିହେଁ ମିଶି ଫଟୋ ଉଠାଇବା l ଅନୀଲ ତାକୁ ବାହାଘରପାଇଁ ଅଭିନନ୍ଦନ ସହ, ଫୁଲ ଫୁଟିଲେ ନିଶ୍ଚିତ ଜଣାଇବ ବୋଲି କହି ଫୋନ୍ ରଖିଥିଲା l ସନ୍ଧ୍ୟା ମାଡି ଆସୁଥିଲେ ବି ସେ ଧାଇଁ ଯାଇଥିଲା ଗଛ ମୂଳକୁ l ପାଖ ମନ୍ଦିରରୁ ଠାକୁରଙ୍କ ଆଳତୀ ଶୁଭୁଥିଲା l ହେଲେ ତା ' ହୃଦୟ ମନ୍ଦିରରେ ଲୀନାପାଇଁ ଜଳୁଥିବା ସବୁ ଦୀପ ତ ଲିଭି ସାରିଲାଣି l ତଥାପି ସେ ମୂକପରି କଦମ୍ବ ଗଛ ପାଖରେ ଥିବା ଏକ କଟା ଗଛ ଉପରେ ବସି ନିଜକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଥିଲା l


Rate this content
Log in

Similar oriya story from Tragedy