ଏକତାର ହାତ
ଏକତାର ହାତ
ଲକ୍ ଡାଉନ...ଉନବିଂଶତମ ଦିବସ,
ଡିଅର ଡାଏରୀ ,
ପକ୍ଷୀ କାକଳୀରେ ସକାଳଟା ପହଡ ଭାଙ୍ଗୁଛି । ବୈଶାଖର ଗରମ ପବନରେ ଦିନଟା ଡହଳ ବିକଳ ହେଉ ହେଉ ସନ୍ଧ୍ଯା ଆସୁଛି । ତାପରେ ତାରକା ସଜ୍ଜିତ ଆକାଶକୁ ଚାହିଁ ଗୋଟିଏ ଦିନର ଅବସାନ । ଲକ୍ ଡାଉନ ପିରିଅଡ ଏଇ ବ୍ଯସ୍ତତା ଭିତରେ ଆଗେଇ ଚାଲିଛି । କରୋନା ପ୍ରଭାବ ବଢୁଛି, ମୃତ୍ଯୁ ର ସ୍ପର୍ଶ , ଅବିରତ କାର୍ଯ୍ଯରତ ଡାକ୍ତର, ପୋଲିସ, କର୍ମଚାରୀଙ୍କ ବିରାମ ହୀନ କାର୍ଯ୍ଯ କେତେବେଳେ ସଫଳତାର ଆଶା ସଂଚାର କରୁଛି , କୋଉଠି ଅଧୈର୍ଯ୍ଯ , କ୍ଷୁଧା , ଅସହିଷ୍ଣୁତାର କୋଳାହଳ ଶୁଭୁଛି । ଆମ ପରି ଗୃହବନ୍ଦୀ କବଳିତ ନୀରବ ଦର୍ଶକ ହିଁ ସାଜିଛୁ ।
ଆଜି ଶାନ୍ତନୁ କହୁଥିଲେ , ଆଜିଠୁ ଝାମୁ ଯାତ୍ରା ଆରମ୍ଭ ହୋଇଛି । କୁକୁଡା, ଛେଳି ର ବଳି ପଡିବ । ଦିଶାରୀ ଯାହା କହିବ ତାହା ହିଁ ଠିକ । କିନ୍ତୁ କିଏ ବୁଝାଇବ ଏମାନଙ୍କୁ ? ବଣ, ଜଙ୍ଗଲରେ ରହୁଥିବା , ନିପଟ ମଫସଲରେ ରହୁଥିବା ଲୋକ କଣ ଜାଣିପାରୁ ଥିବେ ଏଇ କରୋନା କଣ, କି ସାବଧାନତା ନେବାକୁ ହୁଏ ? ଶାନ୍ତନୁଙ୍କ ପୁତୁରା ଫରେଷ୍ଟ ବିଭାଗରେ ଚାକିରୀ କରେ । ସେ ଅଛି ମାଲକାନଗିରିର ଇଲାକାରେ । ସେ କୁଆଡେ ତା ସହଯୋଗୀଙ୍କୁ ନେଇ ସେଇ ଆଖପାଖ ଗାଁ ଭିତରକୁ ଯାଇ ଗାଁ ବାସୀଙ୍କୁ ମାସ୍କ ବ୍ଯବହାର କରିବା, ସଫାସୁତୁରା ରହିବା ଉପରେ ସେମାନଙ୍କୁ ସଚେତନ କରାଉଛନ୍ତି । ଏଇ ଭଳିଆ ଯଦି ସମସ୍ତେ ହୋଇପାରନ୍ତେ ତେବେ , ଆଜି ଯେଉଁ ବିପଦ ସମଗ୍ର ବିଶ୍ବ କୁ ଆଚ୍ଛାଦିତ କରିଛି ସେଥିରୁ ନିଶ୍ଚିତ ଭାବରେ । ବିଳମ୍ବ ରେ ହେଉ କିନ୍ତୁ ସଫଳତା ମିଳିପାରନ୍ତା । ଏସବୁ କଥା ମୋପରି, ଶାନ୍ତନୁଙ୍କ ପରି ସାଧାରଣ ଗୃହବନ୍ଦୀ କଣ ବା କରି ପାରିବୁ ? ଏଇ କଥା ଭାବୁ ଭାବୁ ମୁଁ ସୁଜାତା ଙ୍କୁ ଡାକିଲି, ଭାବୁଥାଏ ସୁଜାତା ଓ ତାଙ୍କ କ୍ଲବ ର ସଭ୍ଯା ମାନେ ଯଦି ଆଉ ବେଶି ବେଶି ମାସ୍କ ତିଆରି କରି ପାରନ୍ତେ ତେବେ ଶାନ୍ତନୁ ଙ୍କ ପୁତୁରା ପାଖକୁ ପଠାଇ ସେଇ ଗରିବ ଗାଁ ଲୋକଙ୍କୁ ତୁରନ୍ତ ସାହାଯ୍ଯ କରା ଯାଇ ପାରିବ । ସୁଜାତା ମୋ କଥାରେ ରାଜି ହେଲେ । ଶାନ୍ତନୁଙ୍କୁ ମୁଁ ଏ କଥା ଜଣାଇବାରୁ ସେ ବି ଖୁସି ହୋଇ ତାଙ୍କ ପୁତୁରା କୁ ଜଣାଇଦେଲେ । ତା ପରଦିନ ଠୁ ଆରମ୍ଭ ହେଲା ମାସ୍କ ତିଆରି କାମ ଓ ତାକୁ ପଠାଇବା କାମ । ଏମିତି ଅଳ୍ପ ଅଳ୍ପ ସାହାଯ୍ଯ ବି ନିଶ୍ଚୟ କାର୍ଯ୍ଯକାରୀ ହେବ ଏଥିରେ ଆମର ସନ୍ଦେହ ନ ଥିଲା । ସମସ୍ତଙ୍କ ହାତ ମିଶିଲେ କୌଣସି କାମ ଅସଂପୂର୍ଣ୍ଣ ହୋଇପାରେନା । ଆମେ ସମସ୍ତେ ଆମ କାମରେ ଖୁବ୍ ସନ୍ତୋଷ ଅନୁଭବ କରୁଥିଲୁ ।