B Shankar Mishra. Zitunana

Inspirational

3  

B Shankar Mishra. Zitunana

Inspirational

ଚାଲିରେ ଚାଲିରେ କଥା

ଚାଲିରେ ଚାଲିରେ କଥା

4 mins
205



କିଛି କହିବାକୁ ଗଲେ ଏବେ ବହୁତ ଭାବିବାକୁ ପଡୁଛି କାରଣ,ଏବେ ସମ୍ପର୍କ ହୃଦୟରୁ ନୁହେଁ, ନିଜ ମନ ଓ ଫାଇଦାକୁ ନେଇ ଚାଲିଛି ।


ପ୍ରତିଦିନ ସକାଳୁ ୫/୬କିମି ଚାଲିବା ମୋର ୧୦ବର୍ଷ ପୂର୍ବ ନିୟମ । ମୁଁ ଏହାକୁ ଔଷଧ ଭାବେ, ନଚାଲିଲେ ସେଇ ଦିନ ତମାମ କିଛି ଗୋଟେ ରୋଗ ମୋ ଦେହରେ ପ୍ରବେଶ କଲାଭଳି ମନଟାକୁ ଭାରି କରିଦିଏ । ବୟସ ଅନୁଯାୟୀ ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଜରୁରୀ ଭାବି ମୋ ସାଙ୍ଗସାଥିଙ୍କୁ ବି ପରାମର୍ଶ ଦିଏ । ଦୂର ବିଦେଶ କି ପଡୋଶୀ ରାଜ୍ୟର ସଚେତନ ବନ୍ଧୁ ବି ସକାଳ ଚାଲିରୁ କଲ କରି ଆଗ୍ରହ ବଢାନ୍ତି । ଛାଡ଼ନ୍ତୁ ଯିଏ ଏସବୁ କରିଥାଏ ତାଙ୍କୁ ଏକଥା ବୁଝିବାକୁ ବାକି ନଥିବ, ଆଉ ଅବୁଝା, ଅଳସୁଆ ପରିସ୍ଥିତିରେ ନପଡିବା ପର୍ଯ୍ୟନ୍ତ ଏକଥାକୁ ହେୟ ମନେକରିବେ । ଆଉ ନିଜେ ନକରି ଅନ୍ୟକୁ ବଖାଣିଲେ ତୁମେ ମୁଣ୍ଡାଇଥିବା ରୋଗ ତା ପ୍ରମାଣ ଦେଇଦେବ, ତୁମ ସଚେତନତା ବାବଦରେ । 


ମୁଁ ଅନ୍ୟକୁ ଭରସା ବା ସାଥି ନକରି ନିଜେ ଏକୁଟିଆ ଚାଲିବା ଅଭ୍ୟାସ ରଖିଛି । ନହେଲେ ପଡୋଶୀ ଭାଇମାନେ ପ୍ରାୟ ମୋ ସହ ଚାଲନ୍ତି, ତାଙ୍କୁ ଡାକିଲେ ନିୟମିତ, ନଡାକିଲେ କୁଆଡେ ବିଛଣାରେ ବ୍ୟାୟାମ କରିଥାନ୍ତି । ଡେଲି ଡାକି ବାହାର କରିବାକୁ ଏବେ ମୋତେ ପାପ କଲା ଭଳିଆ ଲାଗୁଛି । କାରଣ ସକାଳଟାରେ କଲ ଗଲେ ହୁଏତ ସ୍ୱାମୀସ୍ତ୍ରୀ ଗାଳି ଦେଉଥିବେ, ତେଣୁ ସବୁଦିଗକୁ ଭାବିବାକୁ ପଡେ । ଆଉ ସବୁମିଶି ଗଲାମାନେ ଏମାନଙ୍କ କଥା ଶୁଣି ରାସ୍ତା ବି ଲାଜେଇ ଯାଏ । ରକମ୍ ରକମ୍ ପ୍ରବଚନ, ମୁଁ ଭାବେ ସତରେ କେତେ ଜ୍ଞାନୀ ନୁହେଁ ଏମାନେ । ରୋଗ ଠୁ ଭୋଗ, ପ୍ରେମ ଓ ଭ୍ରମ, କଣା ରୁ କୋଣ, ଆକାଶ ରୁ ପାତାଳ, ଚାଷ ରୁ ବାସ, ସାହିତ୍ୟ, ଇଂରାଜୀ, ଭୂଗୋଳ, ଇତିହାସ, ବିଜ୍ଞାନ, ସଂସ୍କୃତ ସବୁ କିସମର ଚାଷ ଏମାନଙ୍କ ନିକଟରେ ଠୁସି ହୋଇରହିଛି । କଥା ଆରମ୍ଭ ହେଲେ ଛିଡିବାକୁ ନାଁ ଧରେନି । ରାମାୟଣ, ମହାଭାରତ, ଭାଗବତ, ପୁରାଣ ସବୁ ବିଦ୍ୟାରେ ବି କେମିତି ଏତେ ପାରଙ୍ଗମ ହେଲେ କେଜାଣି ?


ତେଵେ ତାଙ୍କୁ ଉଠେଇଲା ମାନେ ସେମାନେ ପ୍ରଥମେ ପାଇଖାନା ଯିବେ । ତାଙ୍କୁ କିଛି ସମୟ ଜଗିବାକୁ ପଡେ, କାରଣ ସକାଳଟାରୁ ତାଙ୍କ ଲେଣ୍ଡି ଖସିବାରେବି ଅଳସୁଆ ସ୍ୱଭାବ ରହିଛି । ହେଲାନା, ସାରିଲନା ବୋଲି ବି ବାଧ୍ୟତାମୂଳକ ରଡି ଛାଡିବାକୁ ହୁଏ ରାସ୍ତା ଉପରୁ। ତେଣୁ ଏସବୁ କର୍ମରୁ ମୁଁ ପାପ ଅର୍ଜନ କରୁଛି ଭଳି ଲାଗେ । ଜଣେ ପଡୋଶୀ ଭାଇ ବାହାରି କିଛି ଦେଶୀ କୁକୁରଙ୍କୁ ଖୁଆନ୍ତି । ହେଲେ ପୁଣ୍ୟ ଠୁ ତାଙ୍କ ପାପ ଅଧିକା ହୋଇଯାଏ । ଖାଇସାରି କୁକୁରଗୁଡା ଆମସହ ଚାଲିଚାଲି ୧କିମି ପରେ ସାହି ନିକଟରେ ପହଞ୍ଚି କୁକୁଡ଼ା ଶିକାର କରନ୍ତି, ଯାହା କଲେବି ମାନନ୍ତିନି ସେମାନେ ଆମସହ ଯିବାକୁ । ଗାଳି ଶୁଣୁ, ତାଙ୍କୁ ଆଉ ଖାଇବାକୁ ଦେବନି କି ଆଣିବନି ସାଙ୍ଗରେ କହିଲେ ବି ହୁଏନି । ସାହିକୁ ଘେରି ରହିଥିବା ଵିଲରେ କୁକୁଡ଼ା, କୁକୁର ଆଉ ଆମର ପ୍ରତିଯୋଗିତା । କୁକୁର ପାଖରୁ ସବୁ ହାରୁ । ତେବେ ଏବେ ଶିକାର କମିଛି, ଧାନ ଚାଷ ହେତୁ ।


ସେଇଠି ଆଉ ଗୋଟେ ଭାଇ ଆମସହ ମିଶେ । ଏ ଭାଇଟା ସମସ୍ତଙ୍କ ପ୍ରିୟ, ହେଲେ ତା ଅପ୍ରିୟ କଥା କେବଳ ମୋତେ ଜଣା । ଖେଂଚାଖେଞ୍ଚି ଲାଗି ପୁଣି ଆଗକୁ ଚାଲୁ । ସକାଳ ଶୁଭେଚ୍ଛା ଜଣାଉ ରାସ୍ତାରେ ଓ ରାସ୍ତାକଡ଼ ଲୋକଙ୍କୁ । କେବେ କେମିତି ଚା ପିଆନ୍ତି ଆମସହ ପାରିବାରିକ ସମ୍ପର୍କ ଓ ସ୍ନେହ ରଖିଥିବା ବନ୍ଧୁ ତାଙ୍କ ରାସ୍ତାକଡ଼ ଘରକୁ ଡାକି । କିଛି ସମୟ ଥଟ୍ଟାମଜା ଭିତରେ ଚା ପିଇ ପୁଣି ଚାଲୁ ଆମ ଟାର୍ଗେଟ କୁ । ଘଣ୍ଟାଏର ଚାଲି ସାରିବାକୁ ଦେଢ଼ଘଣ୍ଟା ରୁ ଦୁଇଘଣ୍ଟା ସମୟ ନିଏ ଏମାନଙ୍କ ସହ ଚାଲିଲେ । କେବେ କେବେ ଲିଫ୍ଟ ନେଇ ପଳେଇ ଆସିବାକୁ ପଡେ ଏମାନଙ୍କ ଗହଣରୁ, ଲେଟ ହୋଇଗଲେ । 


ଘରବାହାର କଥା ବି ପଡେ । ସମସ୍ତଙ୍କ ଶୁଭ ଆଲୋଚନା ହୁଏ । ଆମ ସହ ଆମେ ଦୁଇଜଣ ମଉସାଙ୍କୁ ମଧ୍ୟ ସାମିଲ କରୁ, ସବୁଦିନ ନହେଲେ ବି ସପ୍ତାହରେ ଅନ୍ତତଃ ଥରେ ନିହାତି । ସେମାନେ ଗୋଟେ ପଟେ ଚାଲନ୍ତି, ଆମେ ଅନ୍ୟପଟେ । ତାଙ୍କସହ ସେ ଛକରେ ଜଡ଼ିବୁଟି ମିଶା ନାଲିଚା' ପିଆହୁଏ । ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା ଭିତରେ କୁକୁର ପ୍ରେମୀ ଭାଇ ଜଣକ ପତ୍ରଚେର ଔଷଧ ସହ ଖାଇବା ବିଧି ବତାନ୍ତି । ମୁଁ କେବଳ ଟିକିଏ ଉସୁକାଇ ଥାଏ ସମସ୍ତଙ୍କୁ । ଥରେ ଥରେ ଧରାପଡ଼େ, ବିଷୟ ବଦଳିଯାଏ । ମୋ ସମ୍ନାରୁ ବାହାରୁଥିବା ପଡୋଶୀ ସାନଭାଇଟିର ଗାଉଁଲି ଢଗ କହିବା ଶୈଳୀକୁ ଭାରି ଉପଭୋଗ କରୁ ସମସ୍ତେ । କୁଆଡେ ବୁଲିଯିବା କି ଭୋଜି ନିଷ୍ପତ୍ତି ବି ହେଇଥାଏ ସେଇଠି, ସବୁ ଯୋଜନା ବି ସେଇଠି ହୁଏପ । କୁକୁର ପ୍ରେମୀ ଭାଇ ଜଣକ ମଉସା ଦୁଇଜଣଙ୍କ ନିକଟରୁ ପ୍ରକାର ପ୍ରକାରର ଜ୍ଞାନ ନେବାକୁ କୁଣ୍ଠା ନରଖି ପ୍ରଶ୍ନ ସହ ଉତ୍ତର ପାଆନ୍ତି । ହଠାତ ସେ ଚାଲି ଭିତରେ ମନେପକାଇ ଅଟକିଯାଇ ସୂର୍ଯ୍ୟ ନମସ୍କାର କରିଥାନ୍ତି । ପୁଣି ତାଙ୍କ ପଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଏ । ଭକ୍ତି ମାର୍ଗ ଛାଡି ଭୋଗମାର୍ଗ ଆଲୋଚନାର ମୁଖ୍ୟ ପ୍ରବଚନ ଏଇ କୁକୁରପ୍ରେମୀ ଭାଇହିଁ ଆମକୁ ଦେଇଥାନ୍ତି । କେତେ ବେଳେ କଣ ଯୋଡନ୍ତି ଆଉ କଣ କାଢ଼ନ୍ତି ତା ରହସ୍ୟ କି ଗୋପନୀୟତା ତାଙ୍କୁ ଜଣା । ହେଲେ ତାଙ୍କର ବହୁତ ଆଳୁଦୋଷ ରହିଛି । ଜରୁରୀ ସମୟରେ ତାଙ୍କ ମୋବାଇଲ କାମ ନକରିବା, ହଠାତ ନିଦ ଆସିବା ଓ ସେଇଠି ଶୋଇଯିବା ଇତ୍ୟାଦି ଛାଡି ସମାୟାନୁବର୍ତିତା ପାଇଁ ସେ ଆମ ଚାଲିଟିମ ନିକଟରେ ପ୍ରସିଦ୍ଧ । ସମସ୍ତେ ତାଙ୍କର ସବୁ ଉପଦ୍ରବ ସହି ଯାଆନ୍ତି । ସନ୍ଧ୍ୟା ୬ଟା ବେଳକୁ କିଛି କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ଅନୁସାରେ ସମସ୍ତେ ଉପସ୍ଥିତ ହୋଇଗଲେ ବି ତାଙ୍କ ଦେଖା ନଥାଏ । ବୁଝିଲା ବେଳକୁ ସେ ଘରେ ଶୋଇଥାନ୍ତି ନହେଲେ କୌଣସି କାମରେ ରହି କାର୍ଯ୍ୟକ୍ରମ ଭୁଲି ଯାଇଥାନ୍ତି । ଏବେ ଏବେ ସେ ଆମରି ଭିତରୁ ତାଙ୍କର ଦୁଇଟି ଚେଲା ଗଢିବାରେ ଲାଗିଛନ୍ତି । ସବୁଗା କୁଚୁରା ରୁ ହୋଲସେଲ ପର୍ଯ୍ୟନ୍ତ ଗୁଣରେ ପରିପୂର୍ଣ୍ଣ । ଯାହାବି ହେଉ ସେ ସମସ୍ୟା ହେଲେ ବି ସମାଧାନ ବୋଲି ଭାବି ସକାଳ ଚାଲି ସାଥି ହୋଇଥାଉ ସମସ୍ତେ। ଯେ ଯାହା ଦୋଷ ମାନିନିଅନ୍ତି, ତଥାପି ଦୋଷ କରି ପରସ୍ପର ଆନନ୍ଦ ପାଇବା ଆମମାନଙ୍କ ବିଶେଷ କଳା । ସେଇସବୁ କଥାକୁ ମନେପକାଇ ଚିନ୍ତାରୁ ଦୂରେଇ ଯିବାକୁ ପଡେ । 


ଏଠି ଥାଏ ଆତ୍ମୀୟତାର ବନ୍ଧନ । ଚାଲିରେ ଚାଲିରେ ପୁଣି ଆଉ ଏକ ସକାଳର ଅପେକ୍ଷା । ପୁଣି ନୂଆ ଆଲୋଚନା ଓ ପ୍ରସ୍ତୁତି । କାହା ଦେହ ଖରାପ ହେଲେ ସମସ୍ତେ ଖରାପ ହୋଇଯାଉ ସେଦିନ । କାଲିକି ନେଇ ସମସ୍ତଙ୍କ ଚିନ୍ତା, ସମସ୍ତେ ଏକାଠି ହେବା, ପୁଣି ହସିବା । ଆନ୍ଦୋଳିତ ହୁଏ ମନ ଏସବୁ ବିନା । ଦିନ ତମାମ କାମ ଭିତରେ ତ ଏଇ ଚାଲି ହିଁ ଆମକୁ ମିଶିବା, ହସିବା ସୁଯୋଗ ଦିଏ, ସମ୍ପର୍କକୁ ମଜବୁତ କରେ । ବାସ ଆମକଥା ତ ଏଇ ଚାଲିରେ .... 

ଏଇ ଚାଲିରେ 

ଆମେ ପାହାଡ଼ ଚଢୁ

ସମୁଦ୍ରେ ବୁଡୁ, ମନ୍ଦିର ଗଢୁ

ନିଆଁ ଲିଭଉ, ଆକାଶେ ଉଡୁ


        


Rate this content
Log in

Similar oriya story from Inspirational