ସ୍ବପ୍ନ
ସ୍ବପ୍ନ


ସେଦିନ ଏକ ଅଳସ ଅପରାହ୍ନରେ ତୁମେ ଯେତେବେଳେ ଆସି ମୋ କବାଟ ଠକ୍ ଠକ୍ କରି ପଚାରିଲ ପଙ୍କଜ ବାବୁ ଅଛନ୍ତି ?
ମୋ ଦ୍ଵାର ମୁହଁରେ ତୁମକୁ ଦେଖି କି ମୁଁ ସ୍ତମ୍ଭିଭୂତ ହୋଇଗଲି ।
ସରି ଆପଣଙ୍କୁ ଦେଖିକି । ନିଜ ଆଖିକୁ ବିଶ୍ୱାସ କରିପାରିଲିନି ଯେ ଆପଣ ମୋ ଘର ସାମ୍ନାରେ ଠିଆ ହୋଇଛନ୍ତି ।
ଯିଏ ଗଳ୍ପ ,ଉପନ୍ୟାସ , କବିତା ମାଧ୍ୟମରେ ପାଠକ ପାଠିକାଙ୍କ ହୃଦୟକୁ ଜିତିିପାରିଛନ୍ତି ଆଉ ଯାହାଙ୍କର ମୁଁ ମନ୍ତ୍ରମୁଗ୍ଧ ପାଠକଟିଏ ।
ସେ ସ୍ଵୟଂ ମୋ ସାମ୍ନାରେ କି ଭାଗ୍ୟ ମୋର ।
କେମିତି ସ୍ବାଗତ ଜଣେଇବି ଆତିଥେୟ ଦେବି ଭୁଲିଗଲି ଯେମିତି ।
ହାତଯୋଡି ପ୍ରଣାମ କରୁକରୁ ଥର ଥର କଣ୍ଠରେ କେବଳ ଏତିକି ପାଟିରୁ ବାହାରିଲା
- - ପ୍ଲିଜ୍ ଭିତରକୁ ଆସନ୍ତୁ ନା ।
ଆପଣ ପ୍ରତି ନମସ୍କାର କରି ଭିତରକୁ ଆସିଲେ
ହତାଦର ହୋଇପଡିଥିବା ପ୍ଲାଷ୍ଟିକ ଚେୟାରକୁ ଝାଡିଦେଇ ନୂଆ ବେଡସିଟ୍ ଟେ ପକେଇଦେଇ କହିଲି
- - ପ୍ଲିଜ୍ ବସନ୍ତୁ । ଆପଣ ଟିକେ ଅପେକ୍ଷା କରନ୍ତୁ ମୁଁ ଏଇ ଚାହା କରି ଆଣୁଛି , ବାସ୍ ଦଶ ମିନିଟ୍ ।
ମୁଁ ଚାହା କପ୍ ରେ ଧରି ଆସିଲା ବେଳକୁ ଆପଣ ମୋ ଯତ୍ନହୀନ ଘରକୁ ନୀରିକ୍ଷଣ କରୁଥାନ୍ତି ।
- - 'ଏଇ ନିଅନ୍ତୁ ' , ଯଦି ଆଗରୁ ଜାଣିଥାନ୍ତି ଆପଣ ଆସିବେ ତାହେଲେ କିଛି ଗୋଟେ ବ୍ୟବସ୍ଥା କରିଥାନ୍ତି । ସରି ।
- - ନାଇଁ କିଛି କଥା ନାଇଁ ,ଏଇ ପାଖରେ ମୋର ଫଙ୍କସନ ଟେ ଥିଲା ତ ତେଣୁ ଫେରୁ ଫେରୁ ଆପଣଙ୍କ କଥା ମନେପଡିଗଲା ତ ମୁଁ ଚାଲି ଆସିଲି ।
- - ସତରେ ଆପଣ ଆସିଛନ୍ତି ମୁଁ ବହୁତ ଖୁସି ।
- - ନ ଆସି ଥାନ୍ତି ଯେ କେମିତି ? ଆପଣ ତ ସେଇ ପାଠକ ଯାହାଙ୍କ ପ୍ରଥମ ଚିଠି ମୋ ପାଖରେ ପହଞ୍ଚେ । ଆପଣଙ୍କ ଶୁଭେଚ୍ଛା ଓ ଶୁଭକାମନା ମୋତେ ମୁଗ୍ଧ କରେ ।
( ମୁଁ ବହୁତ ଖୁସି ହେଲି ଆପଣଙ୍କ ମୁହଁରୁ ଏକଥା ସୁଣିକି ଆହୁରି ଆଶ୍ଚର୍ଯ୍ୟ ମଧ୍ୟ ହେଲି ଯେ ଆପଣ ପଢୁଥିବା ପ୍ରଥମ ଚିଠି ହେଉଛି ମୋର ମୁଁ ଭାଗ୍ୟବାନ )
- - ଗୋଟେ କଥା କହିବି ?
- - କୁହନ୍ତୁ ।
- - ମୁଁ ଏ ପର୍ଯ୍ୟନ୍ତ ବି ନିଜକୁ ବିଶ୍ବାସ କରିପାରୁନି ଯେ ଆପଣ ମୋ ସାମ୍ନାରେ ବସିଛନ୍ତି ।
( ଆପଣ ସ୍ମୀତ ହସିଲେ , ବହୁତ ସୁନ୍ଦର ସେ ହସ ଯଦି ସେ ହସର ମୂଲ୍ୟାଙ୍କନ କରାଯାଏ ତେବେ ସାହାଜାହାନଙ୍କ ତାଜମହଲ ବି ଉପହାର ଦିଆଯାଇ ପାରେ )
- - କିନ୍ତୁ ଆସିଛି ତ ? ଆଉ ଏତେ ପ୍ରଶଂସା କରନ୍ତୁ ନି କି ଏତେ ଭାବନାରେ ରୁହନ୍ତୁନି ବାସ୍ତବକୁ ଆସନ୍ତୁ ।
- - ଆଜ୍ଞା ।
- - ତେବେ ଆପଣ କ'ଣ କରନ୍ତି ?
- - ମୁଁ ? ମୁଁ....ଛୋଟ କିରାଣୀ ଚାକିରି ଟେ ମୋର ଦରମା ସାତ ଆଠ ହଜାର ,ଘରେ ବାପା ବୋଉ , ଭାଇ ଭାଉଜ ଆଉ ଭଉଣୀ ବାହା ହୋଇଯାଇଛି ତାର ଗୋଟେ ପୁଅ ।
( ଏଥର ଆପଣ ପାଟି ଖୋଲି ହା ହା ହୋଇ ଟିକେ ଅଧିକ ହସିଲେ )
- - ଆପଣ କ'ଣ କରନ୍ତି ମୁଁ ପଚାରିଲି ଆପଣ କେତେ କଥା କହିଯାଉଛନ୍ତି ମୋତେ ।
- - ହଁ , ମୁଁ ବି କେବଳ ମୋ ବିଷୟରେ କହିବାକୁ ଚାହୁଁଥିଲି ହେଲେ ଏତେ ସବୁ କେମିତି ମୋ ପାଟିରୁ ବାହାରିଗଲା ମୁଁ ଜାଣିପାରିଲିନି । ଯଦି କିଛି ମନେ ନକରିବେ ବିସ୍କୁଟ ମିକ୍ସର ଅଛି ଆଣୁଛି ଖାଇବେ ।
- - ନାଇଁ କିଛି ଦରକାର ନାହିଁ , ମୁଁ ଏବେ ଜଷ୍ଟ ଲଞ୍ଚ୍ କରି ଆସିଛି ।
- - ନାଇଁ ନାଇଁ ଆପଣ ଯଦି ଏମିତି କିଛି ବି ନଖାଇ ଚାଲିଯିବେ ମୋତେ ବହୁତ ଖରାପ ଲାଗିବ ।
( ମୁଁ ଏତକ କହୁ କହୁ କାଚ ଜାର୍ ରେ ଥିବା ରାଗ ଯାଇ ମିକ୍ସର ଆଉ ମୋ ପସନ୍ଦର ମେରିଗୋଲ୍ଡ ବିସ୍କୁଟ ପ୍ଲେଟ୍ ରେ କିଛି ନେଇଆସି ତୁମ ହାତକୁ ବଢ଼େଇ ଦେଲି ତା ସହିତ ପାଣି ଗ୍ଲାସ୍ ବି , ତୁମେ ବେସିନରେ ହାତ ଧୋଉ ଧୋଉ ମୋ ଶୋଇବା ଘର ଥାକ ୟାଡେ ନଜର ପକେଇ ଦେଇ ଆସିଲ ତେଣୁ ବସୁ ବସୁ କହିଲ )
- - ମୋର ଗୋଟିଏ ବି ବହି ହାତଛଡ଼ା କରିନ ବୋଧେ ।
- - ସତ କଥା କହିଲେ , ଆପଣଙ୍କ ପ୍ରତ୍ୟେକଟି ବହି ମୋ ପାଖରେ ଅଛି । ସତରେ ଆପଣଙ୍କ ଲେଖା ସବୁ ପଢ଼ିଲେ ମୋତେ ଲାଗେ ଯେମିତି ଚରିତ୍ରରେ ମୁଁ ନିଜେ ହିଁ ଅଛି ।
ସମ୍ପୂର୍ଣ୍ଣ ବାସ୍ତବ ଲାଗେ ଆପଣଙ୍କ ଗଳ୍ପ ଉପନ୍ୟାସ ଗୁଡିକ ।
କିନ୍ତୁ କବିତା ଗୁଡ଼ିକ ମୋର ଏତେ ପ୍ରିୟ ନୁହଁ କି ମୁଁ କିଛି ବୁଝି ପାରେନି ।
- - ଓ ହୋ...।
- - ଆଉ ମୋତେ ଆପଣଙ୍କର " ଶେଷ ଇଛା " ଉପନ୍ୟାସଟି ଏତେ ଭଲ ଲାଗେ ସତ କହିବି ମୁଁ ଦୁଇ ରାତି ଖାଲି କାନ୍ଦିଛି ଠିକ୍ ରେ ଖାଇନି କି ଶୋଇନି । ଆଉ ..ଆଉ ଆପଣଙ୍କର ସେ "ଲାବଣ୍ୟବତୀ " ଖୁବ୍ ଭଲ କିନ୍ତୁ ଶେଷକୁ ନାୟିକା ଯେ ଆତ୍ମହତ୍ୟା କରିଦେଲା ନାୟିକା ବଞ୍ଚିଥିଲେ ହୁଏତ ପାଠକ ପାଠିକା ମାନଙ୍କର କିଛି ଅବଶୋଷ ନଥାନ୍ତା ।
- - ଆପଣ ତ ଜାଣିଛନ୍ତି ଲାବନ୍ୟା ତା ଜୀବନରେ କେତେ ସଂଘର୍ଷ କରିଛି । ଭାଇ ଭଉଣୀଙ୍କୁ ମଣିଷ କରିବା ପାଇଁ ତା ପ୍ରେମକୁ ବଳିଦେଇଛି । ଭଉଣୀର କେସ୍ ରେ ନ୍ୟାୟ ପାଇବା ପାଇଁ କେତେ ନିନ୍ଦା କେତେ ଅପବାଦ ନିର୍ଯ୍ୟାତନା ସହିଛି ।
ଥାନା କଚେରୀ ଦୌଡ଼ି ଦୌଡ଼ି ସେ ହାଲିଆ ହୋଇ ଯାଇଛି ,ନିଜକୁ ତିଳ ତିଳ କରି ସାରିଦେଲା ପରେ ଯାଇ ନ୍ୟାୟ ପାଇଛି ଲାବନ୍ୟା । ତାକୁ ମଝି ରାସ୍ତାରେ ସାହାରା ହୋଇଛନ୍ତି ଆଡ଼ଭୋକେଟ୍ ଦିଲିପ୍ ଆଉ ପରେ ସେ ତାଙ୍କ ୟାଡୁ ବିବାହ ପ୍ରସ୍ତାବ ଦେଇ ଲାବନ୍ୟାକୁ ଜୀବନସାଥି ରୂପେ ବାଛି ନେଇଛନ୍ତି । ଆଉ ଲାବନ୍ୟା ବି ଦିଲିପ୍ ପରି ମଣିଷକୁ ସ୍ବାମୀ ରୂପେ ପାଇ ନିଜକୁ ଧନ୍ୟ ମନେକରିଛି ।
ହେଲେ ବିବାହର ଛଅ ମାସ ପରେ ଯେବେ ସେ ଜାଣୁଛି ତା ସ୍ବାମୀର ଅନ୍ୟ ସ୍ତ୍ରୀ ସହ ଅବୈଧ ସମ୍ପର୍କ ଅଛି ସେ କେମିତି ସହିପାରିବ ?
- - ହଁ ଆପଣ ଠିକ୍ କଥା କହୁଛନ୍ତି ।
( ମୁଁ ଜାଣିଥିଲି ଲେଖିକା ମୋନାଲିସାଙ୍କୁ କିନ୍ତୁ ଆପଣଙ୍କ ବିରତିହିନ କଥା ଶୁଣି ଏବେ ଲାଗୁଛି ଆପଣ ଜଣେ ଭଲ ବକ୍ତା ବି ବାଃ )
ଦେଖ ପଙ୍କଜ ବାବୁ ଗୋଟେ ଝିଅ ତା ଜୀବନରେ ଯେତେବେଳେ ଏତେ ଝଡ଼ ଖଞ୍ଜା ବାଦ ଅପବାଦ ନିର୍ଯ୍ୟାତନା ସହିଆସିଛି ।
ବିଶ୍ୱାସ କରି ଯାହାଙ୍କ ହାତ ଧରିଛି ଭାବିଛି ୟାଙ୍କ ନିକଟରେ ମୁଁ ମୋର ସବୁ ଦୁଃଖ କଷଣ ଭୁଲି ଯିବି , ଜୀବନର ପ୍ରତିଟି ମୋଡ଼ ରେ ମୋର ସାହା ଭରଷା ହେବେ କିନ୍ତୁ ସେ ବ୍ୟକ୍ତି ଯେତେବେଳେ ତା ସହ ପ୍ରତାରଣା କରୁଛି
ଆଉ କଣ ବା ରାସ୍ତା ଥିଲା ତା ନିକଟରେ ?
ବଞ୍ଚିଥିଲେ ବି ଆଉ କାହା ପାଇଁ ବଞ୍ଚି ଥାଆନ୍ତା ?
କହିବା ସିନା ସହଜ ନାରୀ ଧରିତ୍ରୀ ପରି ସହନଶୀଳା କିନ୍ତୁ ସେ ବିତ ମଣିଷ ତାର ବି ରକ୍ତ ମାଂସ ର ଶରୀର କେମିତି ସହି ଥାଆନ୍ତା ଏତେ ସବୁ ?
ସେ ଅସହାୟା ବୋଲି କଣ ସମସ୍ତେ ତା ଦୂର୍ବଳ ତାର ସୁଯୋଗ ନେବେ ?
ତାର କଣ ମନ ନାହିଁ ହୃଦୟ ନାହିଁ ଅନ୍ୟଙ୍କ ଠୁ ଭଲପାଇବା ସ୍ନେହ ସାହାରା ସାହାଯ୍ୟ ଆଉ ଆପଣାର ମଣିଷ ପାଖରୁ ପ୍ରେମ ଟିକେ ଲୋଡା ନାହିଁ ?
ଯଦି ଏ ଦୁନିଆରେ ସମସ୍ତେ ତା ପାଇଁ ପର ହୋଇଗଲେ ତେବେ ଆଉ ସେ କିହିଁକି ସାନ ଭାଇ ପାଇଁ ବୋଝ ହୋଇଥାନ୍ତା ?
( ଆପଣ ସିନା ହଜି ଯାଇଥିଲେ ଲାବଣ୍ୟବତୀରେ ମୁଁ କିନ୍ତୁ ହଜି ଯାଇଥିଲି ଆପଣଙ୍କ ଠାରେ ଦେଖୁଥିଲି ଆପଣଙ୍କ କଥା କହିବାର ଭଙ୍ଗୀ ଆଉ ବେଶବୁସା ପରିପାଟୀ ।
ଆପଣଙ୍କ କେଶ ସଜ୍ଜା ,ଫୁଲ ହାତ ବ୍ଲାଉଜ , ବାଳ ଖୋସାରେ ଗୋଟେ ଗହଣା ଝରାଲଗା ଫୁଲ ଆଉ ଆପଣଙ୍କର ସେ ଲାଲ ଶାଢ଼ୀ ।
ଆପଣ ସେ ଲାଲ ଶାଢ଼ୀ ରେ ଖୁବ୍ ସୁନ୍ଦର ଲାଗୁଥିଲେ
ମନେ ମନେ କହୁଥାଏ ଖୁବ୍ ଭାଗ୍ୟବାନ ସିଏ ଯିଏ ଆପଣଙ୍କୁ ତାର ପତ୍ନୀ ରୂପେ ପାଇଛି ଯିଏ ଏତେ ରୂପବତୀ ଓ ଗୁଣବତୀର ଅଧିକାରୀ ଆଉ କ'ଣ କ'ଣ ସବୁ ଭାବି ବସୁଥିଲି ଆପଣ ହଠାତ୍..... )
- - କୋଉ ଭାବନାରେ ଡୁବି ଗଲେକି ? କ'ଣ ଲାବଣ୍ୟବତୀ ବଞ୍ଚି ଥିଲେ ଠିକ୍ ହୋଇଥାନ୍ତା ଏବେବି ଆପଣ ଭାବୁଛନ୍ତି ?
- - ହଁ ।
( ମୁଁ ଠିକ୍ ସେ ଶୁଣୁନଥିଲି ଆପଣ କଣ ପଚାରୁଥିଲେ ମୋତେ ।
କାରଣ ଆପଣଙ୍କ ଠାରେ ମୁଁ ହଜି ଯାଇଥିଲି ଆପଣଙ୍କ କଥାରେ ନୁହେଁ ସେଥିପାଇଁ ଅପ୍ରସ୍ତୁତ ହୋଇ ହଁ ଟାଏ ମାରିଦେଲି )
- - ଆପଣ ପାଠକ ଆପଣ ଆପଣଙ୍କ ମତ ଦେଇପାରନ୍ତି ।
ହେଲେ ମୁଁ ସେତେବେଳେ ଯୋଉ ମାନସିକତା ଭାବନାରେ ଥିଲି ସେଇ ଭାବନା ନେଇ ଲେଖିଛି ମୋତେ ତାହା ଠିକ୍ ଲାଗିଲା। ମୁଁ ନିଜକୁ ଲାବଣ୍ୟବତୀ ଜାଗାରେ ଥୋଇ ଦେଖିଲି ମୋର ଆଉ ଜୀବନରେ ଲୋଭ ନାହିଁ ।
( ଆପଣ ହଠାତ୍ ଆପଣଙ୍କ ହର୍ଣର ମୋବାଇଲ ସ୍କ୍ରିନ କୁ ଦେଖିଲେ ଓ ଛିଡ଼ା ହୋଇଗଲେ )
- - ହେ ବହୁତ୍ ଡେରି ହୋଇଗଲା ,ମୋର ପୁଣି ଆଉ ଗୋଟେ ଜାଗାକୁ ଜିବାର ଅଛି ତେବେ ମୁଁ ଆସୁଛି ।
- - ସତରେ ଆପଣ ଚାଲିଯିବେ ମାନେ ଏଇ ଏବେ ଏବେ ତ ଆସିଛନ୍ତି । ଆଉ ଟିକେ ବସୁନାହାନ୍ତି ।
-- ନାଇଁ ମୁଁ ଦୁଃଖିତ ,ଆଉ ଯଦି କେବେ ସୁଯୋଗ ଯୂଟେ ଦେଖିବା , କିନ୍ତୁ ମୋତେ ଏବେ ଯିବାକୁ ହେବ ।
( ଆପଣ ଆପଣଙ୍କ ବ୍ଲୁ କଲର ଭ୍ୟାନିଟ ବ୍ୟାଗରୁ ଜରିରେ ପ୍ୟାକ୍ ହୋଇଥିବା ଗୋଟେ ପ୍ୟାକେଟ କାଢିଲେ ଆଉ ମୋ ହାତକୁ ବଢ଼େଇ ଦେଲେ )
- -ଇଏ କଣ ?
- - ମୁଁ ମୋର ପ୍ରିୟ ପାଠକ ପାଠିକା ମାନଙ୍କ ଘରକୁ ଯେବେ ଆସେ କିଛି ଗୋଟେ ଉପହାର ଆଣିଥାଏ ,ଆଉ ଆଜି ଏଇଟା ଆପଣଙ୍କ ପାଇଁ । ରହୁଛି ପ୍ରଣାମ ।
ଆପଣ ଚାଲିଗଲେ ମୁଁ ବିଦାୟ ଦେବାକୁ ଆପଣଙ୍କ କାର୍ ଯାଏ ଗଲି ଆପଣ ସ୍ମୀତ ହସି ଫାଟକ ଖୋଲି ଭିତରେ ବସିଲେ ଖୁବ୍ ଯତ୍ନର ସହ ଫାଟକ ଦେଇଥିଲେ ଆଉ ଗୋଟେ ମିନିଟ୍ ବି ବିଳମ୍ବ ନକରି ସେ ଡ୍ରାଇଭର ଟି ଗାଡ଼ି ଷ୍ଟାର୍ଟ କରିଦେଲା । ସେ ସମୟରେ ସେ ଗାଡ଼ିର ଧୂଆଁ ବି ବାସ୍ନାମୟ ହୋଇଉଠିଲା । ମୁଁ ଗୋଟେ ସେକେଣ୍ଡ ବି ବିଳମ୍ବ ନକରି ଆପଣ ଦେଇଥିବା ସେ ପ୍ୟାକେଟକୁ ଖୋଲିବାକୁ ଯାଉଛି ।
ହଠାତ୍ କେହିଜଣେ ମୋ ମୁହଁରେ ପାଣି ଗ୍ଲାସଟେ ଛାଟି ଦେଲା। ଆଖି ଖୋଲି ଦେଖେତ ଶ୍ରଦ୍ଧା ଚିଲଉଛି-
- - କ'ଣ ମହାରାଜାଙ୍କୁ ଆଳତି ହେବ କି ଉଠିବା ପାଇଁ ।
ରବିବାର ବୋଲି କ'ଣ ଦିନ ବାରଟା ଯାଏ ଶୋଇବ ।
ମୁଁ ଶ୍ରଦ୍ଧାକୁ ଭିଡ଼ି ଆଣିଲି କୋଳକୁ ସେ ନିଜକୁ ମୁକୁଳେଇ ନେଲା ମୋଠୁ
- - ପ୍ରେମ ସେତିକି ଥାଉ ଆର ଘରେ ବାପା ଅଛନ୍ତି ।
ମୁଁ ପୁଣି ଆଖି ବୁଜି ଦେଇ ଖଟ ଉପରେ ପଡ଼ିଗଲି
ଆଉ ଥାକରେ ଥିବା " ଲାବଣ୍ୟବତୀ " ମୋତେ ଦେଖି ମୁରୁକି ହସୁଥିଲା ।
---------------------୦୦୦------------------
✍️.. ପରମେଶ୍ବର ଓଝା
ମହାକାଳପଡ଼ା , କେନ୍ଦ୍ରାପଡ଼ା
ମେଲ୍-- ojhaparameswar@gmail.com
ମୋ -- ୬୩୫୫୧୩୩୩୦୧