STORYMIRROR

Kabiratna Nutan Kumar Behera

Romance Tragedy Action

3  

Kabiratna Nutan Kumar Behera

Romance Tragedy Action

ମଙ୍ଗଳ ସୂତ୍ର

ମଙ୍ଗଳ ସୂତ୍ର

4 mins
1.1K


   ଭାବି ଚାଲିଛି ଶୁଭ୍ରଜିତ୍, ତା' ଭାବନାର ଅନ୍ତ 

ନାହିଁ। ଆଜି ସେ ଏକା ଏକା ବଞ୍ଚିବାରେ ଅଭ୍ୟସ୍ତ 

ହୋଇ ଯାଇଛି। ପାଞ୍ଚ ବର୍ଷ ଆଗରୁ ଛାଡି ଆସିଥିବା ସେ ଅତୀତଟା ଏମିତି ଭାବେ ତାକୁ  ଜାବୁଡି ଧରିବ, ତାହା ସେ କେବେ କଳ୍ପନା କରି ନ ଥିଲା କି ସ୍ଵପ୍ନ ମଧ୍ୟ ଦେଖି ନ ଥିଲା। କାରଣ ତନ୍ମୟୀ ତାକୁ ଛାଡପତ୍ର ଦେଇ ଚାଲି ଗଲା ପରେ ସେ ବଞ୍ଚିଛି କି ମରିଛି, ନିଜେ ସୁଦ୍ଧା ଜାଣେ ନା। ଖାଉଛି ପିଉଛି ଜୀଅନ୍ତା ଶବଟିଏ ହୋଇ ବଞ୍ଚିଛି। ମରୁଭୂମିର ବାଲି ସ୍ତୁପ ଉପରେ ନାଚୁଥିବା ମିଛ ମରୀଚିକା କଣ ତା ଜୀବନରେ ରଙ୍ଗ ଭରି ଦେଇ ପାରିବ ? 


   ଏମିତି କେତେ କଣ ଭାବି ଚାଲିଛି ଶୁଭ୍ରଜିତ୍। ଦିନେ ଯଉ ତନ୍ମୟୀ ତା ପାଇଁ ସାରା ଦୁନିଆଁ ସାଥେ ଲଢେଇ କରି ଗୋଟା ପଣେ ନିଜର କରି ନେଇଥିଲା ତାକୁ, ଏମିତି ଭାବରେ ତାକୁ ଭତ୍ସନା କରି ମିଛ ସନ୍ଦେହରେ ଛାଡପତ୍ର ଦେଇ ଚାଲିଗଲା କେମିତି ? ଯେଉଁ ଶୁଭ୍ରଜିତ୍ ପାଇଁ ବାପା ମାଆ ଭାଇଙ୍କ ପାଖରେ ସାତ ଦିନ ନିର୍ଜଳ ଉପବାସ କରି ତାଙ୍କୁ ରାଜି କରିଥିଲା ଆଉ ଶେଷରେ ବାଧ୍ୟ ହୋଇ ସେମାନେ ଉଭୟଙ୍କ ବାହାଘର ଅତି ଧୁମ୍ ଧାମ୍ କରିଦେଇଥିଲେ। ସେମାନେ ଯେତେ ବୁଝାଇଲେ ବି ସେ କିଛି ନ ବୁଝି ନିଜ ତରଫରୁ ଛାଡପତ୍ର ଦେଇଛି। ବିଚରା ଶୁଭ୍ରଜିତ୍ ମରିବାର  ଉପକ୍ରମ କରି ମଧ୍ୟ ମରି ପାରିନି, ନିଜ ପରିବାର ବାପା ମାଆ ପାଇଁ କେବଳ ବଞ୍ଚିଛି , ତାର ଭଲ ପାଇ ବିବାହ କରିବା ଯଦି ଭୁଲ୍ ହେଲା, ସେଥିରେ ଅନ୍ୟ କାହାକୁ ଦାୟୀ କରିବ କାହିଁକି? 


ତାର ଅନ୍ତରାତ୍ମା ତାକୁ ବାରମ୍ବାର ଚେତାଇ ଦେଉଥାଏ, ଆରେ, ତନ୍ମୟୀ ତୋର ପ୍ରେମିକା, ତା ପରେ ତୋର ସ୍ତ୍ରୀ, ସେ ଏମିତି ଏକ ଭୁଲ୍ ନିଷ୍ପତ୍ତି ନେଇ ଚାଲିଗଲା ବୋଲି ତୁ ଦୁନିଆଁ ଛାଡି ଚାଲିଯିବୁ, ମଦ ପିଇ ମାତାଲ ହେବୁ, ବାପାମାଆ ଯେଉଁମାନେ ତୋତେ ଏଡୁଟିଏରୁ ଏଡେଟିଏ କରିଛନ୍ତି, ସଂସାର ଆଲୁଅ ଦେଖାଇ ମଣିଷ ପରି ମଣିଷ କରିଛନ୍ତି, ଏତେ ବଡ ପଦରେ ଅଧିଷ୍ଠିତ କରିଛନ୍ତି, ସେମାନଙ୍କ ଅପରାଧ କଣ ? ତାଙ୍କୁ ଉପେକ୍ଷା କରିବା କଣ ଠିକ୍ ? ତା ଛଡା ନିଜ ଶ୍ରମ ସାଧାନ ବଳରେ ଯେଉଁ ଉଚ୍ଚ ପଦର ଅଧିକାରୀ ହୋଇଛୁ, ତାର କଣ କିଛି ମୂଲ୍ୟ ନାହିଁ ? ତୋର ଦାୟିତ୍ଵ କର୍ତ୍ତବ୍ୟ ମନେ ପକା....., ଅନ୍ତରାତ୍ମାର ନିର୍ଦ୍ଦେଶ ଶୁଣି ଶୁଭ୍ରଜିତ୍ ସବୁ ସମ୍ଭାଳି ନେଇଛି ସତ କିନ୍ତୁ ଛାଡପତ୍ର ଦେଲା ପରେ ବି ,ଏ ପାଞ୍ଚ ବର୍ଷ ଜଳ ବିନା ମାଛ ପରି ଛଟପଟ ହେଉଛି ଖାଲି ନିଜ ଭିତରେ। ବଞ୍ଚିବାର ମୋହ ତାର ଆଉ ନାହିଁ, ବଞ୍ଚିଛି କେବଳ ଅନ୍ୟମାନଙ୍କୁ ମହକାଇବା ପାଇଁ। ଭିତରେ ଭିତରେ ଭାଙ୍ଗି ଯାଇଥିଲେ ବି ଉପରକୁ ଦୃଢ ହୋଇ ରହିଛି। ଏକ ସହିଷ୍ଣୁତାର ମହତ ପରିଚୟ ଦେଇ । ଏଇ ବିଶେଷ ଗୁଣ ପାଇଁ ବୋଧହୁଏ ଆଜି ସେ ଓ. ଏ. ଏସ୍. ଭଳି ଉଚ୍ଚ ପଦର ଅଧିକାରୀ। 


   ହଠାତ୍ ଡାକ୍ତରବାବୁଙ୍କ ଉପସ୍ଥିତ ଶୁଭ୍ରଜିତ୍ ଙ୍କୁ ଭାବନାର ନିଦ୍ରାରୁ ଜାଗ୍ରତ କରିଦେଲା। ଇତସ୍ତତଃ ହୋଇ ପଡିଲେ ସେ। ସାନ୍ତ୍ଵନା ଦେଇ ଡକ୍ଟର୍ କହିଲେ, ବ୍ୟସ୍ତ ହେବାର କିଛି ନାହିଁ ସାର୍, ମ୍ୟାଡାମ୍ ବେଶ୍ ଠିକ୍ ଅଛନ୍ତି, ଆଉ କେଇ ଘଣ୍ଟା ଭିତରେ ସେନସ୍ ଫେରି ଆସିବ। ଆପଣ ଛାହିଁଲେ ଆଜି ହିଁ ମ୍ୟାଡାମ୍ ଙ୍କୁ ସାଥିରେ ନେଇ ଯାଇ ପାରିବେ। ଏତିକ କହି ଡକ୍ଟର ଚାଲି ଗଲେ ।


    ଏ କଣ ତନ୍ମୟୀ ପୁଣି ମୋ ସାଥିରେ, ନା ଅସମ୍ଭବ। ସେ ଦିନର ସେ ପବିତ୍ର ବନ୍ଧନ କି ମଧୁର ସମ୍ପର୍କ ଆଜି ଆଉ କିଛି ବି ନାହିଁ। 


   ଦୀର୍ଘ ପାଞ୍ଚ ବର୍ଷର ବ୍ୟବଧାନ ଭିତରେ ସେ 

ତନ୍ମୟୀଙ୍କୁ ବହୁତ ଖୋଜିଛି, ମାତ୍ରା ଏତେ ବଡ ଦୁନିଆଁରେ ଯା' ଠିକଣା ଥରେ ହଜିଯାଏ ତାକୁ ମନେ ମନେ ଭାବିହୁଏ ସତ ହେଲେ ଖୋଜିଲେ ମିଳେନା। ନୂଆ କରି ଏ ସହରକୁ ବଦଳି ହୋଇ ଆସିଲା ପରେ ଏଠି ତାଙ୍କର ଆଜିକୁ ପାଞ୍ଚ ଦିନ।


ଅଫିସ୍ ଟୁର୍ ରୁ ଫେରୁ ଫେରୁ ଦୁର୍ଘଟଣା ସ୍ଥାନରେ ଅଟକି ଯାଇଥିଲା ଶୁଭ୍ରଜିତ୍ ଆଉ ସେଇଠି ହିଁ ସେ ଆବିଷ୍କାର କରିଥିଲେ ତନ୍ମୟୀଙ୍କୁ, ମୁମୂର୍ଷୁ ଅବସ୍ଥାରେ ଚେତାଶୂନ୍ୟ ହୋଇ ପଡିଥିଲେ। ହଠାତ୍ ତନ୍ମୟୀଙ୍କୁ ଏ ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ ନେଇ ଆସିଥିଲେ ଏଠିକାର ନାମୀ ନର୍ସିଂ ହୋମ୍ କୁ। 


   ଶୁଭ୍ରଜିତ୍ , ତନ୍ମୟୀଙ୍କର ତତ୍ତ୍ଵାବଧାନ କରିଛନ୍ତି ନିଜର ପତ୍ନୀ ଭାବରେ ନୁହେଁ , ଜଣେ ସଚେତନ ନାଗରିକ ଭାବେ ସେ କେବଳ ତାଙ୍କ କର୍ତ୍ତବ୍ୟ ତୁଲାଇଛନ୍ତି ।


    ଏବେ ତନ୍ମୟୀଙ୍କ ସେନସ୍ ଫେରି ଆସିବ। 

ଆଖି ଖୋଲି ଶୁଭ୍ରଜିତ୍ ଙ୍କୁ ଦେଖିଲେ କଣ ଭାବିବେ। କି ଉତ୍ତର ଦେବ ସେ। ବିଚଳିତ ହୋଇ ଉଠିଲା ଶୁଭ୍ରଜିତ୍। ବହୁ ପୂର୍ବରୁ ସେ ତ ତାଙ୍କ ଠିକଣା ଅନୁସନ୍ଧାନ କରି ଏ ଖବର ଜଣାଇ ଦେଇଛି। ଅଳ୍ପ ସମୟ ଭିତରେ ସେମାନେ ଆସି ଯିବେ। ତନ୍ମୟୀଙ୍କ ସ୍ଵାମୀ ମଧ୍ୟ ଆସି ପାରନ୍ତି। ଏବେ ବି ତନ୍ମୟୀ ସଜ ଫୁଟା ଗୋଲାପ ପରି ଝଟକୁଛନ୍ତି। ନା, ତାଙ୍କ ବିଷୟରେ ଆଉ କିଛି ଅଧିକ ଭାବିବା ତାର ଉଚିତ ନୁହେଁ। ଏବେ ସେ ଆଉ କାହାର.. ଗୋଟାଏ ଦୀର୍ଘଶ୍ବାସ ପରେ ଆଗକୁ ପାଦ ବଢାଇ ଦ୍ଵାରା ଖୋଲୁ ଖୋଲୁ ଶୁଣାଗଲା, ଶୁଭ୍ର, ତୁମେ... !


  ପଛକୁ ଫେରି ଚାହିଁ ଦେଖିଲେ ତନ୍ମୟୀଙ୍କ ଚେତା ଫେରି ଆସିଛି ଆଉ ସେ ତାଙ୍କୁ ଆଖି ଠାରି ପାଖକୁ ଡାକୁଛନ୍ତି। 


   ଶୁଭ୍ରଜିତ୍ ଯନ୍ତ୍ରବତ୍ କିଂ କର୍ତ୍ତବ୍ୟ ବିମୁଢ ହୋଇ ଅଜାଣତରେ ତନ୍ମୟୀଙ୍କ ପାଖରେ ବସି ପଡିଲେ । ଆଖି ଆଖିର ଚାହାଁଣିରେ ଅନେକ ଅତୃପ୍ତ ଭାବନାର ଉତ୍ତଳ ତରଙ୍ଗ, ଓଠ ଥର ଥର। ପଦୁଟିଏ କଥା କାହା ପାଟିରୁ ସ୍ଫୁରୁ ନ ଥାଏ। ଦୁହେଁ ଏକ ଲୟରେ ଦୁହିଁଙ୍କୁ ଚାହିଁ ଥାନ୍ତି। ଯୁଗ ଯୁଗର ନିଦ୍ରା ଭାଙ୍ଗି ଏ ଚାରି ଆଖି ବୋଧହୁଏ ଜାଗି ଉଠିଛି। ନୀରବତା ଭିତରେ ଉଭୟ ଉଭୟଙ୍କୁ ନିଜ ଭିତରେ ଖୋଜି ପାଇଲେ। ବରଫ ପରି ଧିରେ ଧିରେ ତରଳି ଯାଉଥାଏ ତାଙ୍କର ମାନ ଅଭିମାନ, ଛାଡପତ୍ର ହୋଇଥିବା କଥା। ଉଭୟଙ୍କ ଆଖିରୁ ଝରି ପଡୁଥାଏ ଅମାନିଆଁ ଲୁହ ଧାର ଧାର... ।


  ଅନେକ ସମୟ ପରେ ପ୍ରକୃତିସ୍ଥ ହୋଇ ଶୁଭ୍ରଜିତ୍ ତନ୍ମୟୀଙ୍କ ଆଡକୁ ଚାହିଁ ଦେଖିଲେ, ତାଙ୍କ ସୀମନ୍ତର ସିନ୍ଦୂର ଦାଉ ଦାଉ ଜଳୁଛି, ଗଳାରେ ଚହଟି ଉଠୁଛି ମଙ୍ଗଳସୂତ୍ର...  ତନ୍ମୟୀ ବୁଝି ଗଲେ ଶୁଭ୍ରଙ୍କର ମନ ଗହନର କଥା। ଓଠ ଥରାଇ ଭ୍ରୃକୁଞ୍ଚନ କରି ଖନି ଖନି ଖଣ୍ଡ ବାକ୍ୟରେ କହି ଚାଲିଲେ, ଶୁଭ୍ର ଏ ତ ତୁମ ହାତର ଦିଆ ସିନ୍ଦୂର ,ଆଜି ଯାଏଁ ମୁଁ... ଆଉ ଏ ମଙ୍ଗଳସୂତ୍ର ବି ତୁମ ଉପହାର... ତୁମକୁ ସନ୍ଦେହ କରି ଦୂରେଇ ଯାଇ ଥିଲି, ଆଜି ତୁମେ ନ ଥିଲେ ଏ ଦୁନିଆଁରୁ... 


 ନା, ଚିହିଁକି ଉଠି ତନ୍ମୟୀଙ୍କ ମୁହିଁରେ ପାପୁଲି ରଖି ଶୁଭ୍ରଜିତ୍ କହିଲେ, ସେ ଅଶୁଭ କଥା ଆଉ କୁହନା। ତନ୍ମୟୀ କହି ଉଠିଲେ, ସତରେ ମୁଁ ତୁମ ଭଲ ପାଇବା ପାଇବାର ଯୋଗ୍ୟା ନୁହେଁ। ଛାଡପତ୍ର ଦେଲା ପରେ ବି ମୋ ପ୍ରତି ତୁମର ସେହି ଅନୁରାଗ, ଟିକେ ବି କମି ନାହିଁ। ମୁଁ ସିସ୍ଟର୍ ଙ୍କଠାରୁ ଶୁଣିଛି। ମୋତେ ତୁମେ ମରଣ ମୁହଁରୁ ଫେରାଇ ଆଣିଛ। 


  ସେ କଥା ଆଉ କୁହ ନା, ତୁମେ ତୁମ ଭୁଲ୍ ସୁଧାରି ନେଇଛ। ତାହା ହିଁ ଆମ ପାଇଁ ଯଥେଷ୍ଟ। ସେ ସମୟ ହୁଏତ ଆମ ପାଇଁ ଠିକ୍ ନ ଥିଲା। ତୁମ ସିନ୍ଦୂର ଆଉ ମଙ୍ଗଳସୂତ୍ର ଆଜି ଛାଡପତ୍ରକୁ ଛିଡାଇ ଦେଇ ପୁଣି ଥରେ ଆମ ହୃଦୟକୁ ଯୋଡି ଦେଇଛି। ଏ ମଙ୍ଗଳସୂତ୍ର ଆମ ସମ୍ପର୍କକୁ ଏମିତି ବାନ୍ଧି ରଖିଥିବ ଜୀବନର ଶେଷ ଯାଏଁ... ।


  କେବିନ୍ ଭିତରକୁ ତନ୍ମୟୀଙ୍କ ବାପା ମାଆ ଭାଇ ଭାଉଜ ପଶି ଆସିଲେ। ଦୁହିଁଙ୍କ ପୁନର୍ମିଳନ ଦେଖି ଖୁସିରେ ଆତ୍ମହରା ହୋଇ ଉଠିଲେ । ସମସ୍ତଙ୍କ ମୁହିଁରେ ଫୁଟି ଉଠିଲା ହୃଦୟଭରା ହସ। ସତେ କି ଅମାବାସ୍ୟାର ଘନ ଅନ୍ଧାରରେ ଉଇଁ ଆସିଲା ପୁନେଇଁ ଚାନ୍ଦ....

 


Rate this content
Log in

Similar oriya story from Romance