B Shankar Mishra. Zitunana

Others

4  

B Shankar Mishra. Zitunana

Others

ହାତୀ ଓ ମୁଁ

ହାତୀ ଓ ମୁଁ

8 mins
286



   ସଠିକ ମନେ ନଥିଲେ ବି ବୋଧେ +୨(୧୯୮୮) ବେଳର ଘଟଣା । ବାପା ସେତେବେଳେ ମୟୂରଭଞ୍ଜ ଜିଲ୍ଲା ତଥା ରାଜ୍ୟ ସୀମାନ୍ତ ତିରିଂ ଡାକ୍ତରଖାନାରେ କାର୍ଯ୍ୟରତ । ସେଦିନ ରବିବାର ଥିଲା । ଡାକ୍ତର ମୁର୍ମୁ, ତାଙ୍କ ନବବିବାହିତ ସ୍ତ୍ରୀ, ମୋ ମାଉସୀ ଓ ବାପା ସକାଳୁ ବାହାରିଲେ ଟାଟାରୁ ଗୋଟେ ନୂଆ ଟିଭି ଆଣିବେ ଆମଘର ପାଇଁ । ଆମ ରାଜଦୂତ ରେ ବାପା,ମାଉସୀ ଓ ତାଙ୍କ ଚେତକରେ ସେମାନେ ଦିଜଣ ଗଲେ । ଆମ ଘରକୁ ପ୍ରଥମ ଟିଭି ଆସିବ, ମୁଁ କହିଥାଏ ଫିଲିପ୍ସ ଟାଏ ଆଣିବାକୁ ।

   ଦିନ ଚାରିଟା ବେଳକୁ ସୀମାନ୍ତ ଘାଟି ନିକଟରେ ଗୋଟେ ୪୦୭ ଗାଡି ଦୁର୍ଘଟଣା ଖବର ଶୁଣିଲି । ସ୍ବର୍ଗତ ସମାଜସେବୀ ତଥା ତତ୍କାଳୀନ କଂଗ୍ରେସ ଦଳର ଆଗଧାଡ଼ିର କର୍ମୀ ନବାଵ ଖାନ୍ ଙ୍କ ବଡ଼ପୁଅ ମହମ୍ମଦ ମୋର ଘନିଷ୍ଠ ସାଙ୍ଗ । ତା ସହ ତାଙ୍କ ଆମ୍ବାସଡର କାରରେ ଗଲୁ ଦୁର୍ଘଟଣା ସ୍ଥଳକୁ, ଘରଠାରୁ ୪କିମି ଦୂର । ଭାଗ୍ୟକୁ ସେ ଗାଡ଼ିରେ ଏମାନେ ଆସିନାହାନ୍ତି, କି ଅନ୍ୟ ଯାତ୍ରୀଙ୍କର ମଧ୍ୟ ସେମିତି କିଛି ହୋଇନଥିବା ଜାଣିଲୁ । ଫେରିବା ବେଳକୁ ଠିକ ସୀମାନ୍ତରେ ଜଣେ ଲୋକ ଆମକୁ ଅଟକାଇଲେ । ଛୋଟ ଯାତ୍ରୀବାହୀ ଗାଡି (ଅଧିକ ଟାଟା ୪୦୭) ବିବାଦ ନେଇ ସେତେବେଳେ ତିରିଂ ନିକଟସ୍ଥ ଛୋଟିଆ ଘାଟିରେ ଓଡିଶା ଓ ବିହାର ସୀମାର ଉଭୟ ପଟେ ଯେଉଁ ରାଜ୍ୟର ଗାଡି ସେ ତା ରାଜ୍ୟ ସୀମାରେ ରହି କାରବାର କରିବା ନିଷ୍ପତ୍ତି ଥିଲା ବୋଲି ଲୋକଟି କହିଲା । ତେଣୁ ସମାଧାନ ପର୍ଯ୍ୟନ୍ତ ଉଭୟ ସୀମାରେ ଯେ ଯେଉଁ ଯାତ୍ରୀବାହୀ ଗାଡିକୁ ରଖିବା ନିୟମ ଥିଲା । ଗାଡି ଷ୍ଟାଫ ଓ ଯାତ୍ରୀଙ୍କ ପାଇଁ ଛୋଟିଆ ଉଠା ହୋଟେଲ, ଜଳଖିଆ, ଉଠା ପାନ ଦୋକାନ ଭଳି କେତେକ ଦୋକାନୀ ସନ୍ଧ୍ୟା ପର୍ଯ୍ୟନ୍ତ ଘାଟିରେ ଦୋକାନ କରିଥାନ୍ତି । ଲୋକଟି ଆମକୁ ଡାକ୍ତରଖାନାର ଦୁଇଟି ଗାଡି ରାଜଦୂତ ଓ ସ୍କୁଟର ମୋ ଜିମାରେ ଅଛି କହି ହୁଡ଼ିରେ ଥିବା ତାଳଗଛଟିଏର ମୂଳକୁ ଦେଖେଇଲା, ଦୁଇଟାଯାକ ଆମଗାଡି ଛିଡା ହୋଇଥିଲା । ସନ୍ଧ୍ୟାରେ ଆସି ଜଗିବାପାଇଁ ଓ ଏକୁଟିଆ ଭୟ ଲାଗିବ ତାକୁ, ସନ୍ଧ୍ୟାରେ ମୋତେ ଘାଟି ପହଞ୍ଚି ଗାଡି ଜଗିବାକୁ ସାଙ୍ଗ ଦେବାକୁ ବି କହିଲା ।

     ସେଦିନ ରବିବାର ଯୋଗୁଁ ଆମ ସରକାରୀ କ୍ବାର୍ଟର ସାମ୍ନା ପଡ଼ୋଶୀ ମଉସାଙ୍କ ଘରେ ବସି ମୁଁ ହିନ୍ଦୀ ସିନେମା ଦେଖୁଥାଏ । ମନଟା କିନ୍ତୁ ବାପା କେତେବେଳେ ନୂଆ ଟିଭି ଧରି ଆସିବେ, ସେଇଠି ଥାଏ । ଫୋନ ନାହିଁ ଯେ ବୁଝିହେବ, ଜଗିଥାଏ । ମଉସା, ମାଉସୀ ଉଭୟ ତିରିଂ ଡାକ୍ତରଖାନାରେ ଚାକିରୀ କରିଥାନ୍ତି । ଏବେ ପୂଜ୍ୟ ମଉସାଙ୍କର ବିଶେଷ ପରିଚୟ ରହିଛି । ଓଡିଶା ସରକାରଙ୍କ ପ୍ରଶାସନିକ ସେବା ବ୍ୟତୀତ ସେ ଜଣେ ବିଶିଷ୍ଟ ସାହିତ୍ୟିକ ସୁରେଶ ଚନ୍ଦ୍ର ଛୋଟରାୟ, ବାପାଙ୍କ ଘନିଷ୍ଠ । ଠିକ ସନ୍ଧ୍ୟା ୭ଟା ୧୫ ରେ ଟିଭିରେ ଗୁମସୁଦା ବ୍ୟକ୍ତି କି ତଲାସ କାର୍ଯ୍ୟକ୍ରମ ଆରମ୍ଭ ହେବ । ମଉସାଙ୍କୁ ଘାଟିରେ ଗାଡି ଜଗିଥିବା ଲୋକଟି କହିଥିବା କଥା କହିଲି । ରାଜି ହେଲେ, ତାଙ୍କ ବଜାଜ ଚେତକରେ ମଉସାଙ୍କ ସହ ସୀମାନ୍ତ ଘାଟି ମଝିରେ ପହଁଚିଲୁ । ବର୍ଡର ଉପରେ ଏକ ପୋଲ ଉପରେ ସେ ଲୋକ ଅନ୍ୟ ଦୁଇ ଜଣକ ସହ ଅନ୍ଧାରରେ ବସିଥାଏ । ପାଖ ଗାଁରେ ସମସ୍ତଙ୍କ ଘର । ପୋଲ ନିକଟରୁ ମଉସାଙ୍କ ଚେତକ ଶହେ ମିଟର ପାଖାପାଖି ଦୂରରେ ରଖିଲୁ । ଲୋକଗୁଡା ତାଙ୍କ ପାଖରେ ଆମକୁ ଜାଗା ଛାଡିଲେ ବସିବାକୁ । ମୁଁ ଡାକିଥିବା ଲୋକର ଡାହାଣ କଡ଼ରେ ବସିଲି । ତା ହାତରେ ଗୋଟେ ତିନିସେଲିଆ ଏଭରେଡି ଟର୍ଚ୍ଚ, ପୁରୁଣା ବ୍ୟାଟେରୀ ଯୋଗୁଁ ପିଚୁରାସ୍ତାର ସେପଟ ପର୍ଯ୍ୟନ୍ତ ଠିକ ଦେଖାଯାଉଥାଏ ମାତ୍ର, ଆଉ ଗୋଟେ ସାତଫୁଟ ଉଚ୍ଚ ଶାଳଗଜା ଆଉ ଜଣକ ହାତରେ । ତାକତ ଖର୍ଚ୍ଚ କରି ସେ ଶାଳଗଜାକୁ ହାତରେ ଉଠାଇ ମାରିବାକୁ ଦେଢ଼ସେର ଚାଉଳ ଭାତ ଖାଉଥିବା ଦରକାର । ଯାହେଲେ ଗୋଟେ ସାହାରା, ତେବେ ମୋ ହାତରେ ଟର୍ଚ୍ଚଟି ରଖିଛି । ଅନ୍ଧାର ରାତିରେ ସଡ଼ସାଡ଼ ଶବ୍ଦ ଶୁଣି ଲୋକଟି କହିଲା ଅଇଁଠା ପତ୍ର ଖାଇବାକୁ ବିଲୁଆ କି କୁକୁର ଆସୁଥିବେ । ଚୁପଚାପ ବସନ୍ତୁ, ପାଖକୁ ଆସିଲେ ଦେଖିବା ।

     ଚାରିପଟ ଘେରିଛି ପାହାଡ଼, ବସିଥିବା ପୋଲ ନିକଟରେ ଏକ ନାଳ ବୋହିଯାଇଛି । ମୋ ବାଆଁ ପଟକୁ ସେବେଳର ବିହାର ଓ ଏବେର ଝାଡ଼ଖଣ୍ଡ ରାଜ୍ୟ ଓ ନିକଟରେ ଏକ ମଠ, ଡାହାଣ ପଟକୁ ଓଡିଶା । ଉପତ୍ୟକାରେ ଆମେ, ପନ୍ଦର ମିନିଟର ସମ୍ପୂର୍ଣ୍ଣ ନୀରବତାରେ ଆମେ ପାଞ୍ଚ । ପୁଣି ସଡ଼ସାଡ଼ ଶବ୍ଦ, ଲୋକଟି ମୋ ଜଙ୍ଘକୁ ଚାପି ନୀରବ ରହିବାକୁ ଇଶାରା କଲା । ତେବେ ଶବ୍ଦଶୂନ୍ୟ, ନୀରବତା ମଧ୍ୟରେ ହଠାତ ଶବ୍ଦ ଆସିବା ଦିଗକୁ ଟର୍ଚ୍ଚଟି ଚିପିଲି । ଆମଠାରୁ ମାତ୍ର ୧୦ଫୁଟ ଦୂରରେ ଦୁଇଟି ଦନ୍ତା ହାତୀଙ୍କ ଦାନ୍ତ ଦେଖିଲି । ତାଙ୍କ ଉପରେ ଟର୍ଚ୍ଚ ଆଲୁଅ ପଡିବା ମାତ୍ରେ ଦିଜଣ ସାରା ଏକ ସ୍ୱରରେ ଚିତ୍କାର କଲେ । ଚାରିଦିଗ ପାହାଡ଼ରେ ତାଙ୍କ ହୁଙ୍କାର ପିଟିହୋଇ ଚିତ୍କାରକୁ ଦ୍ବିଗୁଣିତ କଲା । ମଉସା ଓ ମୁଁ ତାଙ୍କ ଚେତକ ଆଡ଼କୁ ଜୋର ଦୌଡିଲୁ । କିନ୍ତୁ ସେ ତିନିଜଣ ପୋଲ ତଳେ ପଶିଯାଇ ଆମକୁ ସେଠାକୁ ଯିବାକୁ ଡାକିଲେ । ପୁଣି ଡବଲ ସ୍ପୀଡ଼ରେ ଦୌଡ଼ିଆସି ମଉସା ଓ ମୁଁ ପୋଲତଳେ ପଶିଗଲୁ । 

    ମୋ ସାମନାରେ ବସିଥିବା ସେ ଡାକିଥିବା ଲୋକଟିର ଜଙ୍ଘ ଦୁଇଟି ଭିତରେ ମୋର ଡାହାଣ ଜଙ୍ଘ, ତା ଦୁଇ ଜଙ୍ଘ ଡରରେ ଥରୁଥିବା ଅନୁଭବ କଲି, ତା ଗରମ ନିଃଶ୍ୱାସ ବାଜୁଥିଲା ମୋତେ । ବିଷ୍ଠାର ଉତ୍କଟ ବାସ୍ନା କୁ ମଶାଙ୍କ ଆକ୍ରମଣ ମଧ୍ୟରେ ମୁଁ ସେ ଡରୁଆ ଲୋକକୁ ହାତୀ ଏଠାରୁ ଚାଲି ଯାଇଥିବ କି ବୋଲି ପଚାରିଲି । ମୋତେ ଚୁପ ରହିବାକୁ କହିଲା, ହାତୀ ଆମ ଆୱାଜ ଶୁଣିଲେ ତାଙ୍କ ଶୁଣ୍ଢରେ ଭିତରକୁ ପଥର ଫିଙ୍ଗିବେ ବୋଲି କହିଲା । ମଶା ମାରିବାକୁ ବି ହାତ ଯାଉନଥାଏ ଭୟରେ, ପୁରା ନୀରବ । ଠିକ ସେଇ ସମୟରେ ପୋଲ ଓ ଆମ ମୁଣ୍ଡଉପର ଛାତ ଦେଇ ବିହାର ପଟକୁ ଏକ ଟ୍ରକ ଦ୍ରୁତ ଗତିରେ ଗଲା । ପୋଲ ଛାତଟା ଆଉ ଆମ ଉପରେ ଗଳିପଡ଼ିଲା କି ଆଉ, ଭଳି ଲାଗିଲା । କିଛିବାଟ ପରେ ଟ୍ରକ ହର୍ଣ୍ଣ ମାରିବା ସହ ତା ବ୍ରେକର ଶବ୍ଦରେ ସେ ହାତୀ ପାଖରେ ଅଟକିଗଲା ବୋଧେ ଓ ହାତୀ ଦୁଇଟି ପୁଣି ଚିତ୍କାର କଲେ । ଟ୍ରକଟା ପଳେଇଲା, ଲୋକଟି କହିଲା ବୋଧେ ଧାନବିଲ ଆଡ଼କୁ ଦୁଇହାତୀ ଯାଉଛନ୍ତି । ଦେଖିବିକି ପଚାରିଲାରୁ ମୋତେ ଭିଡିଧରି ସେଇଠି ପୋଲ ତଳେ ବସି ରହିବାକୁ କହିଲା । ଅନ୍ଧାର ରାତିରେ ତା ଭିତରେ ବସିବାକୁ ବାଧ୍ୟ, ତେବେ ନିରାପଦ ଭାବୁଥାଏ ।

     ପୁଣି ଅଧଘଣ୍ଟା ପରେ ବିହାର ପଟୁ ଏକ ଯାତ୍ରୀବାହୀ ୪୦୭ ଆସିଲା । ମୁଁ ପୋଲ ବାହାରକୁ ବାହାରି ତାକୁ ଟର୍ଚ୍ଚ ଦପଦପ କଲି । ସେ ମଠ ପାଖରେ ଛିଡା ହୋଇ ଷ୍ଟାର୍ଟ ବନ୍ଦ କଲା । ହାତୀ ରାସ୍ତାକଡ଼ ବିଲରେ ଧାନ ଖାଉଥିବା କଥା ଡ୍ରାଇଭର କହିଲା । ଆମକୁ ଏଠୁ ନେଇଯାଅ କହିଲାରୁ ଆସି ଆମକୁ ଓ ସେ ୩ଜଣକୁ ସେଠୁଁ ଉଦ୍ଧାର କଲା । ମଉସା ଓ ମୁଁ ସ୍କୁଟର ଧରି ତିରିଂ ଗେଟ ପାଖରେ ଗୋଟେ ପିଣ୍ଡିରେ ବସି ଜଗିଲୁ, ରାତି ସାଢ଼େ ନଅ ହେଲାଣି । ବାପା ଫେରି ନାହାନ୍ତି, ପଳେଇବା କହି ଘରକୁ ଫେରିଲୁ । ଦଶଟା ବେଳକୁ ସେମାନେ ଘର ଫେରିବା ପରେ ଏକଥା ଆଲୋଚନା କଲୁ ।

      ଛୁଆ ବେଳେ ହାତୀ ତା' ମାହୁନ୍ତ ସହ ଗାଁ ଗାଁ ବୁଲି ଧାନ ସଂଗ୍ରହ କଲାବେଳେ ଦେଖିଥିଲି, କେତେଥର ପିଠିରେ ବସି ବୁଲିଥିଲି ମଧ୍ୟ । ମୋ ମାଆ ତାଙ୍କ ସିନ୍ଦୁର ଫରୁଆରୁ ହାତୀ କପାଳରେ ସିନ୍ଦୁର ଦେବା ସମୟରେ ମୁଁ ହାତୀକୁ ଆଉଁସିଛି । କେତେ ଗପ ଶୁଣିଛି । କିନ୍ତୁ ହାତୀ ଖୁବ ସରଳ, ଦୟାଳୁ ଓ ଶାନ୍ତ ବୋଲି ସେଦିନ ରାତି ଅନୁଭବ କଲି । କାରଣ ଚାହିଁଥିଲେ ସେ ବିଶାଳ ଜୀବଟି ସେଦିନ ଆମକୁ ଅତି ନିକଟରେ ପାଇ ମଧ୍ୟ କିଛି କ୍ଷତି କରିନଥିଲା । ଆହାର ସନ୍ଧାନରେ ସେ ଲୋକଙ୍କ ଧାନ କି ପରିବା କ୍ଷେତକୁ ତା ବଡ଼ପାଦରେ ଦଳି ଦେଇଥାଏ ସିନା, କିନ୍ତୁ ତା ଉଦ୍ଦେଶ୍ୟ କେବଳ ପେଟ ଭରିବା ।

      ଯଶିପୁରର ଏକ କାହାଣୀ । ଦନ୍ତା ହାତୀଟିଏ ଭଣ୍ଡନ ନଦୀ କଡ଼ରେ ଡେରା ପକାଇ ଆଖପାଖ ବୁଲୁଥାଏ । ଗୋଟେ ଝଙ୍କାଳିଆ ଗଛ ମୂଳକୁ ତା ଆଶ୍ରୟ ସ୍ଥାନ କରିଥାଏ । ସେଦିନ ନିକଟ ଅଞ୍ଚଳର ଏକ ପିଲା ତାକୁ ଟେକା ପଥର ଫୋପାଡ଼ି ବିରକ୍ତ କଲାରୁ ହାତୀଟି ପିଲାଟିକୁ ଦୌଡାଇଲା । ପିଲାଟି ଏକ ବୁଦାମୂଳେ ଲୁଚିଗଲା । ହାତୀ ସେଇ ପାଖରେ ଛିଡା ହୋଇ ରହିଲା । ପିଲାଟି ହାତୀ ଚାଲିଗଲାକି ଭାବି ଦେଖିଲା ବେଳକୁ ହାତୀର ନଜର ପିଲାଟି ଉପରେ ପଡ଼ିଲା । ଦୌଡିଯାଇ ପିଲାଟିକୁ ତା ଶଣ୍ଢରେ ଟାଣିଆଣି କଚାଡି ଦେଲା । ପୁଣି ସେଇଠି ଜଗିରହିଲା, ପ୍ରାୟ ପିଲାଟି ସେତେବେଳକୁ ଜୀବନ ହାରିସାରିଥାଏ । ହାତୀଟି ପିଲାଟିକୁ ରହିଥିବା ଗଛମୂଳକୁ ନେଇଆଣି ବସେଇଲା । ପାଖରୁ ଡାଳ ଭାଙ୍ଗିଆଣି ପିଲାଟିକୁ ବିଞ୍ଚିବାକୁ ଲାଗିଲା । ଦେଖଣାହାରୀ ଯେତେ ଚେଷ୍ଟା କଲେବି ପିଲାକୁ ହାତୀ ପାଖରୁ ଉଦ୍ଧାର କରି ପାରିଲେ ନାହିଁ । ଶେଷରେ ଜଙ୍ଗଲ ବିଭାଗ ନିଶ୍ଚେତକ ଇଂଜେକସନ ଦେଇ ପିଲାଟିକୁ ଉଦ୍ଧାର କଲା । ତା ଦୟାଳୁ ସ୍ୱଭାବ ସେଦିନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା । ପୁଣି ବାପା ନିକଟ ଜାମୁକେଶ୍ୱର ଡାକ୍ତରଖାନାରେ ଥିବା ସମୟରେ ଅନେକଥର ଶିମିଳିପାଳ ଅଭୟାରଣ୍ୟ ଭିତର ଗାଁମାନଙ୍କୁ ସରକାରୀ ଗାଡ଼ିରେ ଚିକିତ୍ସା କାମରେ ଯାଆନ୍ତି । ଥରେ ଘଞ୍ଚ ଜଙ୍ଗଲରେ ତାଙ୍କ ଜିପଟିର ଦୁଇଟି ଚକ ପମ୍ପଚର ହୋଇଗଲା । ରାତିରେ ଡ୍ରାଇଭର ଗାଡି ଜଗିବା ସମୟରେ କୁଆଡେ ସହସ୍ରାଧିକ ହାତୀଙ୍କ ଗୋଠ ସେପଟେ ଯିବା ଦେଖିଥିଲେ ବୋଲି ଗପ ଶୁଣିଛି । ଥରେ ହାତୀ ପାଦରେ ପଶିଥିବା ମୁନିଆ କାଠ ଖଣ୍ଡକୁ ହାତୀଟି ଗୋଟେ ଜଂଗଲି ଲୋକକୁ ଦେଖେଇବାରୁ ଲୋକଟି ସେ କାଠ ଖଣ୍ଡକୁ ସାହାସର ସହ ବାହାର କରିଦେଲା ଯେ ହାତୀଟି ତାଙ୍କ ଘରେ ଜଙ୍ଗଲରୁ କଦଳୀ କାନ୍ଧି ଆଣି ଦେଇଥିବା ଭଳି ଗପରୁ ହାତୀ ଚରିତ୍ର କଣ ଅନୁମାନ କରିହୁଏ ।

     ସେହିଭଳି ଗୋରୁମହିଷାଣିରେ ଥିବା ସମୟରେ ନିକଟ କୁକୁଡିମୁଣ୍ଡି ଗାଁକୁ ପାଚିଲା ପଣସ ସମୟରେ ହାତୀ ଆସି ପିଠିରେ ପଣସ ବୋହି ନେଇଯାଆନ୍ତି । ଥରେ ସେ ଗାଁର ସାଙ୍ଗଟିଏ ତାଙ୍କ ଘରକୁ ଡାକି ତାଙ୍କ ନଡ଼ିଆ ଗଛରେ ହାତୀଟିଏ ରାଗିଯାଇ ଗଛଟିକୁ କେମିତି ଦାନ୍ତରେ କଣା କରିଥିଲା ଦେଖେଇବାକୁ ନେଇଯାଇଥିଲା । ପୁଣି ତିରିଂରେ ରହିଥିବା ସମୟରେ ଅନେକଥର ହାତୀ ଖେଦା ଉପଭୋଗ କରିଛି । ଗୋଟିଏ ଦିନ ସକାଳର କଥା । ଶୁଣିଲି ଘାଟିକୁ ହାତୀ ଆସିଛି, ରାଜଦୂତରେ ଘାଟି ମାଡିଗଲି । ଜମା ହୋଇଥିବା ଲୋକଙ୍କ ପାଖରେ ବ୍ରେକମାରି ରାଜଦୂତ ସାଇଡ କରି ରଖିଦେଲି । ଠିକ ସୀମା ସେପଟକୁ ୪/୫ଖଣ୍ଡ ଟ୍ରକ ଛିଡ଼ା ହୋଇଛି । ହାତୀ ରାସ୍ତା ଅପରପଟେ ଥିବା ନାଳକୁ ପାଣି ପିଇବାକୁ ଯିବାପାଇଁ ରାସ୍ତା କଡ଼ରେ ଛିଡା ହୋଇ ସୁଯୋଗ ଖୋଜୁଥାଏ, ଚେଷ୍ଟା କରୁଥାଏ ରାସ୍ତା ପାରି ହେବାକୁ । ବିରାଟ ଦନ୍ତାଟିଏ ବାରମ୍ବାର ରାସ୍ତା ଉପରକୁ ଆସିଲା ବେଳକୁ ଟ୍ରକଗୁଡା ହର୍ଣ୍ଣ ବଜେଇ ଦିଅନ୍ତି, ହାତୀ ଫେରିଯାଏ । ଦେଖିବାକୁ ମଜା ଲାଗୁଥାଏ, ୧୪ବଡ଼ କୁ ସାଙ୍ଗରେ ଦୁଇଟି ଛୁଆ ହାତୀ ଗୋଠ । ଦନ୍ତା ମୁଖିଆ ଗୋଠକୁ ରାସ୍ତା ପାର କରେଇବା ଚେଷ୍ଟାରେ ଥାଏ । ଶେଷରେ ସେ କିଛି ନଶୁଣି ଜବରଦସ୍ତ ରାସ୍ତା ପାରି ହେବାର ଦୃଶ୍ୟ ଆଜିବି ଆଖିରେ ନାଚିଉଠେ । ଛୁଆ ହାତୀଙ୍କୁ ଗୋଠ ମଝିରେ ରଖି ଅନ୍ୟହାତୀ ମୁଖିଆହାତୀ ପଛରେ ରାସ୍ତା ପାର ହୋଇ ହାତୀଗୋଠ ନାଳ କଡ଼ରେ ଛିଡ଼ା ହୋଇଥାନ୍ତି । ପାଖ ଗାଁ ଲୋକ ସେମାନଙ୍କୁ ଘଉଡାଇବାକୁ ଟିଣ ପିଟୁଥାନ୍ତି ଓ ବାଣ ଫୁଟାଉଥାନ୍ତି । ହାତୀପଲ କିନ୍ତୁ ଛୁଆଙ୍କୁ ଘେରି ରହିଥାନ୍ତି, ସମସ୍ତଙ୍କ ନଜର ଛୁଆ ଦୁଇଟି ଉପରେ । ଏକତାବଦ୍ଧ କଣ ସେଦିନ ସେଇଠି ଜାଣିଲି, ତଥା ଏକତା କଣ ଆମେ ମଣିଷ ତାଙ୍କଠୁଁ ଶିଖିବା କଥା । ନାଳରେ ପାଳି କରି ପାଣି ପିଇବା ପରେ ଗୋଟିଏ ହାତୀ ପଛରେ ଆଉଗୋଟେ ହାତୀ ପାହାଡ଼ ଉପରକୁ ଚଢିଲେ । ଘେରି ହୋଇଥିବା ଲୋକଙ୍କ ପାଟିତୁଣ୍ଡ ଓ ଶବ୍ଦରେ ସେମାନେ ନିକଟ ଛୋଟିଆ ପାହାଡ଼ର ଶୀର୍ଷରେ ଠିଆ ହେଲେ । ଲୋକମାନେ ପାହାଡ଼ ଚାରିପଟେ ସେମାନଙ୍କୁ ଘେରିଗଲେ । ଟିଣ ପିଟି, ବାଣ ଫୁଟାଇ ସେମାନଙ୍କୁ ବନ୍ଦୀ କରିଦେଇଥାନ୍ତି, ପାହାଡ଼ଟିର ଟୁଇ ଉପରେ । 

    ସେଇ ସୁଯୋଗରେ ଅନ୍ୟ ହାତୀ ଛୁଆହାତୀଙ୍କୁ ନାଳ ପାଖରୁ ନେଇଯାଇ ପାଖ ଜଙ୍ଗଲରେ ଲୁଚିଥାନ୍ତି । ସେପଟେ ଓଡ଼ିଶା ଓ ବିହାରରୁ ରୁଣ୍ଡ ହୋଇଥିବା ଲୋକ ପାହାଡ଼ ଟୁଇରୁ ଦି'ହାତୀଙ୍କୁ ତଳକୁ ଓହ୍ଲେଇବାକୁ ନଦେଇ ହୁରୁଡ଼ାଉଥାନ୍ତି । ବିଶାଳ ଶରୀର ନେଇ ହାତୀ ଗଡାଣିଆ ପାହାଡ଼ର ତଳକୁ ଆସିପାରୁ ନଥାଏ କି ହଠାତ ପଛକୁ ବୁଲି ଆକ୍ରମଣ କ୍ଷମତା ତା' ଠି କମ ବୋଲି ଅଭିଜ୍ଞତା ସେଇଠି ସାଉଁଟିଲି । ଆଖି ସାମ୍ନାରେ ସେଇ ମଣିଷ ଓ ହାତୀର ଲୁଚାଛପା ଖେଳ ଦେଖାରେ ସକାଳୁ ଦିନ ଗୋଟାଏ ହୋଇଗଲା । ଘରେ ଯାଇ ଘଟଣା କହିଲାରୁ ସମସ୍ତେ ଯାଇ ହାତୀ ଦେଖି ଆସିଲେ ।

     ସନ୍ଧ୍ୟା ପର୍ଯ୍ୟନ୍ତ ସେ ହାତୀ ଦୁଇଟି ଲୋକଙ୍କ ଘେର ମଝିରେ ପାହାଡ଼ ଉପରେ ରହିଥିବା ସମୟରେ ଅନ୍ୟ ହାତୀପଲ ମଧ୍ୟ ନିକଟ ଜଙ୍ଗଲରେ ଦୁଇହାତୀଙ୍କୁ ଜଗିଥିଲେ ବୋଲି ଶୁଣିଲି । ପରଦିନ ସକାଳୁ ହାତୀ ଆଘାତରେ ପାହାଡ଼କଡ଼ ଗାଁର ଜଣେ ମହିଳା ଜଖମ ହୋଇଥିବା ନେଇ ବାପା ଚିକିତ୍ସା କରିବାକୁ ଗଲେ ।

ଫେରିବା ପରେ ଯାହା ବର୍ଣ୍ଣନା କଲେ ଶୁଣିଲାପରେ ସେଇଠି ହାତୀପ୍ରତି ଦୟାଭାଵ ଜାଗ୍ରତ ହେବା ସ୍ବାଭାବିକ ।

   ସ୍ତ୍ରୀ ଲୋକଟି ସେଦିନ ସନ୍ଧ୍ୟା ପରେ କାଖରେ ଗୋଟେ ଓ ଚଲେଇ ଚଲେଇ ଆଉ ଗୋଟେ ଛୁଆକୁ ଧରି ଘରକୁ ଫେରୁଥିଲା । ହଠାତ ହାତୀର ସମ୍ମୁଖରେ ସମସ୍ତେ ପହଁଚିବା ପରେ ସ୍ତ୍ରୀ ଟି ଭଗବାନଙ୍କୁ ଉଦ୍ଧାର କରିବାକୁ ପ୍ରାର୍ଥନା କରିବା ସହ ମୁଁ କି ମୋ ଛୁଆ ତୋର କିଛି କ୍ଷତି କରିନୁ, ତେଣୁ ତୁ ତୋ ରାସ୍ତାରେ ଯାଆ ଓ ଆମକୁ ବି ଛାଡ଼, ଆମେ ଯାଉ ବୋଲି ନେହୁରା ହୋଇ ହାତୀଟିକୁ କହିଲା । ହାତୀଟି ମାଆଟିର ଭାବନାକୁ ବୁଝିଗଲା ବୋଧେ, କିଛି କ୍ଷତି ନକରି ଶୁଣ୍ଢରେ ସ୍ତ୍ରୀଟିକୁ ଆଡେଇ ତା ବାଟରେ ପଳାଇଲା । ସ୍ତ୍ରୀଟି ତଳେ ପଡିଯିବାରୁ ତାର ଶରୀର ପ୍ରବଳ ଦରଜ ହୋଇଗଲା ସିନା କ୍ଷତ କି ରକ୍ତାକ୍ତ ହୋଇନଥିଲା କିମ୍ବା ତା ଛୁଆଙ୍କର ମଧ୍ୟ କିଛି ବି ହୋଇନଥିଲା, ହାତୀ ଏକ ନିଶ୍ୱାସରେ ଏକମୁହାଁ ସେମିତି ପଳାଇଲା । ମହିଳାଟି ହାତୀର ମହାନତା ବଖଣିଥିଲା ବାପାଙ୍କ ନିକଟରେ । ପଶୁଟିଏ ହୋଇ ମଧ୍ୟ ତା ଚିନ୍ତାଶକ୍ତି ଆମଠୁ ଢ଼େର ଅଧିକ ବୋଲି ସେଦିନ ପ୍ରମାଣ ବି ମିଳିଗଲା । ହେଲେ ଆମେ ମଣିଷ ସେ ବଦଳରେ କଣ କରିଚାଲିଛୁ ତାହା ବର୍ଣ୍ଣନା କରିବାର ଆବଶ୍ୟକତା ବା କୌଣସି ସୂଚନା ଦେବାରେ ମୁଁ ଆଜିର ଦିନରେ ନିଜକୁ ଅପରାଧୀ ବୋଲି ମନେକରେ । କାରଣ ଆମେ ବୁଝିଥିଲେ ସେମାନଙ୍କ ସୁରକ୍ଷା ଚିନ୍ତା କରନ୍ତେ ଆଉ ଏ ବିଲୁପ୍ତ ହେବାକୁ ବସିଥିବା ନିରୀହ ଜୀବଟିର ସଂଖ୍ୟା ହ୍ରାସ ପାଉନଥାନ୍ତା । ଦୁଃଖ ଲାଗେ କୋଉଠି ହାତୀଟିଏ ଅସୁବିଧାରେ ପଡ଼ିଥିଲେ କିମ୍ବା କୌଣସି କାରଣରୁ ମୃତ୍ୟୁ ଶଯ୍ୟାରେ ଶୋଇଥିଲେ । ଶେଷରେ ଏତିକି କହିବି, ମଣିଷର ନିଷ୍ଠୁର ବା ହିଂସ୍ର ସ୍ଵଭାଵ ତୁଳନାରେ ହାତୀର ଶାନ୍ତ ବା ନମ୍ରସ୍ଵଭାଵ ଢ଼େର ଉର୍ଦ୍ଧ୍ବ ।

  


Rate this content
Log in