Kalyani Nanda

Tragedy

3.7  

Kalyani Nanda

Tragedy

ସମୟର ପରୀକ୍ଷା

ସମୟର ପରୀକ୍ଷା

3 mins
178



ତା..14/04/2020,ମଙ୍ଗଳବାର,

ଲକ୍ ଡାଉନ, ଏକ ବିଂଶତମ ଦିବସ,

ଡିଅର ଡାଏରୀ ,


ଆଜି ଦୋକାନରୁ ଫେରିଲା ବେଳେ ବାସୁ ସହ ଦେଖା ହେଇଗଲା । ବାସୁଦେବ ତା ସାଇକେଲ ରେ ଦୁଇପଟରେ ବଡ ଦେଗଚି ଦୁଇଟା ରେ ଆଳୁଦମ, ଦହିବରା ନେଇ ଫେରୁଥାଏ । ମୁହଁ ଟା ଶୁଖାଇ ଦେଇଥାଏ । ମୁଁ ତାକୁ ଜାଣେ। ଆମ ସୋସାଇଟି ପାଖରେ ତା ଛୁଆ ପିଲା ନେଇ ରୁହେ । ତାକୁ ଦେଖି କହିଲି," କି ରେ ବାସୁ, ଏଇ ଖରା ରେ ଦହିବରା ବିକିବାକୁ ଯାଇଥିଲୁ ?ତୁ ଜାଣିନୁ କି, ଏବେ ପରା ଲକ ଡାଉନ ପାଇଁ କେହି ଘରୁ ବାହାରୁ ନାହାନ୍ତି । " ବାସୁ କହିଲା, " ଶୁଣିଥିଲି ଯେ, କେତେ ଦିନ ଯାଏ ଏମିତି ବନ୍ଦ ରହିବ ,ଜାଣି ନ ଥିଲି । ଏତେ ଦିନ କିଛି ବିକ୍ରୀ କରି ପାରିନି, ପଇସା ପତ୍ର ଯାହା ଥିଲା ଶେଷ ହେଇଗଲାଣି।


ମୋ ପରିବାର ଖାଇବେ କଣ,କେମିତି ଚଳିବ ଭାବି ଆଜି ଅଳ୍ପ ଦହିବରା ନେଇ ବାହାରିଥିଲି । ହେଲେ ପୋଲିସ ବାବୁ ଗାଳି କରିବାରୁ ଆଉ ବିକିବି କଣ, ଡରି ମରି ଫେରି ଆସିଲି । " ମୋତେ ତା ଅବସ୍ଥା ଦେଖି ଭାରି ଦୁଃଖ ଲାଗିଲା । ମୁଁ ତାକୁ ବୁଝାଇ କହିଲି, " ଏଇ ମହାମାରୀ ସମୟ ରେ କେହି ତୋର ତିଆରି ଦହିବରା ଖାଇବେନି । ବରଂ ତୁ ଆଉ କିଛି କର, ଯେମିତି ତୋ ପରିବାର ଚଳାଇ ପାରିବୁ । "ସେଦିନ ଏତିକି କଥା ହେଇ ଘରକୁ ଚାଲି ଆସିଲି। କିନ୍ତୁ ଭାବୁଥାଏ ସତରେ ଏମାନଙ୍କ ଭଳି ଖଟି ଖିଆ ଲୋକ ଏଇ ଭଳି ସମୟ ରେ ଚଳିବେ କେମିତି ? କିନ୍ତୁ ମୋ ଭାବିବା ଭୁଲ ଥିଲା । ମଣିଷ ଚାହିଁଲେ ବହୁତ କିଛି କରି ପାରିବ। ଏ କଥା ପ୍ରମାଣ କରିପାରିଥିଲା ବାସୁ।


ତା ସହ ଭେଟ ହେବାର କିଛି ଦିନ ପରେ ବାସୁ କୁ ପୁଣି ଭେଟିଲି ସାଇକେଲ ପଛରେ ଗୋଟିଏ ବଡ ଗଣ୍ଠିଲି ଗୋଟିଏ ନେଇ । ତାକୁ ଯେତେବେଳେ ତା ଭଲ ମନ୍ଦ ପଚାରିଲି, ସେ କହିଲା, " ବାବୁ, ସେଦିନ ମୋ ମନଟା ବଡ ଖରାପ ହେଇ ଯାଇଥିଲା । ଚିନ୍ତାରେ ପଡି ଯାଇଥିଲି, କେମିତି କଣ କରିବି ବୋଲି । କିନ୍ତୁ ଶେଷରେ ଭାବିଲି, ମାସ୍କ ତିଆରି କରି କମ ଦାମରେ ଆମ ଭଳି ଲୋକଙ୍କୁ ବିକିବି । ସେମାନେ କୋଉଠୁ ବେଶି ଦାମରେ କିଣି ପାରିବେ ମାସ୍କ କି ଗ୍ଲୋଭସ ।ବାସ, ତାପରେ ଆରମ୍ଭ କଲି ମାସ୍କ ତିଆରି କାମ। ମୋର ଗୋଟିଏ ପୁରୁଣା ସିଲାଇ ମେସିନ ଟେ ଅଛି ।ମୋ ସ୍ତ୍ରୀ ବ୍ଲାଉସ, ସାୟା ସିଲାଇ କରେ । ସେ ଓ ମୁଁ ମାସ୍କ ଓ ଗ୍ଲୋଭସ ତିଆରି କଲୁ । ତାକୁ ନେଇ ବିକ୍ରୀ କରୁଛି ।" ମୁଁ ଆଶ୍ଚର୍ଯ୍ଯ ହୋଇ କହିଲି, " ପୋଲିସ ତୋତେ କିଛି କହୁନି?" " ନା ବାବୁ, ପ୍ରଥମ ଦିନ ଯେତେବେଳେ ବାହାରିଲି , ଡର ମାଡୁଥାଏ, କେଜାଣି ଏତେ ପରିଶ୍ରମ କରି ମାସ୍କ ତିଆରି କରିଛି, ବିକି ପାରିବି କି ନାହିଁ କେଜାଣି । ଏଇଆ ଭାବି ଭାବି ସାହସ କରି ବାହାରିଲି । ମୋ ଭାଗ୍ଯ କୁ ସେ ଦିନ , ପୋଲିସ ବାବୁ ମୋତେ ଅଟକାଇଲେ , କିନ୍ତୁ ମୁଁ ତାଙ୍କୁ ବହୁତ ନେହୁରା ହୋଇ ସବୁ କଥା କହିଲି, ସେ ପୋଲିସ ବାବୁ ଜଣକ ବହୁତ ଭଲ ଲୋକ ଥିଲେ । ମୋ ଦୁଃଖ ବୁଝି, ମୋତେ ବିକିବା ପାଇଁ ପରମିଶନ ଦେଲେ। ଗୋଟିଏ କାଗଜରେ ତାଙ୍କ ଦସ୍ତଖତ ଦେଇ , ମାସ୍କ ବିକି ପାରିବି ବୋଲି ଲେଖିକି ଦେଇଛନ୍ତି । " ଏଇଆ କହି ସେ କାଗଜ ମୋତେ ଦେଖାଇଲା । ମୋତେ ବହୁତ ଖୁସି ଲାଗିଲା , ଯା ହେଉ ଲୋକଟା କିଛି ତ କରୁଛି। ତା ଏଇ ଦୃଢ ମନୋବଳ ଦେଖି ମନେ ମନେ ତାକୁ ପ୍ରଶଂସା କଲି । ଏଇ ଧୈର୍ଯ୍ଯ, ସାହସ, ହିଁ ମଣିଷ କୁ ଏମିତି ଦୁର୍ଦ୍ଦିନ ରେ ସାହାଯ୍ଯ କରେ । ଘରକୁ ଫେରି ସୁଜାତା ଓ ମାଁ କୁ ବାସୁ କଥା କହିଲି । ତା ଠୁ ଆଣିଥିବା ମାସ୍କ ଦେଖାଇଲି ।


ସମୟ ଯେ ସବୁବେଳେ ଭଲରେ ଯିବ ତା ନୁହେଁ, କିନ୍ତୁ ବିପଦ ସମୟ ରେ ଧୈର୍ଯ୍ଯ ଧରି କାମ କଲେ ସଫଳତା ନିଶ୍ଚିତ ମିଳିଥାଏ । ଏମିତି ଧୈର୍ଯ୍ଯ ଯଦି ଆମ ସମସ୍ତଙ୍କ ପାଖରେ ରହିବ ତେବେ ଏଇ ମହାମାରୀ ପରି ବିପଦର ସାମନା ଆମେ ନିଶ୍ଚୟ କରିପାରିବା । ଯେତେ ବଡ ପରୀକ୍ଷା ର ସମୟ ଆସୁନା କାହିଁକି ଦୃଢ ମନୋବଳ ହିଁ ଆମକୁ ନିଶ୍ଚୟ ବିଜୟୀ କରିବ।



Rate this content
Log in

Similar oriya story from Tragedy