B Shankar Mishra. Zitunana

Fantasy

4  

B Shankar Mishra. Zitunana

Fantasy

ପିଲାଦିନ

ପିଲାଦିନ

4 mins
226



     ଭଗବାନଙ୍କ ନିଷ୍ପତ୍ତି ପାଖରେ ଆମେ କେହି ନୋହୁଁ । କାହାକୁ ଅଟକେଇ ରଖିବା ଆମ ପରିସୀମା ବାହାରେ । ଅଥଚ ଯୋଉଟା ଜାବୁଡି ଧରିପାରିବା ତାକୁ ବି ଆମେ ଅଣଦେଖା କରିଚାଲିଛୁ । ପଇସା ଲାଳସା, ଆଧୁନିକତା ଆମକୁ ସେସବୁରୁ ଦୂରେଇ ଦେଲାଣି । ପକ୍କାଘର ଓ ଚାଳଘର, ଗାଡି ଓ ସାଇକେଲ, ନାଲି ବଗଡ଼ା ଚାଉଳ ଓ ଗୋରା ଲମ୍ବା ଚାଉଳ, ପ୍ୟାଣ୍ଟସାର୍ଟ ଓ ଧୋତି, ପୋଖରୀ ଗାଧୁଆ ଓ ସାୱାର ଗାଧୁଆ ଆଦି ତଥା ପରମ୍ପରା ଏବଂ ସଂସ୍କୃତି, ଲୋକକଥା ଭଳି ଅନେକ ଜିନିଷ ମଧ୍ୟରେ ଏବେ ମୁହଁ ବୁଲେଇ ନେବାର ପ୍ରତିଯୋଗିତା ଜୋର ଚାଲିଛି । ତେଣୁ ସମ୍ପର୍କ କଥା କୋଉଠୁ ଉଠିବ। ମଉଳି ଗଲାଣି ସବୁକିଛି । 

      ମୋ ଗାଁ ଆମ୍ବଡାଳି ଶାସନ । ମୟୂରଭଞ୍ଜ ଜିଲ୍ଲାରେ ରହିଥିବା ବ୍ରାହ୍ମଣ ଶାସନ ମାନଙ୍କ ମଧ୍ୟରେ ଅନ୍ୟତମ । ସମସ୍ତ ଘର କେବଳ ବ୍ରାହ୍ମଣଙ୍କର। ପିଲା ବେଳେ ମୋ ଗାଁର ଚରିତ୍ର ଯାହା ଥିଲା ଏବେ ସେସବୁ କହିଲେ ବି ଆପଣ ବିଶ୍ୱାସ କରିବେ ନାହିଁ । ଗାଁ ବାହାର ଲୋକ ଗାଁକୁ ପ୍ରବେଶ କଲେ ଚପଲକୁ ହାତରେ ଧରି ଗାଁ ରାସ୍ତା ପାରଉଥିଲେ । ମୋ ବଡ଼ଅଜା ଗାଁରେ ଚାଲି ଯାଉଥିବା ସମୟରେ ସ୍ତ୍ରୀ ଲୋକ ପିଣ୍ଡାରେ ବସୁନଥିଲେ । ଏମିତିକି ପୋଖରୀରେ ମଧ୍ୟ ବ୍ରାହ୍ମଣ ପୁରୁଷ ଓ ମହିଳା ତୁଠ ଅଲଗା ଥିଲା । ସେ ତୁଠ ବା ଘାଟକୁ ଅନ୍ୟମାନେ ବ୍ୟବହାର କରୁନଥିଲେ । ମାଛ ଧରାଗଲେ ତାକୁ ବାଉଁଶଡୋଲି ରେ ରଖାଯାଏ, ଗୋଟେ ଗୋଟେ ମାଛ ଦଶ କେଜି ଉପରକୁ ବି ରହିଥାଏ । 

      ଆମ ମିଶ୍ର ଘରକୁ ପ୍ରାୟ ପଣ୍ଡିତ ଘର ବୋଲି କୁହାଯାଉଥିଲା, କାରଣ ବୁଢ଼ାବାପାଙ୍କ ପରେ ବଡବାପା ଜ୍ୟୋତିଷ ଚର୍ଚ୍ଚାରେ ନାଁ କରିଥିଲେ, ଏବେ ବଡବାପାଙ୍କ ବଡ଼ପୁଅ, ମୋ ଭାଇ ସେସବୁ ବିଚାର କରୁଛନ୍ତି । ମୋ ବାପା ବି ତାଙ୍କ ବଡ଼ଭାଇ ପାଖରୁ କିଛି ଶିଖିଛନ୍ତି । ବଡ଼ବାପା ଜ୍ୟୋତିଷ ବିଦ୍ୟା ଛଡା ଚଣ୍ଡୀପାଠ ପାଇଁ ଅନ୍ୟତ୍ର ଯାଇଥାନ୍ତି । ମୋ ନିଜଘର, ବଡ଼ପିଉସୀ ଓ ଅଜାଘର ଗୋଟିଏ ଗାଁ ରେ । ତେବେ ଗାଁର ପ୍ରାୟତଃ ଘର ପୂଜାକର୍ମ ପାଇଁ ଆଖପାଖରୁ ଡାକରା ପାଆନ୍ତି । ଗ୍ରାମ ଦେବତୀଙ୍କୁ ଦେହୁରୀ ପୂଜା କରିବା ଛଡ଼ା ପୋଖରୀ କଡ଼ରେ ଶିବମନ୍ଦିରଟିଏ ରହିଛି । ଗାଁକୁ ଲାଗି ଥିବା ବିଶାଳ ପଡ଼ିଆରେ ଏବେ ଗଛ ଲାଗିଛି ତ ଅନ୍ୟପଟେ ବିଶାଳ ସବୁଜ ଧାନ କ୍ଷେତ । 

       ପୂର୍ବରୁ ଗାଁରେ ଦୋଳ ଓ ହୋଲି ପର୍ବ ପାଳନ ପାଇଁ ସମସ୍ତ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗିରହୁଥିଲା । ସପ୍ତାହେ ଧରି ସମସ୍ତେ ମଜା କରିଥାନ୍ତି, ଦୁଃଖସୁଖ ବାଣ୍ଟିଥାନ୍ତି । ଗାଁରେ ଅଜାଘର ବୋଲି ବଡ଼ନାତି ଭାବେ ମୁଁ ଅଜାଆଈମାନଙ୍କ ସହ ପ୍ରବଳ ଥଟ୍ଟା କରେ । ବେଧଟା ବୋଲି କୁହନ୍ତି ମୋତେ । ଏବେ ନା ସେ ଅଜାମାନେ ଅଛନ୍ତି ନା ମୋତେ କେହି ବେଧ କହୁଛନ୍ତି । ଅଜାନାତି ଭିତରେ ଥିବା ସମ୍ପର୍କ ଏବେ ଆଖିରୁ ଲୁହ ଗଡେଇ ଦେଉଛି । ମୋ କଲେଜ ପଢିବା ସମୟରେ ଆମେ ରଜ ବେଳକୁ ଗାଁରେ ଡ୍ରାମା କରି ସମସ୍ତଙ୍କୁ ଏକଜୁଟ କରାଉଥିଲୁ । ପିଲାବେଳର ବାଡ଼ିପଟ ଡ୍ରାମା ଚରିତ୍ରକୁ ଏବେ ଦର୍ଶକଙ୍କ ସାମ୍ନାରେ ପରିବେଷଣ କରିବାର ଇଚ୍ଛା । ବୈଶାଖ ମାସ କୀର୍ତ୍ତନ ଓ ବେଲପଣା ପିଆ ଏସବୁ ହଜିଲାଣି ଏବେ । ବିଗତ କିଛିଦିନ ବ୍ୟବଧାନରେ ବଡ଼ବାପାଙ୍କ ବ୍ୟତୀତ ମୋ ଶେଷ ଜେଜେମାଆ (ବାପାଙ୍କ ଖୁଡ଼ି), ଅଜା ବୟସାନୁ ଅନ୍ତେ ଚାଲି ଯାଇଥିବା ବେଳେ ବୟସର ଢ଼େର ପୂର୍ବରୁ ଭାଉଜ, ଭାଇ, ମାମୁଁ ଯିବାଟାକୁ ବରଦାସ୍ତ କରି ହେଉନି । ଆମ ଭିତରେ ରହିଥିବା ଆତ୍ମୀୟତା,ବିଗତ ଦିନର ସମ୍ପର୍କ ଏବେ ସ୍ୱପ୍ନ ହୋଇ ରହିଗଲା।

      ଗାଁ ସ୍କୁଲରେ ପଢିବା ବେଳେ ସ୍କୁଲ ଛୁଟି ପରେ ଘର ବାଡ଼ିଖଳାରେ ଡ୍ରାମା, ଆଲି, ନଟୁ, ଟିର ଖେଳ ପୁଣି ଖଡା ପକାଇ ମାଛ ଧରିବା ମଜା ନିଆରା । ଲୁଚିଲୁଚି ବାଡ଼ିବଗିଚାରୁ ଆମ୍ବ, କମଳା, ସପୁରୀ ଚୋରିକରି ଖାଇବା ଆଉ ଗୁରୁଜନଙ୍କ ମାଡ଼ ଏବେ ଦିଶୁନି । ମୁଁ ପହଁରା ଜାଣି ନଥିଲେବି ପୋଖରୀ ଘାଟରେ ବସି ପହଁରା ମଜାନେବା, ପାଖାପାଖି ବସି ଓ ଗଛ ଉପରୁ ଝାଡ଼ା ଫେରିବା ବେଳର ଅନୁଭୂତି ଆମ ଏବେର ପିଲାଙ୍କୁ ସ୍ୱପ୍ନ ।

     ଖରାଦିନେ ଆମେ ଦଉଡ଼ିଆ ଖଟ ପକାଇ ବାହାରେ ଶୋଉ ରାତିରେ ପାଳି ଅନୁଯାୟୀ ବଡ଼ମାନେ ପହରା ଦିଅନ୍ତି । ପ୍ରାୟତଃ ଖାସିଚର୍ବି ଘୁଗୁନି ଓ ମୁଢିର ଆୟୋଜନରେ ଆମେସବୁ ବି ସାମିଲ ହଉ । ଗାଁର ବୟସ୍କଙ୍କ ସହ ବହୁତ ଥଟ୍ଟା କରୁ ରାତିରେ । ବୟସାଧିକ ଯୋଗୁଁ ମୋ ଜେଜେବାପାଙ୍କ ମୁଣ୍ଡ ଠିକ ରହୁନଥିବା ବେଳେ ତାଙ୍କ କୂଅକୁ କିଏ ଚୋରେଇ ନେବ ଯେ ଚିଡ଼େଇ ତାଙ୍କଠୁଁ ମାଗିକି ଗାଳି ଶୁଣିବା ମଜା ଏବେ କାହିଁ । ରାତି ଶୋଇବା ପରେ ଲୁଚିଲୁଚି ଖଟତଳେ ମୁଢି ଫିଙ୍ଗି କୁକୁରକୁ ଖାଇବାକୁ ଦେଇ ମୂନିଆ ବାଡ଼ିରେ ତାକୁ ଖେଂଚିବା ଓ ତାପରେ କୁକୁର ଭୋକିବା ସାଙ୍ଗକୁ ବୁଢ଼ାଲୋକଙ୍କ ଗାଳିବର୍ଷଣ ପୁଣି ଅନ୍ୟପଟେ ଶୋଇବା ଜାଗା ବଦଳେଇ ଗାଳି ଶୁଣିବା ମଜା ସତରେ ଏବେ ସ୍ମୃତି ସିନା । ତା ଶୋଇବା ଜାଗାରୁ ଖଟମିଶା ଲୋକଟାକୁ ଉଠେଇ ଯଦି ଅନ୍ୟ ଏକ ଫାଙ୍କା ଜାଗାରେ ଶୁଆଇ ଦିଆଯାଏ ଏବଂ ନିଦ ଭାଙ୍ଗିବା ପରେ ସେ କଣ ଗାଳି କରୁଥିବ କେବେ ଭାବି ପାରୁଛନ୍ତି ତ ।

     ଏହିଭଳି କେତେକ ସ୍ମୃତି ସାଉଁଟିବାକୁ ଆମେ ଆମ୍ବଡାଳିଆ ନାମରେ ବର୍ଷୀୟ ଏକ ମିଳନ ଉତ୍ସବ ଆୟୋଜନର ମାତ୍ର ଦୁଇ ଅଧ୍ୟାୟ ପରେ କରୋନା ପାଇଁ ସବୁ ଦୂରେଇ ଗଲୁ । ଏକଜୁଟ ହୋଇ ପୂର୍ବପୁରୁଷମାନଙ୍କ ପାଇଁ ନୀରବ ପ୍ରାର୍ଥନା, ସର୍ବ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ମାନୀତ କରିବା ଛଡା ଗାଁ ସ୍ମୃତି ବଖାଣି ଏକସହ ଜଳଖିଆ, ମଧ୍ୟାହ୍ନ ଭୋଜନ ସହ ସନ୍ଧ୍ୟା ପର୍ଯ୍ୟନ୍ତ କୋଳାହଳରେ ସେ ଦିନଟିକୁ କାଟୁଥିବା ସମୟରେ ଗୁରୁଜନଙ୍କ ମୁହଁରେ ହସ ଫୁଟାଇବା ପ୍ରୟାସ କରୁଥିଲୁ । ଏବେ କିନ୍ତୁ ଆମ ଗହଣରୁ କେତେକ ଆତ୍ମୀୟ ଦୂରେଇ ଯିବା ନିରାଶ ଭରିଦେଇଛି । କାରଣ ପ୍ରକୃତରେ ଆମ ପୂଜନୀୟଙ୍କ ସ୍ନେହ ଓ ଆଶିର୍ବାଦରୁ ଆମେ ବଞ୍ଚିତ ହେଉଛୁ । ତାଙ୍କୁ ଦୂରେଇ ରଖୁଛୁ ତାଙ୍କ ଭାବନାରୁ, ଉପଯୁକ୍ତ ସମ୍ମାନ ଆମେ ଦେଇ ପାରୁନୁ । ଆଧୁନିକର କଟକଣା କ୍ରମେ ତାଙ୍କ ନାତିନାତୁଣୀଙ୍କୁ ଭଲପାଇବାରୁ, ନୂଆ ପରିଚୟ ପାଇବାରେ ଦୂରେଇ ରଖୁଛୁ ସେମାନଙ୍କୁ। ଆମ ପିଲାମାନେ ସେଇ ଗାଁ ର ପିଲାମାନଙ୍କୁ ଚିହ୍ନନ୍ତିନି କି ସେଇଗାଁ ଜନ୍ମିତ ତାଙ୍କ ବାପାମାଆଙ୍କୁ ବି ଜାଣନ୍ତିନି ପରସ୍ପର ମିଳାମିଶାରେ ସମ୍ପର୍କରେ ବିକାଶ ଅଭାବ ପାଇଁ କାହାକୁ ଦାୟୀ କରିବା । ଆମେ ନା ଆମ ଅବିଭାବକତ୍ୱ ?

      ଅନ୍ୟସମ୍ପର୍କ କଥା ଛାଡ଼ନ୍ତୁ ପ୍ରକୃତରେ ଏମିତି ଚାଲିଲେ ବାପାମାଆ, ଭାଇଭଉଣୀ ର ସମ୍ପର୍କ ରହିବ ତ ? 

ଆମେ ନିଜ ସହ ଆମ ପିଲାଙ୍କୁ ଦୂରେଇ ନେବାର ମୁଖ୍ୟ କାରଣ ନୋହୁଁ ତ ? ତା ପିଲା ଇଂରାଜୀ ଜାଣିନି, ମୋ ଛୁଆ କଣ ଓଡ଼ିଆ କହି ତା ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବ ଏଭଳି ଚିନ୍ତା ବା ଗାଁ ଓ ସହର ପାର୍ଥକ୍ୟରେ ସେ ଆମକୁ ନ୍ୟୁନ ଦୃଷ୍ଟିରେ ରଖିବାର ଚିନ୍ତାଧାରା ତା ମୁଣ୍ଡରେ ଆମେ ପୁରେଇ ଦେଇନୁ ତ ?

ମୁଣ୍ଡିଆ ଆଉ ହାତମିଳା ବ୍ୟତୀତ ମଲାପରେ ସେ ଆମ କର୍ମ କେମିତି କରିବା ଦରକାର ସେତିକି ହେଲେ ସେ ଆମ ସଭ୍ୟତାରୁ ଶିଖିଛି ନା ? ସତରେ ଆମେ କଣ ଦୂରେଇ ଯାଇନୁ

ମନେରଖିବା ଯେ ଆମ ସଞ୍ଚିଥିବା ପଇସା କେବେ ସମ୍ପର୍କ କି ସମ୍ମାନକୁ କିଣି ପାରିବନି କି କାହା ଜୀବନ ବଞ୍ଚେଇ ଦେବନି ।

ଆମ ଗୁରୁଜନ କଣ ଆମକୁ ଏଇ ଶିକ୍ଷା ଦେଇଛନ୍ତି ।


Rate this content
Log in

Similar oriya story from Fantasy