Kalyani Nanda

Fantasy Others

3  

Kalyani Nanda

Fantasy Others

ନିର୍ବୋଧତା

ନିର୍ବୋଧତା

3 mins
144



ଡିଅର ଡାଏରୀ ,

ସକାଳ...,

ଆଜି ଉଠୁ ଉଠୁ ଟିକିଏ ବିଳମ୍ବ ହେଇଗଲା । ବାହାରେ ଲୋକଙ୍କ ଚଳ ପ୍ରଚଳ ବିଶେଷ ନ ଥିଲେ ବି ବିଲକୁଲ ନ ଥିଲା କହି ହେବନି । କିଛି ଲୋକ ୱାକ କରୁଥାନ୍ତି । କେହି କେହି ଛୁଆଙ୍କୁ ନେଇ ବାହାରେ ବୁଲା ବୁଲି କରୁଥାନ୍ତି । ଚଢେଇ ସେମିତି ଚିଁ ଚିଁ ଶବ୍ଦ କରି ନୀରବ ସକାଳକୁ ମୁଖରିତ କରୁଥାଏ । ସ୍କୁଟର, କାର ବେଶି ନ ହେଲେ ବି 2/3ଜଣ ସୋସାଇଟିରୁ ବାହାରି ବାହାରକୁ ଯାଉଥାନ୍ତି । ଭାବୁଥାଏ ଲକ୍ ଡାଉନର ଦିନକ ପରେ ଲୋକେ କମ ସଂଖ୍ଯକ ହୁଅନ୍ତୁ ପଛକେ ବାହାରକୁ କିନ୍ତୁ ବାହାରିଛନ୍ତି । ବିଶେଷ କରି ବୁଢା, ବୁଢୀ ଆଉ ଛୁଆ । ଆଶ୍ଚର୍ଯ୍ଯ ହେଲି। ଲକ୍ ଡାଉନ୍ର ପ୍ରଥମ ଦିନର ଧାରଣା ଦ୍ବିତୀୟ ଦିନରେ ଭୁଲ ମନେ ହେଉଥାଏ।


ଦ୍ବିପହର....,

ଦିନ ସାରା ସମସ୍ତେ ଆମେ ଘର ଭିତରେ । ଘର କାମ ସମସ୍ତେ ମିଳିମିଶି କରୁଥାଉ । ଛୁଆ ମାନେ ନିଜ ଖେଳରେ ବ୍ଯସ୍ତ। କେହି ଟିଭି ଦେଖାରେ ମଗ୍ନ । ବାଲକୋନିରୁ ଦେଖୁଥାଏ ଅନ୍ଯ ଘର ଗୁଡିକର ବି ସେଇ ଅବସ୍ଥା । ଫୋନରେ ଦୂରରେ ଥିବା ସଂପର୍କୀୟଙ୍କ ସହ କିଛି କଥା ବାର୍ତ୍ତାରେ ସମୟ କଟାଇବାକୁ ଫୋନ କଲି । ସମସ୍ତେ ଭିତରେ ଭିତରେ କରୋନା ଭୟରେ ଭୟଭୀତ । ଯେଉଁମାନେ ପରିସ୍ଥିତିର ଭୟାବହତାକୁ ବୁଝିଛନ୍ତି, ସେମାନେ ସତର୍କ ଅଛନ୍ତି । ଭାଇ ମୋର ଫୋନ କରିଥିଲା। କହୁଥାଏ କିଛି ଲୋକଙ୍କ କଥା ଯେଉଁମାନେ ପରିସ୍ଥିତିର ଭୟାବହତା କେମିତି ହାଲୁକା ଭାବରେ ନେଉଛନ୍ତି । ଆମେ ଜାଣୁ ଯେ ସାନିଟାଇଜରରେ ଥିବା ଆଲକୋହଲ ଭାଇରସ ଆକ୍ରମଣରୁରକ୍ଷା କରିବ। ସେଥିପାଇଁ ସବୁବେଳେ ବିଶେଷ କରି ବାହାରୁ ଆସିଥିଲେ ସାନିଟାଇଜରରେ ହାଥ ସଫା କରିବା ଉଚିତ । ହେଲେ ନିଶାସକ୍ତ ବ୍ଯକ୍ତି ମଦ ଛଡା ଆଉ କିଛି ଜାଣେନି କି ବୁଝିନି । ମଦ ହିଁ ତା ପାଇଁ ସବୁ କିଛି । ସେମାନଙ୍କ ଧାରଣା ଏତେ ଟଙ୍କା ଦେଇ ସାନି ଟାଇଜର କିଣିବା ଅପେକ୍ଷା ମଦ ଟିକିଏ ପିଇଦେଲେ ସବୁଠୁ ବଢିଆ ।ନିଶା ବି ହେବ ଆଉ ପେଟକୁ ମଦ ଗଲେ ଆଉ କି କରୋନା ହେବ ନା ଭାଇରସରହିବ ! ଏଇ ଭଳିଆ ଲୋକଙ୍କ ମୂର୍ଖତା ଦେଖି କଣ କହିବି? ହସ ବି ଲାଗୁଥାଏ ।


ସନ୍ଧ୍ଯା....,

ସନ୍ଧ୍ଯାରେ ଚା ପିଉ ପିଉ ଦିନ ତମାମର ଘଟଣା କଥା ଭାବୁଥାଏ । ଏଇ ସମୟରେ ଆମ ଘର ଚାକରାଣୀ ଆସିଲା । କରୋନା ପାଇଁ ସମସ୍ତ ଚାକରାଣୀ ମାନେ କାମ କରିବାକୁ ଆସୁ ନ ଥିଲେ ଆଉ ଏମିତି ବି ଲକ୍ ଡାଉନ ହେଇଛି । ସେ କହିଲା, " ବାବୁ,ଆଜି ଆସିଛି, ଘର ଓଳାଇ, ପୋଛାପୋଛି କରିଦେଇ ଯିବି । ଏମିତି ମଝିରେ ମଝିରେ ଆସି କରି ଦେଇ ଯିବି ।" ତାକୁ ଦେଖିଲି ମୁହଁ ଟି ତାର ଶୁଖିଯାଇଛି । ଆଖି ଛଳଛଳ । ଜାଣି ପାରିଲି ପଇସା ବୋଧେ ଦରକାର ତାର। କିନ୍ତୁ କିଛି କାମଦାମ ନ କରି ଖାଲି ଖାଲି ଟଙ୍କା ମାଗିବାକୁ ସଂକୋଚ କରୁଛି । ତାକୁ କାମ କରିବାକୁ ମନା କଲି। ପଚାରିଲି, " କଣ ହୋଇଛି ତୋର? ମୁହଁ କାହିଁକି ଶୁଖାଇଛୁ? ପଇସା ଦରକାର କି ? " " ହଁ ବାବୁ , ପଇସା କିଛି ଦରକାର ଥିଲା । ଗଲା ମାସର ଯେଉଁ ଟଙ୍କା ଦେଇଥିଲ , ତାକୁ ସାଇତିରଖିଥିଲି । ଘର ପାଇଁ ସଉଦା ବି ଆଣିଥିଲି । ଆଉ କିଛି ସାଇତିରଖିଥିଲି । ହେଲେ ମୋ ସ୍ବାମୀ କେତେବେଳେ ସେଇ ପଇସା ନେଇ ନିଶା ପାଣି କରି ଖର୍ଚ କରି ଦେଇଛି । ଘରେ ଶୋଇରହୁଛି । କାମଦାମ ତ ଏବେ ନାହିଁ । ଘର କେମିତି ଚଳିବ ସେ ଚିନ୍ତା ତାର ନାହିଁ ।" ଏତିକି କହି କାନ୍ଦି ପକାଇଲା । ମୁଁ ତାକୁ ଆଉ କିଛି ନ କହି କିଛି ଟଙ୍କା ଦେଲି । କହିଲି, " ବ୍ଯସ୍ତ ହେବୁନି, ଅସୁବିଧା ହେଲେ କହିବୁ । କିନ୍ତୁ ଏଇ ସମୟରେ ବାହାରକୁ ବାହାରିବୁ ନି। ସାବଧାନ ଥିବୁ । ଛୁଆକୁ ଦେଖୁଥିବୁ।" ସେ ଚାଲିଗଲା କିନ୍ତୁ ମୋ ଭାବନାର ଅନ୍ତ ନ ଥିଲା । ଭାବୁଥାଏ , କାହିଁକି ମଣିଷ ସବୁ ଜାଣି ଶୁଣି ନିର୍ବୋଧ ଙ୍କ ପରି କାମ କରେ ? ଶିକ୍ଷିତ, ଅଶିକ୍ଷିତ, ଧନୀ, ଗରିବ ଯିଏ ହେଉନା କାହିଁକି, ମଣିଷ ତ ବୁଦ୍ଧି, ବିବେକ ହୀନ ନୁହେଁ ! ତା ହେଲେ କାହିଁକି ଏ ନିର୍ବୋଧତା? ମୂର୍ଖତା ସମ ଆଚରଣ?ରାତ୍ରିର ଅନ୍ଧକାର ଧିରେ ଧିରେ ଧରାକୁ ଆଚ୍ଛାଦିତ କରୁଥାଏ। ବୋଧହୁଏ ମଣିଷ ମନକୁ ବି ଅନ୍ଧକାର ଢାଙ୍କି ଦେଉଥାଏ । ଚଢେଇ ଟା ପୁଣି ଚିତ୍କାର କରି ଉଠିଲା ନିସ୍ତବ୍ଧତା ଭଙ୍ଗ କରି । ବୋଧହୁଏ ସେ ବି ନିର୍ବୋଧ ମାନବକୁ ସଚେତ କରିବାକୁ ଚାହୁଁ ଥାଏ ।



Rate this content
Log in

Similar oriya story from Fantasy