ପଣା ସଂକ୍ରାନ୍ତି ଓ କାକା ଜେଜେ
ପଣା ସଂକ୍ରାନ୍ତି ଓ କାକା ଜେଜେ




.....ପଣା ସଂକ୍ରାନ୍ତି ଓ କାକା ଜେଜେ....
ତା ...13/04/2020, ସୋମବାର,
ଲକ୍ ଡାଉନ, ବିଂଶତମ ଦିବସ,
ଡିଅର ଡାଏରୀ,
ଆଜି ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି । ବୀର ହନୁମାନ ଜୟନ୍ତୀ । ଓଡିଆ ନବବର୍ଷ । ଏଇ ବର୍ଷ ଲକ୍ ଡାଉନ ପାଇଁ ଚାରିଆଡେ ନୀରବତା ର ରାଜୁତି।କିନ୍ତୁ ଏଇ ଦିନ ମନ୍ଦିର, ଘର ,ବାହାରେ ସବୁଆଡେ ଗୋଟିଏ ହୋ ହଲ୍ଲା ପରିବେଶ ରହୁଥିଲା । ଗାଁ ରେ ଆମର ଆଖଡା ହେଉଥିଲା। ଆଖଡା ଦଳ ପୂରା ଗାଁ ରେ ଆଖଡା ଦେଖାଉ ଥିଲେ । ଆମ ଘରେ ମୋ ବାପା ହନୁମାନ ଙ୍କ ପୂଜା କରୁଥିଲେ, ମାଁ, ଜେଜେମା ମିଶି ପୂଜାର ଆୟୋଜନ କରୁଥିଲେ । ସେତେବେଳେ ମୁଁ ଛୋଟ ଥିଲି , କିନ୍ତୁ ମୋର ମନେ ଅଛି ସବୁ । ମୋ ବାପାଙ୍କ କାକା, ଜେଜେ ହେବେ ମୋର କିନ୍ତୁ ଆମେ ସବୁ ଛୁଆ ତାଙ୍କୁ କାକା ଜେଜେ ଡାକୁଥିଲୁ । ବାପାଙ୍କ ବାପା ଙ୍କୁ ଜେଜେ ଡାକୁଥିଲୁ । ଜେଜେ ବାହାରେ ରହି ଚାକିରୀ କରୁଥିଲେ ହେଲେ କାକା ଜେଜେ ସବୁବେଳେ ଆମ ପାଖରେ ଥିଲେ । ବାହାତ ହୋଇ ନ ଥିଲେ । ବ୍ରହ୍ମଚାରୀ। ପୂଜା ପାଠରେ ତାଙ୍କ ସମୟ ବିତେ । ବିଶେଷ କରି ହନୁମାନ ଭକ୍ତ ଥିଲେ । ସେଥିପାଇଁ ଏଇ ହନୁମାନ ଜୟନ୍ତୀ ଦିନ ବେଶ କିଛି ବଡ ଆକାରରେ ଆୟୋଜନ ହେଉଥିଲା । ବେଲ ପଣା, ଦହି ପଣା, ହେଉଥିଲା । ସେ ପୁଣି ଏତେ ବେଶି କରାଯାଉଥିଲା ଯେମିତି ସାରା ଗାଁ ଲୋକେ ପିଇ ପାରିବେ। କାକା ଜେଜେ ଭାରି ସ୍ନେହୀ ମଣିଷ ଟିଏ ଥିଲେ । କାହାର ଦୁଃଖ, କଷ୍ଟ ଦେଖିଲେ ସାହାଯ୍ଯ କରିବାକୁ ଆଗଭର ହୋଇ ବାହାରି ପଡୁଥିଲେ । ଆମ ଛୁଆ ମାନଙ୍କୁ ବହୁତ ସ୍ନେହ କରୁଥିଲେ । ପାଠ ବେଶି ସେମିତି ପଢି ନ ଥିଲେ । ତେଣୁ କିଛି କାମଦାମ କରୁ ନ ଥିଲେ। ସାଧୁ ସନ୍ଥ ଭଳି ରହୁଥିଲେ । ସେଥିପାଇଁ ଆମ ଜେଜେ ତାଙ୍କୁ ବହୁତ ରାଗୁଥିଲେ।
ଜେଜେ ଏମିତିରେ ବହୁତ ରାଗୀ ମଣିଷ ଥିଲେ ଆଉ କାକା ଜେଜେ ତାଙ୍କ ଓଲଟା । ଜେଜେ ରାଗିଲେ ବି କାକା ଜେଜେ ଦେହକୁ ନେଉ ନ ଥିଲେ । ଥରେ ଏମିତି ପଣା ସଂକ୍ରାନ୍ତି ବେଳକୁ ଜେଜେ ଘରକୁ ଆସିଥିଲେ । ସେ ଜାଣି ନ ଥିଲେ ଯେ କାକା ଜେଜେ ପଣା ସଂକ୍ରାନ୍ତି ରେ ଏତେ ବଡ ଆୟୋଜନ କରନ୍ତି । ସେଥର ଯେତେବେଳେ କାକା ଜେଜେ ଙ୍କୁ ଏତେ ଖର୍ଚ୍ଚ କରି ସଂକ୍ରାନ୍ତି ପର୍ବ ପାଳନ କରିବା ଦେଖି ଲେ ଜେଜେ ଖୁବ୍ ରାଗିଯାଇ କାକା ଜେଜେ ଙ୍କୁ ଯାହା ଇଚ୍ଛା ତା ବକିଗଲେ। ବାପାଙ୍କ କଥା,ଜେଜୀ ଙ୍କ କଥା ବି ଶୁଣିଲେନି । ସେଇ ଦିନ କାକା ଜେଜେ ଙ୍କୁ ବହୁତ ବାଧିଥିଲା। ସେଇ ଯେ ଘର ଛାଡି ସେଦିନ ଚାଲିଗଲେ ଆଉ ଘରକୁ ଫେରିଲେନି ।
ଆଜି ଦିନରେ ମାଁ ଆଉ ସୁଜାତା ପୂଜା ବିଧି ସବୁ ପାଳନ କରନ୍ତି ଆଉ ମାଁ କାକା ଜେଜେଙ୍କୁ ନିଶ୍ଚୟ ମନେ ପକାଏ। କାକା ଜେଜେ ମାଁ ଓ ବାପାଙ୍କୁ ବହୁତ ଭଲ ପାଉଥିଲେ । ଆଜି ବି ମାଁ ଝରା ପଣା ତିଆରି କରୁଥାଏ ଓ କାକା ଜେଜେ ଙ୍କୁ ମନେ ପକାଇ କହୁଥାଏ, " ବୁଝିଲୁ ସୁଜାତା, ଆଜି କାକା ଥିଲେ, ଏଇ ଯୋଉ ମହାମାରୀ ହେଇଛି, ସରକାର କେତେ ନିଅମ କରୁଛନ୍ତି, କାକା ଥିଲେ ଦେଖିଥାନ୍ତୁ ଆଜି କାହିଁକି, ସବୁଦିନ ଯାଇ ଗରିବ, ଏଇ ପୋଲିସ ମାନଙ୍କୁ କେତେ କଣ ସାହାଯ୍ଯ କରିଥାଆନ୍ତେ ।ଏ ଖରାରେ ପୋଲିସ ମାନେ ଯେଉଁ ଡ୍ୟୁଟି କରୁଛନ୍ତି ସମସ୍ତଙ୍କୁ ପଣା କରି ଦେଇ ସାରନ୍ତେ। ପର ପାଇଁ କିଛି କରିବାକୁ ବହୁତ ଭଲ ପାଉଥିଲେ। ଆଜି ଏ କରୋନା ରୋଗକୁ ନ ଡରି ଯାଇ ଗରିବ ମାନଙ୍କୁ ଖାଇବା ଜିନିଷ ନେଇ ବାଣ୍ଟୁଥାନ୍ତେ । " ମୁଁ ବି ଭାବୁଥାଏ ସତରେ ଏଇଭଳି ଦୁର୍ଦ୍ଦିନ ସମୟରେ କାକା ଜେଜେ ଙ୍କ ପରି ଲୋକ ଦରକାର । ସୁଜାତା ସବୁ କଥା ଶୁଣି କହୁଥାନ୍ତି, " ମାଁ ଆମେ ବି ଆମ ସୋସାଇଟି କ୍ଲବ ତରଫରୁ ପୋଲିସ ଭାଇ ଆଉ ଗରିବ ,ଦୁଃଖୀ ଙ୍କ ପାଇଁ ବେଲ ପଣା, ଦହି ସରବତ, ଫଳ ନେଇ ଦେବାର ଆୟୋଜନ କରିଛୁ ।"ମାଁ ଓ ମୁଁ ସତରେ ଖୁସି ହେଇଗଲୁ । ପଣା ସଂକ୍ରାନ୍ତି ରେ ସୁଜାତା ଙ୍କ ନାରୀ ଗୋଷ୍ଠୀଙ୍କ ଏଇ ସହାୟତା ମନୋଭାବ ଦେଖି କାକା ଜେଜେ ଙ୍କ କଥା ବେଶି ବେଶି ମନେ ପଡୁଥାଏ। ଆହା, ଏଇ ସମୟରେ କାକା ଜେଜେ ଥାଆନ୍ତେ କି !