STORYMIRROR

Kabiratna Nutan Kumar Behera

Children Stories Tragedy Inspirational

4  

Kabiratna Nutan Kumar Behera

Children Stories Tragedy Inspirational

ମାଆ ର ଶେଷ ଚିଠି

ମାଆ ର ଶେଷ ଚିଠି

5 mins
295

ମାଆର ଶେଷ ଚିଠି    

💠ଗାଳ୍ପିକ ନୂତନ କୁମାର ବେହେରା

 ଶ୍ରଦ୍ଧେୟ
ମୋର ପୁଅ,                  

 ପୁଅରେ !      

      ତୋତେ ତୋ ମାଆର ଅସରନ୍ତି ମମତା, ଅଶେଷ ସ୍ନେହ, ଅଗାଧ ଶ୍ରଦ୍ଧା। ତୋ ପିଲାମାନଙ୍କୁ ଓ ବୋହୂ ମା'କୁ ମୋର ଅନ୍ତରଭରା ଶୁଭେଚ୍ଛା ସହିତ ଭଲ ପାଇବା। ଠାକୁରେ ତୋର ସବୁ ମଙ୍ଗଳ କରନ୍ତୁ। ତାଙ୍କର ଅପାର ମହିମାରେ ଘଣ୍ଟ ଘୋଡାଇ ରଖନ୍ତୂ। ତୋ ସପରିବାର କଲ୍ୟାଣ ହେଉ।        ମୁଁ ତୋର ମାଆ, ଅନୁରୋଧ କରି ପାରୁନି କି ଆଦେଶ ବି ଦେଇ ପାରୁନି। କେବଳ ଟିକିଏ ଭରସା ରଖି ଦି' ଧାଡି଼ ଲେଖୁଛି, ପଢିବା ସମୟ ବାହାର କରି ପଢିବୁ,ତରତର ହେବୁନି। ହଁ, ତୋ ମୂଲ୍ୟବାନ ସମୟ ନଷ୍ଟ ନ କରି ଅବସର ବା ବଳକା ସମୟରେ ଶେଷ ଯାଏଁ ପଢିବୁ,ଆଉ ପଢି ସାରି ଛିଡି଼ ଫିଙ୍ଗି ଦେବୁ।       ଜାଣିଛି ମୁଁ ତୋ କଥା, ତଥାପି ଜଣାଉଛି କେବଳ ଏଇଥି ପାଇଁ ତୋ ମାଆ ବୋଲି। ଜୀବନରେ ତ ଅନେକ କଥା ତୋତେ କହିଛି। ସହରରେ ପଢୁଥିଲା ବେଳେ ଅନେକ ଚିଠି ବି ଲେଖିଛି ତୋ ପାଖକୁ। କାହିଁକି କେ ଜାଣି ଏଇଟା ବୋଧହୁଏ ତୋ ପାଖକୁ ମୋ ଶେଷ ଚିଠି ବୋଲି ମୋ ମନ କହୁଛି।         ପୁଅଟିଏ ଜନ୍ମ କରି ମୁଁ ସେଦିନ ମାଆ ହେବାର ସାର୍ଥକତା ପାଇଥିଲି। ତୋତେ ମୋର ମାତୃତ୍ଵ ଦେଇ ପାରୁ ପର୍ଯ୍ୟନ୍ତ ମଣିଷଟି ଗଢିବା ପାଇଁ ଶତ ଚେଷ୍ଟା କରିଛି। ତୋ ଅଳି ଅର୍ଦ୍ଦଳି ଅଝଟପଣ ସବୁ ସହିଛି। ତୋ ପାଇଁ ବାର ବ୍ରତ ଉପାସନାରେ କେବେ ଊଣା କରି ନାହିଁ, ଠାକୁରଙ୍କୁ ତୋର ଶୁଭ ହିଁ ମନାସିଛି। ତୋ ମୁହଁର ହସ ଦେଖି ନିଜକୁ ନିଜେ ଏକ ସଫଳ ନାରୀ ମମତାମୟୀ ମାଆ ଭାବି ନୀରବରେ ନିଜ ପ୍ରଶଂସା କରି ସନ୍ତୁଷ୍ଟ ହୋଇଛି। ତୋ ବାପାଙ୍କର ଆଶା ଆକାଂକ୍ଷା ସବୁ ପୂରଣ ପାଇଁ ତୋର ସେବା ଯତ୍ନରେ କେବେ ଅବହେଳା କରି ନାହିଁ।        ଏ ଯାଏଁ ମୁଁ ମୋର ହିଁ ପ୍ରଶଂସା ସୁନାମ ଗାଇ ହେଉଛି। ଏବେ ତୋ କଥା କେଇ ପଦ ଲେଖୁଛି। ରାଗିବୁନି ଧନ। ଛାତିର କୋହ ଆଖିର ଲୁହକୁ ଆଉ ସମ୍ଭାଳି ପାରୁନି। ତଥାପି ଜୋର୍ କରି ଅଟକାଇ ଏ ଚିଠି ଲେଖୁଛି। ଆଖି ଲୁହରେ ଭିଜି ଗଲେ ଏ ଚିଠି କାଳେ ତୁ ପଢି ପାରିବୁନି।         ଆଜି ମୁଁ ତୋ ଭଡା଼ଘର ଛାଡି ଚାଲି ଆସିଛି। କାହିଁକି ତୁ ଜାଣୁ। ମୋ ଇଚ୍ଛାରେ ନୁହେଁ, ତୋ କଥାରେ ଆସିଛି। ଏକ ପ୍ରକାର ବୋହୂ ମା'ର ତାଗିଦ୍ ଓ ବାଧ୍ୟ ବାଧ୍ୟକତାରେ। ଉପାୟ ଆଉ କଣ ଥିଲା, ବୁଢୀ ମଣିଷଟା, ତା ପାଇଁ ଘର ଆବଶ୍ୟକତା କ'ଣ ଯେ, ମୁଣ୍ଡ ଗୁଞ୍ଜିବାକୁ ଗଛ ତଳ ଯଥେଷ୍ଟ।         ମୁଁ ତୋ ଭଡା ଘରୁ ଆସିବାକୁ ବାଧ୍ୟ ହେଲି, ତୁ ଯେତେ ବେଳେ ମୋର ଲୁଗାପଟା ସହ ହାତରେ କେଇଟା ଟଙ୍କା ଧରାଇ ଦେଇ ଅଟୋରେ ବସାଇ ଦେଲୁ ନ ଆସି ଆଉ କ'ଣ କରିଥାନ୍ତି ? ତୁ ଗାଁକୁ ଯିବାକୁ କହିଥିଲୁ ମୁଁ ଗାଁକୁ ଆସିନିରେ, ତୋର ସୁବିଧା ପାଇଁ ମଶାଣିକୁ ଆସିଛି। ମଲେ ତୋତେ ଆଉ କଷ୍ଟ କରି ମୋ ଶବ ପାଇଁ କାନ୍ଧ ଦେବାକୁ ପଡିବନି କି ଲୋକ ବାକ ଡାକିବାକୁ ପଡିବନି। ତୋ ମାଆ ପରା ମୁଁ ତୋତେ କଷ୍ଟ ଦେଇ କେମିତି ମରି ପାରିଥାନ୍ତି ଯେ...।          ତୋ ପିଲାମାନେ ନାଚୁଥିଲେ ଫୋନ୍ ରୁ କଥା ଶୁଣି ଆଈ ଆସିବେ କହି,ବୋହୂ ମା' ଯେତେବେଳେ ଗପୁଥିଲେ ତୋ ଶାଶୁ ସାଙ୍ଗରେ। ମୁଁ ବି ଖୁସୀ ଥିଲି ସମୁଦୁଣୀ ଆସିବେ, ଦେଖା ହେବ। ହେଲେ ପ୍ରମାଦ ଗଣିଲି ଯେତେବେଳେ ଜାଣିଲି ମୋତେ ଗାଁ'କୁ ଯିବାକୁ ହେବ ଏକା।ହଁ, ମୁଁ ଏକା ତୋ ବାପା ଚାଲିଗଲେ ଆର ପାରିକି ପାଞ୍ଚ ବରଷ ହେଲା। ମୁଁ ତୋର ବୋଝ ହୋଇ ପଡିଥିଲି।ତୋତେ ଭାରି କଷ୍ଟ ଦେଉଥିଲି। ଏବେ ଲାଘବ ହେବ ସେ କଷ୍ଟ ସବୁ। ମାଆ ବଦଳରେ ଶାଶୁ ମା' ତୋ ଆସିବେ। ମୋ ରୁମ୍ ରେ ପରା ରହିବେ। ମୁଁ ବୁଢୀ ବେମାରୀ ଲୋକଟା, ଗୋଟିଏ କୋଠରୀରେ ତୋ ଶାଶୁ ରହିଲେ ମୋ ରୋଗ ତାଙ୍କୁ ଡେଇଁବ। ବୋହୂ କହୁଥିଲା ତୋତେ ମୋତେ ଶୁଣେଇ ଶୁଣେଇ, ତୁ ତ ପିଇ ଯାଉଥିଲୁ ସବୁ...,ଆରେ ମୋ କ୍ଷୀର ପିଇ ତୁ ଏତେ ବଡ଼ ହେଲୁ ମୋ ରାନ୍ଧଣା ଖାଇ ପାଠ ପଢିଲୁ ତୋ ବାପା ଏତେ ଦିନ ବଞ୍ଚିଲେ। କାହିଁ କାହାକୁ ତ ମୋ ରୋଗ ଡେଇଁଲାନି। ହଁ ଏବେ ତ ସତୁରୀ ବର୍ଷର ବୁଢୀ, ରୋଗଟା ଡେଇଁ ପଳାଇବ, ମୁଁ ଆଉ ଅଟକାଇ ରଖିବାକୁ ବଳ ପାଉ ନାହିଁ, ତାଛଡା ମୋ ଦେହରେ ଆଉ କଣ ଅଛି ଯେ ରୋଗ ମୋତେ ଲୋଭ କରିବ, ତୋ ଶାଶୁ ତ ଏବେ ବି ସେମିତି ଫିଟ୍ ଫାଟ୍। ମୋ'ଠୁ କାହିଁ କେତେ ସାନ। ଦୁନିଆଁ ଦେଖିବାକୁ ତାଙ୍କର ଗୋଟେ ଯୁଗ ଅଛି ପରା। ସେଇଥି ପାଇଁ ତୀର୍ଥ କରିବା ପାଇଁ ତୋ ଭଡାଘରର ମଠକୁ ଆସିବେ। ଝିଅ ଜୋଇଁ ପାଖରେ ରହିବେ, କୁଣିଆଁ ହୋଇ ନୁହେଁ ମ, ପୁରା ଘରର ଜଣେ ସଦସ୍ୟା ହୋଇ।         ଘର ତ କେତେ ନିଅଣ୍ଟିଆ ମୋ'ଠୁ ତୁ ବେଶି ଜାଣିଛୁ। ରହିବାକୁ ସୁବିଧା କହି ମାସକୁ ଦଶ ହଜାର ଟଙ୍କାରେ ନେଇଛୁ। କହୁଥିଲୁ କିଏ ଗଲେ ଆସିଲେ ରହିବାକୁ ସୁବିଧା ପାଇବ, ଚଳିବାରେ କିଛି ଅସୁବିଧା ହେବନି। ଏବେ ତ ସବୁ ଭୁଲି ଗଲୁଣି।        ତୋ ଶାଶୁ ପ୍ରତି ଧ୍ୟାନ ଦେବୁ। ତାଙ୍କର ଯେମିତି ଚଳିବାରେ ଅସୁବିଧା ନ ହୁଏ। ଶାଶୁ ମା' ପରା। ଝିଅ ଦେଇ ପୁଅ ପାଇଛନ୍ତି। ହଁ ରେ ମୁଁ ସେଇ ଦିନୁ ଜାଣିଛି, ଯେବେ ବୋହୂ ଘରକୁ ଆସିଲା। ବୁଝିଗଲି ପୁଅ ମା' ର ...ବାଢୁଅ ଥିବା ଯାଏ, ଆଉ ବାହାଘର ପରେ ବୋହୂର।ଆଉ ତୁ ମାଆ ବଦଳରେ ମାଆ ପାଇଲୁ। ମୋର ଆଉ କି ଦରକାର ଯେ, ମୁଁ ଅଲାଜୁକୀ ତୁଠ ପଥର ପରି କାହିଁକି ଯେ ପଡି ରହିଥିଲି ଏତେ ଜାଣି। ସତରେ ପୁଅ ...ମାଆ ନା... ସବୁ ସହି ପାରେ, ସେ ସର୍ବଂସହା। ଦେଖୁନୁ ମୁଁ କେମିତି ସବୁ ସହି ଯାଉଛି। ଆଖିରୁ ଦି ଟୋପା ଲୁହ ବି ଝରାଉନି। ଛାତିକୁ ପଥର ପରି ଟାଣ କରି ମଶାଣିରେ ମରଣକୁ ଡାକୁଛି। ଭଲା ମରଣଟା ବୋଲକରା ଲୋକଟା ପରି ଆସନ୍ତା କି, ନା.. ନାରେ ଏବେ ନୁହେଁ,ସେ ମରଣ ଆସିବ ତ ଆସୁ, ମୋର ଏ ଚିଠିଟା ଲେଖା ଆଗ ସରୁ।       ଆରେ ମୁଁ ତୋ ମାଆ, ତୋର ସାହା ଥିଲି... ଥିବି ମଲେ ବି....ମୋ ଆଶୀର୍ବାଦ ତୋ ପାଖରେ ସବୁଦିନ ଥିବ। ଦୁଃଖ ମୋ ମରିବାକୁ ତିଳେ ନାହିଁ। ଦୁଃଖ କେବଳ ଏତିକି ତୁ ମାଆ ଆଉ ଶାଶୁ ଭିତରର ଫରକ୍ କ'ଣ ମୋତେ ଜଣେଇ ଦେଲୁ। ତୁ ଜାଣି ପାରିଲୁନି। ମୋ କଥାରେ ବା ତୋ ବାପାର ଉପଦେଶରେ ବା ତୋର ସେ ମୋଟା ମୋଟା ପଢାବହିର ପାଠରେ...।        ବଡ଼ ଚାକିରୀ କରିଛୁ,ଭଲ ରୋଜଗାର କରୁଛୁ। ଟଙ୍କାର ତ ଅଭାବ ନାହିଁ। କହୁଥିଲୁ ପରା କୋଠା ତୋଳିବୁ ତୋଳ। ଆଉ ଭଡାଘରେ ରହି କଷ୍ଟ ପାଇବୁ କାହିଁକି ? ହଁ, ଗୋଟେ କଥା ମନେ ରଖିବୁ ଯଦି କେବେ କୋଠା ତୋଳୁ ସେ କୋଠାରେ ମୋର କି ତୋ ବାପାର ଫୋଟ ଝୁଲେଇବୁନି। ଏଇଟା ମୋ ରାଣ ତୋତେ। ପାରିବୁ ତ ତୋ ଶାଶୁ ଶଶୁରଙ୍କ ଆଛା ସେ ବଡ଼ ବଡ଼ ଫୋଟ ଟାଙ୍ଗି ଦେବୁ ସଦର ଦରଜା କାନ୍ଥରେ, ଗଲେ ଆସିଲେ ଯେମିତି ସହଜରେ ଦେଖି ପାରିବେ ସମସ୍ତେ।      ଆଉ ବେଶି ଲେଖୁନି, କେବଳ ଗୋଟିଏ କଥା ମୁଁ କାହାକୁ ଜଣେଇ ପାରିଲିନି, ଆଶା ଭରସା ବିଶ୍ଵାସ ରଖୁଛି...ତୁ ନିଶ୍ଚୟ ଜଣାଇ ଦେବୁ, ସେଇ ମାଆ ମାନଙ୍କୁ ଯେଉଁମାନେ ପୁଅ ପୁଅ ହୋଇ ମୋ ପରି ପାଗଳୀ ହେଉଛନ୍ତି।       ମରିବା ଆଗରୁ ତୋତେ ମୋର ଶେଷ ଆଶୀର୍ବାଦ କରୁଛି। ଭଲରେ ରହିବୁ। ମୋ କଥା ଏତିକି..., ଅନ୍ତତଃ ଥରୁଟିଏ ବୁଝିବୁ, ମା' ଶାଶୁ ଦୁହେଁ ସମାନ। ଜଣକ ପାଇଁ ଅନ୍ଯ ଜଣକୁ ଏମିତି ଆଉ ଯେମିତି ତୋ'ଠୁ ଦେଖି ଶୁଣି ... କେହି କେବେ ନ କରନ୍ତୁ। ଆଉ ତୋ ପରି ପୁଅଟିଏ ମୋ ପରି ମାଆର ଗର୍ଭରେ ଜନ୍ମ ନ ହେଉ...।        ହେ ଠାକୁରେ ମୋ ଭୁଲ୍ ଧରିବନି। କ୍ଷମା ଦେବ ମୋ ପୁଅକୁ...ବୋହୂକୁ...।        ଆଉ ମୋର ଏ ଶେଷ ଚିଠି ପଢି ସାରିବା ବେଳକୁ ମୋ ପୁଅ ...ମୋତେ ନେଇ ଯାଇଥିବ ତୁମ ପାଖକୁ...।      ମୋ ପ୍ରାର୍ଥନା ଶୁଣ ପ୍ରଭୁ ! ସଂସାରଟା ସଜାଡି ଦେଇଥିବ କେବେ ଯଦି ମୁଁ ଆଉ ଥରେ ଜନ୍ମ ନିଏ ତା' ଆଗରୁ.... ।ଇତି।                   ତୋର ମାଆ        ( ମାଆ ନାମିତ ଏକ ବୋଝ )         କୋହି,ବାରିପଦା,ମୟୂରଭଞ୍ଜ।


Rate this content
Log in