ସାରୁପତ୍ର ତରକାରୀ
ସାରୁପତ୍ର ତରକାରୀ
ବାହାଘର ଯେତେ ପାଖେଇ ଆସୁଥାଏ ମାର ଚିନ୍ତା ବଢି ଚାଲୁଥାଏ । ମୋ ଉପରେ ସବୁବେଳେ ଅଭିମାନ କରି ରାଗ ରାଗ ହେଉଥାଏ ଏବଂ କହେ ମୋ ପାଇଁ ତାକୁ ଭାରି ଡର । ମୁଁ ତ ଜମାରୁ ତା କଥା ଶୁଣୁନି କିଛି । ଯେତେ ଥର କହିଲେ ବି ତା ସହ ମିଶି ରୋଷେଇ କରା ଶିଖୁନି । କେମିତି କଣ କରିବି ଶାଶୁଘରେ । ମାର କଥା ଶୁଣି ହସି ଦେଇ ମୁଁ ସବୁବେଳେ ତାକୁ କହେ ଆଜିକା ଦୁନିଆରେ ଡର କଣ ଯେ ! ୟୁଟୁବ୍ ତ ସବୁବେଳେ ଅଛି । ଯେବେ ଯାହା ଚାହିଁଲେ ମିଳୁଛି । ଦେଖିଦେବି ଓ କରିଦେବି । ବାପା ମଧ୍ୟ ମୋ ସପକ୍ଷରେ ଥାଇ ମାଙ୍କୁ ସେଇ ଗୋଟିଏ କଥା କହନ୍ତି । ମା ଚୁପ୍ ରହିଯାଏ ହେଲେ ମନରେ ତାର ସନ୍ତୋଷ ନଥାଏ ।
ବାହାଘର ସରିଯାଏ । ପ୍ରଥମ ରୋଷେଇରେ ମୋତେ ଖିରୀ ତିଆରି କରିବାକୁ ହୁଏ । ମୋ ହାତ ତିଆରି ଖିରୀ ଘରେ ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସେ । ମାଙ୍କୁ ଏକଥା ଜଣାଇବା ପରେ ମା ମଧ୍ୟ ଭାରି ଖୁସି ହୁଏ ।
କିଛି ଦିନ ପରେ ଆମେ ଦି ଜଣ ଘରକୁ ଆସୁ । ଜୋଇଁ ପୁଅ ଆଇଁଷ ଖାଆନ୍ତି ନାହିଁ ବୋଲି ମା ବାଛି ବାଛି ସବୁ ସୁଆଦିଆ ଖାଇବା ତିଆରି କରେ । ବାରିରେ ସାରୁ ଗଛ ଲଗା ଯାଇଥାଏ । କଅଁଳିଆ ପତ୍ର ଆଣି ସେଥିରେ ସେ ତିଆରି କରିଥାଏ ସାରୁପତ୍ର ତରକାରୀ ।
ଜୋଇଁ ପୁଅଙ୍କୁ ଭାରି ଭଲ ଲାଗେ । ସେ ବାରମ୍ବାର କହନ୍ତି ଯେ ମା ହାତରେ ଚୁମ୍ବକ ଅଛି । ଖାଇବା ଦେଇ ସଭିଙ୍କୁ ଆର୍କଷଣୀ ନେବେ ସେ ।
ସକାଳୁ ସକାଳୁ ଘରେ କଣ ରୋଷେଇ ହେବ ବୋଲି କଥା ପଡିଥାଏ । ଠିକ୍ ସେତେବେଳ ମାହାରାଜ ଆସି ଯୋଗ ଦିଅନ୍ତି ଆମ ଗହଣରେ । ଶାଶୁ ମା ମହାରାଜଙ୍କୁ ପଚାରନ୍ତି । ସେ କହନ୍ତି ସାରୁପତ୍ର ତରକାରୀ ।
ସଂଗେ ସଂଗେ ଲାଗିଯାଏ ପ୍ରସ୍ତୁତ କରିବାରେ । ଡର ଡର ଲାଗୁଥାଏ ସେଦିନ । ଏଇଟି ହିଁ ପରୀକ୍ଷା ସମୟ ଯାହା ମା କହୁଥିଲା ବୋଲି ମନେ ପଡୁଥାଏ । ପୂର୍ବରୁ ତ ମା କେମିତି କଣ କରେ ଟିକେ ଟିକେ ଜାଣିଥିଲି ଏବଂ ସେଦିନ ରନ୍ଧା ବାସ୍ନାକୁ ମନେ କରି ତରକାରୀ ତିଆରି କରିଦିଏ ।
ଖାଇବା ଟେବୁଲରେ ସଭିଙ୍କୁ ପରଷି ଦେଲା ବେଳକୁ ଧକ୍ ଧକ୍ ହେଉଥାଏ ଛାତି । ସଭିଏଁ ଖାଇବା ବେଳେ କେମିତି ଅଭିନୟ କରୁଛନ୍ତି ମୁଖଭଙ୍ଗୀର ସେଇଟା ନଜରକୁ ଆଣୁଥାଏ । ପରେ ପଚାରିଦିଏ ତରକାରୀ କେମିତି ହେଇଛି !!!
ମା, ବାପା ଦି ଜଣ ଭଲ ହେଇଛି କହନ୍ତି କିନ୍ତୁ ମାହାରାଜ ଚୁପ୍ ଥାନ୍ତି । ପରେ ମୁଁ ତାଙ୍କୁ ପଚାରିଦିଏ କିଛି କହିଲେ ନାହିଁ କାହିଁକି ! ସେ କହନ୍ତି "ମାଙ୍କ ପରି ହେଇନି ସେଥିପାଇଁ ତ ଚୁପ୍ ରହିଲି ।"
ସେଇ ପଦଟିଏ କଥାରେ ମାର ସେଦିନର ଡର ବୁଝିଗଲି । ମନଟା ଭାରି ଭାରି ହେଇଗଲା । ମାର କଟକଣା, ଆଟକ ସବୁକୁ ଭାରି ଝୁରି ହେଇ ନିଜ ଭୁଲ୍ ଜାଣିପାରିଲି ।
