କର୍କଶ ବଇଁଶୀ
କର୍କଶ ବଇଁଶୀ


ମୂଳରୁ ମୋ ଭୂଲ ଧରିବେନି ବୋଲି କହିରଖୁଛି, କେବଳ ଏକ ଆନନ୍ଦ ଅନୁଭବର ଚିନ୍ତନ ମାତ୍ର । କାରଣ ବିଷୟକୁ ନେଇ ଏହା ଏମିତି ଏକ କୌତୁକିଆ ବଇଁଶୀ ଯେ ତାକୁ ବଜେଇବା ଲୋକ କେବେବି ଶୁଣି ପାରିନଥାଏ । କାରଣ ସେ ବଇଁଶୀ ଧରି ନଥାଏ, ତା ପୋଜିସନକୁ ଆସିଗଲେ ଆପେ ବଇଁଶୀରୁ କର୍କଶ ସ୍ୱର ବାହାରିଯାଏ, ସ୍ୱରଟା କେମିତି ବା କେଉଁଠୁ ବାହାରୁଛି ସେ ସ୍ଥାନକୁ ଅନାଇବାକୁ ପଡେ । ପେଟ ସହ ନାକ ଓ ପାଟିର ସମଷ୍ଟିରେ ପ୍ରାୟତଃ ଖାନଦାନୀ ଚେହେରା ବାଲାଙ୍କ ନିକଟରେ ଏହା ମହଜୁଦ ଥାଏ । ପୁଣି ବଜାଉଥିବା କୌଣସି ବାଦକ ଜଣଙ୍କୁ ଆପଣ ଯଦି ଭଲ ବଇଁଶୀ ବଜାଇ ପାରୁଛନ୍ତି ବୋଲି କହିବେ ସେ ସହଜରେ ଆପଣଙ୍କ କଥାକୁ ବିଶ୍ବାସ ନକରି ଆପଣଙ୍କୁ ବିଭିନ୍ନ ଗେଙ୍ଗୁଳି କଥା କହିବେ, ଜମା ମାନିବେ ନାହିଁ, ମୋତେ ଖତେଇ ହେଉଛୁ ବୋଲି ଦୋଷ ଦେବେ । ଆଉ କୌଣସି ଉପାୟରେ ଯଦି ଆପଣ ସେ ବଇଁଶୀ ସ୍ୱରର ଭିଡିଓ ରେକର୍ଡ଼ିଂ କରି ତାଙ୍କୁ ଦେଖେଇବେ ତେବେ ଆପଣଙ୍କ ବନ୍ଧୁତାରେ ଫାଟ ପଡିବା କିମ୍ବା ଛୋଟକାଟିଆ ମାଡ଼ ପଡିବା ଭୟକୁ ମଧ୍ୟ ଏଡାଇ ଦେଇ ହେବନାହିଁ ।
ତେବେ ଉପକ୍ରମରେ ଏହି କର୍କଶ ବଇଁଶୀରୁ ବିଭିନ୍ନ କିସମର ସ୍ୱର ବାହାରିଥାଏ ବୋଲି ଆପଣ ଅଳ୍ପବହୁତେ ଜାଣିଥିବେ, କେବଳ ଅଭିଜ୍ଞତା ମାଧ୍ୟମରେ । ଏମିତିକି କେତେ ବେଳେ କେମିତି ଶୁଣୁଥିବା ଲୋକକୁ ବଜେଇବା ଲୋକର ନିଶ୍ୱାସ ପଳେଇଯିବା ଭଳି ଅତର୍କିତ ବଇଁଶୀସ୍ୱର ଭୟଭୀତ କରିଦିଏ । ଆପଣଙ୍କ ଉପଶମ ବା ଲାଘବ ପାଇଁ ସେଇ ସମୟରେ ଆପଣ ବଜାଇବା ଲୋକଟିକୁ ଟିକିଏ ହଲାଇ ଦେଲେ ମାତ୍ର କିଛି ସମୟ ପାଇଁ ସ୍ୱର ଶୁଣିବାକୁ ମିଳିନଥାଏ, ପରିବେଶ ଶାନ୍ତ ପଡେ ସିନା କିନ୍ତୁ ପୁଣି ଅଚାନକ ସ୍ୱର ବାଜି ଉଠି ଆପଣଙ୍କୁ ଚମକାଇ ଦେବା ଶକ୍ତି ଏହି ଚମତ୍କାର ବଇଁଶୀ ସ୍ୱରରେ ହିଁ ଉପଲବ୍ଧ । ଆଉ ବିଶେଷ କରି ଆପଣଙ୍କ ନିଦ ହଜାଇଦେବା ଭଳି କ୍ଷମତା ଏହି ବଇଁଶୀରେ ଭରିରହିଛି । ଏହାର ସ୍ୱରକୁ ଆପଣ ସହଜରେ ହଜମ କରି ପାରିବେ ନାହିଁ । ଭଗବାନଙ୍କ ନିକଟରୁ ହଜମ କରିବାର ଶକ୍ତି କେବଳ ବଜାଇବା ଲୋକର ଅର୍ଦ୍ଧାଙ୍ଗିନୀଙ୍କୁ ହିଁ ମିଳିଛି । ପ୍ରାକୃତିକ ଭୂମିକମ୍ପ ପରେ ଛାତଘର ଦୋହଲାଇବାର କ୍ଷମତା କେବଳ ଏହି ବଇଁଶୀର ସ୍ୱରରେ ହିଁ ରହିଛି । ଗହଳି ବା ଭିଡ଼ ଭିତରେ ୟା ମଜାଟା କିନ୍ତୁ ଖୁବ ଅଲଗା । ହଠାତ ବର୍ଷାଦିନର ଭ୍ରମ ସୃଷ୍ଟି ହୁଏ ଗହଳି ଭିତରେ । ବେଙ୍ଗ ରଡି ଛାଡିଲା ଭଳି ଚିତ୍କାରର ଗୁଞ୍ଜରଣ ଭରିଦିଏ ବାତାବରଣରେ । ଆଉ ତାପର ମନ୍ତବ୍ୟ ରାତିଅଧିଆ ପରିବେଶରେ କୋଳାହଳ ଭରିଥାଏ । ତେବେ ଅନୁସନ୍ଧାନକାରୀ ଦଳଙ୍କ ନିକଟରୁ ଏହାର ବିସ୍ତୃତ ଉପାଖ୍ୟାନ ଶୁଣିବାକୁ ମିଳିଥାଏ । ଆଜି ପର୍ଯ୍ୟନ୍ତ ୟା ବିରୁଦ୍ଧରେ ଯାଇ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ସଫଳତା ବା ବିଜୟ ହାସଲ କରିବା କିମ୍ବଦନ୍ତୀ ନାହିଁ, ହାର ମାନିବା ହିଁ ଶେଷ ଉପାୟ, ବଇଁଶୀ ବାଦକଙ୍କ ସମ୍ମାନ ଶୀର୍ଷକକୁ ଜଗି ।
ଆମ ପରିବାରରେ ମୋ ମାଆ ସୁନ୍ଦର ବଇଁଶୀ ବଜାଇ ପାରନ୍ତି । ମାତ୍ର ଏବେ ବୟସାଧିକ ତଥା ପତଳା ଶରୀର କାରଣରୁ ଆଉ ସ୍ୱର ଶୁଣିବାକୁ ମିଳୁନାହିଁ । ଆମ ତିନି ଭାଇଭଉଣୀ ଭିତରୁ ମା'ଙ୍କ ବଇଁଶୀ ବଜା ସ୍ୱର ନ ଶୁଣିବାକୁ ସେତେବେଳେ ଯୋଉ ଠେଲାଠେଲି ହୁଏ ତା ମଜା କିନ୍ତୁ ନିଆରା । ମାଆ ତାଙ୍କ ପାଖକୁ ଯେତେ ଡାକିଲେ ବି କେହି ଯାଉନା । ବାପାଙ୍କ ଚାକିରୀ ବେଳର ସରକାରୀ କ୍ୱାର୍ଟରରେ ରୁମ ଅଭାବରୁ ଏହି ସମସ୍ୟା ଆମପାଇଁ ହସଖୁସିର ଏକ ଖୋରାକ ଯୋଗାଇ ଥାଏ ମାତ୍ର ।
ସେଇ ସରକାରୀ କ୍ୱାର୍ଟରରେ ସେଦିନ ମୁଁ ଏକୁଟିଆ ଥାଏ । ବାପାମାଆ ନଥାନ୍ତି, ପୁଣି ସେଦିନ ରବିବାର ଥିବାରୁ ଏବଂ ନିକଟ ଚାଳିଶି ମିଟର ମଧ୍ୟରେ ପଡୋଶୀ ନଥିବାରୁ ନିଜକୁ ଏକୁଟିଆ ବୋଧ କରୁଥାଏ । ଦ୍ୱିପ୍ରହର ଭୋଜନ ସାରି ଶୋଇବା ଘର ଖଟ ଉପରେ ଗଡ଼ି କମ ସାଉଣ୍ଡ ଦେଇ ଟିଭିଟାକୁ ଦେଖୁଥାଏ । ଦାଣ୍ଡରୁମ ଝରକା ପାଖରୁ ଗୋଟେ ଥପ କି ପଡିବା ଶବ୍ଦ ଶୁଣିଲି । ଆସି ଅନାଇଲି, ସାମ୍ନା ଝରକାକୁ ଲାଗି ରହିଥିବା ଆମ ରାଜଦୁତ ମଟର ସାଇକେଲଟି ତଳେ କେବଳ ହାତେ ଲମ୍ବା କଳାଲାଞ୍ଜଟା ଦେଖି ଛାନିଆରେ ଭିତର କବାଟଟା ବନ୍ଦ କରିଦେଲି । ଭୟ ଲାଗୁଥାଏ । କାରଣ କିଛିଦିନ ପୂର୍ବରୁ ଠିକ ଦ୍ୱିପ୍ରହର ଖାଇବା ପରେ ରେଷ୍ଟ ନେବା ବେଳକୁ ବାପା ମୋତେ ଘର ଭିତରେ ଗୋଟେ ବଡ଼ ଢେମଣା ସାପ ପଶିଥିବା ଦେଖେଇବା ପରେ ବହୁ କଷ୍ଟରେ ତାକୁ ମାରିବାକୁ ପଡିଥିଲା । ତେଣୁ ସେ ଭୟକାହାଣୀ ମୋ ଭିତରେ ରହିଥାଏ, ମନେ ପଡୁଥାଏ । ଛୋଟ ରୁମରେ ଜିନିଷପତ୍ର ସନ୍ଧିରେ ଏଭଳି ଜନ୍ତୁ ପଶିବା ନେଇ ବିନ୍ଧାଣି ପାଖରୁ ସେହିଦିନ ଏକ ଛ'ଫୁଟ ଲମ୍ବା ବଲମ ବନାଇଆଣି ରଖିଥିଲି । ନିକଟରେ କେହି ନଥିବାରୁ ଆଜି ସେଇ ବଲମ ହିଁ ମୋତେ ସାହାସ ଦେଲା । ସାମ୍ନାଘରର ଦୁଇପଟୁ କବାଟ ବନ୍ଦ ଅଛି । ଯାଇ ପାରିବନି ଜନ୍ତୁଟା । ତେଣୁ ଦାଣ୍ଡପଟେ ବୁଲିଆସି ଝରକା ଆଡୁ ଦେଖିଲି ଯେ ତା ସନ୍ଧାନ ପାଇଲିନି, କୋଉଠି ଲୁଚିଛି । ପୁଣି ଭିତରକୁ ଯାଇ ସାହାସର ସହ ଭିତର କବାଟକୁ ଧିରେ ଖୋଲିଲି ଆଉ ଆଖି ବୁଲାଇଲି ଯେ ତାକୁ ଦେଖି ପାରିଲିନି । ତେଣୁ କାଳେ ଅନ୍ୟରୁମ ଭିତରକୁ ପଶିଯିବ ସେ ଭିତର କବାଟକୁ ବନ୍ଦ କରିଦେଇ ଦାଣ୍ଡପଟ ସାମ୍ନା କବାଟକୁ ଖୋଲି ଦେଲି । ଏବେ ଭୟ କମିଗଲା, ରୁମରେ କାନ୍ଥକୁ ଲାଗିଥିବା କାଠବାକ୍ସ କଡ଼ରେ ହିଁ ସେ ଜନ୍ତୁ ଲୁଚିଛି ଭାବି ବାକ୍ସକୁ ଘୁଞ୍ଚାଇଲି । ଆନୁମାନିକ ପାଞ୍ଚହାତ ହେବ କାଳିଆରଙ୍ଗ ଜନ୍ତୁଟା ଗୁଡ଼ାଇ ହୋଇ ଶୋଇଥିବା ଦେଖିଲି । ଠଉରେଇ ହେଲାନି ବିଷାକ୍ତ କି ବିଷ
ହୀନ । ତେଣୁ ହାତରେ ଧରିଥିବା ବଲମକୁ ଲକ୍ଷ୍ୟକରି ତା ଦେହରେ ଗେଞ୍ଜି ଦେଲି । ଏବେ ସେ କବଜାରେ ରହିଗଲା । ଟାଣି ଆଣିଲା ବେଳକୁ ବିରାଟ ଢେମଣା, ବାହାରକୁ ଆଣି ଫିଙ୍ଗିଦେଲି । ଡରରେ ଘରେ ଚାବି ପକାଇ ସାଙ୍ଗ ଘରକୁ ପଳାଇଲି ।
ସାଙ୍ଗଘରେ କାହାଣୀ ଶୁଣାଇ ତାକୁ କହିଲି ଆମ କ୍ୱାର୍ଟରରେ ରାତି ସାଙ୍ଗହୋଇ ଶୋଇବା । ରାଜି ହୋଇଗଲା, ତାଙ୍କଘରୁ ଖାଇସାରି ରାତି ସାଢେ ନଅଟା ବେଳେ ଦୁହେଁ ଶୋଇବାକୁ ଆସିଲୁ । ଅନୁଭୂତି ନେଇ ମୁଁ ବହୁଦିନରୁ ରାତି ଶୋଇବା ସମୟରେ ମଶାରୀକୁ ଭଲଭାବରେ ବିଛଣା କଡ଼ରେ ଗେଞ୍ଜି ଶାନ୍ତିରେ ଶୋଇଯାଏ, ଭୟ ନଥାଏ
ସାଙ୍ଗ ଓ ମୁଁ ମଶାରୀ ଭିତରେ ବିଛଣାକୁ ଗଲୁ, ମୁଁ ପୂର୍ବରୁ କେବେ ତା ସହ ଏକତ୍ର ଶୋଇନଥିଲି, ଗପ ଚାଲିଥାଏ । ସେ ତା ଭାଗ ଗପ କହିସାରିଲା, ମୋ ଗପ ଆରମ୍ଭ କଲାବେଳକୁ ସେ ଆଖିବୁଜି ଭଲ ହଁ ମାରୁଥାଏ । ତେବେ ମୋ ଗପର ମଞ୍ଜକଥା ଆରମ୍ଭ କଲା ବେଳକୁ ହଠାତ ସେ ବଇଁଶୀ ବଜାଇଲା, ଅପ୍ରସ୍ତୁତ ଥିଲି, ଚମକି ପଡିଲି । ମୋ ଗପକୁ ବ୍ରେକ୍ ଦେବାକୁ ବାଧ୍ୟ ହେଲି, ଆଉ ମନେମନେ ଅପମାନ ବୋଧ କଲି । ସାଙ୍ଘାତିକ କଥା, ଭାରି ସଂଘର୍ଷରେ ସେ ରାତିଟା କଟିଲା, ମୋ ବେଳା ଖରାପ ଭାବି କେତେ ବେଳେ ଆଖି ଲାଗିଲା ଜାଣି ପାରିଲିନି । ସାଙ୍ଗସହ ସକାଳୁ ଦୁଃଖଦ କାହାଣୀ ଆଲୋଚନା କଲାରୁ ଦୁହେଁ ହସିଲୁ କେବଳ । ମୋ ଅନ୍ୟ ସାଙ୍ଗଙ୍କୁ ମଧ୍ୟ ୟା ବଇଁଶୀସ୍ୱର କଥା କହିଲି, ହାଲୁକାରେ ନେଲେ ସମସ୍ତେ, ଉପହାସ କରି ଖତେଇ ହେଉଛୁ କହିଲେ ମୋତେ, ପୁଣି ଦ୍ଵିତୀୟ ଅପମାନ । ହଉ କେବେ ପାଳି ପଡୁରେ ୟା ସହ.. ଜାଣିବ କହିଲି ସମସ୍ତଙ୍କୁ ।
ପ୍ରାଇଭେଟ ଚାକିରୀ ବେଳର କଥା । ଘରଛାଡି ବାହାରେ ରହିଥାଏ, ସେଇ ସାଙ୍ଗର ସାନଭାଇ ଜୁଟିଲା ମୋ ରୁମମେଟ ଭାବେ । ଗୋଟେ ରାତିରେ ଜାଣିନେଲି ଦୁଇଭାଇ ମଧ୍ୟରେ ଏକ କୁ ଆରେକ ବଳି । କାନ୍ତାରରେ ପଡିଲି ମୁଁ, ଛ'ବର୍ଷ ଏକସଙ୍ଗେ, ସବୁରାତି ସଂଘର୍ଷମୟ । ତା ବଇଁଶୀ ସ୍ୱରରୁ କିଛି ସମୟର ବିରତି ମିଳିଲେ ଯାଇ ଶୋଉଥିଲି, ମୋତେ ନିଦ ହେବାପାଇଁ କେତେ ସଂଗ୍ରାମ କରିଛି ତା ସହ । ବିଭିନ୍ନ ସ୍ୱରର ବଇଁଶୀ ସ୍ୱର ତା'ଠୁଁ ଶୁଣିବାକୁ ମିଳେ, ବାଧ୍ୟ ହୋଇ ମୋ ଗୋଡ଼ରେ କି କହୁଣୀକୁ ତା ଦେହରେ କୁଟିଦିଏ, ଟିକେ ଚୁପ ହେଲେ ସେଇ ଭିତରେ ଶୋଇଥାଏ । ଫେର ରାତି ଅଧରେ ତା " ଶୋଇନ କି" ପ୍ରଶ୍ନ ମୋତେ ବିଷ ଖାଇଲା ଭଳି ଲାଗେ । ଅଭ୍ୟାସ ହୋଇଗଲା ସେ ସ୍ୱର, ସେ ମୋ ସହ ଶୋଇ ନଥିଲେ, ସ୍ୱର ନ ଶୁଣିଲେ ଖାଁ ଖାଁ ବୋଧ ହେଉଥିଲା ସେତେବେଳେ, ଗୋଟେ ଅଭ୍ୟାସରେ ପଡିଥିଲି ।
ମୋ ବାହାଘର ଭୋଜିରେ ସବୁ ସାଙ୍ଗ ଆସିଲେ । ଘରେ ଶୋଇବା ପାଇଁ ତାଙ୍କୁ ସୁବିଧା ହେବନି ଭାବି ରାତି ସମସ୍ତେ ସେଇ ସାଙ୍ଗର ସାନଭାଇ (ମୋ ରୁମ୍ମେଟ) ପାଖକୁ ପଳେଇଲେ । ଉପରବାଲା ମୋ ଡାକ ଶୁଣିଥିଲେ ବୋଧେ, ସେ ରାତି ତାଙ୍କ ପାଳି ପଡିଲା । ଦୁଇଭାଇର ଡବଲ ବଇଁଶୀ ସ୍ୱର ସାଙ୍ଗମାନଙ୍କୁ ଅର୍କେଷ୍ଟ୍ରା ଭଳି ଲାଗିଲା । ଆଉ ମୁଁ କେବଳ ସେମାନଙ୍କ ଠାରୁ ଅତିବାହିତ ହୋଇଥିବା ବିଗତରାତି କାହାଣୀ ଶୁଣି ମୋ ସହ ଘଟିଥିବା ବିଗତଦିନ ସ୍ୱରକୁ ତୁଳନା କରିଥିଲି । ସେଠି ଦୁଇଭାଇଙ୍କ ବଇଁଶୀ ପ୍ରତିଯୋଗିତାର ଚମତ୍କାର କାହାଣୀ ସାଙ୍ଗମାନଙ୍କଠୁ ଶୁଣିଲି ଯେ, ମାତ୍ର ବର୍ଣ୍ଣନା କଲେ ମାଡ଼ ଭୟ ରହିଛି । ତାଙ୍କ ଦୁଇଭାଇଠୁ ପରାମର୍ଶ ନେଲେ ଯାଇ ଆଉ ପୁଣି କେବେ ସେ କାହାଣୀ କହିବି । ତେବେ ଆଲୋଚନା ଭିତରେ ସେଇ ସାଙ୍ଗଟି ଆଉ ଗୋଟେ ରାତିର କାହାଣୀ ଯୋଡ଼ିଲା । ଅନ୍ୟ କେତେକ ପିଲାଙ୍କ ସହ ଗୋଟିଏ ରାତି ଶୋଇବା ସମୟରେ ସେ କୁଆଡେ ସେମାନଙ୍କୁ ମନାକଲା ମୋ ସହ ଶୁଅନାହିଁ, ଶୋଇ ପାରିବନି । ଗୋଟେ ପିଲା ନମାନି ତା ସହ ଶୋଇଲା ଯେ ସାଙ୍ଗଟିର ବଇଁଶୀ ସ୍ୱରରେ ଅଧାରାତିରେ ରୁମଛାଡି ଫେରାର ହୋଇଗଲା । ଉତ୍କଣ୍ଠିତ ରାତିଟା କଣ ହେଇଥିବ ଭାବି ଅନ୍ୟପିଲା ସେ ରୁମ ଚେକ କଲାରୁ ଛାତ ଥରୁଥିବା ସାଙ୍ଗ ରୁମରେ ସେ ପିଲାଟି ଖଟରେ ଦେଖିବାକୁ ମିଳିନଥିଲା । ରାତି ଖୋଜାଖୋଜିର ଘଣ୍ଟାଏ ପରେ ତାକୁ ଏକୁଟିଆ ୱେଟିଂରୁମ ସୋଫା ଉପରେ ଶୋଇଲା ଅବସ୍ଥାରେ ଆବିଷ୍କାର କଲେ ଅନ୍ୟ ପିଲାଯାକ ।
ଇଏତ ଥିଲା ପୁରୁଣା ଘଟଣା । ଠିକ ସପ୍ତାହକ ପୂର୍ବରୁ ସେଇ ସାଙ୍ଗଟିର ଉନ୍ନତି ବା ପ୍ରମୋଶନ ହୋଇଛି ବୋଲି ଜାଣିପାରିଲି । ସେଦିନ ତା'ପଟୁ ସେ ଫୋନକଲ କରି ଗପୁଥିଲା, ମୁଁ କଥା ଆରମ୍ଭ କଲା ବେଳକୁ ସେପଟୁ ସେ ନୀରବ ରହିଥାଏ । ଟିକିଏ ଜଗି ମୁଁ କଥାରେ ବ୍ରେକ୍ ଦେବାରୁ ହଠାତ ବଂଶୀ ସ୍ୱର ବାଜିଲା ସେପଟୁ । କଣ ଗୋଟେ ଅଲଗା ସାଉଣ୍ଡ ଶୁଣିଲି ବୋଲି ତାକୁ ପଚାରିଲି ଯେ, କହିଲା ଖଟରେ ଗଡି ତୋତେ ଫୋନ ଟା ଲଗେଇ ଦେଲି । କହିଲା.. ସିଏ ବିଛଣାରେ ଥିଲେ ତାକୁ କୁଆଡେ ମୋ କଥାଗୁଡା ଆଈମା' କାହାଣୀ ଭଳି ଲାଗେ ଯେ, ଆପେ ଆପେ ତା ବଇଁଶୀ ବାଜିଯାଏ ପରା । ଶଃ ନିଜ ଛେପରେ ବୁଡିମରିବା ଭଳି କଥା ।
ଶେଷରେ ଆପଣ ଆନୁମାନ ଲଗାନ୍ତୁ ସେ କର୍କଶ ବଇଁଶୀ ସ୍ୱର ଏବଂ ଅଵଦାନରେ ବୋଧେ ଏଭଳି ବ୍ୟକ୍ତିଙ୍କୁ ବିଛଣା ଧରିବା ମାତ୍ରେ ବଇଁଶୀ ବଜାଇବା ବର ପ୍ରାପ୍ତି ହୋଇଛି । ଭଗବାନ କରନ୍ତୁ ମୋ ଭଳି ସଂଘର୍ଷ ଆପଣଙ୍କ ଜୀବନରେ ନ ଆସୁ.... । ଆଉ ଧନ୍ୟବାଦ ଦେବି ତାଙ୍କ ଅର୍ଦ୍ଧାଙ୍ଗିନୀଙ୍କୁ, ଏହି ଅଭିଜ୍ଞ ସଂପନ୍ନା ମାନେ ମଧ୍ୟ ଆଜିପର୍ଯ୍ୟନ୍ତ ଏହାର ପ୍ରତିବାଦ କି ପ୍ରତିକାର କରି ପାରିନାହାନ୍ତି, ଆଉ ଆମେ ତ ଛାର ।